ନୂଆଦିଲ୍ଲୀ,୨୩/୦୭: ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍ଲାଇନ୍ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ । ବ୍ୟାପାର ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ମୋଟା ଟାରିଫ୍ର ସାମ୍ନା କରିବା ପାଇଁ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଥିବାବେଳେ ଏ ସ୍ଥିତି ଗୁରୁତ୍ୱ ବହନ କରୁଛି ।
ଭାରତ, ୟୁରୋପୀୟ ସଂଘ(ଇୟୁ) ଏବଂ ଜାପାନ ସହ ଆମେରିକାର ବାଣିଜ୍ୟିକ ଆଲୋଚନା ଆଶାଠାରୁ ଅଧିକ କଠିନ ସାବ୍ୟସ୍ତ ହୋଇଛି । ଭାରତୀୟ ବାଣିଜ୍ୟିକ ବାର୍ତ୍ତକାରମାନେ ୱାଶିଂଟନରେ ପ୍ରାୟ ସପ୍ତାହେ ଆଲୋଚନା ପରେ ଭାରତ ଫେରିଆସିଛନ୍ତି । ତେବେ ସରକାର ସୂତ୍ରରୁ ଜଣାପଡ଼ିଛି ଯେ, ଅଗଷ୍ଟ ୧ ଡେଡ୍ଲାଇନ୍ ପୂର୍ବରୁ ଅନ୍ତରୀଣ ବ୍ୟାପାର ଚୁକ୍ତି ସ୍ୱାକ୍ଷର ହେବା ସମ୍ଭାବନା କମ୍ । ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟଙ୍କ ବୟାନରୁ ଜଣାପଡ଼ିଛି ଯେ, ଯଦି ଅଗଷ୍ଟ ୧ରୁ ଟାରିଫ୍ ଲାଗୁ ହୁଏ ତେବେ ଉଚ୍ଚ ଶୁଳ୍କ ସ୍ତର ଉକ୍ତ ଦେଶଗୁଡ଼ିକ ଉପରେ ଉତ୍ତମ ବାଣିଜ୍ୟିକ ବୁଝମଣା କରିବାକୁ ଚାପ ପକାଇବ । ଏହାର ଅର୍ଥ ଭାରତକୁ ଆମେରିକାର ସର୍ତ୍ତ ଆଧାରରେ ଏକ ବୁଝାମଣା କରିବାକୁ ହେବ କିମ୍ବା ଏହାକୁ ଆମେରିକାର ଉଚ୍ଚ ଟାରିଫ୍କୁ ସାମ୍ନା କରିବାକୁ ପଡ଼ିବ । ଏହାଦ୍ୱାରା ଭାରତର ରପ୍ତାନି ପ୍ରଭାବିତ ହେବ ।
ଏ ସ୍ଥିତି ଭାରତ ପାଇଁ ଆହ୍ୱାନପୂର୍ଣ୍ଣ । ଦେଶକୁ ଏହାର ବ୍ୟାପାର ହିତକୁ ଧ୍ୟାନରେ ରଖି ଆମେରିକା ସହ ସନ୍ତୁଳନ ରକ୍ଷା କରିବାକୁ ହେବ । ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ପାଇଁ କଥାବାର୍ତ୍ତା ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୫ ଥର ଆଲୋଚନା ହେଲାଣି । କେତେକ ପ୍ରସଙ୍ଗ ଉପରେ ସହମତି ହେଉନାହିଁ । ସ୍କଟ୍ ବେସେଣ୍ଟ ସ୍ପଷ୍ଟ କରିଛନ୍ତି ଯେ, ଟ୍ରମ୍ପ ପ୍ରଶାସନ ବାଣିଜ୍ୟିକ ଚୁକ୍ତିର ମାନକୁ ନେଇ କୌଣସି ସାଲିସ୍ କରିବେ ନାହିଁ । ତାଙ୍କ ପାଇଁ ସମୟସୀମାଠାରୁ ଅଧିକ ଜରୁରୀ ହେଉଛି ଭଲ ଡିଲ । ଏହାର ଅର୍ଥ ଆମେରିକା କୌଣସି ଦେଶ ସହିତ ତରବରିଆ ଭାବେ କୌଣସି ବୁଝାମଣା କରିବ ନାହିଁ । ଯଦି କୌଣସି ଦେଶ ଆମେରିକା ସହ ଉତ୍ତମ ଭାବେ ଆଲୋଚନା କରୁଛି ତା’ହେଲେ କ’ଣ ଡେଡ୍ଲାଇନ୍ ବଢ଼ାଯିବ ଉକ୍ତ ପ୍ରଶ୍ନରେ ବେସେଣ୍ଟ କହିଛନ୍ତି ଯେ, ଏ ନିଷ୍ପତ୍ତି ଡୋନାଲ୍ଡ ଟ୍ରମ୍ପ ନେବେ । ପ୍ରକାଶଯୋଗ୍ୟ, ଟ୍ରମ୍ପ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରି ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାଗୁଡ଼ିକରେ ହଇଚଇ ସୃଷ୍ଟି କରିଛନ୍ତି । ସେ ଅନେକ ଦେଶ ଉପରେ ତଗ୍ଡ଼ା ଶୁଳ୍କ ଲଗାଇଛନ୍ତି । ଏହା ଦ୍ୱାରା ବ୍ୟାପାରରେ ସମସ୍ୟା ଦେଖିବାକୁ ମିଳିଛି ।