ନୂଆଦିଲ୍ଲୀ: ଭାରତର ୧୬ ବର୍ଷୀୟ ବ୍ୟାଡମିଣ୍ଟନ୍ ପ୍ରତିଭା ତାନଭି ଶର୍ମା ନିକଟରେ ବିଶ୍ୱ ବ୍ୟାଡମିଣ୍ଟନ୍ ଫେଡେରେସନ (BWF) ଜୁନିୟର ମହିଳା ସିଙ୍ଗଲ୍ସ ରାଙ୍କିଙ୍ଗରେ ବିଶ୍ୱର ନମ୍ବର ୧ ସ୍ଥାନ ହାସଲ କରି ଇତିହାସ ରଚିଛନ୍ତି। ଏହା ସହିତ ସେ ସିନିୟର ରାଙ୍କିଙ୍ଗରେ ମଧ୍ୟ ନିଜର କ୍ୟାରିଅରରେ ସର୍ବୋଚ୍ଚ ୫୦ ନମ୍ବର ସ୍ଥାନକୁ ଉଠିଛନ୍ତି। ପଞ୍ଜାବର ହୋଶିଆରପୁରରୁ ଆସିଥିବା ତାନଭିଙ୍କ ଏହି ସଫଳତା ତାଙ୍କ ଅସାଧାରଣ ପ୍ରତିଭା ଏବଂ କଠୋର ପରିଶ୍ରମର ପ୍ରମାଣ ଦେଇଛି।

ତାନଭି ଶର୍ମା ନିକଟରେ ଆମେରିକାରେ ଅନୁଷ୍ଠିତ ୟୁଏସ ଓପନ ୨୦୨୫ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଚମକପ୍ରଦ ପ୍ରଦର୍ଶନ କରିଥିଲେ। ଏହି ସୁପର ୩୦୦ ଟୁର୍ନାମେଣ୍ଟରେ ସେ ବିଶ୍ୱର ୨୩, ୪୦, ୫୦ ଏବଂ ୫୮ ନମ୍ବର ରାଙ୍କ ଥିବା ଖେଳାଳିମାନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଯଦିଓ ସେ ଫାଇନାଲରେ ଆମେରିକାର ଶୀର୍ଷ ବିଜେତା ବେଇୱେନ ଝାଙ୍ଗଙ୍କ ନିକଟରେ ୨୧-୧୧, ୧୬-୨୧, ୨୧-୧୦ ସ୍କୋରରେ ପରାସ୍ତ ହୋଇଥିଲେ, ତଥାପି ଏହି ଟୁର୍ନାମେଣ୍ଟରେ ତାଙ୍କ ପ୍ରଦର୍ଶନ ତାଙ୍କୁ ବିଶ୍ୱ ବ୍ୟାଡମିଣ୍ଟନରେ ଏକ ଉଦୀୟମାନ ତାରକା ଭାବେ ପ୍ରତିଷ୍ଠିତ କରିଛି। ଏହି ପ୍ରଦର୍ଶନ ତାଙ୍କୁ BWF ବିଶ୍ୱ ଟେନିସ ଫାଇନାଲରେ ପ୍ରବେଶ କରିଥିବା ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ମଧ୍ୟ ଇତିହାସ ରଚିଛି।

ଏହା ପୂର୍ବରୁ ତାନଭି ୨୦୨୫ ଡେନମାର୍କ ଚ୍ୟାଲେଞ୍ଜରେ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଥିଲେ। ଯେଉଁଠାରେ ସେ ଇଣ୍ଡୋନେସିଆର ନିକାଡେକ ଧିଣ୍ଡା ଅମର୍ତ୍ୟ ପ୍ରତିୱୀଙ୍କୁ ୨୧-୧୩, ୨୧-୧୦ ସ୍କୋରରେ ପରାସ୍ତ କରିଥିଲେ। ଏହା ତାଙ୍କର ଦ୍ୱିତୀୟ BWF ଇଣ୍ଟରନ୍ୟାସନାଲ ଚ୍ୟାଲେଞ୍ଜ ଟାଇଟଲ ଥିଲା। ପ୍ରଥମ ଟାଇଟଲ ସେ ୨୦୨୪ରେ ବନ୍ ଇଣ୍ଟରନ୍ୟାସନାଲରେ ଜିତିଥିଲେ।

ତାନଭି ଶର୍ମା ୨୨ ଡିସେମ୍ବର ୨୦୦୮ରେ ପଞ୍ଜାବର ହୋଶିଆରପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ମୀନା ଶର୍ମା ମଧ୍ୟ ଜଣେ ପ୍ରତିଷ୍ଟିକ ଖେଳାଳି ଥିଲେ। ମୀନା ଡିସି କମ୍ପ୍ଲେକ୍ସରେ ଭଲିବଲ ଖେଳୁଥିଲେ। ଏଣୁ ସେ ନିଜ ଝିଅ ତାନଭିକୁ ଅଳ୍ପ ବୟସରୁ ହିଁ ବ୍ୟାଡମିଣ୍ଟନ ସହ ପରିଚିତ କରାଇଥିଲେ। ତାଙ୍କ ବଡ଼ ଭଉଣୀ ରାଧିକା ମଧ୍ୟ ବ୍ୟାଡମିଣ୍ଟନ ଖେଳନ୍ତି, ଯାହା ତାନଭିଙ୍କୁ ଏହି ଖେଳ ପ୍ରତି ଆକର୍ଷିତ ହେବାରେ ସାହାଯ୍ୟ କରିଥିଲା। ୨୦୧୬ରେ ତାନଭି ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ଦିର୍ଘ ପାଞ୍ଚ ବର୍ଷ ଧରି ଅଣ-ସ୍କଲାରସିପ୍ ତାଲିମ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଗୌହାଟୀର ନ୍ୟାସନାଲ ସେଣ୍ଟର ଅଫ ଏକ୍ସଲେନ୍ସ (NCE) ରେ ତାଲିମ ନେଉଛନ୍ତି। ଯେଉଁଠାରେ ତାଙ୍କୁ କୋଚ୍ ପାର୍କ ଟାଏ-ସାଙ୍ଗ ଏବଂ ସଙ୍କର ଅନ୍ନାମାଲାଇ ପରି ଅଭିଜ୍ଞ ପ୍ରଶିକ୍ଷକମାନେ ମାର୍ଗଦର୍ଶନ କରୁଛନ୍ତି।

ତାନଭିଙ୍କ କ୍ୟାରିଅରରେ ଅନେକ ମାଇଲଷ୍ଟୋନ ରହିଛି। ସେ ୨୦୨୪ ବ୍ୟାଡମନ୍ଟନ ଏସିଆ ଟିମ ଚାମ୍ପିୟନସିପରେ ଭାଗ ନେଇଥିଲେ।  ତାନଭି ଭାରତୀୟ ମହିଳା ଦଳର ଅଂଶ ଥିଲେ। ଯାହା ମାଲେସିଆରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ପୁର୍ବରୁ ୨୦୨୩ ଏସିଆନ ଯୁବ ଚାମ୍ପିୟନସିପରେ ସେ ଚୀନରେ ଅନୁଷ୍ଠିତ U-15 ବିଭାଗରେ ଖେଳି ରୌପ୍ୟ ପଦକ ଅର୍ଜନ କରିଥିଲେ। ଏହା ସହ ୨୦୨୩ ସିନିୟର ନ୍ୟାସନାଲ ଚାମ୍ପିୟନସିପରେ ଯୋଗଦାନ କରି ମାତ୍ର ୧୫ ବର୍ଷ ବୟସରେ ସେ ଫାଇନାଲରେ ପହଞ୍ଚିଥିଲେ। ତେବେ ମ୍ୟାଚ୍ ଖେଳୁଥିବା ବେଳେ ଆଘାତ ଯୋଗୁଁ ଶେଷରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ତାନଭିଙ୍କ ଖେଳ ଶୈଳୀକୁ ଭାରତୀୟ ବ୍ୟାଡମିଣ୍ଟନ ଦିଗ୍ଗଜ ପି.ଭି. ସିନ୍ଧୁଙ୍କ ସହ ତୁଳନା କରାଯାଉଛି। ତାଙ୍କ ଆକ୍ରମଣାତ୍ମକ ଖେଳ, ନେଟ ନିକଟରେ ଚତୁରତା ଏବଂ କ୍ରସକୋର୍ଟ ସ୍ମାସ ତାଙ୍କୁ ଏକ ଦମଦାର ଖେଳାଳି ଭାବେ ପ୍ରତିଷ୍ଠିତ କରିଛି। ତାଙ୍କ ପ୍ରଶିକ୍ଷକ ପାର୍କ ଟାଏ-ସାଙ୍ଗ, ଯିଏ ପୂର୍ବରୁ ସିନ୍ଧୁଙ୍କୁ ମଧ୍ୟ ତାଲିମ ଦେଇଛନ୍ତି, ସେ ତାନଭିଙ୍କୁ “ପରବର୍ତ୍ତୀ ସିନ୍ଧୁ” ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ତାନଭିଙ୍କ ଶାନ୍ତ ମନୋଭାବ ଏବଂ ଖେଳିବାର କ୍ଷମତା ତାଙ୍କୁ ଅନ୍ୟ ସମସ୍ତ ଖେଳାଳିଙ୍କ ଠୁ ଅଲଗା କରିଛି।

ତାନଭି ଏବେ ଆଗାମୀ ଏସିଆନ ଜୁନିୟର ଚାମ୍ପିୟନସିପ ଏବଂ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନସିପ ଉପରେ ଧ୍ୟାନ ଦେଉଛନ୍ତି। ସେ ସିନିୟର ରାଙ୍କିଙ୍ଗରେ ଟପ୍-୩୦ରେ ପ୍ରବେଶ କରିବା ଏବଂ ସୁପର ୩୦୦ ଓ ୫୦୦ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ (BAI) ତାଙ୍କ ସଫଳତାକୁ ପ୍ରଶଂସା କରି ସାମାଜିକ ଗଣମାଧ୍ୟମ ଏକ୍ସରେ ଟୁଇଟ କରିଛି, “ମାତ୍ର ୧୬ ବର୍ଷରେ, ଟିନ ଟାଇଟାନ ତାନଭି ଶର୍ମା ବିଶ୍ୱର ନମ୍ବର ୧ ଜୁନିୟର ମହିଳା ସିଙ୍ଗଲ୍ସ ଖେଳାଳି ହୋଇଛନ୍ତି। ତାନଭିଙ୍କ ପାଇଁ କିଛି ଅସାଧାରଣ ସପ୍ତାହ!”

ତାନଭି ଶର୍ମାଙ୍କ ଏହି ଅସାଧାରଣ ଯାତ୍ରା ଭାରତୀୟ ବ୍ୟାଡମିଣ୍ଟନରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି। ତାଙ୍କର ପ୍ରତିଭା ଏବଂ ଉତ୍ସାହ ଆଗାମୀ ଦିନରେ ଆହୁରି ବଡ଼ ସଫଳତା ଆଣିବ ବୋଲି ଆଶା କରାଯାଉଛି।