ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅଷ୍ଟ୍ରେଲିଆନ ଓପନ: ମାଡିସନ୍ ଜିତିଲେ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ,ଡିଫେଣ୍ଡିଂ ଚାମ୍ପିଅନ ସାବାଲେଙ୍କାଙ୍କୁ ହରାଇଲେ

Published By : Prameya | January 26, 2025 1:02 PM

ମେଲବର୍ଣ୍ଣ, ୨୬/୦୧: ୨୦୧୫ରେ  ଅଷ୍ଟ୍ରେଲିଆନ ଓପନ ସେମି ଫାଇନାଲ୍‌ରେ  ପ୍ରବେଶ କରି ମାଡିସନ କିଜ ଆଗାମୀ ଦିନର  ତାରକା ଭାବେ ପରିଚୟ ସୃଷ୍ଟି କରିଥିଲେ । ସେତେବେଳେ ତାଙ୍କ ବୟସ ଥିଲା ମାତ୍ର  ୧୯ ବର୍ଷ । ୧୦ ବର୍ଷର ନିଷ୍ଠାପର ଉଦ୍ୟମ  ଓ କଠିନ ପରିଶ୍ରମ ପରେ ସେ ପ୍ରଥମ କରି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ହାସଲ କରିଛନ୍ତି ।  ଶନିବାର ରୋଡ ଲାଭର ଏରେନାରେ ଅନୁଷ୍ଠିତ  ମହିଳା ସିଙ୍ଗଲ୍ସ ଫାଇନାଲ୍‌ ମୁକାବିଲାରେ ଟପ୍‌ ସିଡ୍‌ ତଥା ଡିଫେଣ୍ଡିଂ ଚାମ୍ପିଅନ୍‌  ଅର୍ନ୍ୟା ସାବାଲେଙ୍କାକୁ ୬-୩,  ୨-୬, ୭-୫ ସେଟ୍‌ରେ ପରାସ୍ତ  କରି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ବିଶ୍ୱର ପ୍ରଥମ ଖେଳାଳି  ଭାବେ ସେମି ଫାଇନାଲ୍‌ ଓ ଫାଇନାଲ୍‌ରେ  ମାନ୍ୟତା ତାଲିକାର ପ୍ରଥମ ୨ଟି ସ୍ଥାନ ଦଖଲ କରିଥିବା ଖେଳାଳିଙ୍କୁ ପରାସ୍ତ କରିଛନ୍ତି  କିଜ୍‌ । ସେମି ଫାଇନାଲ୍‌ରେ ସେ ଦ୍ୱିତୀୟ  ସିଡ୍‌ ଇଗା ସ୍ୱିଟେକଙ୍କୁ ହରାଇଥିଲେ । 

କ୍ରମାଗତ ୨୦୨୩ ଓ ୨୦୨୪ରେ  ଚାମ୍ପିଅନ ହୋଇଥିବା ସାବାଲେଙ୍କା ୨୦ଟି  ମ୍ୟାଚ୍‌ ଅପରାଜେୟ ରହିି ଫାଇନାଲ୍‌କୁ  ଓହ୍ଲାଇଥିଲେ। ମାର୍ଟିନା ହିଙ୍ଗିସ୍‌ (୧୯୯୭ରୁ  ୧୯୯୯)ଙ୍କ ପରେ ପ୍ରଥମ ଖେଳାଳି ଭାବେ ହ୍ୟାଟ୍ରିକ୍‌ ଅଷ୍ଟ୍ରେଲିଆନ  ଓପନ ଟାଇଟଲ ଲକ୍ଷ୍ୟରେ ରହିଥିଲେ ସାବାଲେଙ୍କା । ମାତ୍ର ତାଙ୍କର ସବୁ ସ୍ୱପ୍ନକୁ  କିଜ୍‌ ମଉଳାଇ ଦେଇଥିଲେ । ୨୦୨୩  ସେମି ଫାଇନାଲ୍‌ ପରାଜୟର ପ୍ରତିଶୋଧ  ନେଇଥିଲେ କିଜ୍‌ । 

ଏହି ମ୍ୟାଚ ପୂର୍ବରୁ ଉଭୟ ପରସ୍ପରକୁ  ୫ଥର ଭେଟିଥିଲେ ଓ ସାବାଲେଙ୍କା ୪ଟି  ମ୍ୟାଚ ଜିତିଥିଲେ । ତେଣୁ ସାବାଲେଙ୍କାଙ୍କ  ରାଜୁତି ଜାରି ରହିବ ବୋଲି ପୂର୍ବାନୁମାନ  କରାଯାଉଥିଲା । କିନ୍ତୁ କିଜ୍‌ ସବୁ ଆକଳନକୁ  ଭୁଲ ପ୍ରମାଣିତ କରିଦେଇଥିଲେ । ମ୍ୟାଚ୍‌  ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲେ  କିଜ । ପ୍ରଥମ ସେଟ୍‌ରେ ସେ ୩ଟି ବ୍ରେକ୍‌  ପଏଣ୍ଟ ହାସଲ କରିଥିଲେ । ଅବଶ୍ୟ  ସାବାଲେଙ୍କା ଲଢୁଆ ଖେଳ ପ୍ରଦର୍ଶନ  କରି ଦ୍ୱିତୀୟ ସେଟ୍‌ ଅକ୍ତିଆର କରିଥିଲେ  ଓ ୧-୧ରେ ସ୍ଥିତି ବରାବର ହୋଇଥିଲା ।  ତୃତୀୟ ସେଟ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ୫-୫ରେ ସ୍ଥିତି ବରାବର ରହିବା ପରେ  କିଜ୍‌ ନିଜ ସର୍ଭିସରେ ଆଉ ଏକ ପଏଣ୍ଟ  ହାତେଇ ୬-୫ରେ ଅଗ୍ରଣୀ ହାସଲ  କରିଥିଲେ । 

ଏହାପରେ ସାବାଲେଙ୍କାଙ୍କ  ସର୍ଭିସକୁ ବ୍ରେକ୍‌ କରି କିଜ୍‌ ମ୍ୟାଚ୍‌ ପଏଣ୍ଟ  ହାସଲ କରିଥିଲେ ।  ଏହା ପୂର୍ବରୁ କିଜ୍‌ ଥରେ ମାତ୍ର  ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌କୁ ଉନ୍ନୀତ  ହୋଇଥିଲେ । ୨୦୧୭ ୟୁଏସ୍‌ ଓପନ  ଫାଇନାଲରେ ସେ ସ୍ଲୋଆନ ଷ୍ଟିଫେନ୍ସଙ୍କ  ଠାରୁ ୬-୩, ୬-୦ ସେଟ୍‌ରେ ପରାଜିତ  ହୋଇଥିଲେ । ୪୬ତମ ଗ୍ରାଣ୍ଡସ୍ଲାମ୍‌ରେ କିଜ  ପ୍ରଥମ ଟାଇଟଲ ହାସଲ କରିଥିଲେ । ପ୍ରଥମ  ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ପାଇଁ ତାଙ୍କୁ ଲମ୍ବା  ଅପେକ୍ଷା କରିବାକୁ ପଡ଼ିଥିଲା । ତାଙ୍କ ପୂର୍ବରୁ  କେବଳ ମାରିଅନ ବାର୍ତୋଲି ୪୭ତମ ଓ  ଫ୍ଲାଭିଆ ପେନେଟଶ ୪୯ତମ ଗ୍ରାଣ୍ଡସ୍ଲାମ୍‌ରେ ପ୍ରଥମ ଟାଇଟଲ ହାସଲ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.