ନ୍ୟୁୟର୍କ/ୱାଶିଂଟନ, ୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖିଲେ ଆମେରିକା ସାଂସଦ । ଟ୍ରମ୍ପଙ୍କୁ ଏଚ୍୧-ବି ଭିସା ଆଦେଶର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ଯାହା ନୂତନ ଆବେଦନ ଉପରେ ୧ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍ ୮୮ ଲକ୍ଷ ଟଙ୍କା ଶୁଳ୍କ ଲାଗୁ କରିଥାଏ । ସାଂସଦମାନେ କହିଛନ୍ତି ଯେ, ଭାରତୀୟ ନାଗରିକମାନେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଆମେରିକାର ନେତୃତ୍ୱକୁ ସୁଦୃଢ଼ କରୁଛନ୍ତି ଏବଂ ଏପରି ପ୍ରତିବନ୍ଧକ ନୀତି ଆମେରିକା-ଭାରତ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।
ଆମେରିକାର ପ୍ରତିନିଧି ସଭାର ସଦସ୍ୟ ଜିମି ପାନେଟା, କଂଗ୍ରେସ ମହିଳା ଅମି ବେରା, ସାଲୁଦ କାର୍ବାଜଲ ଏବଂ ଜୁଲି ଜନସନ ଟ୍ରମ୍ପଙ୍କୁ ଏକ ଚିଠି ଲେଖି ଏହି ମହଙ୍ଗା ଫି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । କିଛି ଅଣ-ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ନିଷେଧ ଏବଂ ୧ ଲକ୍ଷ ଆମେରିକୀୟ ଡଲାର ଫି ଲାଗୁ କରିବା ଉପରେ ଟ୍ରମ୍ପଙ୍କ ନିର୍ଦ୍ଦେଶ ଉପରେ ଆଇନ ପ୍ରଣୟନକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି ।ଟ୍ରମ୍ପଙ୍କୁ ଲେଖିଥିବା ଏହି ଚିଠିରେ ଆମେରିକୀୟ ସାଂସଦମାନେ କହିଛନ୍ତି ଯେ, ଏଚ୍୧-ବି ଭିସା କାର୍ଯ୍ୟକ୍ରମ ଆମେରିକାର ଅର୍ଥନୀତି, ଜାତୀୟ ସୁରକ୍ଷା ଏବଂ ପ୍ରତିଯୋଗିତାମୂଳକ ଲାଭ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଭାରତ ସହିତ ଆମେରିକାର ଭଲ ସମ୍ପର୍କ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସାଂସଦମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେପ୍ଟେମ୍ବର ୧୯ ତାରିଖରେ କରିଥିବା ଘୋଷଣାର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ ।