ଜୀବନର ଅନ୍ୟ ନାମ ଜଳ । ଜଳ ବିନା ଜୀବନ ଅସମ୍ଭବ । ଜୀବନର ପ୍ରତି ମୁହୂର୍ତ୍ତ ଓ ପ୍ରତିଟି ସମୟରେ ଜଳର ରହିଛି ଆବଶ୍ୟକତା । ମାନବ ସମାଜ, ଜୀବଜନ୍ତୁ, ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ଆଧାର । ପୃଥିବୀରେ ୭୦ ପ୍ରତିଶତ ଜଳଭାଗ ରହିଥିବା ବେଳେ ସେଥିରୁ କେବଳ ୩ ପ୍ରତିଶତ ମଧୁର ଜଳ ରହିଛି । ବର୍ତ୍ତମାନ ସମଗ୍ର ବିଶ୍ୱ ତିନି ପ୍ରତିଶତ ଜଳ ଉପରେ ନିର୍ଭରଶୀଳ । ତେଣୁ ପୃଥିବୀବାସୀ ଜଳ ସଙ୍କଟର ହେଉଛନ୍ତି ସମ୍ମୁଖୀନ । ଏହାକୁ ଦୃଷ୍ଟିରେ ରଖି ଏପରି ସମସ୍ୟାକୁ ଦୂରୀକରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୨ ଅର୍ଥାତ ଆଜିକୁ ବିଶ୍ବ ଜଳ ଦିବସ ରୂପେ ପାଳନ କରାଯାଉଛି ।
କେବଳ ଜଳ ସଙ୍କଟ ନୁହେଁ ମାନବ ଶରୀର ପ୍ରତି ଜଳର ଆବଶ୍ୟକତା ବାବଦରେ ସଚେତନ କରିବା ମଧ୍ୟ ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ । ବିଶ୍ବ ଜଳ ଦିବସ ପାଳନ କରିବା ପାଇଁ ପ୍ରଥମେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର ୨୨, ୧୯୯୨ ରେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଏହା ପରେ ମାର୍ଚ୍ଚ ୨୨କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ୧୯୯୩ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ୨୨ରେ ବିଶ୍ବ ଜଳ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଏହି ଦିବସ ଏକ ବିଷୟବସ୍ତୁ ବା ଥିମ୍ ଆଧାରରେ ପାଳନ କରାଯାଏ । ଚଳିତ ବର୍ଷର ଥିମ୍ ରହିଛି ହିମବାହ ସଂରକ୍ଷଣ । ଜୀବନ ପାଇଁ ହିମବାହ ଜରୁରୀ ଅଟେ ଏବଂ ଏହା ପୃଥିବୀର ମଧୁର ଜଳର ଏକ ବଡ଼ ଅଂଶ ସଂରକ୍ଷଣ କରେ ।
ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଲୁଟେରାର ଏନକାଉଣ୍ଟରରେ ମୃତ୍ୟୁ , ଲକ୍ଷେ ଟଙ୍କାର ଥିଲା ପୁରସ୍କାର ଘୋଷିତ
ଦିନକୁ ଦିନ ପୃଥିବୀରୁ ଜଳ ସମ୍ପଦ କ୍ଷୟ ହେବାରେ ଲାଗିଛି । ଆଗାମୀ ପିଢି ପାଇଁ ଜଳ ସଂରକ୍ଷଣ ନିହାତି ଆବଶ୍ୟକ । ଜଳ ବିନା ମଣିଷ ତିଷ୍ଠିବା ଅସମ୍ଭବ । ଭବିଷ୍ୟତର ଆବଶ୍ୟକତା ପାଇଁ ଜଳର ସଂରକ୍ଷଣ କରିବା ଦିଗରେ ଆମ ଭିତରେ ଯଥେଷ୍ଟ ସଚେତନତା ରହିବା ଦରକାର ।ସ୍ବଚ୍ଛ ପାନୀୟ ଜଳ ବିଷୟରେ କହିବାକୁ ଗଲେ, ଆଇସଲ୍ୟାଣ୍ଡ, ନରୱେ, ଫିନଲ୍ୟାଣ୍ଡ, ୟୁନାଇଟେଡ କିଙ୍ଗଡମ, ନେଦରଲ୍ୟାଣ୍ଡ, ସ୍ୱିଜରଲ୍ୟାଣ୍ଡର ନାମ ଏହି ତାଲିକାରେ ଆସେ। ଏହି ଦେଶଗୁଡ଼ିକରେ ବହୁତ ସଫା ପାନୀୟ ଜଳ ଅଛି। ଭାରତ ବିଷୟରେ କହିବାକୁ ଗଲେ, ଆମ ଦେଶ ଏହି ତାଲିକାରେ ୧୩୯ତମ ସ୍ଥାନରେ ଅଛି। କିନ୍ତୁ ଜଳ ବ୍ୟବହାର ଦୃଷ୍ଟିରୁ, ଭାରତ ଦଶମ ସ୍ଥାନରେ ଅଛି। ସ୍ୱଚ୍ଛ ପାଣି ତାଲିକାରେ, ପାକିସ୍ତାନ ଭାରତଠାରୁ ମଧ୍ୟ ପଛରେ ଅଛି। ପାକିସ୍ତାନର ନାମ ୧୪୪ ନମ୍ବରରେ ଅଛି। ଆମ ଦେଶରେ ମଧ୍ୟ ସ୍ୱଚ୍ଛ ପାଣି ଏକ ବଡ଼ ସମସ୍ୟା ହୋଇଗଲାଣି। ମଇଳା ପାଣି ବ୍ୟବହାର କରିବା ଯୋଗୁଁ ଏଠାକାର ଲୋକମାନେ ସାଧାରଣତଃ ପେଟବ୍ୟଥା, ଡାଇରିଆ, ଟାଇଫଏଡ୍ ଇତ୍ୟାଦି ରୋଗରେ ପୀଡିତ ହୁଅନ୍ତି।