ଭୁବନେଶ୍ୱର,୩୧/୧୨: ଆଗକୁ ଶୀତ ବଢ଼ିବ । ଆଗାମୀ ତିନି ଦିନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ । ମଙ୍ଗଳବାର ରାତିରେ ଫୁଲବାଣୀ ଓ କୋରାପୁଟରେ ପାରଦ ସବୁଠୁ କମ୍‌ ବା ୧୧ ଡିଗ୍ରୀ ରହିବ । ଢେଙ୍କାନାଳ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।  ଗତ କିଛିଦିନ ଧରି ଶୀତ କମ୍‌ ରହୁଥିବା  ବେଳେ ଏଣିକି ଶୀତ ବଢ଼ିବ ବୋଲି ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର  ଆକଳନ କହୁଛି, ୧ ତାରିଖରେ କୋରାପୁଟ  ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ  ରହିବ । ରାଉରକେଲା ଓ ଝାରସୁଗୁଡ଼ାରେ ୧୨  ଡିଗ୍ରୀ, ବଲାଙ୍ଗିର, ନୂଆପଡ଼ା, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧାରେ ପାରଦ ୧୩  ଡିଗ୍ରୀ ରହିବ । ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ରବିବାର କିଛି ସ୍ଥାନରେ ରାତି ତାପମାତ୍ରା  ଖସିଛି। ମଙ୍ଗଳବାରଠାରୁ ଉପକୂଳ ଓଡ଼ିଶାରେ  ଶୀତ ବଢ଼ିବ । ୭ ଓ ୮ ତାରିଖ ବେଳକୁ  ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । 

ରବିବାର ଜି ଉଦୟଗିରିରେ ରାତି ତାପମାତ୍ରା  ସବୁଠୁ କମ୍‌ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି । ସେମିଳିଗୁଡ଼ାରେ ୧୧.୮,ଦାରିଙ୍ଗିବାଡ଼ିରେ ୧୨,କୋରାପୁଟରେ ୧୨.୪, ଫୁଲବାଣୀରେ ୧୩.୫ଡିଗ୍ରୀ ରେକର୍ଡ ହୋଇଥିଲା ।