ନୂଆଦିଲ୍ଲୀ,୨୧/୦୧: ହସଖୁସିର ପରିବାର । ବେଶ୍ ଭଲରେ କଟୁଥିଲା ଦିନ । ପରସ୍ପର ପ୍ରତି ଭଲ ପାଇବା ଥିଲା । ବାପା, ମା', ଦୁଇପୁଅ ସହ ଜେଜେମାଆଙ୍କୁ ନେଇ ସୁନ୍ଦର ପରିବାରଟିଏ ।ଏମିତି କଣ ହେଲା କାହିଁକି ଚାଲିଗଲା ୫-୫ଟି ଜୀବନ ।ଉତ୍ତରପ୍ରଦେଶର ସାହାରନ୍ପୁରରେ ମଙ୍ଗଳବାର ଚାଞ୍ଚଲ୍ୟ ଖେଳିଯାଇଛି । ଗୋଟିଏ ଘରୁ ୫ ମୃତଦେହ ଉଦ୍ଧାର ହୋଇଛି । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି । ଜଣେ ସରକାରୀ ଅମିନ ନିଜ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି ।
ଅଭିଯୁକ୍ତ ଅଶୋକ ରାଠୀ ପ୍ରଥମେ ନିଜ ପତ୍ନୀ, ମା’ ଏବଂ ଦୁଇପୁଅଙ୍କ ମୁଣ୍ଡକୁ ଗୁଳି କରିଥିଲେ । ପରେ ନିଜ ମୁଣ୍ଡ ଏବଂ ଛାତିକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ପୁଲିସ ଅନୁସାରେ, ମାମଲାଟି ସରସାୱା ଥାନା କ୍ଷେତ୍ରର ଶାଶ୍ୱତ ବିହାର କଲୋନୀର । ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କର ଭଉଣୀଙ୍କୁ ଏକ ମେସେଜ୍ ଏବଂ ଅଡିଓ କ୍ଲିପ୍ ପଠାଇଥିଲେ । ସେଥିରେ ହତ୍ୟାକାଣ୍ଡ ନେଇ ସୂଚନା ଦେବା ସହ ନିଜେ ଆତ୍ମହତ୍ୟା କରିବାକୁ ଯାଉଥିବା ଦର୍ଶାଇଥିଲେ । ଏହାପରେ ତାଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ରହୁଥିବା ଭିଣୋଇ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ । ସେ ଫୋନ୍ ନ ଉଠାଇବାରୁ ଭିଣୋଇ ତାଙ୍କ ପୁଅଙ୍କୁ ଅଶୋକଙ୍କ ଘରକୁ ପଠାଇଥିଲେ । ତେବେ କବାଟ ବାଡ଼େଇବା ପରେ ଅପର ପକ୍ଷରୁ କୌଣସି ଜବାବ ନ ଆସିବାରୁ ସେ ଝରକା ଭାଙ୍ଗି ଭିତରକୁ ଯାଇଥିଲେ । ଭିତରେ ୫ ଜଣଙ୍କର ମୃତଦେହ ପଡି଼ଥିଲା । ଜଳସେଚନ ବିଭାଗରେ ମୁତୟନ ଥିବା ଅଶୋକ ମାନସିକ ଅବସାଦରେ ଥିବା ପଡ଼ୋଶୀମାନେ କହିଛନ୍ତି ।
ଏହା ବି ପଢନ୍ତୁ...ବାଂଲାଦେଶରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି ? ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି ଆସିବାକୁ କହିଲା
କାହିଁକି ମାନସିକ ଅବସାଦରେ ଥିଲେ ଅଶୋକ ତାହା ଏବେ ପ୍ରଶ୍ନ ଘେରରେ । ଜଣଙ୍କ ମାନସିକ ଚିନ୍ତା ପାଇଁ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଛି । ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।