ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଆଜି ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌, ୪ଟାରେ ଯୁଦ୍ଧ ସାଇରନ୍‌, ବିମାନ ଆକ୍ରମଣରୁ ବର୍ତ୍ତିବା ପାଇଁ ଦିଆଯିବ ପ୍ରଶିକ୍ଷଣ

Published By : Prameya | May 7, 2025 7:21 AM

ଭୁବନେଶ୍ୱର, ୦୭/୦୫ : ବୁଧବାର ଅପରାହ୍ଣ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌ । ଅଧ ମିନିଟ୍‌ କି ମିନିଟିଏ ନୁହେଁ, ସାଇରନ୍‌ ଶଦ୍ଦରେ ୫ ମିନିଟ୍‌ ଧରି ଚର୍ତୁଦିଗ କମ୍ପି ଉଠିବ । ଆରମ୍ଭ ହେବ ବେସାମରିକ ନାଗରିକ ପ୍ରତିରକ୍ଷା ଅଭ୍ୟାସ (ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌) । ଯୁଦ୍ଧ ପାଇଁ ଓଡ଼ିଶା କେତେ ପ୍ରସ୍ତୁତ? ସେନେଇ ସ୍ଥିତି ପରଖାଯିବ । ୧୯୭୧ ମସିହା ପରେ ପ୍ରଥମଥର ସମ୍ଭାବ୍ୟ ଯୁଦ୍ଧ ପାଇଁ ଏଭଳି ପ୍ରତିରକ୍ଷା ଅଭ୍ୟାସ କରାଯିବ । ଏହି ମକ୍‌ଡ୍ରିଲ୍‌ର ସମୟ ଯେତିକି ପାଖଉଛି, ଲୋକଙ୍କ ମନରେ ସେତିକି ଛନ୍‌କା ପଶୁଛି । ଶତ୍ରୁ ବିମାନରୁ ଶୂନ୍ୟରୁ ବୋମା, ଗୋଳାବାରୁଦ ବର୍ଷିଲେ, କ’ଣ କରିବେ? ଆକାଶମାର୍ଗ ଆକ୍ରମଣରୁ ନିଜେ ବର୍ତ୍ତିବା ସହ ଅନ୍ୟକୁ କେମିତି ବଞ୍ଚାଇବେ? ସେନେଇ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । 

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାର ୧୨ଟି ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇଛି । ସେଗୁଡି଼କ ହେଲା, ଅନୁଗୁଳ(ତାଳଚେର), ଖୋର୍ଦ୍ଧା (ଭୁବନେଶ୍ୱର), ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁର (ପାରାଦୀପ), ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ଼ (ରାଉରକେଲା) । କାଟାଗୋରି-୧ ଅର୍ଥାତ୍‌ ସର୍ବାଧିକ ସମ୍ବେଦନଶୀଳ ସହର ତାଲିକାରେ ତାଳଚେର ଅଛି । କାଟାଗୋରି-୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲାକୁ ରଖାଯାଇଛି । କାଟାଗୋରି-୩ ତାଲିକାରେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି । 

ଏହି ପ୍ରତିରକ୍ଷା ପୂର୍ବାଭ୍ୟାସ ପରିଚାଳନା ପାଇଁ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରସ୍ତୁତି ବୈଠକ ଚାଲିଥିଲା । ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକକୁ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶାରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ବେସାମରିକ ପ୍ରତିରକ୍ଷା ନିର୍ଦ୍ଦେଶକ ତଥା ଅଗ୍ନିଶମ ଓ ଆପାତକାଳୀନ ସେବା ବିଭାଗୀୟ ପୁଲିସ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର କେ ଶର୍ମା ଓ ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର ବୈଠକରେ ଯୋଗ ଦେଇଥିଲେ । କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆପାତକାଳୀନ ଅଧିକାରୀଙ୍କ ସହ ଶ୍ରୀ ସାହୁ ବିସ୍ତୁତ ଆଲୋଚନା କରିଛନ୍ତି । 

ଆଜି ମକ୍‌ଡ୍ରିଲ୍‌ର ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦେଇଛନ୍ତି । ଅଗ୍ନିଶମ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କ କହିବା ମୁତାବକ, ଆଜି ସହରାଞ୍ଚଳ ସହ ଉପକୂଳ ଜିଲ୍ଲାରେ ମକ୍‌ ଡ୍ରିଲ୍‌ କରାଯିବ । ଏହି ପ୍ରସ୍ତୁତି ଆଗାମୀ ସପ୍ତାହ ଯାଏଁ ଚାଲିବ । ସାଇରନ ବାଜିବା କ୍ଷଣି ଲୋକମାନେ ସୁରକ୍ଷିତ ରହିବାକୁ କଂକ୍ରିଟ୍‌ ଛାତ ଥିବା ଘର ଭିତରକୁ ଚାଲିଯିବେ । ବିମାନ ଆକ୍ରମଣ ବେଳେ କେହି ରାସ୍ତାଘାଟରେ ଥିଲେ କିମ୍ବା ନିକଟରେ କଂକ୍ରିଟ୍‌ ଛାତ କି ଆଶ୍ରୟସ୍ଥଳ ନଥିଲେ । ବିପତ୍ତି ନ ଟଳିବା ଯାଏଁ କାନକୁ ଚାପି ତଳେ ଲମ୍ବ ହୋଇ ଶୋଇରହିବ । ବସ୍ତିବାସିନ୍ଦାମାନଙ୍କ ପାଇଁ ବିଭିନ୍ନ ସ୍କୁଲକୁ ଆଶ୍ରୟସ୍ଥଳ ଭାବେ ନିର୍ଦ୍ଧାରଣ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଆଶ୍ରୟ ନେଇପାରିବେ । ଥରେ ଆକ୍ରମଣର ପ୍ରଭାବ ସରିଲେ, ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ପୁଣି ଲମ୍ବା ସାଇରନ୍‌ ବଜାଇବେ । ଯାହାକି ସୂଚାଇବ ଯେ, ଶତ୍ରୁ ବିମାନ ଫେରିଗଲା । ଏହାପରେ ବେସାମରିକ ପ୍ରତିରକ୍ଷା, ଏନସିସି, ଏନଏସଏସ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟକୁ ଆଗେଇବେ । ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନା ନିଆଯିବ । ସ୍ଥାନାନ୍ତର ପ୍ରକ୍ରିୟାର ଅଭ୍ୟାସ ପାଇଁ ବ୍ୟାପକ ରିହର୍ସାଲ କରାଯିବ । 

ଆଜି ମକ୍‌ ଡ୍ରିଲର ଏହା ଅଂଶବିଶେଷ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଆଗାମୀ ମକ୍‌ ଡ୍ରିଲ ପାଇଁ ବ୍ଲାକ୍‌ ଆଉଟ୍‌ ବ୍ୟବସ୍ଥା ସହ ବିଦ୍ୟୁତ ସଂଯୋଗ କାଟିଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ବିଭିନ୍ନ ବିମାନବନ୍ଦର, ଏୟାରଷ୍ଟ୍ରିପ୍‌ ସମେତ ଆର୍ମି ବେସ୍‌, ସାମରିକ ପ୍ରତିଷ୍ଠାନ, କ୍ଷେପଣାସ୍ତ୍ର ଘାଟି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନକୁ ସୁରକ୍ଷିତ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଆଜି ପୂର୍ବାହ୍ଣ ସୁଦ୍ଧା ରାଜ୍ୟ ସ୍ତରରେ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍‌ କରାଯିବ । ଜରୁରୀକାଳୀନ ପ୍ରସ୍ତୁତି ବୃଦ୍ଧି, କ୍ରାସ୍‌ ବ୍ଲାକ୍‌ ଆଉଟ୍‌ ପାଇଁ ତୟାରୀ, ଯୁଦ୍ଧ ସ୍ଥିତିରେ ସ୍ଥାନାନ୍ତର ଅଭ୍ୟାସରେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କୁ ସାମିଲ କରାଯିବ । ଗାଁ ସ୍ତରରେ ମଧ୍ୟ ମକ୍‌ଡ୍ରିଲ୍‌ ଆୟୋଜନ ପାଇଁ ଯୋଜନା କରାଯାଉଛି । ପୂରା ପ୍ରସ୍ତୁତି ଗ୍ରାମାଞ୍ଚଳ ଯାଏଁ ଯିବା ପାଇଁ ପ୍ରାୟ ସପ୍ତାହେ ଲାଗିବ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ସମନ୍ୱୟ ରକ୍ଷା କରି ନାଗରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରର୍ଯ୍ୟାପ୍ତମାତ୍ରାରେ ବିମାନ ଆକ୍ରମଣ ଚେତାବନୀ ସାଇରନ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି । 

ସୂଚନାଯୋଗ୍ୟ, ଜେନେଭା ଚୁକ୍ତି ଅନୁସାରେ ବେସାମରିକ ପ୍ରତିରକ୍ଷା ଓ ରେଡ଼କ୍ରସ ସଂସ୍ଥା ଯୁଦ୍ଧରେ ଅଂଶୀଦାର ନୁହଁନ୍ତି । ସେମାନଙ୍କ ଉପରେ କୌଣସି ଆକ୍ରମଣ କରାଯାଇ ପାରିବ ନାହିଁ । ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନେ ବେସାମରିକ ପ୍ରତିରକ୍ଷାର ନିୟନ୍ତ୍ରକ ଭାବେ କାମ କରନ୍ତି । ସାଧାରଣ ଲୋକଙ୍କୁ ଖାଦ୍ୟ, ଜଳଯୋଗାଣ, ବିଦ୍ୟୁତ୍‌, ସ୍ୱାସ୍ଥ୍ୟସେବା ଏହି ବେସାମରିକ ପ୍ରତିରକ୍ଷା ସଂସ୍ଥା ଅଧୀନରେ ଚାଲିବ । ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନେ ବିଭିନ୍ନ ସେବାର ମୁଖ୍ୟଙ୍କୁ ଏଥିପାଇଁ ବେସାମରିକ ପ୍ରତିରକ୍ଷା ୱାର୍ଡେନ ଭାବରେ ନିଯୁକ୍ତି ଦେବେ ।

ଏହି ଖବରଟିକୁ ପଢନ୍ତୁ-ପାକିସ୍ତାନର ୯ଟି ସ୍ଥାନର କେତେ କିଲୋମିଟର ଭିତରେ ଭାରତୀୟ ସେନା କରିଛି ଏୟାରଷ୍ଟ୍ରାଇକ? ରାତି ଅଧରେ ଆତଙ୍କୀସ୍ଥାନରେ ବିଦ୍ୟୁତ ଗାଏବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.