କଟକ ୨୫/୧୨: ଡି. ଶେଖର ରାଓ; ଘର କଟକ ମଙ୍ଗଳାବାଗ ମଲ୍ଲାସାହିରେ । ବୟସ ୨୫ ବର୍ଷ । ଉଇଣ୍ଡ୍ ସର୍ଫିଙ୍ଗ୍ (ପାଲଟଣା ଡଙ୍ଗା ଚାଳନା କ୍ରୀଡ଼ା)ରେ ଗୋଟେ କି ଦୁଇଟା ନୁହେଁ ୧୨ଟି ଜାତୀୟ ପୁରସ୍କାର ଜିତିଛନ୍ତି । ୨୦ରୁ ଅଧିକ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ନିଜ କ୍ରୀଡ଼ା ଦକ୍ଷତାର ପରିଚୟ ମଧ୍ୟ ଦେଇଛନ୍ତି । ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତି ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । କିନ୍ତୁ ବିଡ଼ମ୍ବନା, ସରକାରୀ ପ୍ରୋତ୍ସାହନ ଅଭାବରୁ ଶେଖର ଏବେ ଏସ୍ସିବି ମେଡିକାଲ୍ ମାନସିକ ରୋଗ ବିଭାଗ ନିକଟରେ ଥିବା ବାପାଙ୍କ ଦୋକାନରେ ଚା’ ବେପାର କରୁଛନ୍ତି । ତଥାପି ମନରୁ ଏବେ ବି ଯାଇନାହିଁ ଉଇଣ୍ଡ୍ ସର୍ଫିଙ୍ଗ୍ କ୍ରୀଡ଼ାର ନିଶା । ସମୁଦ୍ର ତାଙ୍କୁ ଏବେ ବି ହାତ ଠାରି ଡାକୁଛି ।
ଡି. ରାମନା ରାଓ ଓ ଡି. ଈଶ୍ୱରୀଙ୍କ ସାନ ପୁଅ ହେଉଛନ୍ତି ଡି. ଶେଖର ରାଓ । ଶେଖର କହନ୍ତି, ପାଣି ଭିତରେ ଯେତେବେଳେ ନୌସେନାର ଅଧିକାରୀମାନେ ଉଇଣ୍ଡ୍ ସର୍ଫିଙ୍ଗ କ୍ରୀଡ଼ା କରୁଥିଲେ ସେତେବେଳେ ମୁଁ କୂଳରେ ଛିଡା ହୋଇ ଦେଖୁଥିଲି । ପ୍ରଥମେ ପ୍ରଥମେ ମୁଁ କିଛି ବୁଝିପାରୁ ନଥିଲି । କିନ୍ତୁ ପରେ ମନରେ କୌତୂହଳ ଓ ଆଗ୍ରହ ସୃଷ୍ଟି ହେଲା କି ମୁଁ ବି ଏମିତି ପାଣି ଭିତରେ ଉଇଣ୍ଡ୍ ସର୍ଫିଙ୍ଗ୍ କରିବି । ୧୩ ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଉଇଣ୍ଡ୍ ସର୍ଫିଙ୍ଗ୍ (ପାଲଟଣା ଡଙ୍ଗା ଚାଳନା) କ୍ରୀଡ଼ାର ନିଶା । ଆଉ ସେହି ନିଶା ଦେଇଛି ଜାତୀୟ ସ୍ତରରେ ଏକ ନୂଆ ପରିଚୟ । ଏହି କ୍ରୀଡ଼ା ପାଇଁ ସେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଉଣ୍ଟିଛନ୍ତି ଅନେକ ଜାତୀୟ ସ୍ତରର ପୁରସ୍କାର, ସମ୍ମାନ । ଶେଖରଙ୍କ କହିବା କଥା, ମୋ ମନରେ ବି ଅନେକ ଆଶା ଥିଲା । କି ମୁଁ ବି ଦିନେ ଜଣେ ଭଲ ଖେଳାଳି ହୋଇ ବାପା ମା’ଙ୍କ ନାଁ ରଖିବା ସହିତ ନିଜ ସ୍ୱପ୍ନକୁ ସାକାର କରିବି ।

