ନୂଆଦିଲ୍ଲୀ,୨୪/୦୫: ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ମେ’ ୨୨ରେ ‘ୱାନ୍ ବିଗ୍, ବିଉଟିଫୁଲ ବିଲ୍ ଆକ୍ଟ’କୁ ଅନୁମୋଦନ ଦେଇଛି । ଏହା ଅନ୍ତର୍ଗତ ଆମେରିକାରୁ ଅର୍ଜିତ ଟଙ୍କା ଭାରତ ପଠାଇବା ଉପରେ ୩.୫% ଟିକସ ଗଣିବେ ପ୍ରବାସୀ ଭାରତୀୟ । ପୂର୍ବରୁ ୫% ଟିକସ ପ୍ରସ୍ତାବ ଥିଲା ।
ଏହି ବିଲ୍ ମାଧ୍ୟମରେ ବିଦେଶୀ କର୍ମଚାରୀଙ୍କ ଦ୍ୱାରା ନିଜ ନିଜ ଦେଶକୁ ଟଙ୍କା ପଠାଇବା ଉପରେ ଟିକସ ଦେବାର ବ୍ୟବସ୍ଥା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନୀତିର ସବୁଠାରୁ ବଡ଼ ପ୍ରଭାବ ଅନୁଭବ କରିବ ଭାରତ । କାରଣ ଭାରତୀୟ ପ୍ରବାସୀ ଆମେରିକାରୁ ସବୁଠାରୁ ଅଧିକ ରେମିଟାନ୍ସ ପଠାଇଥାନ୍ତି । ରେମିଟାନ୍ସ ଅର୍ଥାତ୍ ପ୍ରବାସୀମାନଙ୍କ ଦ୍ୱାରା ନିଜ ଦେଶକୁ ପଠାଯାଉଥିବା ଧନରାଶି । ସିନେଟ୍ର ମଞ୍ଜୁରି ପରେ ୨୦୨୬ ଜାନୁଆରୀ ୧ରୁ ଏହା ଲାଗୁ ହୋଇଯିବ ।
ବର୍ଷକୁ ଆମେରିକାରୁ ପ୍ରାୟ ୩୦ ବିଲିୟନ ଡଲାର ପଠାଉଛନ୍ତି ପ୍ରବାସୀ ଭାରତୀୟ । ୩.୫% ଟିକସ ଲାଗୁ ହେବା ଦ୍ୱାରା ୩୦ ବିଲିୟନ ଡଲାରର ରେମିଟାନ୍ସରେ ଭାରତୀୟଙ୍କ ଉପରେ ୧.୦୫ ବିଲିୟନ ଡଲାର ବା ପ୍ରାୟ ୮,୭୫୦ କୋଟି ଟଙ୍କାର ବୋଝ ପଡ଼ିବ । ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ । ଆମେରିକା ରେମିଟାନ୍ସର ଅନ୍ୟତମ ସର୍ବବୃହତ୍ ହିତାଧିକାରୀ ହେଉଛି ଭାରତ । ଜଣେ ପ୍ରବାସୀ ଯଦି ଭାରତକୁ ଲକ୍ଷେ ଟଙ୍କା ପଠାଉଥିବେ ଏହା ଉପରେ ୩,୫୦୦ ଟଙ୍କାର ଟିକସ ଦେବାକୁ ପଡ଼ିବ । ବିଲ୍ ଅନୁସାରେ, ଅଣ-ନାଗରିକମାନଙ୍କ ଦ୍ୱାରା କରାଯାଉଥିବା ଇଣ୍ଟର୍ନ୍ୟାସ୍ନାଲ ମନି ଟ୍ରାନ୍ସଫର ଉପରେ ୩.୫% ଟିକସ ଲାଗିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଅନୁସାରେ, ୨୦୨୩-୨୪ରେ ଭାରତକୁ ଆସିଥିବା ମୋଟ ରେମିଟାନ୍ସ ମଧ୍ୟରେ ଆମେରିକାରୁ ସର୍ବାଧିକ ୨୭.୭% ଆସିଛି, ଯାହାକି ୨୦୨୦-୨୧ରେ ଥିଲା ୨୩.୪% । ଭାରତର ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ଆମେରିକାରେ ୪୫ ଲକ୍ଷ ପ୍ରବାସୀ ଭାରତୀୟ ଅଛନ୍ତି, ଯେଉଁଥିରୁ ୩୨ ଲକ୍ଷ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି(ପିଆଇଓ) ।
ଆମେରିକାରେ ୭୮% ଭାରତୀୟ ପ୍ରବାସୀ ଉଚ୍ଚ ଆୟ ପ୍ରଦାନକାରୀ କ୍ଷେତ୍ର ଯେପରି ମ୍ୟାନେଜ୍ମେଣ୍ଟ, ବିଜ୍ନେସ୍ ଏବଂ ସାଇନ୍ସ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆର୍ବିଆଇ ତଥ୍ୟ ଅନୁସାରେ,୨୦୧୦-୧୧ରେ ଭାରତକୁ ୫୫.୬ ବିଲିୟନ ଡଲାର ରେମିଟାନ୍ସ ଆସିଥିବାବେଳେ ୨୦୨୩-୨୪ରେ ଏହା ଦୁଇ ଗୁଣା ହୋଇ ୧୧୮.୭ ବିଲିୟନ ଡଲାରରେ ପହଞ୍ଚିଛି । ଆମେରିକାରୁ ଆସିଛି ୩୩ ବିଲିୟନ ଡଲାର ବା ୨.୭୬ ଲକ୍ଷ କୋଟି ଟଙ୍କା ।