ନୂଆଦିଲ୍ଲୀ, ୧୨।୯: ସମାଜର ବିକାଶରେ ସବୁଠାରୁ ବଡ଼ କାରକ ଶିକ୍ଷା ଏବଂ ସାକ୍ଷରତା । କିନ୍ତୁ, ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଭଳି କିଛି ଦେଶ ରହିଛି, ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ସର୍ବନିମ୍ନ ଶିକ୍ଷା ମଧ୍ୟ ହାସଲ କରିବାର ସାମର୍ଥ୍ୟ ନାହିଁ । ଯାହାର ପ୍ରମୁଖ କାରଣ ଦାରିଦ୍ର୍ୟ ଏବଂ କ୍ଷୁଧା । କିଛି ଦେଶରେ ପିଲାଙ୍କ ପାଖରେ ପାଠ ପଢ଼ିବା ଲାଗି ଯଥେଷ୍ଟ ସମ୍ୱଳ ନାହିଁ । ଯୁଦ୍ଧ ଯୋଗୁଁ ପିଲାଙ୍କ ପାଠପଢ଼ାରେ ଲାଗୁଛି ପୂର୍ଣ୍ଣଚ୍ଛେଦ । ଆମେ ଆପଣଙ୍କୁ ଏଭଳି ୫ଟି ଦେଶ ବିଷୟରେ କହିବୁ, ଯେଉଁଠାରେ ସଂଘର୍ଷ ଯୋଗୁଁ ସାକ୍ଷରତା ହାର ସବୁଠାରୁ କମ୍ । ଯୁଦ୍ଧ କେବଳ ଜୀବନ ଏବଂ ସମ୍ପତ୍ତିର କ୍ଷତି କରେ ନାହିଁ ବରଂ ନାଗରିକମାନଙ୍କୁ ଶିକ୍ଷାରୁ ମଧ୍ୟ ବଞ୍ଚିତ କରେ । ଏକ ଶିକ୍ଷିତ ସମାଜ ଶାନ୍ତି ଏବଂ ବିକାଶର ମୂଳଦୁଆ ପକାଇପାରେ, କିନ୍ତୁ 'ଯଦି ସେହି ଦେଶର ଲୋକ ହିଁ ଶିକ୍ଷିତ ହୁଅନ୍ତି, ତେବେ ଯୁଦ୍ଧ କିଏ ଲଢ଼ିବ ?' । ବିଶ୍ୱର ସବୁଠାରୁ କମ୍ ସାକ୍ଷରତା ସହିତ ୫ଟି ଦେଶ ହେଉଛି ଚାଡ୍, ମାଲି ବୁର୍କିନା ଫାସୋ, ଦକ୍ଷିଣ ସୁଡାନ ଏବଂ ଆଫଗାନିସ୍ତାନ । ଯୁଦ୍ଧ, ଦାରିଦ୍ର୍ୟ, ଜାତିଗତ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ ଏବଂ ସମ୍ବଳର ଅଭାବ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଛି । ୟୁନେସକୋ ଏବଂ ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟଗୁଡ଼ିକ ଏହି ସଂଘର୍ଷପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଶିକ୍ଷା ଏବଂ ସାକ୍ଷରତା ହାରର ସ୍ତର ବର୍ଣ୍ଣନା କରେ ।