କିନ୍ତୁ ସେସବୁ ସ୍ୱପ୍ନ ହୋଇ ରହିଗଲା । ସରକାରୀ ପ୍ରୋତ୍ସାହନର ଅଭାବ ଏବଂ ଘରର ଆର୍ଥିକ ପରିସ୍ଥିତି ସବୁ ସ୍ୱପ୍ନକୁ ଧୂଳିସାତ୍ କରିଦେଲା । ଶେଖର ୨୦୧୩ ମସିହାରେ ଏହି କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ନେଉଥିଲେ । କୋଣାର୍କ, ରାମଚଣ୍ଡୀ ଯେଉଁଠାରେ ସମୁଦ୍ର ଏବଂ ନଦୀର ମିଳନସ୍ଥଳ ସେହି ଜାଗାରୁ ନିଜ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଧୀରେ ଧୀରେ ଏହି କ୍ରୀଡ଼ାରେ ନିଜ ଦକ୍ଷତା ଓ ପ୍ରତିଭାର ବିକାଶ କରିବା ସହିତ ଜଣେ ଭଲ ଉଇଣ୍ଡ୍ ସର୍ଫିଙ୍ଗ୍ ଖେଳାଳି ଭାବରେ ଖ୍ୟାତି ଅର୍ଜନ କରିଥିଲେ ।
ସେ ପ୍ରଥମେ ୨୦୧୪ ମସିହାରେ ଗୋଆରେ ଅନୁଷ୍ଠିତ ଜାତୀୟ ଉଇଣ୍ଡ୍ ସର୍ଫିଙ୍ଗ୍ ଖେଳରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଖେଳାଳି ଭାଗ ନେଇଥିଲେ । ପରେ ୨୦୧୫ ମସିହାରେ ଦ୍ୱିତୀୟ ଥର ଚେନ୍ନାଇରେ ଅନୁଷ୍ଠିତ ଏହି କ୍ରୀଡ଼ାରେ ଅଂଶ ଗ୍ରହଣ କରି ସାଥୀ ଖେଳାଳିମାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ୨୦୧୫ରେ ପୁଣି ଗୋଆରେ ଅନୁଷ୍ଠିତ ଜାତୀୟ ସ୍ତରର କ୍ରୀଡ଼ାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଥିଲେ । ଏହିପରି ଭାବରେ ଶେଖର ୨୦ରୁ ଅଧିକ ଜାତୀୟ ସ୍ତରର ଖେଳରେ ଭାଗ ନେଇ ୧୨ଟି ଜାତୀୟ ପୁରସ୍କାର ହାସଲ କରି ନିଜ ପରିଚୟ ସୃଷ୍ଟି କରିଛନ୍ତି । ସେ ଏହି କ୍ରୀଡ଼ା ପାଇଁ ସକାଳୁ ତିନି ଘଣ୍ଟା ଏବଂ ସନ୍ଧ୍ୟା ସମୟରେ ତିନି ଘଣ୍ଟା ଅଭ୍ୟାସ ମଧ୍ୟ କରନ୍ତି । କିନ୍ତୁ ଏତେସବୁ ସଫଳତା ସତ୍ତେ୍ୱ ଏବେ ଏସ୍ସିବି ମେଡିକାଲ୍ ପରିସରରେ ବାପାଙ୍କ ଚା’ ଦୋକାନରେ ବାପାଙ୍କ ସହିତ ମିଶି ସେ ଚା’ ବିକୁଛନ୍ତି ।
ଶେଖରଙ୍କ କ୍ଷୋଭ ଯେ, ସରକାର ଅନ୍ୟ କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତ୍ମାନଙ୍କୁ ଯେପରି ପ୍ରୋତ୍ସାହନ ଦେଉଛନ୍ତି, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସୁବିଧା ଦେଉଛନ୍ତି ସେମିତି ସୁଯୋଗ ଏହି କ୍ରୀଡ଼ାକୁ ଦେଉନାହାନ୍ତି । ଏହାର ପ୍ରଚାର ପ୍ରସାର ମଧ୍ୟ କରାଯାଉ ନାହିଁ । ଫଳରେ ମୋ ପରି ଅନେକ ପିଲାଙ୍କ ସର୍ଫିଙ୍ଗ୍ ସ୍ୱପ୍ନ ଏହିପରି ଅଧାରେ ରହିଯାଉଛି । ଯଦି ସରକାର ଉଇଣ୍ଡ୍ ସର୍ଫିଙ୍ଗ୍ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବେ ତେବେ ରାଜ୍ୟରୁ ଭଲ ଖେଳାଳି ବାହାରିବେ ବୋଲି କହିଛନ୍ତି ଶେଖର ।