ଦ୍ୱାପର ଯୁଗରେ ପାଣ୍ଡବମାନଙ୍କର ଅଜ୍ଞାତବାସ ସମୟରେ ପାଞ୍ଚଭାଇ ଓ ଦ୍ରୌପଦୀ ବିରାଟ ରାଜାଙ୍କର ନବରରେ ଆଶ୍ରୟ ନେଇଥିଲେ । ସେଠାରେ ଅତ୍ୟାଚାରୀ କୀଚକକୁ ଭୀମସେନ ବଧ କଲାପରେ ବିରାଟର ମହାରାଜା ପାଣ୍ଡବମାନଙ୍କୁ ଚିହ୍ନିପାରିଲେ । ସେ ଥିଲେ କୃଷ୍ଣଭକ୍ତ । ତାଙ୍କର ଅନୁରୋଧରେ ଗ୍ରୀଷ୍ମକାଳରେ ପାଣ୍ଡବମାନେ ସେଠାକୁ ଶ୍ରୀକୃଷ୍ଣଙ୍କ ସହ ଯାତ୍ରା କରିଥିଲେ ଓ ବିରାଟ ରାଜା ‘କେଳି ସରୋବର'ରେ ଚନ୍ଦନ ଯାତ୍ରା ବା ଗ୍ରୀଷ୍ମକାଳୀନ ଚନ୍ଦନ ମହୋତ୍ସବ କରାଇଥିଲେ । ସେହି ସ୍ମୃତିରେ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ନିଦାଘ କାଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ଉତ୍ସବ ଆରମ୍ଭ ହେବା ସହିତ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନିଗୋଟି ରଥ ନିର୍ମାଣର ଶୁଭ ଅନୁକୂଳ ମଧ୍ୟ ହୋଇଥାଏ । ଉକ୍ତ ଦିନ ଶ୍ରୀମନ୍ଦିରରେ ଅତି ପ୍ରତ୍ୟୁଷରୁ ସିଂହଦ୍ୱାର ଫିଟାଯାଇ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି ଆଦି ନୀତି ବଢ଼ିବା (ଶେଷ) ପରେ ସକାଳ ଧୂପ ଅନୁଷ୍ଠିତ ହୋଇ ଆଲଟ ଲାଗି ପରେ ପୂର୍ବ ରାତ୍ର ଭୋଗମଣ୍ଡପ ଘରେ ଅଧିବାସ ହୋଇ ରୁପା ପିଙ୍ଗଣ ଓ ପରିଖ (ହାଣ୍ଡି ଆକାରର ଧାତୁର ପାତ୍ର)ରେ ରଖାଯାଇଥିବା ୧୫ ସେର ଚନ୍ଦନକୁ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କ ସମେତ ୩ଜଣ ସେବକ ସାଥିରେ ନେଇ ଘଣ୍ଟ, ଛତା, କାହାଳୀ ପଟୁଆରରେ ଭିତର ବେଢ଼ା ତିନିଥର ପରିକ୍ରମା କରି ସାରିବା ପରେ ଶ୍ରୀଜୀଉଙ୍କ ଠାରେ ସର୍ବାଙ୍ଗ ଚନ୍ଦନଲାଗି କରନ୍ତି ।
ଛାମୁ ଖୁଣ୍ଟିଆଙ୍କ ମଣିମା ମଣିମା ଡାକ ଓ ଭକ୍ତମାନଙ୍କର ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ଚନ୍ଦନଲାଗି ବଢ଼ିବା ପରେ ତିନି ଠାକୁରଙ୍କ ଠାରେ ଅଳକା, ଚଉସରା, ଗୁଣା, ଝୁମ୍ପା, ଚୂଳ ଓ ଗଭା ଆଦି ପୁଷ୍ପ ଅଳଙ୍କାର ଲାଗି କରାଯାଏ । ଏହାପରେ ଘଣ୍ଟଛତା କାହାଳୀ ଯାତଭୋଗ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇ ‘ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା' ନୀତି ବଢ଼ିଲେ ଚନ୍ଦନ ଯାତ୍ରାର ବିଜେପ୍ରତିମା ସବୁ ମୁକ୍ତିମଣ୍ଡପ ତଳେ ରଖାଯାଇଥିବା ସୁସଜ୍ଜିତ ପାଲିଙ୍କି ଓ ବିମାନକୁ ବିଜେ କରନ୍ତି । ବିଜେ କାହାଳୀ ବାଜି ଉଠିଲେ ବିମାନବଡ଼ୁ ସେବକମାନେ ପାଲିଙ୍କିରେ ଶ୍ରୀରାମ ଓ କୃଷ୍ଣଙ୍କୁ ଏବଂ ମଣିବିମାନରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ କାନେ୍ଧଇ ନରେନ୍ଦ୍ରକୁ ଯାତ୍ରା କରିଥାନ୍ତି । ବିମାନ ଆଗରେ ତିନିଜଣ ପୂଜାପଣ୍ଡା ତିନି ଠାକୁରଙ୍କ ଠାରୁ ଆଣିଥିବା ରଥ ନିର୍ମାଣର ‘ଆଜ୍ଞାମାଳ'କୁ ହାତରେ ଧରି ଚାଲନ୍ତି । ସିଂହଦ୍ୱାର ଠାରୁ ଏକ ବିରାଟ ପଟୁଆରରେ ଦିଅଁମାନେ ବିଜେ କରିବା ବେଳେ ପଛେ ପଛେ ଶ୍ରୀକ୍ଷେତ୍ରର ପଞ୍ଚ ପାଣ୍ଡବ (ପାଞ୍ଚ ମହାଦେବ) ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠଦେବ ନିଜ ନିଜ ବିମାନରେ ଯାତ୍ରା କରନ୍ତି । ପଟୁଆର ରାଜନବର ନିକଟରେ ପହଞ୍ଚି ସେଠାରେ କିଛି ସମୟ ଅଟକି ପନ୍ତିଭୋଗ କରାଯାଏ ।
