ତିରୁୱନନ୍ତପୁରମ୍‌,୧୬/୧୧: କେନ୍ଦ୍ର ସରକାର ୱାୟନାଡ୍‌ ଭୂସ୍ଖଳନକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବାକୁ ମନା କରିଛନ୍ତି । ନଭେମ୍ବର ୧୦  ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ସଂପର୍କରେ କେରଳ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି । ସ୍ପଷ୍ଟୀକରଣରେ ସେ କହିଛନ୍ତି  ଯେ, ଏସ୍‌ଡିଆରଏଫ୍‌-ଏନ୍‌ଡିଆରଏଫ୍‌ର ବର୍ତ୍ତମାନ ଥିବା ଗାଇଡଲାଇନ୍‌  ଅନୁସାରେ କୌଣସି ବିପର୍ଯ୍ୟୟକୁ ‘ଜାତୀୟ ବିପତ୍ତି’ ଘୋଷଣା କରିବାର  କୌଣସି ପ୍ରାବଧାନ ନାହିଁ । ପୂର୍ବରୁ ଅଗଷ୍ଟରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ୱାୟନାଡ୍‌ ଭୂସ୍ଖଳନକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରିଥିଲେ । ଏହାଛଡ଼ା ରାହୁଲ ଗାନ୍ଧୀ ମଧ୍ୟ ଅଗଷ୍ଟ  ୭ରେ ଲୋକସଭାରେ ଏହି ଦାବି ଉଠାଇଥିଲେ । ଏପରିସ୍ଥଳେ ବିଜେପି  ଏହି ପ୍ରସଙ୍ଗରେ ରାଜନୀତି କରୁଥିବା ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, ୱାୟନାଡ୍‌ ଭୂସ୍ଖଳନରେ ହୋଇଥିବା  ବ୍ୟାପକ କ୍ଷୟକ୍ଷତି ସତ୍ତେ୍ୱ ବିଜେପି ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା  କରିବାକୁ ମନା କରୁଛନ୍ତି । ଏହା କେବଳ ଦାୟିତ୍ୱହୀନତା ନୁହେଁ, ଅକଳ୍ପନୀୟ  କ୍ଷତି ସହିଥିବା ଲୋକଙ୍କ ସହିତ ଅନ୍ୟାୟ । ୱାୟନାଡ୍‌ର ଲୋକେ ଏହାଠାରୁ  ଅଧିକ ପାଇବାର ହକ୍‌ଦାର । କେରଳ ସରକାରଙ୍କ ଅନେକ ମନ୍ତ୍ରୀ ମଧ୍ୟ ଏହି  ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । 

ୱାୟନାଡ୍‌ରେ ଜୁଲାଇ ୨୯ ତାରିଖ ବିଳମ୍ବିତ ରାତି ୨-୪ଟା ମଧ୍ୟରେ ମୁଣ୍ଡାକାଇ, ଚୁଲାରମାଲା, ଅଟ୍ଟାମାଲା ଓ ନୂଲପୁଝା  ଗାଁରେ ଭୂସ୍ଖଳନ ଘଟିଥିଲା । ସେଥିଯୋଗୁ ୪୦୦ରୁ ଅଧିକ ଲୋକେ ପ୍ରାଣ  ହରାଇଥିଲେ । ଏହି ୪ଟି ଗାଁର ଆହୁରି କିଛି ଲୋକ ନିଖୋଜ ହୋଇଯାଇଥିଲେ ।