ନୂଆଦିଲ୍ଲୀ: ଆମେରିକା ଏବଂ କାନାଡା ମଧ୍ୟରେ ବନ୍ଧୁତାକୁ ଆଜି ସାରା ବିଶ୍ବରେ  ଉଦାହରଣ ଭାବେ ଗ୍ରହଣ କରାଯାଏ। କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ଆମେରିକା କାନାଡା ଉପରେ ଆକ୍ରମଣ କରି ଏହାକୁ ଦଖଲ କରିବାକୁ ଯୋଜନା କରିଥିଲା | ଏହା ୧୯୩୦ ମସିହାର ଘଟଣା | ସେତେବେଳେ ଆମେରିକା 'ୱାର ପ୍ଲାନ ରେଡ୍' ନାମକ ଏକ ଯୋଜନା ପ୍ରସ୍ତୁତ କରିଥିଲା।  କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ।  ପରେ ଦୁଇ ଦେଶ ମଧ୍ୟରେ ଏକ ଗଭୀର ବନ୍ଧୁତା ସୃଷ୍ଟି ହେଲା |  ଆସନ୍ତୁ ଜାଣିବା ଏହି ଯୋଜନା କ’ଣ ଏବଂ ଆମେରିକା କାହିଁକି କାନାଡାକୁ ଦଖଲ କରିବାକୁ  ଚାହୁଁଥିଲା |

ୱାର ପ୍ଲାନ ରେଡ୍ କ’ଣ ଥିଲା:

୧୯୩୦ ଦଶକରେ ବିଶ୍ୱ ଏକ ପ୍ରମୁଖ ଯୁଦ୍ଧ ଆଡକୁ ଗତି କରୁଥିଲା|  ବ୍ରିଟେନ୍ ସେତେବେଳେ ଏକ ଶକ୍ତିଶାଳୀ ଉପନିବେଶକାରୀ ଶକ୍ତି ଥିଲା, ଯାହାର ସେତେବେଳେ ଅନେକ ଦେଶ ଉପରେ ନିୟନ୍ତ୍ରଣ ଥିଲା|  ସେତେବେଳେ କାନାଡା ବ୍ରିଟେନର ସହଯୋଗୀ ଥିଲା।  ଆମେରିକା ଭୟ କରିଥିଲା ଯେ ଯଦି ବ୍ରିଟେନ ସହିତ କୌଣସି କଥାକୁ ନେଇ ମତାନ୍ତର ହୁଏ ତେବେ କାନାଡା ବ୍ରିଟେନକୁ ସାହାଯ୍ୟ କରିବ।  ସେଥିପାଇଁ ଆମେରିକା 'ୱାର ପ୍ଲାନ ରେଡ୍' ତିଆରି କଲା|  ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଯଦି କେବେ ବ୍ରିଟେନ ସହ ଯୁଦ୍ଧ ହୁଏ, ତେବେ ପ୍ରଥମେ କାନାଡାକୁ ଦଖଲ କରିବା ଉଚିତ ରହିବ|

ଆମେରିକାର ପ୍ରସ୍ତୁତି କ’ଣ ଥିଲା?

ଏହି ଯୋଜନା ଅଧୀନରେ ଆମେରିକାର ସେନାମୁଖ୍ୟ କାନାଡା ଉପରେ ଆକ୍ରମଣ ପାଇଁ ସ୍ୱତନ୍ତ୍ର ବାହିନୀ ନିୟୋଜିତ କରିବାକୁ ଯୋଜନା କରିଥିଲେ।  ଏହା ସହିତ କାନାଡାର ଅନେକ ସହର ଏବଂ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରାଯିବାର ଥିଲା। ଯାହାଫଳରେ ସେଠାରେ ଥିବା ସରକାର ସଂପୂର୍ଣ୍ଣ ଟାର୍ଗେଟ କରାଯାଇପାରିବ ଏବଂ କାନାଡା ସରକାରଙ୍କୁ ଆମେରିକୀୟ ସରକାର ଅଧୀନରେ ଆସିବାକୁ ପଡ଼ିବ|

ପ୍ରତିଆକ୍ରମଣ ପାଇଁ କାନାଡା ପ୍ରସ୍ତୁତ ଥିଲା:

