ନୂଆଦିଲ୍ଲୀ ୨୨/୦୬: ଗୁଜରାଟର ସୁରଟ ସହରରୁ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହାକି ପୁଲିସ ସହ ସାଧାରଣ ଲୋକଙ୍କୁ ମଧ୍ୟ ଚକିତ କରିଦେଇଛି । ସେଠାରେ ଜଣେ ବ୍ୟକ୍ତି ସେୟାର ମାର୍କେଟରେ ଟଙ୍କା ଲଗାଇ ପ୍ରବଳ କ୍ଷତି ସହିବା ପରେ ନିଜ ଅପହରଣର ମିଥ୍ୟା ନାଟକ ରଚନା କରିଥିଲେ । ନିଜକୁ ଅପହର୍ତ୍ତା ଭାବେ ଦର୍ଶାଇ ୫୦ ଲକ୍ଷ ଟଙ୍କା ଦାବିକରି ପତ୍ନୀଙ୍କ ମୋବାଇଲକୁ ଏକ ମେସେଜ୍ ପଠାଇଥିଲେ । କେବଳ ସେତିକି ନୁହେଁ, ତାଙ୍କୁ ବନ୍ଧକ ରଖାଯାଇଥିବା ଅବସ୍ଥାର ଏକ ଭିଡିଓ ବି ପଠାଇଥିଲେ । ସେହି ମେସେଜ୍‌କୁ ଆଧାର କରି ପୁଲିସ ତାଙ୍କୁ ଗୁଜରାଟର ପଞ୍ଚମହଲ ଜିଲ୍ଲାରୁ ଗିରଫ କରିଛି ।

ପୁଲିସ ଅନୁସାରେ, ଜିଗ୍ନେଶ ତଲଭିଆ(୩୬) ସୁରଟର ମୋଟା ଭରଛା ଅଞ୍ଚଳରେ ରହନ୍ତି । ଜୁନ୍ ୧୨ରେ ସେ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କ ପତ୍ନୀ ମୀନାକ୍ଷୀବେନ୍ ତଲଭିଆ ଉତରନ୍ ପୁଲିସ ଷ୍ଟେସନରେ ସେଥିନେଇ ଅଭିଯୋଗ କରିଥିଲେ । ପରେ ମୀନାକ୍ଷୀଙ୍କ ମୋବାଇଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା । ସେଥିରେ ଜିଗ୍ନେଶଙ୍କୁ ଅପହରଣ କରାଯାଇଥିବା ଦର୍ଶାଯାଇଥିଲା । ମେସେଜ୍ ପଠାଇଥିବା ବ୍ୟକ୍ତି ମୀନାକ୍ଷୀଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ଯଦି ଏ ସଂପର୍କରେ ପରିବାର ଲୋକେ ପୁଲିସକୁ ସୂଚନା ଦିଅନ୍ତି ତେବେ ଜିଗ୍ନେଶଙ୍କ ମୃତଦେହ ମିଳିବ ବୋଲି ସେଥିରେ କୁହାଯାଇଥିଲା । ଏଥିସହ ଜିଗ୍ନେଶଙ୍କ ହାତ ଗୋଡ଼ ବନ୍ଧାଯାଇଥିବାର ଏକ ଭିଡିଓ ବି ତାଙ୍କୁ ମିଳିଥିଲା ।

ଆହୁରି ପଢ଼ନ୍ତୁ...ଗରମ ଯୋଗୁ ଉଡ଼ାଇଲେ ନାଲି ଗାମୁଛା, ଅଟକିଲା ଟ୍ରେନ୍: ବାନ୍ଧିଲା ପୁଲିସ

ମାମଲାର ଗମ୍ଭୀରତାକୁ ଦେଖି ଉତରନ ପୁଲିସ ସିସିଟିଭି ଫୁଟେଜ, ଟେକ୍ନିକାଲ ସର୍ଭିଲାନ୍ସ ମାଧ୍ୟମରେ ଜିଗ୍ନେଶଙ୍କୁ ଖୋଜିବା ଆରମ୍ଭ କରିଥିଲା । ଶେଷରେ ଜୁନ୍ ୧୫ରେ ଜିଗ୍ନେଶଙ୍କୁ ଗୋଧ୍ରାର ଏକ ହୋଟେଲରେ ଠାବ କରାଯାଇଥିଲା । ତେବେ ତାଙ୍କୁ ଅପହର୍ତ୍ତାଙ୍କ ସଂପର୍କରେ ପଚରାଉଚରା କରାଯିବା ସମୟରେ ସେ ଭୟଭୀତ ହୋଇ ନିଜ ଅପହରଣର ମିଥ୍ୟା ନାଟକ ରଚିଥିବା ମାନି ଯାଇଥିଲେ । ସେୟାର ମାର୍କେଟରେ ହୋଇଥିବା କ୍ଷତିର ଭରଣା ଲାଗି ସେ ପରିବାର ଏବଂ ସଂପର୍କୀୟଙ୍କଠାରୁ ଟଙ୍କା ଆଦାୟ ଲାଗି ଏଭଳି ପଦକ୍ଷେପ ନେଇଥିବା ଦର୍ଶାଇଥିଲେ । ତାଙ୍କୁ ଏବେ ଜେଲ୍ ପଠାଯାଇଛି ।