ବ୍ରହ୍ମପୁର, ୨୩/୦୭ : ବଡ଼ଖେମୁଣ୍ଡି ସାହି ରାଜପ୍ରାସାଦରେ ରହିଛି ଆରବୀୟ ଲିପି ଖୋଦିତ ଏକ ଖଣ୍ଡା । ଲିପିରେ କୋରାନ୍‌ ସରିଫ୍‌ରେ ବର୍ଣ୍ଣିତ ସୁରା ୬୧ର ୧୩ ଅୟାତ ଧାଡ଼ି- ନସର୍‌ ମିନ୍‌ ଆଲ୍ଲା ଓ ଫତେହ କରିବେନ୍‌ ଲେଖା ଥିବା ଗବେଷକ ଓ ମୁସ୍‌ଲିମ୍‌ ଧର୍ମଗୁରୁ କହିଛନ୍ତି । ଯାହାର ଅର୍ଥ "ଆଲ୍ଲାଙ୍କ ଶରଣ ନେଲେ ବିଜୟ ସୁନିଶ୍ଚିତ ।’ ଖଣ୍ଡାଟି ସପ୍ତଦଶ ଶତାବ୍ଦୀର ଏବଂ ଜଣେ ମୁସଲିମ୍‌ ଯୋଦ୍ଧାଙ୍କର ହୋଇପାରେ । ଆଞ୍ଚଳିକ ଶାସକଙ୍କ ସାମରିକ ବିଜୟ ବା ଯୁଦ୍ଧବିରାମ ପରେ କୂଟନୈତିକ ଆଲୋଚନାର ଅଂଶ ଭାବରେ ଶତ୍ରୁ ପକ୍ଷ ଏହା ଉପସ୍ଥାପିତ କରିଥିବେ । ଯାହା ସ୍ଥାନୀୟ ଯୋଦ୍ଧାଙ୍କର ବୀରତ୍ୱ ଗାଥା ବର୍ଣ୍ଣନା କରୁଥିବା ଗବେଷକଙ୍କର ମତ । 

ବଡ଼ଖେମୁଣ୍ଡି ରାଜପରିବାରର ଦାୟାଦ ସିଦ୍ଧାନ୍ତ ଗଙ୍ଗଦେବ ଖଣ୍ଡା ସମ୍ପର୍କରେ ଲିପିତତ୍ତ୍ୱବିତ୍‌ ବିଷ୍ଣୁମୋହନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ଐତିହାସିକ ମହତ୍ତ୍ୱକୁ ଜାଣିପାରି ବିଷ୍ଣୁମୋହନ ଓ ସହଯୋଗୀ ଇତିହାସକାରମାନେ ପାରଳାଖେମୁଣ୍ଡିର ମୁସଲିମ ଧର୍ମଗୁରୁ ଶେଖ୍‌ ଇମାଇତୁଲ୍ଲାଙ୍କ ସହିତ ଏନେଇ ବିସ୍ତୃତ ଆଲୋଚନା ଓ ଅଧ୍ୟୟନ କରିବା ପରେ ଏଥିରେ ଖୋଦିତ ଲିପିର ଉପରୋକ୍ତ ଅର୍ଥ ଜଣାଯାଇଥିଲା । ବିଷ୍ଣୁମୋହନ କହନ୍ତି ଯେ, ଶୈଳୀ ଓ ଭାଷାଗତ ବିଶ୍ଲେଷଣ ଏବଂ ଆଞ୍ଚଳିକ ପ୍ରସଙ୍ଗକୁ ଆଧାର କରି ଏହି ଅସ୍ତ୍ର ସମ୍ଭବତଃ ସପ୍ତଦଶ ଶତାବ୍ଦୀରେ ବଡ଼ଖେମୁଣ୍ଡିରେ ଶାସନ କରୁଥିବା ଗଙ୍ଗବଂଶୀ ରାଜା ପଦ୍ମନାଭ ଅନଙ୍ଗ ଭୀମଦେବଙ୍କ ରାଜତ୍ୱ ସମୟର ବୋଲି କୁହାଯାଇପାରେ । ତାଙ୍କ ରାଜତ୍ୱ କାଳରେ, ପାରଳାଖେମୁଣ୍ଡି, ବଡ଼ଖେମୁଣ୍ଡି ଏବଂ ସାନଖେମୁଣ୍ଡି ସମେତ ଗଞ୍ଜାମ ଅଞ୍ଚଳ ଗୋଲକୋଣ୍ଡାର କୁତବ ଶାହି ରାଜବଂଶ, ହାଇଦ୍ରାବାଦର ନିଜାମ ଏବଂ ମୋଗଲଙ୍କ ସହଯୋଗୀ ଗୋଷ୍ଠୀମାନଙ୍କ ଦ୍ୱାରା ବାରମ୍ବାର ଆକ୍ରମଣର ସମ୍ମୁଖୀନ ହୋଇଥିଲା । ତତ୍କାଳୀନ ଗଙ୍ଗ ଶାସକମାନେ ସେମାନଙ୍କ ଅଞ୍ଚଳକୁ ରକ୍ଷା କରିବାକୁ ଦୃଢ଼ ଭାବରେ ଠିଆ ହୋଇଥିଲେ। 

