ବହୁ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନର  ଫଳାଫଳ ପ୍ରକାଶ ପାଇଛି । ନିର୍ବାଚନରେ ରିପବ୍ଲିକାନ୍‌  ପାର୍ଟିର ପ୍ରାର୍ଥୀ ଡୋନାଲ୍‌ଡ୍‌ ଟ୍ରମ୍ପ ବିପୁଳ ବିଜୟ ହାସଲ କରିଛନ୍ତି ।  ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡେମୋକ୍ରାଟିକ୍‌ ପାର୍ଟିର ପ୍ରାର୍ଥୀ କମଳା ହାରିସ୍‌  ପରାଜୟ ସ୍ୱୀକାର ବି କରିସାରିଛନ୍ତି  । କମଳାଙ୍କ ଠାରୁ ବଡ଼ ବ୍ୟବଧାନରେ ଟ୍ରମ୍ପଙ୍କ ବିଜୟ ବିଶ୍ୱର ଅନେକଙ୍କୁ ବିସ୍ମିତ କରିଛି ।  ବିଶ୍ଲେଷକଙ୍କ ମତରେ କମଳା ହାରିସ୍‌ ହାରିବା ପଛରେ ରହିଛି  ଭାରତ ପରି ପରିସ୍ଥିତି । ଭାରତରେ କଂଗ୍ରେସ ପାର୍ଟି ଯେପରି  ନିଜକୁ ଚରମ-ବାମପନ୍ଥୀଙ୍କ କଥାରେ ଭାସିଯିବାକୁ ସୁଯୋଗ ଦେଇଛି, ଠିକ୍‌ ସେହିପରି ଆମେରିକାର ଡେମୋକ୍ରାଟିକ୍‌ ପାର୍ଟି  ଏବଂ ପ୍ରାର୍ଥୀ କମଳା ହାରିସ ବାମବାଦୀ ସମ୍ଭ୍ରାନ୍ତଙ୍କ ଫାଶରେ ପଡ଼ି ପରିଣାମରେ ପାଇଛନ୍ତି ବୃହତ ପରାଜୟ ।   

ଆମେ ଜାଣୁ,ଡେମୋକ୍ରାଟିକ୍‌ ପାର୍ଟି ମୋଟାମୋଟି  ଶ୍ରମଜୀବୀପଟିଆ ଦଳ । କିନ୍ତୁ ଗତ କିଛି ବର୍ଷ ହେଲାଣି ଏହାର  ନେତୃବୃନ୍ଦ ସମ୍ଭ୍ରାନ୍ତବାଦୀ ହୋଇଉଠିଛନ୍ତି ଏବଂ ସେମାନେ  ସାଧାରଣ ଆମେରିକୀୟଙ୍କ ଆଶା ଆକାଂକ୍ଷାଠାରୁ ନିଜକୁ ଦୂରେଇ  ନେଇଛନ୍ତି । ଯେଉଁ କାରଣରୁ ସାଧାରଣ ଆମେରିକାବାସୀଙ୍କ  ସମସ୍ୟା ବୁଝିବାକୁ ସକ୍ଷମ ହୋଇପାରିଲେ ନାହିଁ । ଏବେ  ଦକ୍ଷିଣ ଆମେରିକା ଏବଂ ଆରବ ରାଷ୍ଟ୍ରଗୁଡ଼ିକ ପଟୁ ବେଆଇନ  ଅନୁପ୍ରବେଶକାରୀଙ୍କ ସୁଅ ଆମେରିକାକୁ ଛୁଟିଛି । ଯେଉଁଥି  ପାଇଁ ଆମେରିକାରେ ସାଧାରଣ ଜୀବନ ପ୍ରଭାବିତ । ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ କମିଯାଉଛି । ଦେଶରେ ଅପରାଧ  ବଢୁଛି । ଏସବୁ ସମସ୍ୟା ପ୍ରତି ଡେମୋକ୍ରାଟିକ୍‌ ପାର୍ଟି ଆଖିବୁଜି ଦେଇ ଦେଶର ନାମୀଦାମୀ ବିଶ୍ୱବିଦ୍ୟାଳୟରେ ହମାସ୍‌  ସପକ୍ଷ ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବାରେ ବ୍ୟସ୍ତ ରହିଥିଲା ।  

