ନୂଆଦିଲ୍ଲୀ/ଭୁବନେଶ୍ୱର, ୦୧।୫ - ଜାତିଭିତ୍ତିକ ଜନଗଣନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ନିଷ୍ପତ୍ତି ନେବା ପରେ କିଛି ଲୋକ ବିଳି ବିଳେଇ ହେଉଛନ୍ତି । ସେମାନେ ‘ସରକାର ତୁମର ଓ ବ୍ୟବସ୍ଥା ଆମର’ ବୋଲି କହୁଛନ୍ତି । ତେବେ ୧୯୫୧ରେ ସରକାର କାହାର ଥିଲା ଏବଂ ସିଷ୍ଟମ କାହାର ଥିଲା? କାକା କାଲେଲକର କମିଶନର ରିପୋର୍ଟ, ମଣ୍ଡଳ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖାନ କରିଥିବା ତଥା ସାମାଜିକ ନ୍ୟାୟ ବିରୋଧରେ ସବୁବେଳେ ଥିବା କଂଗ୍ରେସ ବିଜେପିକୁ ଏହି ପ୍ରସଙ୍ଗରେ ଟାଇମଲାଇନ ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ ବୋଲି ଗୁରୁବାର ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ କଂଗ୍ରେସର ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଜେପି ପାର୍ଟି ଯାହା କୁହେ, ସେହି କଥାକୁ ପାଳନ କରେ । ସାମନ୍ତବାଦ ଏବଂ ଅହଙ୍କାର କଂଗ୍ରେସର ପରିଚୟ । ୧୯୫୧ ମସିହାରେ ସରକାର ଓ ବ୍ୟବସ୍ଥା କାହା ପାଖରେ ଥିଲା ? ସେତେବେଳେ ଜାତିଭିତ୍ତିକ ଜନଗଣନା କାହିଁକି ଗ୍ରହଣ କରାଯାଇନଥିଲା ? ଏହାର କାରଣ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜାତିଗତ ସଂରକ୍ଷଣର ଘୋର ବିରୋଧୀ ଥିଲେ । ଏହି କଥା କେବଳ ତାଙ୍କର ବୟାନବାଜିରେ ସୀମିତ ନ ଥିଲା ବରଂ ସେ ରାଜ୍ୟ ସରକାରଙ୍କୁ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚିନ୍ତାପ୍ରକଟ କରିଥିଲେ, ଯଦି ଜାତି ଆଧାରରେ ସଂରକ୍ଷଣ ମିଳେ ତେବେ ଗୁଣବତ୍ତା ହ୍ରାସ ପାଇବ । କାକା କାଲେଲକର କମିଶନଙ୍କ ରିପୋର୍ଟକୁ ଲମ୍ବା ସମୟ ଧରି ସାମ୍ନାକୁ ନ ଆଣିବା ପାଇଁ କିଏ ଯୋଜନା କରିଥିଲା ? ଯଦି ବାପୁ, ସର୍ଦ୍ଦାର ପଟେଲ, ବାବା ସାହେବ ଏବଂ ସମ୍ବିଧାନ ସଭା ନ ହୋଇଥାନ୍ତା ତେବେ କଂଗ୍ରେସ ସଂରକ୍ଷଣର ବ୍ୟବସ୍ଥା ବି କରିନଥାନ୍ତା ।
୧୯୭୭ ମସିହାରେ ଜନତା ପାର୍ଟି ସରକାର ସାମାଜିକ ନ୍ୟାୟକୁ ତୃଣମୂଳ ସ୍ତରରେ ଆଣିବା ପାଇଁ ମଣ୍ଡଳ କମିଶନ ଗଠନ କରିଥିଲେ। ବିଜେପିର ପୂର୍ବ ସ୍ୱରୂପ ଜନସଂଘ ଏହି ସରକାରର ଅଂଶବିଶେଷ ଥିଲା । ମଣ୍ଡଳ କମିଶନ ରିପୋର୍ଟକୁ ଦୀର୍ଘ ୧୦ ବର୍ଷ ଧରି କଳା କୋଠରୀରେ ରଖିବା ପାଇଁ କିଏ ଚେଷ୍ଟା କରିଥିଲା ? ସେତେବେଳେ 'ସରକାର ଓ ବ୍ୟବସ୍ଥା' କାହା ହାତରେ ଥିଲା ? ମଣ୍ଡଳ କମିଶନ ଯେତେବେଳେ ଲାଗୁ କରାଗଲା ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବୟାନ କ'ଣ ଥିଲା? କ'ଣ ଥିଲା କଂଗ୍ରେସର ଆଭିମୁଖ୍ୟ ? ଯେଉଁମାନେ 'ସରକାର ତାଙ୍କର ଏବଂ ଆମର ସିଷ୍ଟମ’ ବୋଲି କହୁଛନ୍ତି, ସେମାନଙ୍କ ଅହଂକାର ଓ ଦମ୍ଭ ସ୍ପଷ୍ଟ ଭାବେ ପଦାକୁ ଆସିଛି ।