ପୂର୍ବରୁ ସେହି ସ୍ଥାନରେ ରଥ ନିର୍ମାଣ ପାଇଁ ତିନିଗୋଟି ସଳଖ କାଠ ରଖାଯାଇ ୧୧ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ନୀତି ଅନୁଷ୍ଠିତ ହୁଏ ଏବଂ ପୂଜାପଣ୍ଡାମାନଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତି ପରେ ତିନି ରଥର ତିନି ମୁଖ୍ୟ ମହାରଣା କୁରାଢ଼ିରେ ତିନି ରଥକାଠକୁ ସ୍ପର୍ଶ କରାଇ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଏହାପରେ ପଟୁଆର ମହାସମାରୋହରେ ଆଗେଇ ଚାଲେ ଚନ୍ଦନ ଚକଡ଼ାକୁ । ପାଞ୍ଚ ମହାଦେବଙ୍କୁ ଚାରି ଦିଗରୁ ଘେରି ଚନ୍ଦନ ଗୀତ ଗାଇ ଗାଇ ବିରାଟ ଶୋଭାଯାତ୍ରାରେ ପଲ୍ଲେ ଦେଉଳିଆ ଓ ସାହିଭାଇଙ୍କ ମେଳ ସହ ଖେଦେ କୀର୍ତ୍ତନିଆ ଆଉ ଝାଞ୍ଜଦଳ ଘଣ୍ଟ ଘଣ୍ଟା ବାଜା ଓ କାହାଳୀ ବାଦନ ସହିତ ଚାଲିଥାଆନ୍ତି । ବାଟରେ ଠାକୁରମାନଙ୍କୁ ସାତଗୋଟି ସ୍ଥାନରେ ପନ୍ତିଭୋଗ ସହିତ ହରିବୋଲ ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ କମ୍ପୁଥାଏ । ବିମାନବଡୁ ସେବକମାନଙ୍କ ସମାନ୍ତରାଳ ହସ୍ତ- ପଦ-ବିନ୍ୟାସରେ ସୁଶୋଭିତ ବିମାନ ଯାତ୍ରା ଅପୂର୍ବ ଶ୍ରୀମଣ୍ଡନ କରିଥାଏ । ଠାକୁରମାନେ ଚନ୍ଦନ ଚକଡ଼ାରେ ପହଞ୍ଚିବା ପରେ ସେଠାରେ ରଖାଯାଇଥିବା ସୁସଜ୍ଜିତ "ନନ୍ଦା' ନାମକ ଚାପରେ ରାମ, କୃଷ୍ଣଙ୍କ ସହିତ ପାଞ୍ଚ ପାଣ୍ଡବ ଏବଂ ‘ଭଦ୍ରା' ଚାପରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରି ନରେନ୍ଦ୍ର ଚତୁଃପାଶ୍ୱର୍ରେ ଦୃଶ୍ୟମାନ ଏକ ଘେରା ଓ ଭଉଁରୀ ଦିନ ୨୧ ଘେରା ବୁଲି ବୁଲି ଜଳକ୍ରୀଡ଼ା କରିଥାନ୍ତି । ଚନ୍ଦନ ଯାତ୍ରା ସମୟରେ ସେଠାରେ ପ୍ରଶାସନ ତରଫରୁ ଓଡ଼ିଶୀ ସଂଗୀତ ଓ ନୃତ୍ୟର ବ୍ୟାପକ ପ୍ରଦର୍ଶନ କରାଯାଇଥାଏ ।
ଚନ୍ଦନ ମଣ୍ଡପରେ ୨୧ ଦିନରେ ଶ୍ରୀମଦନମୋହନଙ୍କୁ ୨୧ ପ୍ରକାରେ ବେଶ କରାଯାଇଥାଏ । ବାହାର ଚନ୍ଦନ ଯାତ୍ରା ସମାପ୍ତିରେ ପୁନଃ ୨୧ ଦିନ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉମାନଙ୍କର ‘ଭିତର ଚନ୍ଦନ ଯାତ୍ରା' ଅନୁଷ୍ଠିତ ହୋଇଥାଏ, ଯାହାକି ଅନ୍ୟତ୍ର ବିରଳ । ପବିତ୍ର ଅକ୍ଷୟତୃତୀୟା ତିଥିରେ ପୁରୀ ଜିଲ୍ଲାର ଚାଷୀମାନେ ‘ମୁଠି ଅନୁକୂଳ' କରିଥାଆନ୍ତି । ପୁରାତନ ପୁରୀ ସହରର ସାହିବସ୍ତିରେ "ଘଡି ପଥୁରି' ଭୋଗ କରାଯାଇ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ପିଲାମାନେ ପାଖ ସାହିର ଘର ଘର ବୁଲି ଘଡି ପଥୁରି ସଂଗ୍ରହ କରି ସ୍ୱାଦିଷ୍ଟ ଭୋଗ ଖାଇବାର ଆନନ୍ଦ ଲାଭ କରିଥାଆନ୍ତି । ଏହି ପରମ୍ପରା କୋଉ କାଳରୁ ଚଳିଆସୁଅଛି । ଚନ୍ଦନ ଯାତ୍ରା ସମୟରେ ଜେଗା ଆଖେଡ଼ା ପକ୍ଷରୁ ସୁଦୃଶ୍ୟ ଶୋଭାଯାତ୍ରା ସହିତ ‘ଚନ୍ଦନ ଗାଧୁଆ ମେଳ' ବାହାରିଥାଏ ।