ଦଳର ନେତାମାନଙ୍କ ଟୀକାଟୀପ୍ପଣୀରୁ ମନେ ହେଉଥିଲା  ସେମାନେ ଆମେରିକାର ସାଧାରଣ ଜନତାଙ୍କ ଆର୍ଥିକ ସମସ୍ୟା  ବୁଝିବା ଅପେକ୍ଷା ବେଆଇନ ଅନୁପ୍ରବେଶକାରୀଙ୍କ ମାନବିକ  ଅଧିକାର ନେଇ ଅଧିକ ବ୍ୟସ୍ତବିବ୍ରତ । ସୁତରାଂ ଆମେରିକାର  ସଂଖ୍ୟାଗରିଷ୍ଠ ଅର୍ଥାତ୍‌ ଶ୍ୱେତାଙ୍ଗ ଏବଂ ଖ୍ରୀଷ୍ଟିଆନ୍‌ଙ୍କର ଭାବନା  ପ୍ରତି ଉଦାସୀନ ରହିଥିଲେ ଡ୍ରେମୋକ୍ରାଟ୍‌ମାନେ । ପ୍ରାର୍ଥୀ କମଳା  ହାରିସ୍‌ ଦେଶର ଆର୍ଥିକ ସମସ୍ୟା, ମୁଦ୍ରାସ୍ପୀତି ଭଳି ସମସ୍ୟା  ସମ୍ପର୍କରେ ଜାଣିଅଜଣା ପରି ମନେ ହୋଇଥିଲେ ।  ଅପରପକ୍ଷରେ ଡୋନାଲଡ୍‌ ଟ୍ରମ୍ପଙ୍କ ପରିଭାଷା ଥିଲା ସିଧା  ଏବଂ ତୀଖ । ଆମେରିକୀୟମାନେ ତାଙ୍କୁ ଭୋଟ ଦେଇ ବିଜୟୀ  କଲେ ସେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ବେଆଇନ  ଅପ୍ରବାସୀଙ୍କୁ ଦେଶରୁ ବିଦା କରିଦେବେ ବୋଲି କହିଥିଲେ ।  

ପ୍ରତିଶ୍ରୁତି ଦେଇଥିଲେ ଯେ ଆମେରିକାର ଦକ୍ଷିଣ ସୀମାରେ  ମଜବୁତ ପାଚେରୀ ନିର୍ମାଣ କରିବେ । ଦକ୍ଷିଣ ସୀମାକୁ ବନ୍ଦ  କରିଦେଲେ ମେକ୍ସିକୋ ଏବଂ ଅନ୍ୟାନ୍ୟ ଦେଶରୁ ଅନୁପ୍ରବେଶ  ବନ୍ଦ ହୋଇପାରିବ । ଆମେରିକାକୁ ଚାଇନା ଦ୍ରବ୍ୟ ଆମଦାନୀ  ପରିମାଣ ଉପରେ ଲଗାମ କଷିବା ପାଇଁ ଆମଦାନୀ ଶୁଳ୍କ  ବଢ଼ାଇବେ । ଆମେରିକାରେ ବିନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହିତ  କରିବା ସହିତ ଆମେରିକୀୟ ଅର୍ଥନୀତିରେ ଯୋଶ୍‌ ଭରିଦେବେ ।  

କହିବା ବାହୁଲ୍ୟଯେ ଆମେରିକାରେ ଡେମୋକ୍ରାଟିକ୍‌  ପାର୍ଟିର ମନୋବୃତ୍ତି ଆମ ଦେଶର କଂଗ୍ରେସ ପାର୍ଟି ସହିତ  ମେଳ ଖାଉଛି । କଂଗ୍ରେସ ପାର୍ଟି ‘ଭାରତ କୋ ଟୁକଡେ ଟୁକଡେ  କରେଙ୍ଗେ’ ସ୍ଲୋଗାନ ଦେଉଥିବା ବିକ୍ଷୋଭକାରୀଙ୍କ ଭିତିରିଆ  ତଥା