କେନ୍ଦୁଝର, ୧୯।୬: କେନ୍ଦୁଝରର ଯୋଜନାରେ ଲାଭବାନ ହେଉଛନ୍ତି ପଶ୍ଚିମବଙ୍ଗ ଚାଷୀ । ଓଡ଼ିଶା ସରକାରଙ୍କ ଯୋଜନାକୁ ହଡ଼ପ କରୁଛନ୍ତି ଅସାଧୁ ସରକାରୀ କର୍ମଚାରୀ ଓ ତଥାକଥିତ ଚାଷୀ । ଏଭଳି ସଙ୍ଗୀନ ଅଭିଯୋଗ କେନ୍ଦୁଝର ଜିଲ୍ଲାର କୃଷି ଶିଳ୍ପ ନିଗମ ନାଁରେ ଆସିଛି । ଏ ରିପୋର୍ଟ ଖୋଦ୍ କୃଷି ବିଭାଗ ଦେଇଛି । ଆନନ୍ଦପୁର ଉପଖଣ୍ଡର ହାଟଡିହି ବ୍ଲକ୍ର ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମରେ ୧୩ ଜଣ ଚାଷୀ ଏହି ରିହାତି ପାୱାରଟିଲରକୁ ବିକ୍ରି କରି ଦେଇଥିବା ରିପୋର୍ଟ ମିଳିଛି । ଚାଷୀ ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ମଧ୍ୟ ରିହାତିରେ ନେଇଥିବା ପାୱାରଟିଲର ଅର୍ଥକୁ ଚଳୁ କରିବା ଭଳି ଖବର ଉଦ୍ବେଗର ବିଷୟ ହୋଇଛି । ନିୟମ ଅନୁସାରେ ଚାଷୀ କିମ୍ବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସବ୍ସିଡ୍ ପାୱାରଟିଲର ୩ ବର୍ଷ ପର୍ଯ୍ୟନ୍ତ କାହାରିବାକୁ ହସ୍ତାନ୍ତର କରିପାରିବେନି ବୋଲି ରାଜ୍ୟ ସରକାରଙ୍କ ସହିତ ଏଗ୍ରିମେଣ୍ଟ କରୁଛନ୍ତି । ମାତ୍ର ସବ୍ସିଡ୍ ପାଇବା ପରେ ୩-୪ ମାସ ପରେ ଏହି ପାୱାରଟିଲର ବିକ୍ରି କରି ଦେଉଛନ୍ତି । ପ୍ରଶାସନ ପକ୍ଷରୁ ତଦାରଖ ଅଭାବରୁ ଏଭଳି ଦୁର୍ନୀତି ଦିନକୁ ଦିନ ବ୍ୟାପିବାରେ ଲାଗିଛି ।

୨୦୨୨-୨୩ ଆର୍ଥୀକବର୍ଷରେ ନେଇଥିବା ପାୱାରଟିଲର ଚାଷୀମାନଙ୍କ ନିକଟରେ ଆଉ ନାହିଁ । କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ସମର ବିଶ୍ୱାଳ ଯାଞ୍ଚ କରିବା ପରେ ଏହି ଘଟଣା ପଦାକୁ ଆସିଛି । ଶ୍ରୀ ବିଶ୍ୱାଳ ହାଟଡିହି ବ୍ଲକର ବଞ୍ଚୋ ଗ୍ରାମର ଦୟାନିଧି ବେହେରା ଓ ମାମି ବେହେରାଙ୍କ ପାୱାରଟିଲର ଯାଞ୍ଚ କରିବାକୁ ଯାଇ ଏହି ଅନିମୟିତତା ଦେଖିବା ପରେ କୃଷି ଶିଳ୍ପ ନିଗମକୁ ପତ୍ର ନଂ ୧୪୨୦ ତା ୨୭ା୧୧ା୨୫ ରିଖରେ ଜଣାଇଲେ । ପରବର୍ତ୍ତୀ ସମୟରେ ଯାଞ୍ଚ କରିବାରୁ ପୁଣି ଆଉ ୧୧ ଜଣ ଚାଷୀ ପାୱାରଟିଲର ନେବା ପରେ ବିକ୍ରି କରି ଦେଇଥିବା ଜଣାପଡିଥିଲା । କେବଳ ଶିବନାରାୟଣପୁର ଗ୍ରାମର ୧୩ ଜଣ ଚାଷୀ ପାୱାରଟିଲର ବିକ୍ରି କରିଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ କିଭଳି ଜଣାପଡିଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି । ବିଭାଗ ପକ୍ଷରୁ ତଦାରଖ ହେଉନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ୨୦୨୨-୨୩ ବର୍ଷର ପାୱାରଟିଲର ଚାଷୀମାନେ ନେବା ପରେ କୃଷି ଶିଳ୍ପ ନିଗମ କିମ୍ବା କୃଷିବିଭାଗ ତଦାରଖ କରିନଥିବା ଏଥିରୁ ସ୍ପଷ୍ଟ ହୋଇଛି । ସବ୍ସିଡ୍ ପାଇବା ପରେ ଶିବନାରାୟଣପୁର ଗ୍ରାମର ରମାକାନ୍ତ ଜେନା, କୃପାସିନ୍ଧୁ ଢେଙ୍କା, କ୍ଷୀରୋଦ ପରିଡା, ବୃନ୍ଦାବନ ଜୀଉ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଶୁଭଲକ୍ଷ୍ମୀ ଢ଼େଙ୍କା, ସୁଭଦ୍ରା ବେହେରା, ନମିତା ମହାନ୍ତି, ସରସ୍ୱତୀ ଗିରି, ମିନତୀ ଜେନା, ଶିବନାରାୟଣ ଏସ୍ଏଚ୍ଜି, ମହେଶ୍ୱର ମହାନ୍ତି, ମାମି ବେହେରା ଓ ଦୟାନିଧି ବେହେରା ପାୱାରଟିଲର ବିକି ଦେଇଛନ୍ତି ବୋଲି ଜିଲ୍ଲା କୃଷି ଶିଳ୍ପ ନିଗମ ପକ୍ଷରୁ ଯାଞ୍ଚ ପରେ ଜଣାପଡିଛି ।

ତେବେ ଏହାର ରିପୋର୍ଟ ଆହୁରି ସନ୍ଦେହ ସୃଷ୍ଟି କରିଛି । କିଏ ଚିକିତ୍ସା ପାଇଁ ବିକିଛି ତ ପୁଣି କିଏ ଆର୍ଥିକ ଅନଟନ ପାଇଁ ବିକ୍ରି କରିଛି । ମହିଳା ଗୋଷ୍ଠୀ ଗୁଡିକ ନିଜ ନିଜ ମଧ୍ୟରେ ବିବାଦ ଯୋଗୁ ବିକିଛନ୍ତି ବୋଲି ରିପୋର୍ଟ କୃଷି ଶିଳ୍ପ ନିଗମ ପକ୍ଷରୁ ଦିଆଯାଇଛି । ଏହି ଘଟଣା ପରେ ଆନନ୍ଦପୁର ଓ ହାଟଡିହିରେ ଚାଷୀମାନଙ୍କୁ ପାୱାରଟିଲର ବନ୍ଦ ରଖାଯାଇଛି । କେବଳ ୧୩ ଜଣଙ୍କ ପାଇଁ ଅନ୍ୟମାନେ ମଧ୍ୟ ସରକାରୀ ଯୋଜନାରୁ ବାଦ୍ ପଡିଛନ୍ତି । କୃଷି ଶିଳ୍ପ ନିଗମ ଜରିଆରେ ଚାଷୀମାନେ ପାୱାରଟିଲର ନେଇଥିବାରୁ ଯୁଗ୍ମ ଭାବେ ଯାଞ୍ଚ କରିବାକୁ କୃଷି ନିର୍ବାହୀ ଯନ୍ତ୍ରୀ ୨୦୨୬ ଅପ୍ରେଲ ୩୦ ତାରିଖରେ କୃଷି ଶିଳ୍ପ ନିଗମକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୃଷି ଶିଳ୍ପ ନିଗମ ସହଯୋଗ ନକରିବା ଦର୍ଶାଇ ନିର୍ବାହୀଯନ୍ତ୍ରୀ ଅନ୍ଲାଇନ୍ରେ ଚାଷୀମାନେ କରୁଥିବା ପୋର୍ଟାଲକୁ ବ୍ଲକ୍ କରି ଦେଇଛନ୍ତି । ଏ ସମ୍ପର୍କରେ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ସମର ବିଶ୍ୱାଳଙ୍କୁ ପଚାରିବାରୁ ପାୱାରଟିଲର ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଛି । ତେଣୁ ତଦନ୍ତ ଚାଲିଥିବାରୁ ପୋର୍ଟାଲରେ ଆବେଦନକୁ ସାମୂହିକ ଭାବେ ବନ୍ଦ ରହିଛି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସରକାର କୃଷି ଉପକରଣ ଓ ଯନ୍ତ୍ରପାତି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଚାଷୀମାନେ କିଭଳି କୃଷିକ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଉତ୍ପାଦନରେ ରାଜ୍ୟ ଶ୍ରେଷ୍ଠସ୍ଥାନ ବଜାଇ ରଖିବ ସେନେଇ ଯତ୍ନବାନ ଅଛନ୍ତି । ପ୍ରତ୍ୟେକ ଟ୍ରାକ୍ଟର କିଣିବା ଉପରେ ରାଜ୍ୟ ସରକାର ୧ଲକ୍ଷ ୨୦ ହଜାର ଟଙ୍କାରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡ୍ ଦେଉଛନ୍ତି । ପାୱାରଟିଲରରେ ମଧ୍ୟ ୮୪ ହଜାର ଟଙ୍କା ରିହାତି ରହିଛି । ସବସିଡ୍ ଅର୍ଥ ଉପରେ ସଭିଁଙ୍କ ନଜର ରହିଛି । ବିଶେଷକରି କେନ୍ଦୁଝର ଚାଷୀଙ୍କ ନାମରେ ପାୱାରଟିଲର ମଞ୍ଜୁରୀ ହେବା ପରେ ସବସିଡ୍ ପାଇବା ପରେ ପଶ୍ଚିମବଙ୍ଗକୁ ଏହି ପାୱାରଟିଲର ଚାଲାଣ ନିୟମିତ ହେଉଛି ।