ଭୁବନେଶ୍ୱର,୧୪/୦୫: ଦିନରେ ତତାଇବ । କଲବଲ କରିବ । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଆସନ୍ତା ତିନି ଦିନରେ ଅନେକ ସ୍ଥାନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିଯିବ । ଦିନବେଳା ଗରମ ଓ ଗୁଳୁଗୁଳି ନାକେଦମ କରିବ । କିନ୍ତୁ ସନ୍ଧ୍ୟାରେ ମାଡ଼ି ଆସିବ କାଳବୈଶାଖୀ । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବି ଡରାଇବ କାଳବୈଶାଖୀ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ଆକଳନ କହୁଛି, ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ ଓ ସମ୍ବଲପୁରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ରହିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ଆଗାମୀ ତିନି ଦିନ ଯାଏ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିଭଳି ବୁଧବାର ସନ୍ଧ୍ୟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍କା ୪୦ରୁ ୫୦ କିମି ଛୁଇଁପାରେ । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି ଓ କଟକରେ ମଧ୍ୟ ଅପରାହ୍ନ ବା ସନ୍ଧ୍ୟା ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଗୁରୁବାର (୧୫ ତାରିଖ) ମଧ୍ୟ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ହେବ । ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ । ସନ୍ଧ୍ୟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍କା ୪୦ରୁ ୫୦ କିମି ବେଗ ଛୁଇଁପାରେ ।
ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ମଧ୍ୟ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ସନ୍ଧ୍ୟାରେ ବର୍ଷା ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ।
ମଙ୍ଗଳବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗାପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆଗାମୀ ୩ରୁ ୪ ଦିନ ଭିତରେ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ୱୀପ ଓ କୋମାରିନ୍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ପୂରା ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ।
ଆଣ୍ଡାମାନ ସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୧୬ରୁ ୧୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୩ରୁ ୨୮ ତାରିଖ ଭିତରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ବାଂଲାଦେଶର ଜଣେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଏ ନେଇ କୌଣସି ଆକଳନ କରିନି । ଆଇଏମ୍ଡିର ଜଣେ ପାଣିପାଗ ବିଜ୍ଞାନୀ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଶକ୍ତିଶାଳୀ ରହିଛି । ଏହା କେରଳରେ ସ୍ୱାଭାବିକ ସମୟଠାରୁ ୨ ଦିନ ଆଗୁଆ ପହଞ୍ଚିପାରେ । ମୌସୁମୀ ବାୟୁ ଶକ୍ତିଶାଳୀ ଥିବାରୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ବି ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ।
ମଙ୍ଗଳବାର ଅପରାହ୍ନରୁ ସନ୍ଧ୍ୟାରେ ୭ରୁ ୮ ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘନ ଘନ ବଜ୍ରପାତ ସହିତ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ଜଣ ଆଖି ବୁଜିଛନ୍ତି । କଳାହାଣ୍ଡିରେ ବଜ୍ରପାତ ଆଘାତରେ ଜଣେ ନାବାଳିକା ଆଖି ବୁଜିଛି । ଅନୁଗୁଳରେ ବଜ୍ରପାତରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । ନବରଙ୍ଗପୁରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ଓ ତାଙ୍କ ମାଆ ଗୁରୁତର ହୋଇଛନ୍ତି ।
ମଙ୍ଗଳବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରହିଥିଲା । ସମ୍ବଲପୁରରେ ୪୨.୨, ଟିଟିଲାଗଡ଼ରେ ୪୨, ବରଗଡ଼ରେ ୪୧.୮, ଭବାନୀପାଟଣାରେ ୪୧.୫, ବୌଦ୍ଧରେ ୪୧.୨, ସୋନପୁରରେ ୪୧ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୭.୪ ଡିଗ୍ରୀ ରହିଥିଲା ।