ପଟାଙ୍ଗୀ,୨୯।୧୨ : ମଦ ନିଶା ହେଲା କାଳ । ପଥର ଏବଂ ଧାରୁଆ ଅସ୍ତ୍ର ଦ୍ବାରା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସମ୍ବାଈ ପଞ୍ଚାୟତର ଘାଟଗୁଡ଼ା ଗ୍ରାମରେ ଘଟିଛି । ମଦ ପିଇ ଗାଈ ଗୋରୁ ଚରାଇବାକୁ କାହିଁକି ଯାଇନଥିବା ନେଇ ସ୍ତ୍ରୀ ପଚାରିଥିଲା। ଏଥିରେ ରାଗି ଯାଇ ସ୍ବାମୀ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିଲା।
ତିଲ ଖରା(୬୨) ଏବଂ ସ୍ଵାମୀ ବାଙ୍ଗୁରୁ ଖରା(୬୫) ମିଶି ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସମ୍ବାଈ ପଞ୍ଚାୟତର ଘାଟଗୁଡ଼ା ଗ୍ରାମ ପାହାଡ ରେ ଏକ ଘର କରି ଚାଷ ସହ ଗାଈ ଗୋରୁ ଚରାଇ ରହୁଥିଲେ। ସ୍ତ୍ରୀ ହାଟକୁ ଯାଇ ନିଜ ଘରକୁ ଫେରି ଦେଖିବା ବେଳକୁ ସ୍ଵାମୀ ମଦ ପିଇ ଗାଈ ଗୋରୁ ଚରାଇବାକୁ ଯାଇନଥିଲା। କାହିଁକି ଯାଇନଥିବା ନେଇ ସ୍ତ୍ରୀ ରାଗିବା ସହ ଏକ ବାଡ଼ିରେ ସ୍ବାମୀକୁ ବାଡେଇଥିଲେ।ଏହାପରେ ସ୍ଵାମୀ ରାଗିବା ସହ ସ୍ତ୍ରୀ କୁ ପ୍ରଥମେ ପଥରରେ ଛେଚି ଥିଲା ଏବଂ ଏହାପରେ ଏକ ଧାରୁଆ ଅସ୍ତ୍ର ଦ୍ବାରା ତାକୁ ମାରି ଦେଇଥିଲା।କିଛି ସମୟ ପରେ ଗ୍ରାମବାସୀ ଏହା ଦେଖିବା ସହ ଉକ୍ତ ଘଟଣା ନେଇ ପୋଲିସକୁ ସୂଚନା ଦେଇଥିଲେ।ପୋଲିସ ସେଠାରେ ପହଞ୍ଚି ସ୍ୱାମୀକୁ ଅଟକ ରଖିବା ସହ ମୃତ ଶରୀରଟିକୁ ଜବତ କରିଛି।