ଆଜି ବିଶ୍ୱ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଦିବସ । ଏହି ରୋଗ ସମ୍ବନ୍ଧରେ ଜନସାଧାରଣ ସଚେତନ ହେବା ସହିତ ରୋଗର କାରଣ ଓ ଲକ୍ଷଣ ବିଷୟରେ ଜାଣିବା ଦରକାର । ସମ ହସ୍ପିଟାଲ୍‌ର ଅଭିଜ୍ଞ ବିଶେଷଜ୍ଞମାନେ ବିଦେଶରୁ ଚିକିତ୍ସା ବିଜ୍ଞାନରେ ଉଚ୍ଚଶିକ୍ଷା ହାସଲ କରିଛନ୍ତି । ଅତ୍ୟାଧୁନିକ ପଦ୍ଧତିରେ ଗୁଣାତ୍ମକ ଚିକିତ୍ସା ଯୋଗାଉଛନ୍ତି । ଫଳରେ ବହୁ ଗରିବ ଓ ସାଧାରଣ ରୋଗୀ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ରୋଗରୁ ରକ୍ଷା ପାଉଛନ୍ତି । ଏଥିରେ ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଡିପାର୍ଟମେଣ୍ଟ ଅଫ୍‌ କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି । ପ୍ରଫେସର ପାତ୍ରଙ୍କ ସହିତ ଆସୋସିଏଟ୍‌ ପ୍ରଫେସର ଡା. ରଶ୍ମିରଞ୍ଜନ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ଡା. ସୁମନ୍ତ ମଦନ ଓ ଆସିଷ୍ଟାଣ୍ଟ ପ୍ରଫେସର ଡା. ଗାର୍ଗୀ ସାସମଲ୍‌ଙ୍କ ନିଷ୍ଠା ରହିଛି । ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଚିକିତ୍ସା ଉପରେ ପ୍ରଫେସର ପାତ୍ର ନିମ୍ନ ମତ ପ୍ରକାଶ କରିଛନ୍ତି ।

ଆଜିକାଲି ଅଣ୍ଟା ବ୍ୟଥା ରୋଗ ଯୁବକମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । କୌଣସି ଭାରୀ ଜିନିଷ ଉଠାଇବା, ଠିକ୍‌ ଶୈଳୀରେ ନ ବସିବା, ଦୀର୍ଘ ସମୟ ଧରି ଅଣ୍ଟା ଭାଙ୍ଗି କାମ କରିବା ଓ ଓଜନ ବଢ଼ିବା ଦ୍ୱାରା ଏହି ରୋଗ ହୋଇଥାଏ । ଦୀର୍ଘ ସମୟ ଧରି ଅଣ୍ଟାବ୍ୟଥା ରହିଲେ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ହେବାର ସମ୍ଭାବନା ରହିଥାଏ । 

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ କ'ଣ?

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ ଏକ ପ୍ରକାରର ଗଣ୍ଠିବାତ ରୋଗ । ଯାହାକି ମେରୁଦଣ୍ଡ ହାଡ଼ ଓ ଏହାର ପାଖାପାଖି ଗଣ୍ଠିସମୂହକୁ ପ୍ରଭାବିତ କରିଥାଏ । ଫଳରେ ସକାଳୁ ଉଠିଲେ ପ୍ରାୟ ଅଧଘଣ୍ଟାଏ ଅଣ୍ଟା ଓ ବେକ ଦରଜ ହୋଇଥାଏ । ଏହା ସାଧାରଣତଃ ୨୦ରୁ ୪୦ ବର୍ଷ ବୟସରେ ଆରମ୍ଭ ହୋଇଥାଏ । 

ଏହି ରୋଗର ଲକ୍ଷଣ କ'ଣ?

ରାତିରେ ଶୋଇବା ସମୟରେ ଅଣ୍ଟା ବା ପିଠି ଦରଜ ବଢ଼ିଯିବା, ବେକ ଦରଜ ରହି ବୁଲାଇବା ପାଇଁ କଷ୍ଟ ହେବା. ଜଙ୍ଘସନ୍ଧି, ଆଣ୍ଠୁ, କାନ୍ଧ, କହୁଣୀ ଏବଂ ଗୋଇଠି ଫୁଲିଯାଇ ଦରଜ ହେବା । ଗଣ୍ଠିବାତ ଛଡ଼ା ଆଖିରେ ପ୍ରଦାହ ସୃଷ୍ଟି ହୋଇ ଦରଜ ଏବଂ ଲାଲ୍‌ ହୋଇଯାଇଥାଏ । ଯାହାକୁ ଇଂରାଜୀରେ ଯୁଭାଇଟିସ୍‌ କୁହାଯାଏ । 

ଏହି ରୋଗର କାରଣ କ'ଣ?

