ଭୁବନେଶ୍ୱର,୨୩/୧୦ : ବାତ୍ୟା ପ୍ରଭାବରେ ଅନେକ ଟେଲିକମ୍‌ ଟାୱାର ଉପୁଡ଼ିପାରେ । ଟେଲିକମ୍‌ ସେବାରେ ବାଧା ଉପୁଜିପାରେ । ପୁଲିସ ଓ ପ୍ରଶାସନିକ ସ୍ତରରେ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ରହିଛି । ‘ଫନି’ ବାତ୍ୟା ଭଳି ଏଥର ବି ସାହା ପାଲଟିବ ଭିଏଚ୍‌ଏଫ (ଭେରି ହାଇ ଫ୍ରିକ୍ୟୁଏନ୍ସି) ସେବା । ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ସଙ୍କଟମୋଚକ ସାଜିବ । ଭିଏଚ୍‌ଏଫ୍‌ ଯୋଗେ ବାତ୍ୟାସ୍ଥଳର କ୍ଷତକ୍ଷତି ତଥ୍ୟ ମିଳିପାରିବ । 

‘ଫନି' ବେଳେ ପୁଲିସ ଓ ପ୍ରଶାସନ ପାଇଁ ଅମୋଘ ଅସ୍ତ୍ର ପାଲଟିଥିଲା ଭିଏଚ୍‌ଏଫ । ବାତ୍ୟାଟି ପୁରୀରେ ମାଡ଼ ହୋଇଥିବାରୁ ସେଠାକାର ଟେଲିଫୋନ୍‌ ଓ ଇଣ୍ଟରନେଟ ସେବା ଦୀର୍ଘ ସମୟ ଧରି ପୂରା ବନ୍ଦ ପଡି଼ଥିଲା । ରାଜଧାନୀ ସହ ପୁରୀର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ବାତ୍ୟା ମୁକାବିଲାରେ ମୁତୟନ ପ୍ରଶାସନିକ ଅଧିକାରୀଙ୍କୁ ବାତ୍ୟାର ଅପଡେଟ୍‌ ମିଳିନଥିଲା । ପୁଲିସର ଏହି ଭିଏଚଏଫ ସେବା ଯୋଗେ ସେଠାକାର ଧ୍ୱଂସଳୀଳାର ଟିକିନିଖି ତଥ୍ୟ ହସ୍ତଗତ ହୋଇଥିଲା । ସେହି ଅନୁସାରେ ଉଦ୍ଧାର କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । 

ଫୋନିରୁ ମିଳିଥିବା ଏହି ଅଭିଜ୍ଞତାକୁ ଏଥର ଦାନା ବେଳେ ବ୍ୟବହାର ପାଇଁ ଯୋଜନା କରାଯାଇଛି । ପୁଲିସ୍‌, ଅଗ୍ନିଶମ ଓ ଅନ୍ୟ ଉଦ୍ଧାରକାରୀ ଦଳ ପାଇଁ ଭିଏଚ୍‌ଏଫ୍‌କୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ କଣ୍ଟ୍ରୋଲ ରୁମ୍‌ ସହିତ ଯୋଗାଯୋଗ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ପୁଲିସ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ମୁତାବକ, ପର୍ଯ୍ୟାପ୍ତ ପରିମାଣର ଭିଏଚଏଫ ମହଜୁଦ ରଖାଯିବ । ଏଥିପାଇଁ ଆବଶ୍ୟକୀୟ ବ୍ୟାଟେରି ଓ ଭିଏଚଫ ୟୁନିଟ୍‌ ଓ ଷ୍ଟାଟିକ ଭିଏଚଏଫ୍‌ ପ୍ରସ୍ତୁତ ମେକାନିକ ଜରିଆରେ ତୁରନ୍ତ କଣ୍ଟ୍ରୋଲ ରୁମ୍‌ ମରାମତି କରାଯିବ ।