ଆଫ୍ରିକୀୟ ଦେଶ ଚାଡ୍ରେ ସାକ୍ଷରତା ହାର ପ୍ରାୟ ୨୭%, ଯାହା ବିଶ୍ୱରେ ସବୁଠାରୁ କମ୍ । ଏଠାରେ ୧୫ ବର୍ଷରୁ ଅଧିକ ବୟସର ମାତ୍ର ୨୭% ଲୋକ ପଢ଼ିବା ଏବଂ ଲେଖିବା ଜାଣିଛନ୍ତି, ଯେଉଁଥିରୁ ମହିଳାଙ୍କ ହାର ମାତ୍ର ୧୩-୧୫% । ପୁରୁଷମାନଙ୍କ ମଧ୍ୟରେ ଏହା ପ୍ରାୟ ୪୮%, କିନ୍ତୁ ଗ୍ରାମାଞ୍ଚଳରେ ଏହି ହାର ଆହୁରି କମ୍ । ଶିକ୍ଷା ବଜେଟ୍ ଜିଡିପିର ମାତ୍ର ୨.୬% ଏବଂ ଗ୍ରାମାଞ୍ଚଳରେ ସ୍କୁଲ ଅଭାବରୁ ଲକ୍ଷ ଲକ୍ଷ ପିଲା ସ୍କୁଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଚାଡ୍ରେ ଅନେକ ମୋର୍ଚ୍ଚାରେ ହିଂସା ଜାରି ରହିଛି । ବୋକୋ ହାରାମ ଏବଂ ଇସଲାମିକ୍ ଷ୍ଟେଟ୍ ପଶ୍ଚିମ ଆଫ୍ରିକା ପ୍ରଦେଶ ଭଳି ଇସଲାମିକ୍ ଉଗ୍ରବାଦୀ ଗୋଷ୍ଠୀ ଚାଡ୍ ବେସିନରେ ସକ୍ରିୟ ଅଛନ୍ତି, ଯେଉଁମାନେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରନ୍ତି । ୨୦୨୫ ମସିହାରେ, ଚାଡ୍ର ଦକ୍ଷିଣ ଭାଗରେ ସମ୍ବଳ ପାଇଁ ଗାଈଚରାଳୀ ଏବଂ କୃଷକଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇଛି । ସୁଡାନ ଯୁଦ୍ଧରୁ ୪ ଲକ୍ଷରୁ ଅଧିକ ଶରଣାର୍ଥୀ ଚାଡ୍ରେ ପହଞ୍ଚିଛନ୍ତି, ଯାହା ଶିକ୍ଷା ସମ୍ବଳ ଉପରେ ଚାପ ବୃଦ୍ଧି କରୁଛି । ଯୁଦ୍ଧ ଯୋଗୁଁ ଏଠାରେ ୧୩ ହଜାରରୁ ଅଧିକ ସ୍କୁଲ ବନ୍ଦ ହୋଇଯାଇଛି, ଯାହା ପ୍ରାୟ ୮୦ ହଜାର ପିଲାଙ୍କୁ ପ୍ରଭାବିତ କରିଛି । ରକ୍ଷଣଶୀଳ ଚିନ୍ତାଧାରା ଯୋଗୁଁ ଝିଅମାନଙ୍କ ସାକ୍ଷରତା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଏପରିକି ସେମାନଙ୍କୁ ଘରୁ ବାହାରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି ।
ସେହିଭଳି ମାଲିର ସାକ୍ଷରତା ହାର ପ୍ରାୟ ୩୧%, ପ୍ରାପ୍ତବୟସ୍କଙ୍କ ସାକ୍ଷରତା ହାର ୩୩% । ମହିଳାଙ୍କ ପାଇଁ ସାକ୍ଷରତା ହାର ୨୫%ରୁ କମ୍ ଏବଂ ପୁରୁଷଙ୍କ ପାଇଁ ଏହା ୪୩% । ଗ୍ରାମଞ୍ଚଳରେ ସ୍କୁଲ ଅଭାବରୁ ୨୦ ଲକ୍ଷ ପିଲା ଶିକ୍ଷାରୁ ବଞ୍ଚିତ ରହିଛନ୍ତି । ମାଲି ହେଉଛି ସାହେଲ ଅଞ୍ଚଳର କେନ୍ଦ୍ରସ୍ଥଳ, ଯାହା ଜିହାଦୀ ଗୋଷ୍ଠୀ ଦ୍ୱାରା ପ୍ରଭାବିତ । ୨୦୨୫ ମସିହାରେ, ଇସଲାମିକ ଆତଙ୍କବାଦୀ ସଂଗଠନ JNIM ସହରଗୁଡ଼ିକ ଉପରେ ଆକ୍ରମଣକୁ ତୀବ୍ର କରିଛି ଏବଂ ମାଲି ସଶସ୍ତ୍ରବାହିନୀ ମଧ୍ୟ ଏହି ଆକ୍ରମଣର ପ୍ରତିଶୋଧ ନେଇଛି । ଯୁଦ୍ଧ ପରିସ୍ଥିତିରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବୃଦ୍ଧି କରିଛି । ମାଲିର ଉତ୍ତର ଅଞ୍ଚଳରେ ତୁଆରେଗ ବିଦ୍ରୋହୀ ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇଛି, ଯେଉଁଥିରେ ଚଳିତ ବର୍ଷ ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି । ମାଲିରେ ଆଞ୍ଚଳିକ ବିଚ୍ଛିନ୍ନତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ମୋଟ୍ ୭୦ ଲକ୍ଷ ଲୋକ ମାନବୀୟ ସହାୟତା ଉପରେ ନିର୍ଭରଶୀଳ ।
ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ସାକ୍ଷରତା ହାର ପ୍ରାୟ ୩୮% । କିନ୍ତୁ, ଗ୍ରାମାଞ୍ଚଳରେ ଏହା ୨୫% ରୁ କମ୍, ମହିଳାଙ୍କ ସାକ୍ଷରତା ହାର ୨୭% ଏବଂ ପୁରୁଷମାନଙ୍କ ପାଇଁ ଏହା ପ୍ରାୟ ୫୦% । ପର୍ଯ୍ୟାପ୍ତ ଶିକ୍ଷା ବଜେଟ୍ ଏବଂ ସ୍କୁଲର ଅଭାବ ଯୋଗୁଁ ୨୧% ପିଲା ଶିକ୍ଷାଠୁ ଦୂରରେ । ସାହେଲରେ ସବୁଠାରୁ ପ୍ରଭାବିତ ଦେଶ ବୁର୍କିନା ଫାସୋ, ଯେଉଁଠାରେ JNIM ବଡ଼ ଆକ୍ରମଣ କରିଥିଲା । ୨୦୨୫ରେ ୭ ହଜାରରୁ ଅଧିକ ହିଂସା ଘଟଣା ଘଟିଛି, ଯେଉଁଥିରେ ୬ ହଜାର ଲୋକ ପ୍ରାଣ ହରାଇଛନ୍ତି । ବୁର୍କିନା ଫାସୋରୁ ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ପ୍ରାୟ ୬୦ ଲକ୍ଷ ଲୋକ ମାନବିକ ସହାୟତା ଉପରେ ନିର୍ଭରଶୀଳ । ଦେଶରେ ଯୁଦ୍ଧ ଯୋଗୁଁ ୬ ହଜାରରୁ ଅଧିକ ସ୍କୁଲ ବନ୍ଦ ହୋଇଛି, ଯାହା ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି । ଝିଅମାନଙ୍କ ସାକ୍ଷରତା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, କାରଣ ହିଂସା ଏବଂ ଦାରିଦ୍ର୍ୟ ସେମାନଙ୍କୁ ଶିକ୍ଷାଠୁ ଦୂରେଇ ରଖେ ।