ଉପୁରିଆ ସମର୍ଥନକାରୀ ଦଳ । ବେଆଇନ ଅପ୍ରବାସୀ  ରୋହିଙ୍ଗ୍ୟାଙ୍କର ସମର୍ଥକ ହୋଇଥିବାବେଳେ କଂଗ୍ରେସ  ଉତ୍ତରପ୍ରଦେଶରେ ମାଫିଆ,ଗୁଣ୍ଡାଙ୍କ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ  ବିରୋଧ କରେ । କଂଗ୍ରେସର ସହଯୋଗୀ ହେଉଛନ୍ତି ଫାରୁକ୍‌  ଅବଦୁଲ୍ଲା, ଯିଏ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଲୁହ ଗଡ଼ାନ୍ତି ।  ଯେଉଁ ଆତଙ୍କାବାଦୀମାନେ ଆମର ଭାରତୀୟ ସୈନ୍ୟମାନଙ୍କୁ  ମାରୁଛନ୍ତି ଏବଂ ସାଧାରଣରେ ଆତଙ୍କ ଖେଳାଉଛନ୍ତି, ସେମାନଙ୍କୁ  ଭାରତୀୟ ସେନା ନମାରି ଜୀବନ୍ତ ଧରିବା ଉଚିତ ବୋଲି ଫାରୁକ୍‌  ନିକଟରେ ଟୀପ୍ପଣୀ ଦେଇଥିଲେ ।  

ଆମେରିକାର ଗଣମାଧ୍ୟମ ମଧ୍ୟ ବାମପନ୍ଥୀଙ୍କ  ଖାପ୍‌ଚାରେ ପଡ଼ିଯାଇଥିବା ଭଳି ମନେହୁଏ । ଗତ ନିର୍ବାଚନ  ସାରା ସେମାନେ ରିପବ୍ଲିକ୍‌ ପାର୍ଟି ଏବଂ ଡୋନାଲଡ୍‌ ଟ୍ରମ୍ପଙ୍କ  ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ । ଆମେରିକା ରାଷ୍ଟ୍ରପତି  ନିର୍ବାଚନର ଟ୍ରେଣ୍ଡକୁ ନେଇ ଆମେରିକା ଗଣମାଧ୍ୟମ  ଆମେରିକାବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲା ।  ଆମେରିକାବାସୀ କମଳା ହାରିସ୍‌ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ  କରିବାକୁ ଯାଉଛନ୍ତି ବୋଲି ବିଶ୍ୱର ବାକିଲୋକ ଗଣମାଧ୍ୟମର  ପ୍ରଚାରରୁ ଯଦିଓ ବିଶ୍ୱାସ କରିବାକୁ ଆରମ୍ଭ କରିଥିଲେ ମାତ୍ର  ଆମେରିକାର ଭୋଟର ଗଣମାଧ୍ୟମର ଏପରି ପକ୍ଷପାତପୂର୍ଣ୍ଣ  ଖେଳକୁ ଠିକ୍‌ ଠଉରାଇପାରୁଥିଲେ ଏବଂ ସେମାନଙ୍କୁ ଉଚିତ୍‌  ଶିକ୍ଷା ଦେବାକୁ ମନ ସ୍ଥିର କରିନେଇଥିଲେ।  

