ଆଜିକାଲି ପ୍ରାୟ ମହିଳା କର୍ମଜୀବୀ । ଏମାନଙ୍କ ପାଇଁ ଘରପରିବାର ସହ ଅଫିସ୍ କାମକୁ ମ୍ୟାନେଜ୍ କରିବା ଯଦିଓ ଅସମ୍ଭବ ନୁହେଁ, କିନ୍ତୁ ବେଳେ ବେଳେ ଅଧିକ କାମ ଯୋଗୁ ଅସୁସ୍ଥ ହୋଇପଡିଥାନ୍ତି । କିନ୍ତୁ ମସ୍ତିଷ୍କକୁ ଟ୍ରେନିଂ ଦେଇ ନିଜ ନିୟନ୍ତ୍ରଣରେ ରଖିବା ଦ୍ୱାରା ସମସ୍ୟାଠାରୁ ଦୂରେଇବା ସହଜ ହୋଇଥାଏ । ତେଣୁ ମନକୁ ନିୟନ୍ତ୍ରଣରେ ରଖିବା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଜରୁରି ।
ଅଧିକାଂଶ ଶାରୀରିକ ରୋଗ ମନ ସହ ଯୋଡ଼ି ହୋଇ ରହିଥାଏ । ଏହାର ଚିକିତ୍ସା ଡାକ୍ତର ନୁହେଁ, ବରଂ ନିଜେ କରିପାରିବେ । ଏଥିପାଇଁ ବ୍ରେନ୍ ମ୍ୟାନେଜମେଣ୍ଟ ଶିଖିବା ଜରୁରି । ଆମେ ଦେଶର ବିଶେଷକରି ମହିଳାମାନେ ରୋଗ ହେବା ସତ୍ତେ୍ୱ ଡାକ୍ତର ପାଖକୁ ଖୁବ୍ ଡେରିରେ ଯାଇଥାନ୍ତି, ମନର ସମସ୍ୟାକୁ ନେଇ ଏମାନେ କେଉଁଠିକୁ ଯିବେ ଆପଣ ବୁଝିପାରୁଥିବେ । ତେଣୁ ପ୍ରାୟ ପରିବାରରେ ପୁରୁଷ ହୁଅନ୍ତୁ ଅବା ମହିଳା ମାନସିକ ସମସ୍ୟାକୁ ଅଣଦେଖା କରିଥାନ୍ତି । ଯାହା ପରବର୍ତ୍ତୀ ସମୟରେ ବଡ଼ ସମସ୍ୟା ଭାବେ ବାହାରକୁ ଆସିଥାଏ । ଏଭଳି ସମସ୍ୟାକୁ ସାମ୍ନା ନ କରିବା ପାଇଁ ଆରମ୍ଭରୁ ହିଁ ମସ୍ତିଷ୍କକୁ ଟ୍ରେନିଂ ଦେଇପାରିବେ ଓ ନକାରାତ୍ମକତାଠାରୁ ଦୂରେଇ ରହିପାରିବେ । ଚାଲନ୍ତୁ ଜାଣିବା ମାନସିକ ସମସ୍ୟାକୁ ଶାରୀରିକ ରୋଗରେ ପର ପରିବର୍ତ୍ତିତ ହେବା ଆଗରୁ କେମିତି ରୋକିପାରିବେ ।
ମନ ଶରୀରକୁ କେମିତି ପ୍ରଭାବିତ କରେ?
- ସମସ୍ୟାକୁ ନେଇ ମନରେ ଯନ୍ତ୍ରଣା ହୋଇ ନଥାଏ, ବରଂ ଶରୀରରେ ଯନ୍ତ୍ରଣା ବା ରୋଗ ଜରିଆରେ ଯନ୍ତ୍ରଣାର ସଙ୍କେତ ଦେଇଥାଏ । କେବେ ଶରୀରରେ କିଛି ଗଡବଡ କରି ତ ଆଉ କେବେ ଶରୀର ଓ ମନ ଭିତରେ ତାଳମେଳ ପଡି ନଥାଏ ।
- ଚିନ୍ତା ଓ ଅବସାଦ ପରି ସମସ୍ୟା ସିଧାସଳଖ ଭାବେ ମନ ସହ ଯୋଡ଼ି ହୋଇ ରହିଥାନ୍ତି । ଯେତେବେଳେ କୌଣସି କାମ ଆମ ମନକୁ ସୁହାଇବା ପରି ହୋଇ ନଥାଏ । ଆମେ ଚିନ୍ତାଗ୍ରସ୍ତ ହୋଇପଡୁ ।
- ଆଲର୍ଜି ଓ ସୋରିଆସିସ୍ ପରି ଚର୍ମ ରୋଗ ମଧ୍ୟ ଅନେକ ସମୟରେ ମନ ସହ ଯୋଡ଼ି ହୋଇଥାଏ । ଚିକିତ୍ସା ପରେ ମଧ୍ୟ ଏହି ସମସ୍ୟା ଠିକ୍ ହୋଇ ନଥାଏ ।
- ମଧୁମେହ ସହ ମଧ୍ୟ ମନର ସମ୍ପର୍କ ଯୋଡ଼ି ହୋଇ ରହିଛି । ଅନେକ ଲୋକ ମିଠା ନ ଖାଇବା ସତ୍ତେ୍ୱ ମଧ୍ୟ ମଧୁମେହର ଶିକାର ହୋଇଥାନ୍ତି । ଏହାର କାରଣ ଭୁଲ୍ ଜୀବନଶୈଳୀ ଓ ଚିନ୍ତା ।
