ଭୁବନେଶ୍ୱର,୦୨/୦୩: ମହିଳାମାନେ ହେଉଛନ୍ତି ଆଜିର ବିଶ୍ୱକର୍ମା । ଓଡ଼ିଶାର ଭବିଷ୍ୟତ  ହେଉଛି ନାରୀଶକ୍ତି । ଏବେ ମହିଳା ସବୁ କ୍ଷେତ୍ରରେ  ପାରଦର୍ଶିତା ଦେଖାଇପାରୁଛନ୍ତି । ସରକାର ଯେଉଁ  ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ର ଲକ୍ଷ୍ୟ ରଖିଛନ୍ତି,  ତାହା ନାରୀଶକ୍ତିର ଅବଦାନ ବିନା ଅସମ୍ଭବ । ତେଣୁ  ମହିଳାମାନେ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ନ୍ତୁ ଓ  ସଶକ୍ତ ହୁଅନ୍ତୁ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ  ବିକାଶ, ମିଶନଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ  ପରିଡ଼ା ୱିମେନ୍‌ ଆଚିଭର୍ସଙ୍କୁ ଏହି ଆହ୍ୱାନ ଦେଇଛନ୍ତି । 

ୱିମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶାରେ ଭାଗ ନେବାକୁ  ଚଳିତ ଥର ରାଜ୍ୟର ହଜାର ହଜାର ମହିଳା ସେମାନଙ୍କ  ନାଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଶିକ୍ଷା,  କୃଷି, ବିଜ୍ଞାନ, ଉଦ୍ୟୋଗ, ସାହସିକ କାର୍ଯ୍ୟ, ଦୁଃସାହସିକ  କ୍ରୀଡ଼ା, ଗ୍ଲାମର୍‌, କଳା, ହସ୍ତଶିଳ୍ପ ଓ ପରିବେଶ ସୁରକ୍ଷା  ଆଦି କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ବଛାବଛା  ୧୭ ଜଣ ସଫଳ ମହିଳା ପ୍ରତିଭାଙ୍କୁ ୱିମେନ୍‌ ଆଚିଭର୍ସ  ଅଫ୍‌ ଓଡିଶା (ୱାଓ)-୨୦୨୫ ସମ୍ମାନରେ ସମ୍ମାନିତ  କରାଯାଇଥିଲା । ଏହି ମହିଳାମାନଙ୍କୁ ଜୁରୀମାନେ  ମନୋନୀତ କରିଥିଲେ । ପୁରସ୍କାର ବାବଦରେ  ସମସ୍ତ ପ୍ରତିଭାଙ୍କୁ ମାନପତ୍ର, ଉତ୍ତରୀୟ, ସ୍ମୃତିଫଳକ  ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । ମାଲକାନଗିରିରୁ  ଆସିଥିବା ଜୟନ୍ତୀ ବୁରୁଦା ଲକି ଡ୍ର’ ମାଧ୍ୟମରେ ଏକ  ଇଭି ସ୍କୁଟି ଜିତିଥିଲେ । ଉପମୁଖ୍ୟମନ୍ତ୍ରୀ ସମସ୍ତ ୧୭  ବଣମଲ୍ଲୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।  

ଶନିବାର ଭୁବନେଶ୍ୱରରେ ‘ପ୍ରମେୟ’, ନ୍ୟୁଜ୍‌-୭(ସୁମା ରିଅଲ ମିଡିଆ ପ୍ରାଇଭେଟ ଲିମିଟେଡ୍‌) ଓ  ‘ସୋଆ ପ୍ରାଚୀନ’ର ମିଳିତ ସହଯୋଗରେ ଅନୁଷ୍ଠିତ  ୱିମେନ୍‌ ଆଚିଭର୍ସ ଅଫ୍‌ ଓଡ଼ିଶା (ୱାଓ) ସମାରୋହରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ  ଶ୍ରୀମତୀ ପରିଡ଼ା ଉପସ୍ଥିତ ବଣମଲ୍ଲୀଙ୍କୁ କହିଥିଲେ,  ଦେଶକୁ ସ୍ୱାଧୀନତା ଦେବାରେ ମା’ ରମା ଦେବୀ,  ମାଳତୀ ଦେବୀ, ମଙ୍ଗଳା ଦେବୀ, ଚମ୍ପା ଦେବୀ ଓ ସୀତା ଦେବୀଙ୍କ ଭଳି ମହିୟସୀ ମହିଳାଙ୍କ ଅବଦାନ  ଚିରସ୍ମରଣୀୟ । ମହିଳାମାନେ ସବୁ କ୍ଷେତ୍ରରେ ନେତୃତ୍ୱ  ନିଅନ୍ତୁ । ମା ସୁଭଦ୍ରାଙ୍କ ଭଳି ସେମାନଙ୍କୁ କେନ୍ଦ୍ର  ଶକ୍ତିଭାବେ ଅବସ୍ଥାନ କରିବାକୁ ପଡ଼ିବ । କ୍ଷୋଭର  ବିଷୟ, ଏବେ ବି ପୁଅଝିଅଙ୍କ ମଧ୍ୟରେ ତାରତମ୍ୟ  ଦେଖାଯାଉଛି । ସମୟ ଆସିଛି ତାରତମ୍ୟର ସେହି  କାଚକୁ ଭାଙ୍ଗି ପୁଅ ଓ ଝିଅଙ୍କୁ ସମାନ ଅଧିକାର  ଦେବାକୁ ପଡ଼ିବ । ତେଣୁ ଅନୁଭବୀମାନେ ମହିଳାଙ୍କୁ ଉଚିତ ମାର୍ଗ ଦେଖାନ୍ତୁ । ସେମାନଙ୍କୁ ପଥଭ୍ରଷ୍ଟ ହେବାରୁ  ବିରତ କରନ୍ତୁ । ଗୁଗଲ୍‌ ଗାର୍ଲ ମେଘାଲି ମାଳବିକା  ସ୍ୱାଇଁ ଓ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଠାରୁ  ମହିଳାମାନେ ପ୍ରେରଣା ନେବା ଆବଶ୍ୟକ । ଆଜି ୧  କୋଟି ମହିଳାଙ୍କୁ ଆମେ ‘ସୁଭଦ୍ରା ଯୋଜନା’ରେ ସାମିଲ କରିଛୁ। ସବୁବେଳେ ନାରୀଶକ୍ତିର ଅଭ୍ୟୁଦୟ ସମାଜର  କଲ୍ୟାଣ ପାଇଁ ହେଉ । ଶେଷରେ ସେ କହିଥିଲେ,  ଆଚିଭର୍ସ ହେବା ସହଜ କିନ୍ତୁ ସେମାନଙ୍କୁ ଚିହ୍ନଟ  କରିବା ବହୁତ କଷ୍ଟ । ପ୍ରମେୟ ଓ ନ୍ୟୁଜ୍‌-୭ ଏହି କଷ୍ଟ  ସ୍ୱୀକାର କରିଥିବାରୁ ସେମାନଙ୍କ ପରିବାରକୁ ସାଧୁବାଦ ।  

ସୁମା ରିଅଲ୍‌ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର  ନିର୍ଦ୍ଦେଶିକା ତଥା ସୋଆ ଉପସଭାପତି ଶାଶ୍ୱତୀ ଦାସ  କହିଥିଲେ, ସୋଆ ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ  କ୍ଷେତ୍ରରେ ବିନମ୍ର ଭାବେ କାର୍ଯ୍ୟ ଜାରି ରଖିଛି । ଠିକ୍‌  ସେହିଭଳି ପ୍ରମେୟ ଓ ନ୍ୟୁଜ୍‌-୭ ଗତ ଏକ ଦଶନ୍ଧିରୁ  ଉଦ୍ଧ୍ୱର୍ ସମୟ ଧରି ଖବର ପରିବେଷଣ ମାଧ୍ୟମରେ  ନିଜକୁ ଜନସେବାରେ ନିୟୋଜିତ ରଖିଛନ୍ତି । ତେବେ  କେବଳ ଖବର ପ୍ରସାରଣରେ ନିଜକୁ ସୀମିତ ନ ରଖି  କିଛି ଭିନ୍ନ କାର୍ଯ୍ୟ କରିବାର ପ୍ରୟାସ କରି ଆସୁଛନ୍ତି ।  