କମଳା ହାରିସ୍‌ ଏବଂ ତାଙ୍କ ଗୋଷ୍ଠୀ ଟ୍ରମ୍ପ୍‌ଙ୍କୁ ‘ହିଟଲର’,  ‘ଉଗ୍ରବାଦୀ’, ‘ବର୍ଣ୍ଣବୈଷମ୍ୟବାଦୀ, ‘ନାରୀବିଦ୍ୱେଷୀ’,  ‘ଅବିଶ୍ୱସ୍ତ’ ଏବଂ ଜଣେ ‘ସମ୍ପୂର୍ଣ୍ଣ ଅପାଠୁଆ’ ଏବଂ ‘ଅଫିସ୍‌  ଚଳାଇବାକୁ ଅଯୋଗ୍ୟ’ ବୋଲି କହିବୁଲିଥିଲେ । ଟ୍ରମ୍ପଙ୍କୁ  ଅଭଦ୍ରୋଚିତ ଭାଷାରେ ସମାଲୋଚନା କରୁଥିବା ହାରିସ୍‌  ସମର୍ଥକଙ୍କ ଭିତରେ ଅଧିକାଂଶ ଥିଲେ ତଥାକଥିତ ‘ସମ୍ଭ୍ରାନ୍ତ’  ବିଶ୍ୱବିଦ୍ୟାଳୟଗୁଡ଼ିକର । କେହି ହାଭାର୍ଡ, କେହି ଷ୍ଟାନଫୋର୍ଡ  ବା ୟେଲ ୟୁନିଭର୍ସିଟିର ପ୍ରଫେସର,ଛାତ୍ର କିମ୍ବା ସେମାନଙ୍କ  ଅନୁଗାମୀ । ନିର୍ବାଚନ ପ୍ରଚାର ବେଳେ ସମ୍ପୃକ୍ତ ଟିଭି ଚାନେଲ୍‌କୁ  ଯେଉଁମାନେ ଆମନ୍ତ୍ରିତ ଅତିଥି ଆସୁଥିଲେ ସେମାନେ ଏବଂ  ଚାନେଲର ଉପସ୍ଥାପକମାନେ ସମ୍ଭ୍ରାନ୍ତଙ୍କ ଗାଳିଗୁଲଜକୁ  ଦୋହରାଇବା ଲକ୍ଷ୍ୟ କରାଯାଉଥିଲା ।   

ବିଶ୍ୱର ସବୁଠୁ ସମୃଦ୍ଧ ପୁଂଜିବାଦୀ ରାଷ୍ଟ୍ର ଆମେରିକାର  ସବୁଠୁ ଦୁର୍ଭାଗ୍ୟ ଯେ ଏହାର ୟୁନିଭର୍ସିଟିଗୁଡ଼ିକରେ ବାମପନ୍ଥୀ  ପ୍ରଫେସର ଏବଂ ସେମାନଙ୍କର ଅନୁଗାମୀମାନଙ୍କୁ ନାହିଁନଥିବା  ପ୍ରୋତ୍ସାହନ ମିଳେ । ସେମାନଙ୍କୁ ‘ଗବେଷଣା’ ପ୍ରକଳ୍ପ ଲାଗି  ପ୍ରଚୁର ଅର୍ଥ ଦିଆଯାଏ । ସେମାନେ ଯେଉଁ ଗବେଷଣା କରନ୍ତି  ସେଗୁଡିକ ମଧ୍ୟରୁ ଅଧିକାଂଶ ଥାଏ ଇହୁଦୀ, ଇସ୍ରାଏଲ,  ଗଣତାନ୍ତ୍ରିକ ଭାରତ ଏବଂ ହିନ୍ଦୁ ବିରୋଧୀ । ସେମାନେ କହିବାକୁ  ଚାହାନ୍ତି, ବିଶ୍ୱର ୫୭ଟି ଯାକ ଇସଲାମୀୟ ରାଷ୍ଟ୍ରରେ ସବୁ  ଠିକ୍‌ଠାକ୍‌ ଅଛି ଏବଂ ବିଶ୍ୱରେ ମୌଳବାଦୀ ଇସଲାମ୍‌ ବୋଲି କିଛି  ନାହିଁ । 

ସେମାନେ ୟୁନିଭର୍ସିଟି କ୍ୟାମ୍ପସରେ ବିଶ୍ୱର ସର୍ବବୃହତ୍ତମ  ଉଗ୍ରବାଦୀ ସଂଗଠନ ହମାସ୍‌ ସପକ୍ଷରେ ମାସେ ବ୍ୟାପି ବିକ୍ଷୋଭ,  ପ୍ରତିବାଦ ମଧ୍ୟ ଚଳାଇପାରନ୍ତି । ସେମାନେ ବେଆଇନ  ଆପ୍ରବାସୀଙ୍କୁ ଦୃଢ଼ ସମର୍ଥନ ଜଣାଇବାକୁ ପଛାନ୍ତି ନାହିଁ । ଆହୁରି  ପରିତାପର କଥା, ଏସବୁ କାଣ୍ଡକାରଖାନା ଚାଲେ ଗଣତନ୍ତ୍ର ଏବଂ  ବାକ୍‌ ସ୍ୱାଧୀନତାର ଦ୍ୱାହି ଦେଇ! ଏପରି ମନୋଭାବ ପୋଷଣ  କରୁଥିବା ବ୍ୟକ୍ତିବିଶେଷ ଅବା ଗୋଷ୍ଠୀଙ୍କର ପ୍ରଚଣ୍ଡ ପ୍ରଭାବ  ଆମେରିକୀୟ ଛାତ୍ରସମାଜ ଏବଂ ବୁଦ୍ଧିଜୀବୀ ମହଲରେ ରହିଛି ।  