ଯେତେବେଳେ କାନାଡା ଆମେରିକାର 'ୱାର ପ୍ଲାନ ରେଡ୍'ର ଖବର ପାଇଲା, ସେତେବେଳେ କାନାଡା ସରକାର ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଗଲେ।  କାନାଡାର ଜଣେ ଅଧିକାରୀ ଏକ ଯୋଜନା ପ୍ରସ୍ତୁତ କରିଥିଲେ।  ଏହି ଯୋଜନା ଅନୁଯାୟୀ, କାନାଡା ସେନା ନିଷ୍ପତ୍ତି ନେଇଥିଲା ଯେ ଯଦି ଆମେରିକା ସେମାନଙ୍କ ଉପରେ ଆକ୍ରମଣ କରେ, ତେବେ ଏହି ପରିସ୍ଥିତିରେ କାନାଡା ଅବିଳମ୍ବେ ଆମେରିକା ଉପରଜ ଆକ୍ରମଣ କରିବ।  ୱାଶିଂଟନ୍ ଏବଂ ନ୍ୟୁୟର୍କ ପରି ଆମେରିକାର ବଡ ସହରକୁ ଟାର୍ଗେଟ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା।

କାହିଁକି ଯୁଦ୍ଧର ଆବଶ୍ୟକତା ନଥିଲା?

ଆମେରିକା ଏବଂ କାନାଡା ଯୁଦ୍ଧ ପାଇଁ ନିଜର ପ୍ରସ୍ତୁତି କରିଥିଲେ।  କିନ୍ତୁ ଯୁଦ୍ଧର ପରିସ୍ଥିତି ଉପୁଜିଲା ନାହିଁ ଏହା ପଛରେ ଅନେକ କାରଣ ଥିଲା | ଉଭୟ ଦେଶ ନିଜ ନିଜ ଯୋଜନା ସହିତ ପ୍ରସ୍ତୁତ ଥିଲେ।  କିନ୍ତୁ ଏହି ସମୟ ମଧ୍ୟରେ ୟୁରୋପରେ ଏକ ନୂଆ ଅସୁବିଧା ସୃଷ୍ଟି ହୋଇଥିଲା|  ଜର୍ମାନରେ ଏକଛତ୍ରବାଦୀ ଶାସକ ହିଟଲର ନିଜର କତ୍ତୃତ୍ବ ବଢାଇବାକୁ ଲାଗିଲେ। ପରେ ଖୁବ୍ ଶୀଘ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା|  ଏହି ଯୁଦ୍ଧରେ ଆମେରିକା, ବ୍ରିଟେନ ଏବଂ କାନାଡା ମିଳିତ ଭାବେ ଯୁଦ୍ଧରେ ପ୍ରବେଶ କରିଥିଲେ।  ଏଣୁ ଉଭୟ ଉଭୟଙ୍କ ଉପରେ ଆକ୍ରମଣରୁ କ୍ଷାନ୍ତ ରହିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ଏବଂ ବ୍ରିଟେନ ଦୁର୍ବଳ ହୋଇଗଲେ।  ଆମେରିକା ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଭାବରେ ଉଭା ହେଲା।   ବର୍ତ୍ତମାନ କାନାଡା ଏବଂ ବ୍ରିଟେନ ତରଫରୁ ଆମେରିକା ଉପରେ କୈଣସି ବିପଦ ନଥିଲା।  ତେଣୁ କାନାଡା ଦଖଲ କରିବାର କୈଣସି ଅର୍ଥ ହିଁ ନଥିଲା |

୧୯୪୯ ମସିହାରେ ନାଟୋ ନାମକ ଏକ ସଂଗଠନ ଗଠନ କରାଯାଇଥିଲା |  ଯେଉଁଥିରେ ଆମେରିକା, କାନାଡା ଏବଂ ବ୍ରିଟେନ୍ ଅଂଶଗ୍ରହଣ କରିଥିଲେ |  ଏହା ପରେ ଏହି ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କ ମଧୁର ହେବା ସହ ଯେବେଠୁ ଆଜି ଯାଏଁ କେବେ କୈଣସି ଦେଶ ମଧ୍ୟରେ ତିକ୍ତତା ଆସିନାହିଁ।