ଭୁବନେଶ୍ୱର,୧୭/୧୧(ଅମନ ଆୟୁଷ୍ମାନ ଦାସ): ‘ବାଇଡଙ୍କ ଓ ବିଛୁଆତି’- ନାଁ ଶୁଣିବା ମାତ୍ରେ ଦେହହାତ କୁଣ୍ଡେଇ ହେବା ଆରମ୍ଭ କରେ । ଡର ଲାଗେ । ସତେ ଯେମିତି ଦେହରେ ଲାଗିଗଲା । ଉଭୟ ବିଛୁଆତି ଓ ବାଇଡଙ୍କ ଗ୍ରାମାଞ୍ଚଳରେ ଅତି ପରିଚିତ । ଗାଁ ପାଖ ଜଙ୍ଗଲ ଏବଂ ଅନେକ ଲୋକଙ୍କ ବାଡ଼ିରେ ଏହା ଅଧିକ ଦେଖିବାକୁ ମିଳେ । ବିଛୁଆତି ପତ୍ର ଦେହରେ ବାଜିଲେ ଯେତିକି କନ୍ଦାଏ ତାଠୁ ଅଧିକ କନ୍ଦାଇଥାଏ ବାଇଡଙ୍କ । ବାଇଡଙ୍କ ଫଳର ଗୁଣ୍ଡ ସଂସ୍ପର୍ଶରେ ଆସିଲେ କୁଣ୍ଡେଇ କୁଣ୍ଡେଇ ଦେହସାରା ଫଳିଯାଏ । ସହଜରେ କୁଣ୍ଡେଇ ହେବା ବନ୍ଦ ହୁଏନି।
ହେଲେ ଏହି ବାଇଡଙ୍କଟି ଅଦରକାରୀ କିମ୍ବା ଅଛୁଆଁ ନୁହେଁ, ଏଥିରେ ରହିଛି ବହୁମୂଲ୍ୟ ଔଷଧୀୟ ଗୁଣ । ଯାହା ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିପାରେ । ବିଶେଷ କରି ପାର୍କିନସନ୍ ଓ ଆଲଜିମର୍ ରୋଗୀଙ୍କ ପାଇଁ ଏହା ବିଶଲ୍ୟକରଣୀ । ସେଥିପାଇଁ ବାଇଡଙ୍କର ଚାହିଦା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରହିଛି । ଏପରିକି ଅନ୍ୟ ଦେଶମାନଙ୍କରେ ବାଇଡଙ୍କ ଉପରେ ଗବେଷଣା ଚାଲିଛି । ମାତ୍ର ଧୀରେଧୀରେ ଆମ ଜନମାନସରୁ ଏହି ଦୁର୍ଲ୍ଲଭ ଗୁଳ୍ମଟି ହଜିଯିବାକୁ ବସିଛି । ବାଇଡଙ୍କର ଔଷଧୀୟ ଗୁଣ ଉପରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ମାନେ କହିଛନ୍ତି ।
ବାଇଡଙ୍କ ଏକ ଶିମ୍ବ ପ୍ରଜାତିର ଫଳ ଓ ଏହା ଲତାଜାତୀୟ ଗୁଳ୍ମ । କଲରା, ଶିମ୍ବ ଭଳି ବାଇଡଙ୍କର ଲତା ଆଖି ପାଉନଥିବା ସ୍ଥାନ ପର୍ଯ୍ୟନ୍ତ ସବୁଆଡେ ମାଡ଼ିଚାଲେ । ଗାଁମାନଙ୍କରେ ଏହାକୁ ଅଦରକାରୀ, ଅଛୁଆଁ ବୋଲି କୁହାଯାଏ । ଏହାର ଫଳ ପାକଳ ହୋଇ ଶୁଖିଯିବା ପରେ ସେଥିରୁ ମଞ୍ଜିସବୁ ବାହାରି ବାୟୁରେ ଉଡ଼ିବୁଲେ । ମଞ୍ଜିଗୁଡ଼ିକ ହାଲୁକା ଏବଂ ତାହା ଦେହରେ ଲାଗିଲେ କୁଣ୍ଡାଇ ହୁଏ । ସେଥିପାଇଁ ଏହି ଗଛକୁ ସମୂଳେ କାଟି ଦିଆଯାଏ । ଏହାର ବୈଜ୍ଞାନିକ ନାମ ହେଉଛି ମ୍ୟୁକୁନା ପ୍ରୁରିଏନ୍(କାଓଏଜ୍) । ଏପରିକି ଏହାର ଫଳର ରଙ୍ଗ ଯୋଗୁଁ ଏହାକୁ ଭେଲଭେଟ୍ ବିନ୍ସ ମଧ୍ୟ କୁହାଯାଏ । ବାଇଡଙ୍କ ଗଛ ସବୁ ଜାଗାରେ ବଢ଼ିପାରେ ।
