ଭୁବନେଶ୍ୱର,୧୯/୦୬: ରାଜ୍ୟରେ ମୌସୁମୀ ସକ୍ରିୟ ନାହିଁ । ଜୁନ୍ରେ ଏବେ ସୁଦ୍ଧା ୪୬% ନିଅଣ୍ଟିଆ ରହିଛି ବର୍ଷା । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ମୌସୁମୀ ଧୀରେ ଧୀରେ ସକ୍ରିୟ ହେବ । ୨୨ରୁ ପାଗ ବଦଳିପାରେ । ଜୁନ୍ ଶେଷ ସପ୍ତାହରେ (୨୫ ତାରିଖ ବେଳକୁ) ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । କିନ୍ତୁ, ଗରମ ଓ ଗୁଳୁଗୁଳି ବଡ଼ଧରଣର ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍ ।
ରାଜ୍ୟରେ ଏବେ ଠାଏ ଠାଏ ବର୍ଷା ହେଉଛି । ବଡ଼ ଧରଣର କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ନଥିବାରୁ ଗରମ ପ୍ରକୋପ ଜାରି ରହିଛି । ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ପ୍ରକୋପରୁ ବିଶେଷ ଆଶ୍ୱସ୍ତି ମିଳିବା ଆଶା ଦେଖା ଯାଉନି । ଚଳିତ ସପ୍ତାହ ଶେଷବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ତେବେ ମୌସୁମୀ ୨୫ ତାରିଖବେଳକୁ ସକ୍ରିୟ ହେବା ସମ୍ଭାବନା ଅଛି । ଏମିତି ହେଲେ ଜୁନ୍ ଶେଷ ସପ୍ତାହରେ ବର୍ଷା ପରିମାଣ ବଢ଼ିପାରେ । ୨୫ ଜୁନ୍ରୁ ଜୁଲାଇ ୧ ଭିତରେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ଆଗେଇବାକୁ ପାଗ ଅନକୂଳ ରହିପାରେ ।ଏହି ସପ୍ତାହରେ ବର୍ଷା ପରିମାଣ ଅଧିକ ରହିପାରେ । ହେଲେ ଲଗାଣ ବର୍ଷା ନେଇ କୌଣସି ପୂର୍ବାନୁମାନ କରାଯାଇନି । ଏହି ସମୟରେ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଦେଢ଼ରୁ ୩ ଡିଗ୍ରୀ ଅଧିକ ରହିପାରେ ।
ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ଧୀରେ ଧୀରେ ମୌସୁମୀ ଆଗେଇବ । ୨୧ ୨୨ରୁ ପାଗ ବଦଳିବା ସହ ବର୍ଷା ପରିମାଣ କିଛି ମାତ୍ରା ବଢ଼ିପାରେ । ୨୫ବେଳକୁ ଆହୁରି ଅଧିକ ବର୍ଷା ସମ୍ଭାବନା ଅଛି । ଜୁନ୍ ଶେଷ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ତେବେ ବର୍ଷା ହେଲେ ବି ଗୁଳୁଗୁଳି ପ୍ରକୋପ ଜାରି ରହିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି ।
ଅଧିକ ପଢ଼ନ୍ତୁ :- ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସୂଚନାଯୋଗ୍ୟ, ଗତ କିଛି ବର୍ଷର ରେକର୍ଡରୁ ଜଣାଯାଇଛି, ୨୦୦୯ରେ ଦେଶରେ ସବୁଠାରୁ କମ୍ ବର୍ଷା ହୋଇଥିଲା । ସେଇ ବର୍ଷ ଏଲ୍ ନିନୋ ଦୁର୍ବଳ ଥିଲେ ମଧ୍ୟ ଦେଶରେ ୨୨% ବର୍ଷା ନିଅଣ୍ଟିଆ ଥିଲା । ସେ ବର୍ଷ ଜୁନ୍ରେ ୪୭% ବର୍ଷା ଅଭାବ ଥିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦% ବର୍ଷା ନିଅଣ୍ଟିଆ ରହିଛି ଦେଶରେ । ଆଗକୁ ଯଦି ଭଲ ବର୍ଷା ନ ହୁଏ, ଏ ସ୍ଥିତି ଆହୁରି ସଙ୍କଟ ସୃଷ୍ଟି କରିବ ।
ଅପରପକ୍ଷରେ ରାଜ୍ୟରେ ଏବେ ବି ୪୬% ନିଅଣ୍ଟିଆ ବର୍ଷା ସ୍ଥିତି ଯୋଗୁ ଚାଷ କାମ ଆଗେଇପାରୁନି । ଢେଙ୍କାନାଳ, ନୟାଗଡ଼କୁ ଛାଡ଼ିଦେଲେ ସବୁଠି ବର୍ଷା କମ୍ ରହିଛି । ପଶ୍ଚିମ ଓଡ଼ିଶାରେ ୫୦%ରୁ ୮୫% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ଅଛି । ଉପକୂଳ ଓଡ଼ିଶାର ପୁରୀର ୬୫% ବର୍ଷା କମ୍ ରହିଛି ଆଜି ସୁଦ୍ଧା । ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ରେ ୬୦% ରୁ ୮୫% ପର୍ଯ୍ୟନ୍ତ ବର୍ଷା କମ୍ ହୋଇଛି ।
ଗୁରୁବାର ବୌଦ୍ଧରେ ୪୨.୮ ଡିଗ୍ରୀ ସେଲସିୟସ୍, ସମ୍ବଲପୁରରେ ୪୦ ଡିଗ୍ରୀ ଥିଲା ତାପମାତ୍ରା । ଭୁବନେଶ୍ୱର ତାପମାତ୍ରା ୩୮.୯ ଥିବାବେଳେ ଉପକୂଳରେ ପ୍ରାୟତଃ ୩୭ ଡିଗ୍ରୀ ଟପିଥିଲା । ପଶ୍ଚିମରେ ଅନେକ ସ୍ଥାନରେ ପାରଦ ୩୮-୩୯ ଡିଗ୍ରୀ ଉପରେ ଥିଲା । ଦିନ ଭିତରେ ଭୁବନେଶ୍ୱରରେ ହାଲୁକା ବର୍ଷା ହୋଇଥିବାବେଳେ ପ୍ରାୟତଃ ପାଗ ଶୁଖିଲା ରହିଥିଲା । ଉପକୂଳରେ ଗୁଳୁଗୁଳି ପ୍ରକୋପ ଅସ୍ତବ୍ୟସ୍ତ କରୁଛି ।