ନୂଆଦିଲ୍ଲୀ,୦୭/୦୪: ବ୍ରାଜିଲ ଠାରେ ଆୟୋଜିତ ବିଶ୍ୱ ବକ୍ସିଂ କପ୍‌ରେ ଭାରତ ମୋଟ ୬ଟି ପଦକ ସହ ଅଭିଯାନ ଶେଷ କରିଛି ।  ଅନ୍ତିମ ଦିବସରେ ହିତେଶ ଗୁଲିଆ ସ୍ୱର୍ଣ୍ଣ  ଏବଂ ଅବିନାଶ ଜାମୱାଲ ରୌପ୍ୟ ପଦକ ଭେଟି ଦେଇଥିଲେ । 

ପୁରୁଷ ୭୦କିଲୋ ବର୍ଗ  ଫାଇନାଲ୍‌ରେ ହିତେଶଙ୍କ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର  ଓଡେଲ କାମରା ଓହରି ଯାଇଥିଲେ । ସେ  ଆହତ ଥିବାରୁ ବକ୍ସିଂ ରିଙ୍ଗ୍‌କୁ ଆସି ନଥିଲେ ଏବଂ ହିତେଶଙ୍କୁ ୱାକ୍‌ ଓଭର ମିଳିଥିଲା ।  ଅନ୍ୟ ପଟରେ ଅବିନାଶ (୬୫କିଲୋ) ସ୍ୱର୍ଣ୍ଣ ଲଢ଼େଇରେ ବ୍ରାଜିଲର ୟୁରି ରେଇସ୍‌ଙ୍କ ନିକଟରୁ  ହାରି ଯାଇଥିଲେ । ପୂର୍ବରୁ ଯଦୁମଣି ସିଂହ  (୫୦କିଲୋ), ମନୀଷ ରାଠୋର (୫୫କିଲୋ),  ସଚିନ ସିୱାଚ (୬୦କିଲୋ) ଏବଂ ବିଶାଲ  (୯୦) ନିଜ ନିଜ ବର୍ଗର ସେମି ଫାଇନାଲ୍‌ରେ  ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।