ନୂଆଦିଲ୍ଲୀ: ଅନ୍ୟ ମାନଙ୍କ ଜମି ଦଖଲ କରିବାରେ ବିଶ୍ବରେ ସବୁଠୁ ଆଗରେ ଚୀନ୍ ରହିଛି। ବର୍ତ୍ତମାନ ଚୀନ୍ ଭୁଟାନର ଜମିରେ ପ୍ରବେଶ କରିବା ଆରମ୍ଭ କରିଛି । ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ, ଭୁଟାନର ପାରମ୍ପରିକ ସୀମା ମଧ୍ୟରେ ଚୀନ୍ ୨୨ ଟି ଗ୍ରାମ ଏବଂ ବସ୍ତି ସ୍ଥାପନ କରିଛି। ସେଗୁଡିକ ମଧ୍ୟରେ ୧୯ ଟି ଗାଁ ଏବଂ ତିନୋଟି ଛୋଟ ବସ୍ତି ରହିଛି । ତିନୋଟି ଗାଁକୁ ସହରକୁ ନବୀକରଣ କରିବାକୁ ପ୍ରସ୍ତୁତି ଚଳାଇଛି । ବିଶେଷ କଥା ହେଉଛି ୨୦୨୩ ଆରମ୍ଭରୁ ଏଗୁଡିକ ମଧ୍ୟରେ ସାତଟିର ନିର୍ମାଣ କାର୍ଯ୍ୟ ସାମ୍ନାକୁ ଆସିଥିଲା । ରଣନୈତିକ ଦୃଷ୍ଟିକୋଣରୁ ଲୋକଙ୍କୁ ଏଠାରେ ବସାଉଛି, ଯାହା ଭୁଟାନର ସାର୍ବଭୌମତ୍ୱ ପାଇଁ ଚିନ୍ତା ବଢାଉଛି। ବିଶେଷକରି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଡୋକଲାମ ଉପରେ ଏହାର ବିଶେଷ ଦୃଷ୍ଟି ରହିଛି।
୨୦୧୬ରେ, ଚୀନ୍ ଏଠାରେ ଏକ ଗ୍ରାମ ନିର୍ମାଣ ଆରମ୍ଭ କଲା, ଯାହାକି ଭୁଟାନର ସାର୍ବଭୌମତ୍ବ ଭାବରେ ବିବେଚନା କରାଯାଏ । ଏହା ବିଷୟରେ ବିଦେଶୀ ପର୍ଯ୍ୟବେକ୍ଷକ ଏବଂ ସରକାର ଜାଣିବା ବେଳକୁ ଏହାକୁ ୫ ବର୍ଷ ବିତି ସାରିଥିଲା। ସେତେବେଳକୁ ଚୀନ୍ ଭୁଟାନର ସୀମା ଭିତରେ ଆଉ ଦୁଇଟି ଗ୍ରାମ ନିର୍ମାଣ କରିସାରିଥିଲା। ତିବ୍ଦତୀୟ ବିଶ୍ଳେଷକଙ୍କ ନେଟୱାର୍କ ‘ଟର୍କୋଇସ ରୁଫ୍’ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଏଠାରେ ୨୨ ଟି ଗ୍ରାମ ଏବଂ ବସ୍ତି ଅଛି। ସାଟେଲାଇଟ୍ ଚିତ୍ର ଗୁଡ଼ିକ ଯାହା ସୂଚିତ କରୁଛି ଏଥିରେ ପ୍ରାୟ ୭୫୨ ଆବାସିକ ବ୍ଲକ ଦେଖିବାକୁ ମିଳୁଛି, ଯାହାକି ପାଖାପାଖି ୨୨୮୪ ପରିବାରକୁ ରଖିଛି ।
ଖବର ଅନୁଯାୟୀ, ଏହି ନିଛାଟିଆ ଗ୍ରାମକୁ ନିର୍ମାଣ ଶ୍ରମିକ, ସୀମା ପୋଲିସ ଏବଂ ସେନା ସହିତ ପ୍ରାୟ ୭ ହଜାର ଲୋକ ଏବଂ ଅଜ୍ଞାତ ସଂଖ୍ୟକ ଅଧିକାରୀ ପଠାଉଛି ଚିନ୍ । ଏହି ଗ୍ରାମଗୁଡିକ ଉଚ୍ଚ ଉପତ୍ୟକା ଏବଂ ଶିଖରରେ ନିର୍ମିତ ହୋଇଛି । ସମୁଦ୍ର ପତ୍ତନଠାରୁ ସେଗୁଡିକର ହାରାହାରି ଉଚ୍ଚତା ୩୮୩୨ ମିଟର । ଏହି ନିର୍ମାଣଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେମାନଙ୍କର ପରିବହନ ଯୋଗାଯୋଗ । ଏହା ଭୁଟାନର ମଧ୍ୟଭାଗରୁ ବହୁ ଦୂରରେ ଅବସ୍ଥିତ ଏବଂ ଚୀନ୍ର ସମସ୍ତ ସଡ଼କ ସହିତ ସଂଯୁକ୍ତ ।
୧୯୫୧ ମସିହାରେ ଯେତେବେଳେ ଚୀନ୍ ତିବ୍ଦତ ଦଖଲ କଲା, ଏହାର ସୀମା ଭୁଟାନ ପର୍ଯ୍ୟନ୍ତ ବ୍ୟାପିଗଲା । ଭୁଟାନ ଏବଂ ଚୀନ୍ ମଧ୍ୟରେ ପ୍ରାୟ ୪୭୭ କିଲୋମିଟର ଲମ୍ବା ସୀମା ଅଛି । ସେବେଠାରୁ ଚୀନ୍ ଏବଂ ଭୁଟାନ ଏହି ସୀମା ସମ୍ବନ୍ଧରେ କୈଣସି ଚୁକ୍ତିନାମା କରିପାରି ନାହାଁନ୍ତି । ଚୀନ୍ର ଲକ୍ଷ୍ୟ କେବଳ ଭୁଟାନରେ ସୀମିତ ନୁହେଁ । ଏହା ଭାରତ ନିକଟବର୍ତ୍ତୀ ଗ୍ରାମ ମଧ୍ୟ ପ୍ରତିଷ୍ଠା କରିଆସୁଛି ।