ଏହି ରୋଗ ପ୍ରାୟତଃ ବଂଶଗତ ଓ ପରିବେଶ ଜନିତ । ୯୦% ଏହି ରୋଗରେ ପୀଡ଼ିତଙ୍କ ପାଖରେ ଏଚ୍‌ଏଲଏବି-୨୭ ନାମକ ଏକ ଜିନ୍‌ ଦେଖାଯାଇଥାଏ । ବହୁ ଲୋକଙ୍କ ପାଖରେ ଏହି ଜିନ୍‌ ଥିଲେ ହେଁ ସବୁ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିନଥାଏ ।

ରୋଗକୁ କିପରି ଚିହ୍ନିବା?

ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା ଯେପରିକି ଇଏସ୍‌ଆର୍‌, ସିଆର୍‌ପି ଏବଂ ଅଣ୍ଟାର ଏକ୍ସରେ ଦରକାର ପଡ଼ିଥାଏ । ବେଳେବେଳେ ରକ୍ତର ଏଚ୍‌ଏଲଏବି-୨୭ ଏବଂ ଏମ୍‌ଆର୍‌ଆଇ ଆଦି ପରୀକ୍ଷା ଦରକାର ପଡ଼ିପାରେ । 

କେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସା କରିବା ଉଚିତ?

ସାଧାରଣତଃ ଏହି ରୋଗର ଚିହ୍ନଟ ର‌୍ୟୁମାଟୋଲୋଜିଷ୍ଟମାନେ କରିଥାନ୍ତି । ଏହି ରୋଗର ଉପଯୁକ୍ତ ଚିକିତ୍ସା ଠିକ୍‌ ସମୟରେ ନ କରିଲେ ପୀଡ଼ିତଙ୍କର ଦୈନନ୍ଦିନ ଜୀବନଯାତ୍ରା କଷ୍ଟଦାୟକ ହୋଇଥାଏ । 

ଚିକିତ୍ସା ଦ୍ୱାରା ଏହି ରୋଗ ଭଲହୋଇଯାଏ କି?

ଠିକଣା ସମୟରେ ଉପଯୁକ୍ତ ଔଷଧ ଓ ବ୍ୟାୟାମ ଦ୍ୱାରା ରୋଗୀମାନେ କଷ୍ଟରୁ ରକ୍ଷା ପାଇଥାନ୍ତି । ରୋଗ ଆଗକୁ ବଢ଼ି ନଥାଏ । 

ଏହି ରୋଗ ପାଇଁ କି ପ୍ରକାର ଔଷଧ ବ୍ୟବହାର ହୁଏ?

ଏହି ରୋଗରେ ଏନ୍‌ଏଆଇଡି ବହୁତ ସହାୟକ ହୋଇଥାଏ, ଯାହା ଶରୀରରେ ଥିବା ପ୍ରଦାହକୁ କମ୍‌ କରେ । ମେରୁଦଣ୍ଡ ସହିତ ଅନ୍ୟ ଗଣ୍ଠିରେ ପ୍ରଦାହ ହେଲାବେଳେ ସଲ୍‌ଫା ସାଲାଜାଇନ୍‌ ଔଷଧ ବ୍ୟବହାର କରାଯାଇଥାଏ । ଉପରୋକ୍ତ ଚିକିତ୍ସାରୁ ଆରାମ ନ ମିଳିଲେ ବାୟୋଲୋଜିକ୍‌(ଏକ୍ସଟିଏନ୍‌ଇ) ଦରକାର ପଡ଼ିଥାଏ । 

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍‌ର ଖାଦ୍ୟପେୟ ସହ ସମ୍ପର୍କ ଅଛି କି?

ଧୂମପାନ, ମଦ୍ୟପାନ ଏହି ରୋଗକୁ ଆଗକୁ ବଢ଼ାଇଥାଏ । ତେଣୁ ଏହାକୁ ଛାଡ଼ିବା ଅନିବାର୍ଯ୍ୟ । ସୁଷମ ଖାଦ୍ୟ ଖାଇଲେ ଏହି ରୋଗ ବଢ଼ିବାର ସମ୍ଭାବନା କମିଯାଏ । 


                                                                                                               ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର 

                                                                                        ବିଭାଗୀୟ ମୁଖ୍ୟ ଆଇଏମ୍‌ଏସ୍‌ ଆଣ୍ଡ ସମ ହସ୍ପିଟାଲ୍‌ ଡିପାର୍ଟମେଣ୍ଟ ଅଫ୍‌ 

                                                                                                        କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