ପ୍ରମୂଖ ଖବର
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସମ୍ବିଧାନ, ସର୍ବୋଚ୍ଚ ନ୍ୟାୟାଳୟ ଓ ରାଷ୍ଟ୍ରପତି

Published By : Prameya | May 20, 2025 2:59 PM

ଅନୁଚ୍ଛେଦ-୭୯ ସ୍ପଷ୍ଟ ଉଲ୍ଲେଖ କରେ  ଯେ, ସଂସଦର ଅର୍ଥ ହେଲା ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭା । ଏଭଳି କ୍ଷେତ୍ରରେ ମାନ୍ୟବର ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମହାମହୀମ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା କଦାଚିତ୍‌ ସମ୍ବିଧାନସମ୍ମତ ହୋଇନପାରେ ।

ଗତ ଅଗଷ୍ଟ ୮ ତାରିଖରେ ମାନ୍ୟବର ସର୍ବୋଚ୍ଚ  ନ୍ୟାୟାଳୟ ମହାମହୀମ ରାଷ୍ଟ୍ରପତିଙ୍କୁ ଏକ ରାୟ  ବା ନ୍ୟାୟିକ ନିଷ୍ପତ୍ତି ମାଧ୍ୟମରେ ନିର୍ଦ୍ଦେଷ ଦେବା ବିଷୟଟି  ରାଷ୍ଟ୍ରୀୟସ୍ତରରେ ଏକ ଗଭୀର ପ୍ରତିକ୍ରିୟା ସୃଷ୍ଟି କରିବା  ସଙ୍ଗେ ସଙ୍ଗେ ଏକ ପ୍ରମୁଖ ସାମ୍ବିଧାନିକ ବିବାଦ ତଥା ବିତର୍କ  ସୃଷ୍ଟି କରିଛି । ତାମିଲନାଡୁର ରାଜ୍ୟପାଳ ଆର. ଏନ. ରବି  ରାଜ୍ୟ ବିଧାନସଭାରେ ପାରିତ ୧୦ଟି ବିଲ୍‌କୁ ଅନୁମୋଦନ  କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା  ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର. ଗଭାଇ  ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ  ଉଭୟ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଏକ ସମୟସୀମା  ମଧ୍ୟରେ ବିଲ୍‌କୁ ଅନୁମୋଦନ କରିବାପାଇଁ ନିର୍ଦ୍ଦେଶ  ଦେଇଛନ୍ତି, ଯାହାକି ସମ୍ବିଧାନରେ ଉଲ୍ଲେଖ ନାହିଁ । 

ମାନ୍ୟବର ଅଦାଲତ ତାଙ୍କର ଉପରୋକ୍ତ ରାୟରେ  ନିର୍ଦ୍ଦେଶ ଦେଇଛନ୍ତି ଯେ, ଗୋଟିଏ ବିଲ୍‌କୁ ଦ୍ୱିତୀୟ  ଥର ପାଇଁ ବିଧାନସଭାରେ ପାରିତ କରି ରାଜ୍ୟପାଳଙ୍କୁ  ଅନୁମୋଦନ ପାଇଁ ପୁନଃପ୍ରେରଣ କଲେ ରାଜ୍ୟପାଳ  ତାହାକୁ ଏକମାସ ମଧ୍ୟରେ ଅନୁମୋଦନ କରିବେ । ଯଦି ଏହି ବିଲ୍‌ ରାଷ୍ଟ୍ରପତିଙ୍କ ନିକଟରେ ବିଚାର ପାଇଁ ରାଜ୍ୟପାଳ  ପ୍ରେରଣ କରିଥାନ୍ତି ତେବେ ରାଷ୍ଟ୍ରପତି ତାହାକୁ ୩ମାସ  ମଧ୍ୟରେ ଅନୁମୋଦନ କରିବେ ବୋଲି ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦିଅନ୍ତି । ସମ୍ବିଧାନର ଅନୁଚ୍ଛେଦ ୨୦୦ ଓ ୨୦୧ରେ  ରାଜ୍ୟପାଳ ଓ ରାଷ୍ଟ୍ରପତି ବିଧାନସଭାରେ ପାରିତ ବିଲ୍‌କୁ  କିପରି ଭାବରେ ଅନୁମୋଦନ କରିବେ ବା ନକରିବେ  ସେ ବିଷୟକୁ ବିସ୍ତୃତ ଭାବରେ ଉପସ୍ଥାପନା କରାଯାଇଛି । ଏହି ଅନୁଚ୍ଛେଦମାନଙ୍କରେ ରାଷ୍ଟ୍ରପତିଙ୍କୁ କୌଣସି ସମୟ  ସୀମା ପ୍ରଦାନ କରାଯାଇନାହିଁ, ଯଦିଚ ଅନୁଚ୍ଛେଦ ୨୦୧ରେ  ରାଜ୍ୟପାଳଙ୍କୁ ୬ମାସ ମଧ୍ୟରେ ପୁନଃପ୍ରେରିତ ବିଲ୍‌କୁ  ଅନୁମୋଦନ କରିବାର ବ୍ୟବସ୍ଥା ରହିଛି । 

