ନୂଆଦିଲ୍ଲୀ,୫।୮:  ଟାରିଫ୍ ଓ୍ବାର ଭିତରେ ଆମେରିକା ରାଷ୍ଟ୍ରପତିଙ୍କୁ ଆଇନା ଦେଖାଇଲା ଭାରତୀୟ ସେନା। ପାକିସ୍ତାନ ପ୍ରୀତି ନେଇ ଦେଲା ପ୍ରମାଣ। ୧୯୭୧ ମସିହାର ଏକ ପୁରୁଣା ପେପର କ୍ଲିପକୁ ‘ଏକ୍ସ’ ରେ ପୋଷ୍ଟ କରି ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ କଟାକ୍ଷ କରିଛି ସେନା। ଯେଉଁଥିରେ ଉଲ୍ଲେଖ କରାଯାଇଛି ୧୯୫୧ ରୁ ୧୯୭୧ ପର୍ଯ୍ୟନ୍ତ ପାକିସ୍ତାନକୁ ଆମେରିକା ୨ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇଛି।  

ଆତଙ୍କବାଦର ଜନ୍ମଭୂମି ଭାବରେ ପାକିସ୍ତାନର ପରିଚୟ। ହେଲେ ଆଜିକାଲି ପାକିସ୍ତାନ ପ୍ରତି ଆମେରିକାର ଖୁବ୍ ଉଦାରନୀତି। ଗୋଟିଏ ପଟେ ପାକିସ୍ତାନ ସହିତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରୁଛି ଟ୍ରମ୍ପ,  ଅନ୍ୟପଟେ ଭାରତ ଉପରେ ଲଗାଉଛନ୍ତି ୨୫% ଟାରିଫ୍। କେବଳ ସେତିକି ନୁହେଁ  ରୁଷରୁ ତେଲ କିଣିବା ପାଇଁ ଭାରତକୁ ଜରିମାନା ଦେବାକୁ ମଧ୍ୟ ଧମକ ଦେଉଛନ୍ତି। କଥା  ସେତିକିରେ ଅଟକି ନାହିଁ ଲଗାତାର ଟ୍ରମ୍ପ ଭାରତ ବିରୋଧୀ ବୟାନ ମଧ୍ୟ ଦେବାରେ ଲାଗିଛନ୍ତି। ଏବେ ୨୫% ଠାରୁ ଅଧିକ ଟାରିଫ୍ ଲଗାଇବା ନେଇ ମଧ୍ୟ ଧମକ ଦେଇଛନ୍ତି। ସୋମବାର ଟ୍ରମ୍ପ କହିଥିଲେ- ରୁଷଠାରୁ ଭାରତ ଶସ୍ତାରେ ତେଲ କିଣୁଛି। ଏହାକୁ ଖୋଲା ବଜାରରେ ଖୁବ୍ ଲାଭ ରଖି ବିକ୍ରି କରୁଛି। ମୁଁ ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ଆଗକୁ ଯଥେଷ୍ଟ ବୃଦ୍ଧି କରିବି। <

ଟ୍ରମ୍ପଙ୍କ ଏହି ବୟାନ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଗତକାଲି ନିଜର ପ୍ରତିକ୍ରିୟା ଦେଇଥିଲା। ଭାରତ କହିଥିଲା ଆମେରିକା ଏବଂ ୟୁରୋପୀୟ ସଂଘ ନିଜେ ରୁଷ ସହିତ ବାଣିଜ୍ୟ କରୁଛନ୍ତି। କେବଳ ଭାରତ ରୁଷ ଯୁଦ୍ଧକୁ ପାଣ୍ଠି ଯୋଗାଇବାର କିଭଳି ଅଭିଯୋଗ କରିପାରିବେ ? ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟାର ଦିନକ ପରେ ଭାରତୀୟ ସେନା ଆଜି ଟ୍ରମ୍ପଙ୍କୁ ଆଇନା ଦେଖାଇଛି। ସେନାର  ଓ୍ବେଷ୍ଟର୍ଣ୍ଣ କମାଣ୍ଡ ୧୯୭୧ର ଖବର କାଗଜର ଏକ୍ କ୍ଲିପକୁ ସୋସିଆଲ ମିଡିଆ ହାଣ୍ଡେଲ ଏକ୍ସରେ ସେୟାର କରିଛି। ଯେଉଁଥିରେ ୧୯୫୧ ରୁ ୧୯୭୧ ମଧ୍ୟ ପାକିସ୍ତାନକୁ ଆମେରିକା ଦୁଇ ବିଲିୟନ ଡଲାର ହତିଆାର ସପ୍ଲାଇ କରିଥିବାର ଲେଖା ଅଛି।  ଯେଉଁଥିରୁ ସ୍ପଷ୍ଟ ହେଉଛି ୧୯୭୧ ଯୁଦ୍ଧରେ ପାକିସ୍ତାନକୁ ଆମେରିକା ଓ ଚୀନ୍ ସାହାଯ୍ୟ କରିଥିଷଲ। ସେନା ଏହି ପୋଷ୍ଟକୁ ‘This Day That Year’  କ୍ୟାପସନ୍ ସହ ସେୟାର କରିଛି। ଏହା ସହ ହ୍ୟାଶଟ୍ୟାଗ୍ ‘KnowFacts ମଧ୍ୟ ଲେଖିଛି। ଏହି ରିପୋର୍ଟରେ ପାକିସ୍ତାନକୁ ଚୀନ୍ କରିଥିବା ସାହାଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ସେତେବେଳେ ଏହି ଆର୍ଟିକିଲକୁ ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ଭିସି ଶୁକ୍ଲା ରାଜ୍ୟସଭାରେ ଦେଇଥିବା ବୟାନ ଆଧାରରେ ପ୍ରକାଶିତ କରାଯାଇଥିଲା।