ଏଥିପାଇଁ କୌଣସି ଋତୁ କି ଜଳବାୟୁର ଆବଶ୍ୟକତା ନଥାଏ । ତେବେ ବାଇଡଙ୍କରେ ରହିଛି ଆଲକାଲାଇଡ୍ ନାମକ ଏକ ରାସାୟନିକ ବିଷାକ୍ତ ପଦାର୍ଥ । ଯେଉଁ କାରଣରୁ ଏହା ମଣିଷ ଦେହରେ ଲାଗିଲେ କୁଣ୍ଡାଇ ହୁଏ । ହେଲେ ଏହା ସେଭଳି ହାନିକାରକ ନୁହେଁ । କାରଣ ସେହି ଆଲକାଲାଇଡ୍ ଯୋଗୁ ହିଁ ବାଇଡଙ୍କର ଚାହିଦା ରହିଛି । ୮୦ ଦଶକରେ ଉପାନ୍ତ ଅଞ୍ଚଳମାନଙ୍କରେ ବାଇଡଙ୍କ ଚାଷ କରାଯାଉଥିଲା, ଏପରିକି ଏହାର ଫଳକୁ ସିଝାଇ ଲୋକମାନେ ଖାଉଥିଲେ । ହେଲେ ଏବେ ଆଉ କେହି ଏହାକୁ ଖାଉନାହାନ୍ତି । ଭାରତ ବାହାରେ ଅର୍ଥାତ ଦକ୍ଷିଣ ଚୀନ୍ରେ ବାଇଡଙ୍କ ଅଧିକ ମାତ୍ରାରେ ଦେଖାଯାଉଥିବାରୁ ସେଠାରେ ଏହା ଉପରେ ଗବେଷଣା କରାଯାଇ ଔଷଧ ବାହାର କରାଯାଉଛି ।
ଓୟୁଏଟି କୃଷି ମହାବିଦ୍ୟାଳୟର ପ୍ରଫେସର ଡ. ସୁଭାଷ ଚନ୍ଦ୍ର ସ୍ୱାଇଁ କହିଛନ୍ତି, କଣ୍ଟା ବାଇଗଣକୁ ପ୍ରାୟ ଲୋକେ ଖାଇବାକୁ ମନା କରନ୍ତି । ହେଲେ ସେଥିରେ ପୁଷ୍ଟିସାର ଥାଏ । ସେହିଭଳି ବାଇଡଙ୍କକୁ ସମାନ ଉଦାହରଣ ଭାବେ ନିଆଯାଇପାରେ । ପିଲାବେଳେ ଆମେ ବାଇଡଙ୍କ ଖାଉଥିଲୁ । ବାଇଡଙ୍କରେ ଆଲକାଲାଇଡ୍ ବା ଏଲ୍ ଡୋପା ରହିଥିବାରୁ ଏହାକୁ ଔଷଧରେ ବ୍ୟବହାର କରାଯାଏ । ଯେଉଁ ଔଷଧକୁ ମାନସିକ ରୋଗୀ, ଗୋଡ଼ହାତ ଥରୁଥିବା ରୋଗୀ, ନ୍ୟୁରୋ ରୋଗୀ ଏବଂ ଯୌନ ସମସ୍ୟାରେ ଥିବା ରୋଗୀମାନେ ଖାଇଥାନ୍ତି । ଇଣ୍ଡିଆନ୍ କାଉନସିଲ୍ ଅଫ ଏଗ୍ରିକଲଚରାଲ୍ ରିସର୍ଚ୍ଚରେ ବାଇଡଙ୍କ ଉପରେ ଗବେଷଣା ହେଉଛି । ଏବେ ମୁଁ ସପ୍ତଗନ୍ଧା, ଗୁଳୁଚି ଉପରେ ଗବେଷଣା କରୁଛି । ଆଗକୁ ବାଇଡଙ୍କ ଉପରେ ଗବେଷଣା କରିବାର ଯୋଜନା ରଖିଛୁ ବୋଲି ସେ କହିଛନ୍ତି ।
ଓୟୁଏଟି କୁଳପତି ପ୍ରଫେସର ଡ. ପ୍ରଭାତ କୁମାର ରାଉଳ କହିଛନ୍ତି, ସର୍ବଭାରତୀୟ ତୃଣକ ଗବେଷଣା ପ୍ରକଳ୍ପ ଅନ୍ତର୍ଗତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ ରାଜ୍ୟ ସରକାରଙ୍କ ସହାୟତାରେ ବାଇଡଙ୍କ ଉପରେ ଆମେ କାମ କରୁଛୁ । ଫସଲର ଅନିଷ୍ଟକାରୀ ଗୁଳ୍ମ ହିସାବରେ ବାଇଡଙ୍କ ଓ ବିଛୁଆତି ଉପରେ ଗବେଷଣା ହେଉଛି । ହେଲେ ସ୍ୱାସ୍ଥ୍ୟଗତ ପ୍ରସଙ୍ଗରେ ବାଇଡଙ୍କର ଭଲ ଗୁଣ ରହିଛି । ଏହାର ଔଷଧୀୟ ଗୁଣ ଉପରେ ଆମେ ଗବେଷଣା କରିନୁ ।