- ଚିନ୍ତା ମଧ୍ୟ ମୋଟାପଣ ବଢାଇବାର ଅନ୍ୟତମ କାରଣ ହୋଇଥାଏ ।
ବ୍ୟବହାର ସମ୍ୱନ୍ଧୀୟ ସମସ୍ୟା
ମନର ସ୍ଥିତି କେବଳ ଶରୀର ଉପରେ ନୁହେଁ, ନିୟମିତ ଜୀବନରେ ବିଭିନ୍ନ ବ୍ୟବହାରକୁ ମଧ୍ୟ ପ୍ରଭାବିତ କରିଥାଏ । ଯେପରିକି ଉଚ୍ଚତାକୁ ଡର ଲାଗିବା, ଗାଡ଼ି ଚଲାଇବାକୁ ଡର ଲାଗିବା, ଲୋକଙ୍କ ସହ ମିଶିବାକୁ ଡର, ପ୍ରାୟ ଜିନିଷ ଭୁଲିଯିବା, ଧୂମପାନ ଅଭ୍ୟାସରେ ପଡିଯିବା, ନିଷ୍ପତ୍ତି ନେବାର ସମସ୍ୟା ଓ ଅତ୍ୟଧିକ ରାଗି ହେବା ଆଦି ।
ପିଲାଙ୍କ ସମସ୍ୟା - ପଢାରେ ମନ ନ ଲାଗିବା, ଧ୍ୟାନ ଏପଟସେପଟ ହେବା, ଅନ୍ଧାରକୁ ଡର ଲାଗିବା ଓ ନୂଆ ଲୋକଙ୍କ ସହ ମିଶି ନ ପାରିବା ।
ଚାକିରିରେ ସମସ୍ୟା- ମାତ୍ରାଧିକ ପରିଶ୍ରମ ସତ୍ତେ୍ୱ ସଫଳତା ନ ମିଳିବା, ଚାକିରି ପରିବର୍ତ୍ତନ କରିବାକୁ ଡର, କାମର ଚାପ ସମ୍ଭାଳି ନ ପାରିବା, ଠିକ୍ ସମୟରେ କାମ ଶେଷ କରି ନ ପାରିବା ଓ ମିଟିଂରେ ଜରୁରି କଥା ଉପସ୍ଥାପନ ନ କରିପାରିବା ।
ମହିଳାଙ୍କ ସମସ୍ୟା- ପିରିୟଡ୍ସରେ ଅନିୟମିତତା, ମୁଡ୍ ସୁଇଂ ଓ ଚିଡ୍ଚିଡାଭାବ ଏବଂ ଗର୍ଭଧାରଣରେ ସମସ୍ୟା ଆଦି ଦେଖିବାକୁ ମିଳିଥାଏ ।
ବ୍ରେନ୍କୁ କେମିତି ନିୟନ୍ତ୍ରିତ କରିପାରିବେ?
ଦୁନିଆର ସମସ୍ତ ସଫଳ ବ୍ୟକ୍ତି ବିଭିନ୍ନ ଜିନିଷ ବା ସ୍ଥିତିକୁ ସବୁବେଳେ ସକାରାତ୍ମକ ଦୃଷ୍ଟି କୋଣରେ ହିଁ ଦେଖିଥାନ୍ତି । ତେଣୁ ଆପଣ ମଧ୍ୟ ସବୁଜିନିଷରେ ନକାରାତ୍ମକ ଦିଗ ପରିବର୍ତ୍ତେ ସକାରାତ୍ମକ ଦିଗ ପ୍ରତି ଅଧିକ ଧ୍ୟାନ ଦେଇପାରିବେ ।
କଣ କରିବେ?
ଜୀବନର ଖୁସି ମୁହୂର୍ତ୍ତକୁ ବାରମ୍ବାର ମନେ ପକାଇ ଖୁସି ହୋଇପାରିବେ । ନିଜକୁ ଅଧିକ ଧ୍ୟାନ ଦିଅନ୍ତୁ । ଯଦି ନିଜର ବ୍ୟବହାର ଓ ଶରୀରରେ କୌଣସି ପରିବର୍ତ୍ତନ ଦେଖାଦିଏ, ତେବେ ଏହାର କାରଣ ଖୋଜିବାକୁ ପ୍ରୟାସ କରନ୍ତୁ । ସକାରାତ୍ମକ ଲୋକଙ୍କ ଭିତରେ ରୁହନ୍ତୁ ।
ଏପରି କରନ୍ତୁନି - କୌଣସି ଖରାପ ଘଟଣାକୁ ଭୁଲିବା ଏତେଟା ସହଜ ହୁଏନା, ତଥାପି ଏହାକୁ ମନେ ନ ପକାଇବାକୁ ଚେଷ୍ଟା କରନ୍ତୁ । ନକାରାତ୍ମକ ଲୋକଙ୍କଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ନିଜ ଭିତରେ ଥିବା ଅଭାବ ଓ ଭୁଲ୍କୁ ମନେ ପକାଇବା ପରିବର୍ତ୍ତେ ଭୁଲିବାକୁ ପ୍ରୟାସ କରିବା ଉଚିତ୍ ।