ସୁନ୍ଦରଗଡ଼,୧୪/୦୨: ବସନ୍ତରେ ଗଛ ପତ୍ର ଝଡ଼ା ଦେଲେ ବଢ଼ିଯାଉଛି ବନ ବିଭାଗର ଚିନ୍ତା । ଜଙ୍ଗଲ ସାରା ବିଛାଡ଼ି ହୋଇପଡ଼ିଥିବା ଶୁଖିଲା ପତ୍ର ବଢ଼ାଉଛି ବନାଗ୍ନି ଭୟ । ଯଦି ଅକସ୍ମାତ୍ ନିଆଁ ଲାଗିଯାଏ । ତା’ହେଲେ ଆୟତ୍ତ କରିବା କାଠିକର ହୋଇପଡ଼ୁଛି । ଜଙ୍ଗଲର ନିଆଁର ଭୟାବହ ପରିଣତି ଫି’ବର୍ଷ ଦେଖୁଛି ସୁନ୍ଦରଗଡ଼ ବନଖଣ୍ଡ । ଫଳସ୍ୱରୂପ ଗତ ୫ ବର୍ଷରେ ୨୬୧୧ ହେକ୍ଟର ଜଙ୍ଗଲ ସମ୍ପଦ ଧ୍ୱଂସ ହୋଇଯାଇଛି । ଏହାର କୁପ୍ରଭାବ ସିଧାସଳଖ ଜୈବ ବିବିଧତା ଉପରେ ପଡ଼ୁଛି । ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସ ନଷ୍ଟ ହୋଇଯାଉଛି । ଅନେକ ଔଷଧୀୟ ଗୁଳ୍ମ ବିଲୁପ୍ତ ସ୍ଥିତିକୁ ଚାଲି ଆସିଲାଣି । ଜଙ୍ଗଲ ନିଆଁ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟାଇ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।
ଖରାଦିନ ଆସିଲେ ସୁନ୍ଦରଗଡ଼ ବନଖଣ୍ଡକୁ ଗୋଡ଼ାଉଛି ବନାଗ୍ନି ଭୟ । ୫ବର୍ଷ ତଳେ ଅର୍ଥାତ୍ ୨୦୨୧ରେ ମାତ୍ର ୧୪ଟି ସ୍ଥାନରେ ବନାଗ୍ନି ବ୍ୟାପିଥିଲା । ୨୦୨୫ରେ ଏହି ସଂଖ୍ୟା ୧୫୯୬କୁ ବୃଦ୍ଧି ପାଇଛି । ଗତ ୫ବର୍ଷରେ ୭୨୨୧ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିଲା । ଏଥିରେ ପ୍ରାୟ ୨୬୧୧.୮୩ ହେକ୍ଟର ଜଙ୍ଗଲ ବହୁମାତ୍ରାରେ ପ୍ରଭାବିତ ହୋଇଥିବା ତଥ୍ୟ କହୁଛି । ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ଗାଁ, ଗୋପାଳପୁର, ହେମଗିର, ଲେଫ୍ରିପଡ଼ା, ସୁନ୍ଦରଗଡ଼, ଉଜ୍ଜଳପୁର ବନାଞ୍ଚଳ ଗତ କିଛି ବର୍ଷ ହେଲା ଜଙ୍ଗଲ ନିଆଁରେ ବ୍ୟାପକ କ୍ଷତିଗ୍ରସ୍ତ ହେଉଛି । ୨୦୨୧ରୁ ୨୦୨୫ ବଡଗାଁ ବନାଞ୍ଚଳରେ ୫୨୬ଟି ସ୍ଥାନରେ ନିଆଁ ଲାଗି ୨୭୩.୭୪ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଥିଲା । ସେହିପରି ଗୋପାଳପୁର ବନାଞ୍ଚଳରେ ୨୦୧୧ ଅଗ୍ନିକାଣ୍ଡରେ ୨୫୦.୩୯ ହେକ୍ଟର, ହେମଗିର ବନାଞ୍ଚଳରେ ୧୯୪୩ ଅଗ୍ନିକାଣ୍ଡରେ ୪୭୦.୭୦ ହେକ୍ଟର, ଲେଫ୍ରିପଡା ବନାଞ୍ଚଳରେ ୫୭୦ ଅଗ୍ନିକାଣ୍ଡରେ ୧୦୨.୪୪ ହେକ୍ଟର, ସୁନ୍ଦରଗଡ଼ ବନାଞ୍ଚଳରେ ୧୩୧୯ ଅଗ୍ନିକାଣ୍ଡରେ ୧୨୭୪.୪୧ ହେକ୍ଟର ଏବଂ ଉଜ୍ଜଳପୁର ବନାଞ୍ଚଳରେ ୮୫୨ ଅଗ୍ନିକାଣ୍ଡରେ ୨୪୦.୧୬ ହେକ୍ଟର ଜଙ୍ଗଲରେ ନିଆଁରେ କ୍ଷତିଗ୍ରସ୍ତ ହୋଇଛି।