ବିଜେପି ସମର୍ଥନରେ ଭିପି ସିଂ ସରକାର ମଣ୍ଡଳ କମିଶନ ଲାଗୁ କରିଥିଲେ । ସେହି ସମୟରେ ବିରୋଧୀ ଦଳ ନେତା ରାଜୀବ ଗାନ୍ଧୀ ସଂସଦରେ ଲମ୍ବା ସମୟ ଧରି ଓବିସି ସମାଜ ବିରୁଦ୍ଧରେ ନିଜ ବିଷ ଓଗାଳିଥିଲେ । କଂଗ୍ରେସ ଦଳ ସବୁବେଳେ ଓବିସି, ବଞ୍ଚିତ ବର୍ଗ, ଆଦିବାସୀ, ଦଳିତ, ପଛୁଆ ବର୍ଗଙ୍କ ବିରୋଧୀ । ଯେଉଁମାନଙ୍କୁ ଏହି ପ୍ରସଙ୍ଗରେ ଜ୍ଞାନ ନାହିଁ ସେମାନେ ସାମାଜିକ ନ୍ୟାୟ କଥା କହୁଛନ୍ତି ? ୨୦୧୦ରେ କଂଗ୍ରେସ ସରକାର ନିର୍ଣ୍ଣୟ କଲା ମନ୍ତ୍ରୀ ସମୂହ ହେବ ଏବଂ ୨୦୧୧ ଜନଗଣନାରେ ଜାତିଗତ ଜନଗଣନାକୁ ସାମିଲ କରାଯିବ । କିନ୍ତୁ ସେମାନେ ଏଥିରୁ ପଛକୁ କାହିଁକି ହଟିଲେ ? ଭାରତରେ ସାମାଜିକ ନ୍ୟାୟ ଏକ ପ୍ରତିବଦ୍ଧ ବିଷୟ ହୋଇସାରିଛି ଏହା ଉପରେ ଜନଜାଗରଣ ହୋଇସାରିଛି । ଯେଉଁ ମାନେ ସାମାଜିକ ନ୍ୟାୟର ଡିଣ୍ଡିମ ପିଟୁଛନ୍ତି ସେହିମାନେ ବାବା ସାହେବଙ୍କୁ ଭାରତ ରତ୍ନ ଦେଇନଥିଲେ । ମାତ୍ର ବିଜେପି ସମର୍ଥିତ ଭିପି ସିଂ ସରକାର ବାବା ସାହେବଙ୍କୁ ଭାରତ ରତ୍ନ ଦେଇଥିଲେ ।
ଶ୍ରୀ ପ୍ରଧାନ ଜାତିଭିତ୍ତିକ ଜନଗଣନାର ସକରାତ୍ମକ ଚିପ୍ପଣୀ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ଧନ୍ୟବାଦ ଦେଇଛନ୍ତି । ସବକା ସାଥ୍, ସବକା ବିକାଶ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ସାମାଜିକ ନ୍ୟାୟ ହିଁ ଥିଲା। ସମାଜର ସମସ୍ତ ବର୍ଗକୁ ଲାଭ, ସୁବିଧା ଦେବା ଏହା ଆମର ଲକ୍ଷ୍ୟ ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗ୍ରହଣ କରାଯାଇଥିବା ଜାତୀୟ ଜନଗଣନାର ନିଷ୍ପତ୍ତି ସାମାଜିକ ନ୍ୟାୟ ପାଇଁ ଏନଡ଼ିଏ ସରକାରଙ୍କର ପ୍ରତିବଦ୍ଧତାର ଏକ ବହୁତ ବଡ ପଦକ୍ଷେପ ।
ଯେପରି ପୁସ୍ତକର ମଲାଟ ବଦଳାଇଦେଲେ ପୁସ୍ତକର ବିଷୟବସ୍ତୁରେ କୌଣସି ପରିବର୍ତ୍ତନ ଆସିନାହିଁ, ସେହିପରି କଂଗ୍ରେସର ଚରିତ୍ର ସବୁବେଳେ ସୁଯୋଗବାଦୀ ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଉପରେ କେନ୍ଦ୍ରୀଭୂତ । ଦେଶରେ ପ୍ରଥମ ଥର ଲମ୍ବା ସମୟର ବ୍ୟବଧାନ ପରେ ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେବା, ବହୁ ସଂଖ୍ୟାରେ ବଞ୍ଚିତ ସମାଜର ପ୍ରତିନିଧିତ୍ଵକୁ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପରିଧିକୁ ଆଣିବା, କେନ୍ଦ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବା, ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ବର୍ଗରୁ ପ୍ରତିନିଧିତ୍ୱ କରିବା, ଲୋକସଭା ରାଜ୍ୟସଭାରେ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେବା ସାମାଜିକ ନ୍ୟାୟର ପ୍ରତିବଦ୍ଧତାର ପ୍ରତିଫଳନ । ଦେଶ ସ୍ଵାଧୀନତା ପର ଠାରୁ ଆଗାମୀ ଜନଗଣନା ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତି କ୍ୟାବିନେଟରେ ମଞ୍ଜୁର ହୋଇଛି । ଦଳଗତ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆଜି ଯେଉଁଭଳି ଭାବେ ଦେଶ ଏହି ଦୃଢ ନିର୍ଣ୍ଣୟକୁ ସ୍ୱାଗତ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ-ସତ୍ୟର ବିଜୟ ହୋଇଛି, ବିଜେପି ବାଧ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛି : ଭକ୍ତ ଦାସ