ନୂଆଦିଲ୍ଲୀ,୩୦।୧୦: ଚାବାହାର ପ୍ରକଳ୍ପ ଉପରେ ଭାରତର ବଡ କୂଟନୀତିକ ବିଜୟ l ଇରାନ ସ୍ଥିତ ଚାବାହାର ବନ୍ଦର ପ୍ରକଳ୍ପ ଅବଧିକୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବଢାଇଲା ଆମେରିକା। ଫଳରେ ଭାରତକୁ ମଧ୍ୟ ଏସିଆ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ନିଜର କନେକ୍ଟିଭିଟି ଯୋଜନାକୁ ଜାରି ରଖିବାରେ ମିଳିଛି ବଡ଼ ଆଶ୍ବସ୍ଥି।ଟାରିଫ୍ ଓ୍ବାର ପରେ ଏବେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଉନ୍ନତି ସଙ୍କେତ ମିଳିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ସକାରାତ୍ମକ ରିପୋର୍ଟ ଆସିଛି। ତାହା ହେଲା ଇରାନର ଚାବାହାର ବନ୍ଦର ଉପରେ ଆମେରିକା କଟକଣା ହଟାଇଛି। ଏହି ଛାଡ ପ୍ରଥମ ଥର ୨୦୧୮ ରେ ଇରାନ ଫ୍ରିଡମ ଆଣ୍ଡ କାଉଣ୍ଟର ପ୍ରୋଲିଫରେସନ୍ ଆକ୍ଟ (ଆଇଏଫ୍ସିଏ) ଅନୁସାରେ କରାଯାଇଛି।
ନିକଟରେ ଯେତେବେଳେ ଆମେରିକା ଏହି ଛାଡକୁ ରଦ୍ଦ କରିବାର ସଙ୍କେତ ଦେଇଥିଲା, ନୂଆଦିଲ୍ଲୀର ଚିନ୍ତା ବଢିଯାଇଥିଲା। କିନ୍ତୁ ଏବେ କଟକଣା ହଟାଇବା ପରେ ଭାରତ ବନ୍ଦରର ସଞ୍ଚାଳନକୁ ବିନା ଭୟରେ ଜାରି ରଖିପାରିବ। ଚାବାହାର ପୋର୍ଟ ଇରାନର ଦକ୍ଷିଣ ପୂର୍ବତଟରରେ ଗଲଫ୍ ଅଫ୍ ଓମାନର କୂଳରେ ରହିଛି। ଏହା ଇରାନର ଏକମାତ୍ର ମହାସାଗର ସହ ଜଡିତ ବନ୍ଦର। ଏହା ଭାରତ, ଇରାନ ଓ ଆଫଗାନିସ୍ତାନ ଭିତରେ ଏକ ରଣନୈତିକ କରିଡର ପାଲଟିଛି। ଏହି ବନ୍ଦର ପାକିସ୍ତାନକୁ ବାଇପାସ୍ କରି ଭାରତକୁ ଆଫଗାନିସ୍ତାନ ଓ ମଧ୍ୟ ଏସିଆ ସହ ଯୋଡିଥାଏ। ଭାରତ ଏପର୍ଯ୍ୟନ୍ତ ଚାବାହାର ଦେଇ ଆଫଗାନିସ୍ତାନକୁ ଗହମ, ଡାଲି, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଉଛି, ଯାହା ତାଲିବାନ ଶାସନ ପରେ ମଧ୍ୟ ମାନବୀୟ ସହାୟତା ପାଇଁ ଏକ ପ୍ରମୁଖ ପଥ ଭାବରେ ରହିଛି।
ମଇ ୨୦୨୪ ରେ ଭାରତ ଓ ଇରାନ ଭିତରେ ୧୦ ବର୍ଷର ଚୁକ୍ତି ହୋଇଥିଲା। ଏହା ଅନୁସାରେ, ଭାରତ ଚାବାହାରର ଶହୀଦ ବେହେସ୍ତି ଟର୍ମିନାଲର ବିକାଶରେ ଏପର୍ଯ୍ୟନ୍ତ ୧୨୦ ମିଲିୟନ ଡଲାରରୁ ଅଧିକ ନିବେଶ କରିଛି। ଏହି ନିବେଶରେ ଆଧୁନିକ ଉପକରଣର ଯୋଗାଣ, ଟର୍ମିନାଲ ଅପଗ୍ରେଡ୍ ଓ ଇଣ୍ଟରନ୍ୟାସନାଲ ନର୍ଥ ସାଉଥ୍ ଟ୍ରାନ୍ସପୋର୍ଟ କରିଡର ସହ କନେକ୍ଟିଭି ଭଳି ପ୍ରୋଜେକ୍ଟ ସାମିଲ ରହିଛି। ଚାବାହାର ପୋର୍ଟ ଆଫଗାନିସ୍ତାନ ସୀମାରୁ ପ୍ରାୟ ୯୫୦ କିଲୋମିଟର ଦୂରରେ ରହିଛି। ଭାରତ ଏହାକୁ ଗୋଲ୍ଡେନ୍ ଗେଟ୍ ଭାବରେ ଦେଖିଥାଏ।ଏଭଳି ପ୍ରବେଶଦ୍ବାରା, ଯାହାକି ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଭାରତୀୟ ମହାସାଗରକୁ ଯୋଡିଥାଏ।
ଚାବାହାର ଭାରତ ପାଇଁ ଭୂରାଜନୈତିକ ଏବଂ ଆର୍ଥିକ ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆକୁ ପ୍ରବେଶ ପାଇଁ ଏକ ବିକଳ୍ପ ମାର୍ଗ ପ୍ରଦାନ କରେ, ଯାହା ପାକିସ୍ତାନ ଉପରେ ନିର୍ଭରଶୀଳତା ହ୍ରାସ କରେ। ଏହି ବନ୍ଦରକୁ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର (INSTC) ସହିତ ମଧ୍ୟ ସଂଯୋଗ କରାଯାଉଛି, ଯାହା ଭାରତ, ଇରାନ, ରୁଷ ଏବଂ ଅନ୍ୟାନ୍ୟ ମଧ୍ୟ ଏସୀୟ ଦେଶଗୁଡ଼ିକୁ ସଂଯୋଗ କରୁଥିବା ଏକ ବହୁ-ମୋଡାଲ ବାଣିଜ୍ୟ ମାର୍ଗ। INSTC ମାଲ ପରିବହନ ସମୟ ଏବଂ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବ ବୋଲି ଆଶା କରାଯାଉଛି।