ନରଣପୁର,୨୭/୧୦କେନ୍ଦୁଝର ଜିଲ୍ଲା ଟମକା ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ନାବାଳକ ପୁଅ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେଲୱେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ମହିଳା ଜଣଙ୍କ ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆମ୍ବଡାହି ଗ୍ରାମର ଶ୍ରୀମତୀ ମୁଣ୍ଡା(୨୩ ବର୍ଷ) ବୋଲି ଜଣାପଡ଼ିଛି

ସୂଚନା ମୁତାବକ, ରବିବାର ରାତିରେ ପାରିବାରିକ କଳହ ଯୋଗୁଁ ଟମକା ବାଘୁଆପାଳ ଷ୍ଟେସନ ମଝିରେ ଥିବା ଏକ ସାହି ପାଖ ରେଲୱେ ଟ୍ରାକ୍‌କୁ ନିଜ ନାବାଳକ ପୁଅକୁ ଧରି ଦୌଡ଼ି ପଳାଇଥିଲେ । ଏତିକି ବେଳେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ ବାମ ଗୋଡ଼ ଜଙ୍ଘ ପାଖରୁ କଟି ଟ୍ରାକ୍‌ ଭିତର ପାର୍ଶ୍ଵରେ ପଡିଥିବା ବେଳେ ଶରୀରର ବାକି ଭାଗ ଟ୍ରାକ୍‌ ବାହାରେ ପଡିଥିଲା । ପ୍ରବଳ ରକ୍ତସ୍ରାବ ଘଟି ମହିଳାଙ୍କ ମୃତ୍ୟୁ ଘଟିଥିଲା। ନାବାଳକ ଶିଶୁ ପୁତ୍ରର ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କୁ ଗୋବର୍ଦ୍ଧନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛିସେଠାରେ ତାଙ୍କ ଚିକିତ୍ସା ଚାଲିଛି । ଖବର ପାଇ ଘଟଣାସ୍ଥଳରେ ରେଲୱେ ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି । ବ୍ୟାସନଗର ଉପଖଣ୍ଡ ଆରୋଗ୍ୟ ମନ୍ଦିରରେ ଶବ ବ୍ୟବଚ୍ଛେଦ ପରେ ମୃତଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଭଦ୍ର ରେଳବାଇ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି