ପ୍ରମୂଖ ଖବର

ସୁନାର ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା, ଆତ୍ମହତ୍ୟା କଲେ ଯୁବ ଚାଷୀ

Published By : Prameya | December 31, 2024 11:39 AM

ଜଗତସିଂହପୁର, ୩୧/୧୨ : ସୁନାର ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା। ଉଜୁଡ଼ିଗଲା ବର୍ଷକର ପରିଶ୍ରମ। ଉଜୁଡ଼ା କ୍ଷେତ ଦେଖି ହତବାକ୍ ହୋଇଗଲେ ଯୁବ ଚାଷୀ। ଶେଷରେ ବାଛିନେଲେ ଆତ୍ମହତ୍ୟାର ବାଟ। ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅସାରଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରର ରୋଜଗାରିଆ ପୁଅକୁ ହରାଇ ମୁଣ୍ଡ ପିଟି କାନ୍ଦୁଛନ୍ତି ପରିବାର ଲୋକେ।

ବାଲିକୁଦା ଥାନା ଅସାରଣା ଗାଁର ଉତ୍ତମ ସ୍ବାଇଁଙ୍କ ଏକମାତ୍ର ପୁଅ  କୃତିବାସ ସ୍ବାଇଁ। ପୈତୃକ ଚାଷ ଜମି ସମେତ ଦୁଇ ଏକରରୁ ଊର୍ଦ୍ଧ୍ୱ ଜମିରେ ଭାଗ ଚାଷ କରି ନିଜ ପରିବାର ଚଳାନ୍ତି। ଘରେ ସ୍ତ୍ରୀ ଓ ବୃଦ୍ଧ ବାପା ମା ସହିତ ୨ ଛୋଟ ଛୋଟ ଝିଅ ଅଛନ୍ତି। କୃତିବାସ ଚାଷ ପାଇଁ ବିଭିନ୍ନ ସଂସ୍ଥାରୁ ଟଙ୍କା ସୁଧକୁ ଆଣି ଚାଷ କାମରେ ଲଗାଇଥିଲେ। ଲଘୁଚାପ ଜନିତ ଲଗାଣ ବର୍ଷା ପୂର୍ବରୁ ସେ ଗୋଟିଏ ଏକର ଧାନ କାଟି ଦେଇଥିଲେ। ହେଲେ ବର୍ଷା ପରେ ଧାନ ବିଲରେ ପାଣି ଜମି ଫସଲ ନଷ୍ଟ ହେବା ସହିତ ଗଜା ହୋଇଯାଇଥିଲା । ଦୁଇଦିନ ତଳେ ବିଲକୁ ଯାଇ ଧାନର ଅବସ୍ଥା ଦେଖି ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇ ଚିନ୍ତାରେ ରହିଥିଲେ। ଗତକାଲି ପୁଣି ସେ ବିଲକୁ ଯାଇ ଫେରିବା ପରେ ସନ୍ଧ୍ୟାରେ ଗାଈ କାମ କରିଥିଲେ। ସନ୍ଧ୍ୟାରେ ଘର ଲୋକେ ଦାଣ୍ଡ ପଟରେ ବସି ଚା ଜଳଖିଆ ଖାଉଥିବା ବେଳେ ସେ ନିଜ ଶୋଇବା ଘରକୁ ଯାଇଥିଲେ । କିଛି ସମୟ ପରେ ସେ ନ ଫେରିବାରୁ ଘର ଲୋକେ ତାଙ୍କ ଶୋଇବା ଘର କବାଟ ବନ୍ଦ ଥିବା ଦେଖି କବାଟ ଭାଙ୍ଗିବାରୁ କୃତିବାସ ଫ୍ୟାନରେ ଝୁଲିଥିଲେ । ପରିବାର ଲୋକେ କୃତିବାସଙ୍କୁ ତୁରନ୍ତ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

କୃତିବାସଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାଁ ଭୂଇଁ ସାଉଁଟୁଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.