ଅମୃତସର,୧୭/୦୨: ଆମେରିକାରେ ଅବୈଧ ଭାବେ ବସବାସ କରୁଥିବା ଆଉ ୧୧୨  ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଏହି ଭାରତୀୟଙ୍କୁ ଧରି ଆମେରିକାର ତୃତୀୟ ବିମାନ  ସି-୧୭ ଗ୍ଲୋବମାଷ୍ଟର ଆଜି ରାତି ପ୍ରାୟ ୧୦ଟାରେ  ଅମୃତସର ବିମାନବନ୍ଦରରେ ଅବତରଣ କରିଛି । ସେମାନଙ୍କ ମଧ୍ୟରେ ପଞ୍ଜାବର ୩୧, ହରିୟାଣାର  ୪୪, ଗୁଜରାଟର ୩୩, ଉତ୍ତରପ୍ରଦେଶର ୨  ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଜଣେ  ଲେଖାଏ ଅଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ  ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯାଇଛି ।  

ଶନିବାର ରାତିରେ ଦ୍ୱିତୀୟ ପର୍ଯ୍ୟାୟରେ ୧୧୬ ଜଣ  ଭାରତୀୟ ଆସିଥିଲେ । ତେବେ ମହିଳା ଓ ପିଲାଙ୍କୁ  ଛାଡି ଅନ୍ୟ ସମସ୍ତଙ୍କ ଗୋଡରେ ବେଡି ଓ ହାତରେ  ହାତକଡି ପକାଯାଇଥିଲା । ଏହା ପୂର୍ବରୁ ଗତ ୫  ତାରିଖରେ ପ୍ରଥମ ପର୍ଯ୍ୟାୟରେ ଆମେରିକାରୁ  ୧୦୪ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି  ସି-୧୭ ଗ୍ଲୋବମାଷ୍ଟର ବିମାନ ଅମୃତସରରେ  ପହଞ୍ଚିଥିଲା । ସମସ୍ତଙ୍କ ଗୋଡରେ ବେଡି ଓ  ହାତରେ ହାତକଡି ଲଗାଯାଇଥିବାରୁ ତାକୁ ନେଇ  ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।