ଦକ୍ଷିଣ ସୁଡାନର ପରିସ୍ଥିତି ମଧ୍ୟ ସମାନ । ପୂର୍ବରୁ ଏହି ଦେଶ ଦାରିଦ୍ର୍ୟ ଏବଂ ସମ୍ବଳର ଅଭାବରେ ପୀଡ଼ିତ, ଏବେ ଯୁଦ୍ଧ ଦେଶର ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି । ଏଠାରେ ସାକ୍ଷରତା ହାର ପ୍ରାୟ ୩୨% । ଦେଶର ୨୫% ମହିଳା ଏବଂ ୩୯% ପୁରୁଷ ସାକ୍ଷର । ଯୁଦ୍ଧ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଦେଇଛି ଏବଂ ପ୍ରାୟ ୨୮ ଲକ୍ଷ ପିଲା ଶିକ୍ଷାଠୁ ଦୂରରେ ଅଛନ୍ତି । ଦକ୍ଷିଣ ସୁଡାନରେ ଜାତିଗତ ସଂଘର୍ଷ ଏବଂ ରାଜନୈତିକ ଅସ୍ଥିରତା ଜାରି ରହିଛି । ୨୦୧୫ ମସିହାରେ, ଯୁଦ୍ଧ ଯୋଗୁଁ ୧.୨୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ବର୍ତ୍ତମାନ, ଦେଶର ପ୍ରାୟ ୫୫ ଲକ୍ଷ ଲୋକ ମାନବିକ ସହାୟତା ଉପରେ ନିର୍ଭରଶୀଳ ଏବଂ ୨୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣର ଶିକାର । ୨୦୨୫ ପାଇଁ ନିର୍ବାଚନ ସ୍ଥଗିତ ହେବା ଦ୍ୱାରା ଅସ୍ଥିରତା ଆହୁରି ବୃଦ୍ଧି ପାଇଛି । ୨ ହଜାରରୁ ଅଧିକ ସ୍କୁଲ ବନ୍ଦ ହୋଇଯାଇଛି, ଯାହା ୩ ଲକ୍ଷ ପିଲାଙ୍କୁ ପ୍ରଭାବିତ କରିଛି । ବାଲ୍ୟବିବାହ ଏବଂ ହିଂସା ନିରନ୍ତର ବୃଦ୍ଧି ପାଉଥିବାରୁ ଝିଅମାନଙ୍କ ସାକ୍ଷରତା ସବୁଠାରୁ ଖରାପ ସ୍ଥିତିରେ ଅଛି ।
ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ସାକ୍ଷରତା ହାର ପ୍ରାୟ ୩୭%, ଯେଉଁଥିରୁ ୨୪% ମହିଳା ଏବଂ ୫୫% ପୁରୁଷ । ମହିଳାମାନଙ୍କ ପାଇଁ ମାଧ୍ୟମିକ ଶିକ୍ଷା ଉପରେ ନିଷେଧ ଲଗାଇଛି ତାଲିବାନ ଶାସନ, ଯାହା ସେଠାକାର ୧୪ ଲକ୍ଷ ମହିଳାଙ୍କୁ ପ୍ରଭାବିତ କରିଛି । ତାଲିବାନ ଶାସନ ପରେ ବି ଆଫଗାନିସ୍ତାନରେ IS-K (ଇସଲାମିକ୍ ଷ୍ଟେଟ୍ ଖୁରାସନ) ମଧ୍ୟ ଆକ୍ରମଣ ଜାରି ରହିଛି । ସାମ୍ପ୍ରତିକ ସମୟରେ, ତାଲିବାନ ମହିଳାମାନଙ୍କ ଉପରେ କଟକଣା ବୃଦ୍ଧି କରିଛି, ଯାହା ମାନବିକ ସଙ୍କଟକୁ ଆହୁରି ଘନିଷ୍ଠ କରିଛି । ଦେଶର ୨ କୋଟିରୁ ଅଧିକ ଲୋକଙ୍କୁ ମାନବିକ ସହାୟତାର ଆବଶ୍ୟକତା ଅଛି ଏବଂ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁଁ ସାକ୍ଷରତା ହାରରେ ତୀବ୍ର ହ୍ରାସ ଘଟିଛି । ଏହି ଦେଶମାନଙ୍କରେ ପୁସ୍ତକର ସବୁଠାରୁ ବଡ଼ ଶତ୍ରୁ ପାଲଟିଛି ଯୁଦ୍ଧ ।