ଗଙ୍ଗବଂଶାନୁକ୍ରମେ ଐତିହାସିକ ରେକର୍ଡଗୁଡ଼ିକ ନିଶ୍ଚିତ କରେ ଯେ, ପଦ୍ମନାଭ ଅନଙ୍ଗ ଭୀମଦେବ ଅନେକ ସାମରିକ ଅଭିଯାନର ନେତୃତ୍ୱ ନେଇଥିଲେ । ସୁଲତାନ ମାଲିକ ଖାନଙ୍କ ବିରୋଧରେ ଲଢ଼ିଥିବା ଏପରି ଏକ ଯୁଦ୍ଧ ଖେମୁଣ୍ଡି ଗଙ୍ଗ ବିଜୟର ନିର୍ଣ୍ଣାୟକ ପରିଣତି ହୋଇଥିଲା । ଏହି ବିଜୟକୁ ସ୍ମରଣ କରୁଥିବା ଅନ୍ୟ ଏକ ବିଜୟ ଖଣ୍ଡା ବର୍ତ୍ତମାନ ପାରଳାଖେମୁଣ୍ଡିର ଗଜପତି ପ୍ରାସାଦରେ ସଂରକ୍ଷିତ ଅଛି । ବିଦ୍ୱାନମାନେ ବିଶ୍ୱାସ କରନ୍ତି ଯେ, ନୂଆ କରି ମିଳିଥିବା ଖଣ୍ଡା ଉକ୍ତ ସଂଘର୍ଷ ସମୟର ହୋଇଥାଇପାରେ । ଯାହାକୁ ଶତ୍ରୁଙ୍କଠାରୁ ଜବତ କରାଯାଇଥିଲା କିମ୍ବା ଯୁଦ୍ଧବିରାମ ପାଇଁ ଉପସ୍ଥାପିତ କରାଯାଇଥିଲା । ଗବେଷକ ଅନନ୍ତରାମ କର କୌଣ୍ଡିନ୍ୟଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନାବେଳେ କହିଛନ୍ତି, ୧୬୦୦ରୁ ୧୬୫୦ ମସିହା ମଧ୍ୟରେ ମୁସଲମାନ ଅଭିଯାନ ସମୟରେ, ବିଦେଶୀ ସେନା ପ୍ରାୟତଃ ଇଚ୍ଛାପୁରମ୍‌, ଚିକାକୋଲ୍‌ (ଏବର ଶ୍ରୀକାକୁଲମ୍‌) ଓ ଆନ୍ଧ୍ରପ୍ରଦେଶଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ଘାଟି ସ୍ଥାପନ କରି ଖେମୁଣ୍ଡି ରାଜାମାନଙ୍କ ସହିତ ଯୁଦ୍ଧ କରୁଥିଲେ । 

ହାଇଦ୍ରାବାଦ ନିଜାମ୍‌ଙ୍କର ଜଣେ ଆଞ୍ଚଳିକ ପ୍ରତିନିଧି ବା ନାଏବ ନିଜାମ୍‌ ଇଚ୍ଛାପୁରମ୍‌ରେ ରହୁଥିଲେ । ସେତେବେଳେ ଆଜିର ଗଞ୍ଜାମ ଅଞ୍ଚଳ ଇଚ୍ଛାପୁରମ୍‌ ନାମରେ ଥିଲା । ଆସିକାରେ ସେନା ମୁଖ୍ୟମାନେ ରହୁଥିଲେ । ସେତେବେଳେ ନାଏବ ନିଜାମ୍‌ଙ୍କ ସହ ଖେମୁଣ୍ଡି ରାଜାଙ୍କ ଯୁଦ୍ଧ ହୋଇଛି । ପରବର୍ତ୍ତୀ ସମୟରେ ଯୁଦ୍ଧରେ ସନ୍ଧି ହୋଇ ତାହାର ପ୍ରତୀକ ଭାବେ ନିଜାମ୍‌ ଏହି ଖଣ୍ଡା ଖେମୁଣ୍ଡି ରାଜାଙ୍କୁ ଉପହାର ଦେଇଥିବେ । ସେବେଠାରୁ ଏହି ଖଣ୍ଡା ଖେମୁଣ୍ଡି ରାଜାଙ୍କ ପ୍ରାସାଦରେ ଥିବା ଅନୁମାନ କରାଯାଉଛି । ୧୭୮୦ରେ ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ବିଭାଜନ ହେଲା । ବଡ଼ ହିସାବରେ ଏହି ଖଣ୍ଡା ବଡ଼ଖେମୁଣ୍ଡି ରାଜାଙ୍କ ପାଖରେ ରହିଲା । ରାଜାଙ୍କ କନିଷ୍ଠ ପୁତ୍ର କିଶୋର ପ୍ରସାଦ ଦେଓଙ୍କ ପାଖରେ ଏହି ଖଣ୍ଡା ସେବେଠାରୁ ରହିଅଛି ।