ନୂଆଦିଲ୍ଲୀ, ୧୧/୦୭ : ୟୁରୋପରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଜଳବାୟୁ ପରିବର୍ତ୍ତନରୁ ଜୀବନଗଲା ଭଳି ହିଟ୍‌ୱେଭ୍। ୧୨ ୟୁରୋପୀୟ ସହରରେ ୧୦ ଦିନରେ ଗଲାଣି ୨୩୦୦ ଜୀବନ। ଭୀଷଣ ଗରମରେ କଲବଲ ହେଲେଣି ଲୋକେ। ଇମ୍ପିରିୟଲ କଲେଜ ଲଣ୍ଡନର ରିପୋର୍ଟରୁ ଖୁଲାସା।

ଅଧ୍ୟୟନ ଅନୁସାରେ, ଗତ ୧୦ ଦିନରେ ଲଣ୍ଡନ, ମାଡ୍ରିଡ୍‌, ବାର୍ସିଲୋନା ଓ ମିଲାନ ଭଳି ସହରର ତାପମାତ୍ରା ୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବଢ଼ିଛି। ୟୁରୋପର ଅନେକ ସ୍ଥାନରେ ଭୀଷଣ ଗରମ ହେଉଛି । ସ୍ପେନ୍‌ରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ପାର୍‌ କରିଛି ଏବଂ ଫ୍ରାନ୍ସରେ ଅନେକ ଜଙ୍ଗଲରେ ନିଆଁ ଲାଗିଛି । ପର୍ତ୍ତୁଗାଲରେ ଭୀଷଣ ଉତ୍ତାପ ଯୋଗୁ ୨୮୪ ଜଣଙ୍କ ମୃତ୍ୟୁ ହୋଇଛି ।  ସ୍ପେନ୍‌ରେ ଚଳିତ ବର୍ଷ ଅଦ୍ୟାବଧି ହାରାହାରି ୨୧ ହଜାର ହେକ୍ଟର ଜଙ୍ଗଲ ଜଳିଯାଇଛି । ଜଙ୍ଗଲ ନିଆଁ ଯୋଗୁଁ ଗତ ମଙ୍ଗଳବାର ସ୍ପେନ୍‌ରେ ୧୮ ହଜାରରୁ ଅଧିକ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ୟୁରୋପୀୟ ସଂଘର କୋପରନିକସ ଜଳବାୟୁ ପରିବର୍ତ୍ତନ ସେବା ଅନୁସାରେ, ଗତ ମାସ ଅର୍ଥାତ୍‌ ଜୁନ୍‌ ପୃଥିବୀର ୩ୟ ସବୁଠୁ ଉତ୍ତପ୍ତ ମାସ ଥିଲା। ଯାହା ୨୦୨୪ ଓ ୨୦୨୩ ପରେ ସବୁଠୁ ଉତ୍ତପ୍ତ ମାସ ଥିଲା। ଗ୍ରୀନହାଉସ୍ ଗ୍ୟାସ୍ ବାୟୁମଣ୍ଡଳରେ ଜମା ହେବା ଯୋଗୁଁ ଭୀଷଣ ଗ୍ରୀଷ୍ମ ପ୍ରବାହ ହେଉଛି। କୋଇଲା, ତେଲ, ଏବଂ ଗ୍ୟାସ୍ ଭଳି ଜୀବାଶ୍ମ ଇନ୍ଧନ ଅତ୍ୟଧିକ ଜଳିବା ଯୋଗୁଁ ତାପମାତ୍ରା ବଢୁଛି। ଯେଉଁଥିପାଇଁ ଅଂଶୁଘାତ ମୃତ୍ୟୁ ସଂଖ୍ୟା ପ୍ରାୟ ୩ ଗୁଣା ବଢିଛି। ଏହାଦ୍ଵାରା ୬୫ ବର୍ଷୀୟରୁ ଉର୍ଦ୍ଧ୍ଵ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ଯାହାକୁ ନେଇ ଏବେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏହା ଉପରେ ଯଦି ଲଗାମ ଦିଆନଯାଏ ତାହେଲେ ଭବିଷ୍ୟତରେ ପରିଣାମ ଭୟଙ୍କର ହେବ।