ବନ ବିଭାଗର କହିବା କଥା, ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ପରିବାର ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ମୁଖ୍ୟତଃ କେନ୍ଦୁପତ୍ର, ମହୁଲ ଫୁଲ ସଂଗ୍ରହ କରିବାକୁ ସହଜ ହେବ ଭାବି ସେମାନେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି । ଶୀତଦିନେ ଶୁଖି ଯାଇଥିବା ଗଛ ଏବଂ ଝଡ଼ିପଡ଼ିଥିବା ପତ୍ରରେ ଥରେ ନିଆଁ ଲାଗିଲେ ଆଖପାଖ ଇଲାକାକୁ ଶୀଘ୍ର ମାଡ଼ିଯାଉଛି । ଏଥିରେ ଯେଉଁ କ୍ଷତି ହେଉଛି ତାହାର ଭରଣା କଷ୍ଟକର ହୋଇପଡୁଛି । ବନ ବିଭାଗ, ଅଗ୍ନିଶମବାହିନୀ ଏବଂ ଫାୟାର ଫାଇଟର ଟିମ୍ ନାକେଦମ ହେଉଛନ୍ତି । ସଚେତନତା ଏବଂ ଆଗୁଆ ପଦକ୍ଷେପ ସତ୍ତେ୍ୱ ସୁଫଳ ମିଳୁନାହିଁ । ଚଳିତ ବର୍ଷ ବନ ବିଭାଗ ଜଙ୍ଗଲ ନିଆଁ ଉପରେ ତୀକ୍ଷ୍ଣ ନଜର ରଖିଛି । ଅଭିଯୁକ୍ତଙ୍କ ବିରୋଧରେ କଠାର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ ଖୁସୱନ୍ତ ସିଂ କହିଛନ୍ତି । ଅନ୍ୟପଟେ ପରିବେଶବିତ୍ଙ୍କ କହିବା କଥା, ବନ ବିଭାଗ ପକ୍ଷରୁ ନିଆଯାଉଥିବା ସଚେତନତାମୂଳକ ପଦକ୍ଷେପ ପ୍ରଭାବୀ ହେଉନାହିଁ । ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଏବଂ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ମଧ୍ୟ ହେଉନାହିଁ । ଅଭିଯୁକ୍ତମାନେ ଏହାର ସୁଯୋଗରେ ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲ ପୋଡୁଛନ୍ତି । ବନ ବିଭାଗ ଗୁଇନ୍ଦା ବଳ ସୁଦୃଢ଼ କରିବା, ବନ ସୁରକ୍ଷା ସମିତି ସହାୟତାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଦିଗରେ ପଦକ୍ଷେପ ନେଲେ ବନାଗ୍ନି ନିୟନ୍ତ୍ରଣରେ ନିଶ୍ଚିତ ସଫଳତା ମିଳିବ ।
ଆହୁରି ପଢନ୍ତୁ- ସାଇବର ଠକଙ୍କ ଡିଜିଟାଲ୍ ଆରେଷ୍ଟ ଫାଶ,ଚେତୁନାହାନ୍ତି ଲୋକେ
ଚଳିତବର୍ଷ ୧୪୮୨ କିମି ଫାୟାର ଲାଇନ
ସୁନ୍ଦରଗଡ଼ ବନଖଣ୍ଡରେ ବନାଗ୍ନି ନିୟନ୍ତ୍ରଣ ପାଇଁ ଚଳିତବର୍ଷ ବ୍ୟାପକ ସତର୍କତାମୂଳକପଦକ୍ଷେପ ହାତକୁ ନେଇଛି ବନ ବିଭାଗ । ଏବର୍ଷ ୧୪୮୨ କିଲୋମିଟର ଦୀର୍ଘ ଫାୟାର ଲାଇନ୍ ପ୍ରସ୍ତୁତ କରାଯାଇଛି । ୧୫୭୭ ସମ୍ବେଦନଶୀଳ ସ୍ଥାନକୁ ଫାୟାର ପଏଣ୍ଟ ଭାବେ ଚିହ୍ନଟ କରାଯାଇଛି । ୨୦୨୬ ଜଣ ଫ୍ରଣ୍ଟଲାଇନ୍ କର୍ମଚାରୀ, ୬୦ ଫାୟାର ସ୍କ୍ୱାଡ୍, ୧୭୮ ଫାୟାର ୱାଚର, ୨୪୨ ଫାୟାର ବ୍ଲୋୟର ନିୟୋଜିତ କରାଯାଇଛି । ଜାନୁଆରୀରୁ ଅଦ୍ୟାବଧି ୧୫୬ରୁ ଊଦ୍ଧ୍ୱର୍ ସ୍ଥାନରେ ସଚେତନତାମୂଳକ ସଭା କରାଯାଇଛି । ଏଥିସହ ଏଆଇର ସହାୟତା ମଧ୍ୟ ନିଆଯାଉଛି । ଆକାଶମାର୍ଗରୁ ନିରୀକ୍ଷଣ କରିବା ପାଇଁ ୧୨ଟି ଡ୍ରୋନ୍ ସଜାଗ୍ ରଖାଯାଇଛି । ବନସୁରକ୍ଷା ସମିତି ଓ ଜଙ୍ଗଲ ସଂଲଗ୍ନ ଅଞ୍ଚଳବାସୀଙ୍କ ସହାୟତାରେ ନିଆଁକୁ ତତ୍କାଳ ଆୟତ୍ତ କରିବା ଲାଗି ବିଚାରବିମର୍ଷ କରାଯାଇଛି ।