ଖାସ୍‌ ଏଇଥି ପାଇଁ ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ  କଲେଜପଢ଼ୁଆ ଛାତ୍ର ଏବଂ ସହରୀ ଲୋକଙ୍କ ଭୋଟ୍‌ର ବହୁଭାଗ  କମଳା ହାରିସ୍‌ଙ୍କ ସପକ୍ଷରେ ଯାଇଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳ  ଭୋଟର ଏବଂ ବିଶ୍ୱବିଦ୍ୟାଳୟ ମାଡ଼ିନଥିବା ଯୁବଗୋଷ୍ଠୀଙ୍କ ଭୋଟ୍‌  ଡୋନାଲାଡ୍‌ ଟ୍ରମ୍ପ ପାଇଛନ୍ତି ।   

ଏହାର ସମାନ୍ତରାଳ ଦୃଶ୍ୟପଟ୍ଟ ଆମେ ଭାରତରେ  ଦେଖୁ । ଆମ ଦେଶର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ  ଏବଂ ସେଣ୍ଟ ଷ୍ଟିଫେନ୍‌ସ କଲେଜ ପରି ତଥାକଥିତ ସମ୍ଭ୍ରାନ୍ତ  ଶ୍ରେଣୀୟ ପ୍ରତିଷ୍ଠାନର ବାମବାଦୀ ଉପ-ଉପଜମାନେ  ମନେକରନ୍ତିଯେ ‘ଦେଶକୁ କେମିତି ଚଳାଇବା ଉଚିତ’  କେବଳ ସେମାନେ ହିଁ ଜାଣନ୍ତି । ସେମାନଙ୍କ କଥା ହିଁ  ଗୁରୁତ୍ୱପୂର୍ଣ୍ଣ, ଏଣୁ ସେମାନଙ୍କ କଥା ନିଶ୍ଚୟ ପାଳନ  ହେବା ଜରୁରି । ସେମାନେ ଗଣମାଧ୍ୟମ ପାଇଁ ଏଜେଣ୍ଡା  (ଅଲୋଚନାଯୋଗ୍ୟ କାର୍ଯ୍ୟସୂଚୀ) ପ୍ରସ୍ତୁତ କରିବାକୁ  ବି ଚେଷ୍ଟା କରନ୍ତି । ଏହି ଉପ-ଉପଜମାନଙ୍କ ମଧ୍ୟରୁ  ଅଧିକାଂଶ ଭାରତୀୟ ଜନାତ ପାର୍ଟି ଏବଂ ନରେନ୍ଦ୍ର ମୋଦିଙ୍କୁ  ଘୃଣା କରନ୍ତି । ଯେଉଁମାନେ ବାମପନ୍ଥୀ ନୁହନ୍ତି କିମ୍ବା  ବାମବାଦପ୍ରେମୀ ବି ନୁହନ୍ତି, ସେମାନେ ଆମ ଗଣତାନ୍ତ୍ରିକ  ବ୍ୟବସ୍ଥାରେ କୌଣସି ପଦପଦବିରେ ରହିବା ଅନୁଚିତ  ବୋଲି ଏହି ଉପ-ଉପଜମାନଙ୍କର ବଦ୍ଧମୂଳ଼ ଧାରଣା  ରହିଯାଇଛି । ଏପରି ମନୋବୃତ୍ତି ମଧ୍ୟରେ ସେମାନେ ଗତ  ଦୁଇ ଦଶନ୍ଧି ହେଲାଣି ବାଛି ବାଛି ଖରାପ ଶବ୍ଦ ବ୍ୟବହାର  କରି ମୋଦିଜୀଙ୍କ ଉପରେ ଗାଳି ବର୍ଷଣ କରିଆସୁଛନ୍ତି । ।  