ଆଉ ମଧ୍ୟ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଭିତ୍ତିକରି  ତାମିଲନାଡୁ ସରକାର ଉପରୋକ୍ତ ୧୦ଟି ବିଲ୍‌କୁ ରାଜ୍ୟପାଳ  ବା ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ ଆଇନ ରୂପେ  ସରକାରୀ ଗେଜେଟ୍‌ ମାଧ୍ୟମରେ ଘୋଷଣା କରିଛନ୍ତି, ଯାହାକି  ଆମର ୭୫ବର୍ଷର ସାମ୍ବିଧାନିକ ଇତିହାସରେ କେବେ  ଘଟିନଥିଲା । ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କ ଅନୁମୋଦନ  ବିନା କୌଣସି ବିଲ୍‌ ଆଇନରେ ପରିଣତ ହୋଇପାରେ  କି? ସମ୍ବିଧାନରେ ଏଭଳି କୌଣସି ବ୍ୟବସ୍ଥା ରହିଛି କି?  ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରର ସର୍ବୋଚ୍ଚ ସ୍ଥାନରେ  ଆସୀନ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ପ୍ରଦାନ କରିପାରିବେ କି?  ଏ ବିଷୟରେ ଏବେ ଜାତୀୟସ୍ତରରେ ଗଭୀର ଆଲୋଚନାସମାଲୋଚନା ଚାଲିଛି । 

ଗଣତାନ୍ତ୍ରିକ ଭାରତରେ ସମ୍ବିଧାନ ଶ୍ରେଷ୍ଠ ଓ  ଜନତା ସର୍ବଶକ୍ତିମାନ । ବିଧିପାଳିକା, କାର୍ଯ୍ୟପାଳିକା ଓ  ନ୍ୟାୟପାଳିକାଙ୍କୁ ସେମାନଙ୍କର ପ୍ରଦତ୍ତ କର୍ତ୍ତବ୍ୟ ପାଳନ ଓ  କ୍ଷମତା ଉପଯୋଗ କରିବାପାଇଁ ସମ୍ବିଧାନ ସ୍ପଷ୍ଟ ଉଲ୍ଲେଖ  କରନ୍ତି । କୌଣସି ଗୋଟିଏ ବିଭାଗରେ କ୍ଷମତା କେନ୍ଦ୍ରିତ  ନହୋଇ ସ୍ୱେଚ୍ଛାଚାରିତା ଓ ଦାୟିତ୍ୱହୀନତା ଯେଭଳି  ସୃଷ୍ଟିନହେବ, ସେଇଥିପାଇଁ ଏହି ତିନିଟି ଶ୍ରେଷ୍ଠ ସ୍ତମ୍ଭଙ୍କୁ  ସେମାନଙ୍କର କ୍ଷମତା ପରିସର ମଧ୍ୟରେ ରହି କାର୍ଯ୍ୟ  ସଂପାଦନ କରିବାପାଇଁ ସମ୍ବିଧାନ ସ୍ପଷ୍ଟ ଉଲ୍ଲେଖ କରିଥାଏ ।  ଏଭଳି ବ୍ୟବସ୍ଥା ମାଧ୍ୟମରେ ବିଧିପାଳିକା (ସଂସଦ ଓ  ବିଧାନସଭା) ଆଇନ ପ୍ରଣୟନ କରନ୍ତି, କାର୍ଯ୍ୟପାଳିକା  (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଇତ୍ୟାଦି ଆଇନର କାର୍ଯ୍ୟକାରୀ)  କରନ୍ତି ଏବଂ ନ୍ୟାୟପାଳିକା (ସୁପ୍ରିମକୋର୍ଟ, ହାଇକୋର୍ଟ  ଇତ୍ୟାଦି) ସମବିଧାନ ତଥା ଆଇନର ତର୍ଜମା କରି ନ୍ୟାୟ  ପ୍ରଦାନ କରନ୍ତି ।  

