ନୂଆଦିଲ୍ଲୀ,୨୪/୦୫: ଆମେରିକା ହାଉସ୍‌  ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ମେ’ ୨୨ରେ ‘ୱାନ୍‌ ବିଗ୍‌,  ବିଉଟିଫୁଲ ବିଲ୍‌ ଆକ୍ଟ’କୁ ଅନୁମୋଦନ ଦେଇଛି ।  ଏହା ଅନ୍ତର୍ଗତ ଆମେରିକାରୁ ଅର୍ଜିତ ଟଙ୍କା ଭାରତ  ପଠାଇବା ଉପରେ ୩.୫% ଟିକସ ଗଣିବେ ପ୍ରବାସୀ  ଭାରତୀୟ । ପୂର୍ବରୁ ୫% ଟିକସ ପ୍ରସ୍ତାବ ଥିଲା ।  

ଏହି ବିଲ୍‌ ମାଧ୍ୟମରେ ବିଦେଶୀ କର୍ମଚାରୀଙ୍କ  ଦ୍ୱାରା ନିଜ ନିଜ ଦେଶକୁ ଟଙ୍କା ପଠାଇବା ଉପରେ  ଟିକସ ଦେବାର ବ୍ୟବସ୍ଥା ରହିଛି । ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନୀତିର ସବୁଠାରୁ  ବଡ଼ ପ୍ରଭାବ ଅନୁଭବ କରିବ ଭାରତ । କାରଣ  ଭାରତୀୟ ପ୍ରବାସୀ ଆମେରିକାରୁ ସବୁଠାରୁ ଅଧିକ  ରେମିଟାନ୍ସ ପଠାଇଥାନ୍ତି । ରେମିଟାନ୍ସ ଅର୍ଥାତ୍‌  ପ୍ରବାସୀମାନଙ୍କ ଦ୍ୱାରା ନିଜ ଦେଶକୁ ପଠାଯାଉଥିବା  ଧନରାଶି । ସିନେଟ୍‌ର ମଞ୍ଜୁରି ପରେ ୨୦୨୬  ଜାନୁଆରୀ ୧ରୁ ଏହା ଲାଗୁ ହୋଇଯିବ ।  

ବର୍ଷକୁ ଆମେରିକାରୁ ପ୍ରାୟ ୩୦ ବିଲିୟନ  ଡଲାର ପଠାଉଛନ୍ତି ପ୍ରବାସୀ ଭାରତୀୟ । ୩.୫%  ଟିକସ ଲାଗୁ ହେବା ଦ୍ୱାରା ୩୦ ବିଲିୟନ ଡଲାରର  ରେମିଟାନ୍ସରେ ଭାରତୀୟଙ୍କ ଉପରେ ୧.୦୫ ବିଲିୟନ  ଡଲାର ବା ପ୍ରାୟ ୮,୭୫୦ କୋଟି ଟଙ୍କାର ବୋଝ  ପଡ଼ିବ । ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ  କରିବ । ଆମେରିକା ରେମିଟାନ୍ସର ଅନ୍ୟତମ  ସର୍ବବୃହତ୍‌ ହିତାଧିକାରୀ ହେଉଛି ଭାରତ । ଜଣେ ପ୍ରବାସୀ ଯଦି ଭାରତକୁ ଲକ୍ଷେ ଟଙ୍କା ପଠାଉଥିବେ  ଏହା ଉପରେ ୩,୫୦୦ ଟଙ୍କାର ଟିକସ ଦେବାକୁ  ପଡ଼ିବ । ବିଲ୍‌ ଅନୁସାରେ, ଅଣ-ନାଗରିକମାନଙ୍କ  ଦ୍ୱାରା କରାଯାଉଥିବା ଇଣ୍ଟର୍‌ନ୍ୟାସ୍‌ନାଲ ମନି ଟ୍ରାନ୍ସଫର  ଉପରେ ୩.୫% ଟିକସ ଲାଗିବ । 

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)  ଅନୁସାରେ, ୨୦୨୩-୨୪ରେ ଭାରତକୁ ଆସିଥିବା  ମୋଟ ରେମିଟାନ୍ସ ମଧ୍ୟରେ ଆମେରିକାରୁ ସର୍ବାଧିକ  ୨୭.୭% ଆସିଛି, ଯାହାକି ୨୦୨୦-୨୧ରେ ଥିଲା  ୨୩.୪% । ଭାରତର ବୈଦେଶିକ ମନ୍ତ୍ରାଳୟ  ଅନୁସାରେ, ଆମେରିକାରେ ୪୫ ଲକ୍ଷ ପ୍ରବାସୀ  ଭାରତୀୟ ଅଛନ୍ତି, ଯେଉଁଥିରୁ ୩୨ ଲକ୍ଷ ହେଉଛନ୍ତି  ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି(ପିଆଇଓ) ।  

ଆମେରିକାରେ ୭୮% ଭାରତୀୟ ପ୍ରବାସୀ ଉଚ୍ଚ  ଆୟ ପ୍ରଦାନକାରୀ କ୍ଷେତ୍ର ଯେପରି ମ୍ୟାନେଜ୍‌ମେଣ୍ଟ,  ବିଜ୍‌ନେସ୍‌ ଏବଂ ସାଇନ୍ସ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।  ଆର୍‌ବିଆଇ ତଥ୍ୟ ଅନୁସାରେ,୨୦୧୦-୧୧ରେ  ଭାରତକୁ ୫୫.୬ ବିଲିୟନ ଡଲାର ରେମିଟାନ୍ସ  ଆସିଥିବାବେଳେ ୨୦୨୩-୨୪ରେ ଏହା ଦୁଇ ଗୁଣା  ହୋଇ ୧୧୮.୭ ବିଲିୟନ ଡଲାରରେ ପହଞ୍ଚିଛି ।  ଆମେରିକାରୁ ଆସିଛି ୩୩ ବିଲିୟନ ଡଲାର ବା  ୨.୭୬ ଲକ୍ଷ କୋଟି ଟଙ୍କା ।