ଗିଭିଂ ବ୍ୟାକ୍‌ ଟୁ ସୋସାଇଟି ଲକ୍ଷ୍ୟ ହେଉଛି ଆମର  ଆଦର୍ଶ । ତେଣୁ ମହିଳା ପ୍ରତିଭାଙ୍କୁ ଏଭଳି କାର୍ଯ୍ୟକ୍ରମ  ଦ୍ୱାରା ପ୍ରୋତ୍ସାହିତ କରାଯାଉଛି । ଏବେ ମହିଳା  ସଶକ୍ତୀକରଣ ଲାଗି ସରକାରୀ ଏବଂ ବେସରକାରୀ  ସ୍ତରରେ ବହୁତ କାର୍ଯ୍ୟକ୍ରମ ହେଉଛି କିନ୍ତୁ ଆହୁରି  ଉଦ୍ୟମ ଆବଶ୍ୟକ ରହିଛି । ଏହି କାର୍ଯ୍ୟକ୍ରମ ବ୍ୟକ୍ତି  ଓ ଅନୁଷ୍ଠାନ ସ୍ତରରେ ବ୍ୟାପକ ହେବା ଜରୁରି । ସମାଜ  ପାଇଁ କାମ କରୁଥିବା ମହିଳା ପ୍ରତିଭାମାନଙ୍କୁ ଚିହ୍ନଟ କରି  ପ୍ରୋତ୍ସାହିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ଗତ ୪  ବର୍ଷରେ ଆମେ ୧୦୦ରୁ ଊଦ୍ଧ୍ୱର୍ ପ୍ରତିଭାଙ୍କୁ ଚିହ୍ନଟ କରି  ପୁରସ୍କୃତ କରି ଆସିଛୁ । ଏହି ଛୋଟ ଉଦ୍ୟମ ଅନେକଙ୍କ  ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା କରୁଛୁ ।  

ପ୍ରମେୟ ଓ ନ୍ୟୁଜ୍‌-୭ର ଗ୍ରୁପ୍‌ ଏଡିଟର  ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ମହିଳା  ସଶକ୍ତୀକରଣ କେବଳ ସ୍ଲୋଗାନ୍‌ରେ ସୀମିତ ନରହୁ ।  ଏହାକୁ ବାସ୍ତବରେ ପରିଣତ କରାଯାଉ । ଆମେ  କେବଳ ଖବର ପ୍ରଚାର ପ୍ରସାର ନୁହେଁ, ସମାଜ  ପାଇଁ କିଛି କରିବାର ଲକ୍ଷ୍ୟ ନେଇ କାମ କରୁଛୁ ।  ଆମର ଏହି ଯାତ୍ରାରେ କାନ୍ଧ ସହ କାନ୍ଧ ମିଳାଇ  ମହିଳାମାନେ ସହଯୋଗର ହାତ ବଢ଼ାଇଛନ୍ତି ।  ମହିଳାମାନେ ପରିବାରଠାରୁ ଆରମ୍ଭ କରି ବୃହତ୍ତର  ସମାଜ ପର୍ଯ୍ୟନ୍ତ ପୁରୁଷଙ୍କ ସହ ପାଦକୁ ପାଦ  ମିଳାଇ ଆଗେଇ ଚାଲିଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ,  କ୍ରୀଡା, ବାଣିଜ୍ୟ ହେଉ ଅବା ଲଢୁଆ ବିମାନ ଚଳାଇ  ସୁନାମ ଅର୍ଜନ କରିପାରିଛନ୍ତି । ତେଣୁ ଅବଳା ଦୁର୍ବଳା  ବୋଲି ଯେଉଁ ଚିନ୍ତାଧାରା ସମାଜରେ ଦୀର୍ଘ ଦିନ  ରହିଥିଲା ଏବେ ତାହା ଭୁଲ ପ୍ରମାଣିତ ହୋଇଛି । ସହରାଞ୍ଚଳରେ ସୁଯୋଗ ଓ ସୁବିଧାକୁ ଉପଯୋଗ କରି  ସଫଳତା ଅଧିକାରୀ ହେବା ତ ସହଜ । କିନ୍ତୁ ଦୁର୍ଗମ  ଗ୍ରାମାଞ୍ଚଳରେ ଅଭାବ ଅନଟନରେ ରହି କେବଳ  ନିଜର ଦୃଢ ଇଛାଶକ୍ତିକୁ ପାଥେୟ କରି ସଫଳତାର  ଶୀର୍ଷରେ ପହଞ୍ଚିବା କଷ୍ଟକର । ଆମର ସୌଭାଗ୍ୟ ଆମେ ଯେଉଁ ସବୁ ପ୍ରତିଭାମାନଙ୍କୁ  ଆମ ଗହଣରେ ପାଇଛୁ ସେମାନେ ଅନ୍ୟମାନଙ୍କ  ପାଇଁ ପ୍ରେରଣାର ଉତ୍ସ। ଆମର ପ୍ରତ୍ୟେକ ଆଚିଭର୍‌  ନିଜ ନିଜ ସାମର୍ଥ୍ୟରେ ଉପରକୁ ଉଠିଛନ୍ତି । ଆମେ  ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛୁ ତାହା ସାମୟିକ  ନୁହେଁ । ସମାଜର ଶେଷ ତମ ବ୍ୟକ୍ତି ପାଖରେ ପହଞ୍ଚି  ମହିଳାମାନଙ୍କ ସକଳ କୃତିତ୍ୱକୁ ସାଉଁଟିବାର ଯାତ୍ରା  ଆମର ଜାରି ରହିବ ।

ଗ୍ରୁପ ଡାଇରେକ୍ଟର(ସେଲ୍ସ ଆଣ୍ଡ ମାର୍କେଟିଂ)  ହିମାଂଶୁ ହୋତା କହିଲେ, ନାରୀ ସଶକ୍ତୀକରଣକୁ  ଆଗେଇ ନେବାରେ ଏହି କାର୍ଯ୍ୟକ୍ରମ ଏକ ଅଭିଯାନ ।  ଆଜି ଏହା ପଞ୍ଚମ ବର୍ଷରେ ପହଞ୍ଚିଛି । ବର୍ଷକୁ ବର୍ଷ  ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ମହିଳାଙ୍କ ସଂଖ୍ୟା  ବଢ଼ୁଛି । ଏଥରକ ପାଖାପାଖି ୧୦ହଜାର ମହିଳାଙ୍କ  ଆବେଦନ ଆସିଥିଲା । ଏହାର ସମସ୍ତ ଶ୍ରେୟ ସୋଆର  ପ୍ରତିଷ୍ଠାତା ପ୍ରଫେସର ସଭାପତି ପ୍ରଫେସର ଡଃ  ମନୋଜରଞ୍ଜନ ନାୟକ ଓ ଉପସଭାପତି ଶାଶ୍ୱତୀ  ଦାସଙ୍କୁ ଦିଆଯିବ । ସେମାନଙ୍କ ଚିନ୍ତାଧାରା ହେଉଛି,  ଯଦି ଆମେ କିଛି କାମ କରି ଯୋଗ୍ୟ ହୋଇପାରିଛୁ,  ତାକୁ ତ୍ୟାଗ ନ କରି ଭାଗ କରି ସମାଜକୁ ଦେଲେ  ସମାଜର ବିକାଶ ହେବ । ଅନ୍ୟମାନଙ୍କ ମଧ୍ୟରେ ଗ୍ରୁପ୍‌  ସିଇଓ ସୁନୀଲ କୁମାର ଦାସ, ନ୍ୟୁଜ୍‌-୭ର କାର୍ଯ୍ୟକାରୀ  ସମ୍ପାଦକ ଦେବନାରାୟଣ ସେଠୀ ଓ ସୋଆ ପ୍ରାଚୀନ  ମୁଖ୍ୟ ତଥା ଲେଖିକା ପ୍ରଫେସର ଡ. ଗାୟତ୍ରୀବାଳା  ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।  