ବର୍ତ୍ତମାନ ଦୁଇଟି ପ୍ରଶ୍ନ ଉଠେ- ୧) ସର୍ବୋଚ୍ଚ ନ୍ୟାୟଳୟ  ମହାମହୀମ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଜାରି କରିପାରିବେ କି?  ୨) ବିଲ୍‌କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନୁମୋଦନ  କରିବାପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ବିଧାନ ସଂଶୋଧନ  ଭଳି କାର୍ଯ୍ୟ କି, ଯାହା ନ୍ୟାୟପାଳିକାର କ୍ଷମତାର ଊଦ୍ଧ୍ୱର୍ରେ?  ଏ ବିଷୟରେ ସମ୍ବିଧାନ ବିଶେଷଜ୍ଞ, ଅଇନଜୀବୀ,  ବୁଦ୍ଧିଜୀବୀ, ରାଜନେତା ତଥା ଜନତା ସେମାନଙ୍କର  ମତାମତ ପ୍ରଦାନ କରୁଛନ୍ତି । ଏ ବିଷୟରେ ଏକ ଜାତୀୟ  ବିତର୍କ ଆରମ୍ଭ ହୋଇଯାଇଛି । ସାଧାରଣ ଜନତା ମଧ୍ୟ  ଏହାର ପ୍ରକୃତ ସ୍ଥିତି ଜାଣିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।  ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ  ଏଭଳି ଆଲୋଚନା-ପ୍ରତ୍ୟାଲୋଚନା ଦେଶର ଗଣତନ୍ତ୍ରକୁ  ସୁଦୃଢ଼ କରିବାକୁ ଶକ୍ତି ପ୍ରଦାନ କରିଥାଏ ।  

ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ  ଉପରାଷ୍ଟପତି ଜଗଦୀପ ଧନଖଡ଼ ତୀବ୍ର ପ୍ରତିକ୍ରିୟା ପ୍ରକାଶ  କରିଛନ୍ତି, ଏପରିକି ଅଦାଲତଙ୍କୁ ଭର୍ତ୍ସନା ମଧ୍ୟ କରିଛନ୍ତି । ତାଙ୍କ  ମତରେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଶର ପ୍ରଥମ  ନାଗରିକ ତଥା ସର୍ବୋଚ୍ଚ ସମ୍ବିଧାନର ଆସୀନ ଅନୁଷ୍ଠାନଙ୍କୁ  ନିର୍ଦ୍ଦେଶ ଦେବା ଅସାମ୍ବିଧାନିକ । ସମ୍ବିଧାନର ଅନୁଚ୍ଛେଦ- ୧୪୨ ମାଧ୍ୟମରେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ପରିସ୍ଥିତିରେ  କେବଳ ଆଇନ ବା ସମ୍ବିଧାନର ତର୍ଜମା କରିପାରିବେ,  କିନ୍ତୁ ଏହି କାର୍ଯ୍ୟ ସଂପାଦନ ମାଧ୍ୟମରେ ଅଦାଲତ ନିଜକୁ  ରାଷ୍ଟ୍ରପତି ଓ ସଂସଦଙ୍କ ଊଦ୍ଧ୍ୱର୍ରେ ନିଜକୁ ଭାବି କୌଣସି  ନିର୍ଦ୍ଦେଶ ଜାରି କଲେ ତାହା ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା  ଉପରେ ପରମାଣୁ କ୍ଷେପଣାସ୍ତ୍ର ପ୍ରୟୋଗ ଭଳି ଧ୍ୱଂସାତ୍ମକ  ପରିସ୍ଥିତି ସୃଷ୍ଟିକରିବ ବୋଲି ଉପରାଷ୍ଟ୍ରପତି ମତ ଦିଅନ୍ତି । 