କେବଳ ଏତିକି ନୁହେଁ³ ମୋଦିଜୀଙ୍କୁ ରାଜନୈତିକ  ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଲିଭାଇ ଦେବା ଲାଗି ଯେତେପ୍ରକାର  କଳାକୌଶଳ ରହିଛି ତାହା ମଧ୍ୟ ପ୍ରୟୋଗ କରିଆସୁଛନ୍ତି ।  କିନ୍ତୁ ମୋଦିଜୀ ବାରମ୍ବାର ଏପରି ଆକ୍ରମଣରୁ ବର୍ତ୍ତିଯାଉଛନ୍ତି ।  ଏଇଥିପାଇଁଯେ ବାମବାଦପ୍ରେମୀ ସଂଖ୍ୟାଲଘୁ ଗୋଷ୍ଠୀର  ମନୋବୃତ୍ତି ଠାରୁ ଦେଶର ସଂଖ୍ୟାଗରିଷ୍ଠ ସାଧାରଣ ଲୋକଙ୍କ  ଚିନ୍ତାଚେତନା ଭିନ୍ନ ।  

ଆମେରିକା ଏବଂ ଭାରତ ଭଳି ଗଣତନ୍ତ୍ରରେ ଦଶନ୍ଧି  ଦଶନ୍ଧି ଧରି ଏହି ସଂଖ୍ୟାଲଘୁ ବାମପନ୍ଥୀମାନେ ସାର୍ବଜନିକ  ପ୍ରବଚନ ଦେବାରେ ସର୍ବାଧିକ ସୁଯୋଗ ପାଇ ଆସୁଛନ୍ତି । ଯଦିଓ  ଦେଶବାସୀ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିସାରଛନ୍ତି  ତଥାପି ପ୍ରତିଦିନ ଟିଭି ଷ୍ଟୁଡିଓରେ ସେମାନେ ‘ଜ୍ଞାନ’ ବାଣ୍ଟୁଥିବା  ଦେଖିବାକୁ ଶୁଣିବାକୁ ମିଳେ । ଗତ ଲୋକସଭା ନିର୍ବାଚନରେ  ସିପିଆଇ ଏବଂ ସିପିଆଇ(ଏମ) ମାତ୍ର ୨.୨୬ ଶତାଂଶ ଭୋଟ  ପାଇଥିଲେ । ଭାରତୀୟ ଜନତା ସେମାନଙ୍କୁ କେତେ ଗମ୍ଭୀରତାର  ସହ ବିଚାରକୁ ନେଉଛନ୍ତି, ତାହାର ଏହା ଏକ ବଳିଷ୍ଠ ପ୍ରମାଣ ।  ତଥାପି ସେମାନେ କେତୋଟି ସମ୍ଭ୍ରାନ୍ତ ଶିକ୍ଷାନୁଷ୍ଠାନର କିଛି  ପ୍ରଭାବଶାଳୀଙ୍କୁ ଧରି ଦେଶ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିବାରୁ  ଗତ ୨୪ବର୍ଷ ହେଲାଣି ବିରତ ହେଉନାହାନ୍ତି । ଏହି ଏଜେଣ୍ଡା  ମଧ୍ୟରେ ଅନ୍ୟତମ ହେଉଛି ନରେନ୍ଦ୍ର ମୋଦିଙ୍କ ରାଜନୈତିକ  କ୍ୟାରିଅରକୁ ବରବାଦ କରିବା ।  

ଗତ ଆମେରିକା ନିର୍ବାଚନ ପ୍ରଚାର ସମୟରେ ସିଏନଏନ  ଭଳି ଚାନେଲ୍‌ଗୁଡ଼ିକ ଲଗାତର ଟ୍ରମ୍ପଙ୍କ ପ୍ରଚାର ସମ୍ପର୍କିତ ଏପରି  କେତୋଟି ନମୁନାର ଦୃଶ୍ୟ ବାରମ୍ବାର ପ୍ରସାରିତ କରୁଥିଲେ ।  ଯେଉଁ ନମୁନାଗୁଡ଼ିକ ଟ୍ରମ୍ପଙ୍କ ଭାବମୂର୍ତ୍ତିକୁ ତଳେ ପକାଇ ଦେବା  ଭଳି ଥିଲା । ଏହାଯେ ଟ୍ରମ୍ପଙ୍କ ବିରୋଧରେ ପ୍ରଚାର ଷଡ଼ଯନ୍ତ୍ରର  ଅଂଶ ଥିଲା,ତାହା କାହାକୁ ଅବୁଝା ହେଉନଥିଲା । କିନ୍ତୁ ଏହି  ଚାନେଲଗୁଡ଼ିକ ପାଇଁ କମଲା ହାରିସ୍‌ ଥିଲେ ଗୋଟାପଣ  ନିର୍ଭୁଲ ବ୍ୟକ୍ତି । ସବୁଠୁ ଚକିତ କରିଦେବା ଭଳି ଟ୍ରମ୍ପବିରୋଧୀ  ଉଦ୍ୟମ ଥିଲା- ନଭେମ୍ବର ୫ତାରିଖ ଘଟଣା । ରାଷ୍ଟ୍ରପତି  ନିର୍ବାଚନର ଭୋଟଗ୍ରହଣ ଦିନ ହିଁ ଆଇୱାର ଓପିନିଅନ ପୋଲ୍‌  (ପୂର୍ବାନାମୁନା) ପ୍ରଚାର କରାଯାଇଥିଲା । ଏହି ଷ୍ଟେଟ୍‌ରେ କମଳା  ହାରିସ୍‌ ଟ୍ରମ୍ପଙ୍କ ଆଗରେ ଅଛନ୍ତି ବୋଲି ଓପିନିଅନ ପୋଲ୍‌  ଦର୍ଶାଇଥିଲା । ଲୋକମତକୁ ବିଭ୍ରାନ୍ତ କରିବା ପାଇଁ ଏହା ଥିଲା  ଏକ ବଡ଼ ଅପଚେଷ୍ଟା । ପ୍ରକାଶ ଥାଉକି, ରିପବ୍ଲିକାନ୍‌ ପାର୍ଟିର  ଏକ ଗଡ଼ ଭାବେ ଆଇୱା ଜଣାଶୁଣା । ଏଠାକାର ଜନମତ ଟ୍ରମ୍ପଙ୍କ  ସପକ୍ଷରେ ଯାଉନାହିଁ ମାନେ ସେ କିପରି ରାଷ୍ଟ୍ରପତି ନିର୍ବାଚନ  ଜିଣିପାରିବେ? ଏହି ପ୍ରଶ୍ନ ଭୋଟରଙ୍କ ମନରେ ପୂରାଇବା ଥିଲା  ଆଇୱା ଓପିନିଅନ୍‌ ପୋଲ୍‌ର ମତଲବ । କିନ୍ତୁ ବାସ୍ତବରେ ଟ୍ରମ୍ପ  ଏଠାରେ ସହଜସାଧ୍ୟ ବିଜୟ ହାସଲ କରିନେଇଥିଲେ ।  

କହିବା ବାହୁଲ୍ୟଯେ ହାଭାର୍ଡ,ଷ୍ଟାଣ୍ଡାର୍ଡ,ୟେଲ୍‌ ଅବା  ବର୍କଲୀରେ ବାମପନ୍ଥୀଙ୍କ ଦ୍ୱାରା ଖେଳାଯାଇଥିବା ସମ୍ଭ୍ରାନ୍ତ  ବଦମାସୀ ଭିତରେ ଆମେରିକୀୟ ଭୋଟରମାନେ ସତକୁ  ଦେଖିପାରୁଥିଲେ । ସେମାନେ କମଳା ହାରିସ୍‌ଙ୍କୁ ପ୍ରତ୍ୟାଖ୍ୟାନ  କରିବା ସହିତ ଟ୍ରମ୍ପଙ୍କୁ ଗ୍ରହଣ କଲେ । ଆମେରିକାର ନିର୍ବାଚନ  ଫଳାଫଳ ଭାରତରେ କଂଗ୍ରେସ ପାର୍ଟି ପାଇଁ ଏକ ଶିକ୍ଷଣୀୟ  ଦୃଷ୍ଟାନ୍ତ । କଂଗ୍ରେସ ପାର୍ଟି ଯେପର୍ଯ୍ୟନ୍ତ ତା’ପାଇର୍ଁ କାର୍ଯ୍ୟସୂଚୀ  ନିର୍ଦ୍ଧାରଣ କରିବାକୁ ବାମପନ୍ଥୀଙ୍କୁ ସୁଯୋଗ ଦେଉଥିବ,  ସଂଖ୍ୟାଲଘୁ ତୁଷ୍ଟୀକରଣକୁ ଆପଣାଉଥିବ ଏବଂ ଅନବରତ  ସଂଖ୍ୟାଗରିଷ୍ଠଙ୍କ ହିତବିରୋଧୀ ପଦକ୍ଷେପ ନେଉଥିବ  ସେପର୍ଯ୍ୟନ୍ତ ଆମେରିକାର ଡେମୋକ୍ରାଟ୍‌ଙ୍କ ‘୨୦୨୪-ଭାଗ୍ୟ’  କଂଗ୍ରେସ ପାର୍ଟିକୁ ଭୋଗିବାକୁ ହେବ ।