ପ୍ରାରମ୍ଭରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ  କୁମ୍‌କୁମ୍‌ ମହାନ୍ତି, ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଡ.  ଗାୟତ୍ରୀବାଳା ପଣ୍ଡା, ରାଜ୍ୟ ମହିଳା କମିଶନର ପୂର୍ବତନ  ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବରିଷ୍ଠ ସ୍ତମ୍ଭକାର ସୁଜାତା  ପ୍ରହରାଜ, ପ୍ରଖ୍ୟାତ ମହିଳା କ୍ରୀଡ଼ାବିତ୍‌ ମିନତୀ ମହାପାତ୍ର  କାର୍ଯ୍ୟକ୍ରମର ଜୁରୀ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ମହିଳା ସଶକ୍ତୀକରଣ ଉପରେ ଏକ ପ୍ୟାନେଲ ଆଲୋଚନାଚକ୍ର ହୋଇଥିଲା । ଏହାର ଶୀର୍ଷକ ଥିଲା  ଆକ୍ସିଲେରେଟ୍‌ ଆକ୍ସନ(ସମ୍ମାନତାର ବାର୍ତ୍ତା କେବଳ  ସ୍ଲୋଗାନ ମଧ୍ୟରେ ସୀମିତ ନରହୁ) । ଏଥିରେ ସୋଆ  ପ୍ରାଚୀନ ବିଭାଗ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା,  ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶାଶ୍ୱତ ଯୋଶୀ, ସ୍ତମ୍ଭକାର ସୁଜାତା ପ୍ରହରାଜ, ସାମାଜିକକର୍ମୀ ସୁଚିସ୍ମିତା ପୃଷ୍ଟି ଓ  ଚାନ୍ଦୀ ଭଣ୍ଡାରର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗୀ ଲିପ୍‌ସା  ନାୟକ ଭାଗନେଇଥିଲେ । କାର୍ଯ୍ୟକ୍ରମକୁ ନ୍ୟୁଜ୍‌-୭ର  ଆଙ୍କର୍‌ ମନୋଜ ମହାପାତ୍ର ପରିଚାଳନା କରିଥିଲେ ।  

କାର୍ଯ୍ୟକ୍ରମରେ ପ୍ରମେୟ ଭୁବନେଶ୍ୱର ବ୍ୟୁରୋ  ମୁଖ୍ୟ ଦେବେନ୍ଦ୍ର ସୁଆର, ନ୍ୟୁଜ୍‌ ସଂଯୋଜକ ସୁଦୀପ  ରାଉତ, ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ,  ଏଜିଏମ୍‌ ରମାକାନ୍ତ ମଲ୍ଲିକ, ସେଲ୍ସ ମାର୍କେଟିଂ ଡିଜିଏମ୍‌  ଏସ୍‌ଏଫ୍‌ ଅଲ୍ଲୀ ଏବଂ ଜ୍ୟୋତିର୍ମୟ ପାଣିଗ୍ରାହୀ,  ନ୍ୟୁଜ୍‌-୭ ସେଲ୍ସ ମାର୍କେଟିଂ ଡିଜିଏମ୍‌ ସିଦ୍ଧାର୍ଥ ରାୟ,  ଏଜିଏମ୍‌ ବିଶ୍ୱରୂପ ପରିଡାଙ୍କ ସମେତ ପ୍ରମେୟ ଓ  ନ୍ୟୁଜ-୭ର ପରିବାର ସଦସ୍ୟ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟୋଜକ ଥିଲେ  ଟାଇଟେଲ ସ୍ପନ୍‌ସର ଖିମ୍‌ଜୀ ଦୟାଭାଇ କୋ ଆଣ୍ଡ ଗ୍ରୁପ୍‌  ବାରିପଦା, ପାୱାର୍ଡ ବାଏ ଫ୍ରିଡମ୍‌, କୋ ପାୱାର୍ଡ ବାଏ  ଫାଲକନ୍‌ ଗ୍ରୁପ୍‌, ସ୍ପେଶାଲ ପାର୍ଟନର ଓଡ଼ିଶା ପର୍ଯ୍ୟଟନ ଓ  ରାଜ୍ୟ ସଂସ୍କୃତି ବିଭାଗ, ଆସୋସିଏଟ୍‌ ସ୍ପନ୍‌ସର ଜିନ୍ଦଲ  ଷ୍ଟିଲ ଆଣ୍ଡ ପାୱାର, ପାରାଦୀପ ଫସଫେଟ୍ସ ଲିମିଟେଡ୍‌,  ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ପ୍ରୀତି ଏଣ୍ଟରପ୍ରାଇଜେସ୍‌,  ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପାରାଦୀପ ପୋର୍ଟ ଅଥରିଟି,  ଏମ୍‌ଜିଏମ୍‌ ମିନେରାଲ୍ସ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ,  ବେଦିକ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌, ଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ସିଭି ରମଣ ବିଶ୍ୱବିଦ୍ୟାଳୟ, ନାଲ୍‌କୋ,  ଓମଫେଡ୍‌, ଇମ୍ଫା, ଏମ୍‌ସିଏଲ୍‌, ଜୁପିଟର ପବ୍ଲିକ ସ୍କୁଲ,  ଶୁଶ୍ରୃତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର ପ୍ରାଇଭେଟ୍‌  ଲିମିଟେଡ୍‌, ହର୍ଷପ୍ରିୟା କନଷ୍ଟ୍ରକସନ୍‌, ଆଦିତ୍ୟ ବିର୍ଲା,  ଦେବ ଫୁଡ୍‌, ଗ୍ଲେନ୍‌, କାନାରା ବ୍ୟାଙ୍କ, କଳିଙ୍ଗ ହସ୍ପିଟାଲ୍ସ, ଟିପିଡବ୍ଲୁଓଡିଏଲ୍‌, ଜେସଡବ୍ଲୁ ବିପିଏସ୍‌ଏଲ୍‌, ଓପିଜିସି,  ନଲେଜ୍‌ ପାର୍ଟନର ଓଡିଏମ୍‌ ପବ୍ଲିକ ସ୍କୁଲ, ହେଲ୍‌ଥ  ପାର୍ଟନର ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ,  ଆଉଟଡୋର୍‌ ପାର୍ଟନର ଟରେଣ୍ଟ ଆଡଭରଟାଇଜର୍‌,  ଗିଫ୍ଟ ପାର୍ଟନର ଉତ୍କଳ ଇଭି, ଛପନ ଭୋଗ, ପିୟୋର ଇଟ୍ସ, ମଙ୍ଗିନିସ୍‌, ମୁସ୍କାନ ଫୁଡ୍‌ । କାର୍ଯ୍ୟକ୍ରମରେ  ଆକର୍ଷଣ ପାଲଟିଥିଲେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ।  ଅତିଥିମାନେ ବର୍ଣ୍ଣାଳୀଙ୍କ ସହ ଅଭିନେତ୍ରୀ ସୂର୍ଯ୍ୟମୟୀ  ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ  ନିଜର ସ୍ୱତନ୍ତ୍ର ସଂଯୋଜନା ଏବଂ ଉପସ୍ଥାପନାରେ  ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।