ଶ୍ରୀ ଧନଖଡ଼ଙ୍କ ମତାମତକୁ କୌଣସି ରାଜନୈତିକ  ଉଦ୍ଦେଶ୍ୟପ୍ରଣୋଦିତ ମତ ରୂପେ ପ୍ରତ୍ୟାଖ୍ୟାନ  କରାଯାଇନପାରେ, କାରଣ ଉପରାଷ୍ଟ୍ରପତି ପଦ ଗ୍ରହଣ  ପୂର୍ବରୁ ସେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଓ ସାଂସଦ ତଥା  ସୁପ୍ରିମକୋର୍ଟର ଏକ ବରିଷ୍ଠ ଅଧିବକ୍ତା ତଥା ସମ୍ବିଧାନ  ବିଶାରଦ ରୂପେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି । ସେ  ସର୍ବଦା ସଂଯତ, ସତ୍ୟନିଷ୍ଠ, ଗାମ୍ଭୀର୍ଯ୍ୟପୂର୍ଣ୍ଣ ତଥା ନିଷ୍ଠାପର  ଭାବରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥାନ୍ତି ଏବଂ  ପରିସ୍ଥିତିର ଔଚିତ୍ୟ ଦୃଷ୍ଟିରୁ କଟୁ ସତ୍ୟର ପରିପ୍ରକାଶ  କରିବାରେ ମଧ୍ୟ ପଶ୍ଚାତ୍‌ପଦ ହୁଅନ୍ତିନାହିଁ । ସୁପ୍ରିମକୋର୍ଟଙ୍କ  ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ପ୍ରଦାନ କେତେଦୂର ସାମ୍ବିଧାନସମ୍ମତ  ତାହା ସାମ୍ବିଧାନିକ ବ୍ୟବସ୍ଥାର ସଠିକ୍‌ ଅଧ୍ୟୟନ ଓ  ଉପସ୍ଥାପନା ମାଧ୍ୟମରେ ସ୍ପଷ୍ଟ କରାଯାଇପାରେ । 

ସମ୍ବିଧାନର  ଅନୁଚ୍ଛେଦ-୫୨ ଓ ୫୩ ଭାରତର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରର  ସର୍ବୋଚ୍ଚ ଓ ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ କରିଥାଏ ।  ସେ ରାଷ୍ଟ୍ରର ସର୍ବୋଚ୍ଚ ସେନାଧ୍ୟକ୍ଷ ମଧ୍ୟ । ସମ୍ବିଧାନର ଅନୁଚ୍ଛେଦ-୧୨୪ ଅନୁଯାୟୀ ରାଷ୍ଟ୍ରପତି,  ଦେଶର ମୁଖ୍ୟ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତିଙ୍କୁ ନିଯୁକ୍ତି କରିଥାନ୍ତି ।  ରାଷ୍ଟ୍ରପତି ତାଙ୍କର ଆଦେଶକ୍ରମେ ସଂସଦରେ ମହାଭିଯୋଗ ପାଳନ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟର କୌଣସି  ବିଚାରପତିଙ୍କୁ ପ୍ରମାଣିତ ଦୁର୍ବ୍ୟବହାର ବା ଅକ୍ଷମତା  କାରଣରୁ ପଦଚ୍ୟୁତ କରିଥାନ୍ତି । ଅନୁଚ୍ଛେଦ-୭୨ ଅନୁଯାୟୀ ସୁପ୍ରିମକୋର୍ଟ ସମେତ ଦେଶର ଯେକୌଣସି ନ୍ୟାୟାଳୟ  ଦ୍ୱାରା ମୃତ୍ୟୁଦଣ୍ଡ ବା ଅନ୍ୟ କୌଣସି ଦଣ୍ଡରେ ଦଣ୍ଡିତ  କୌଣସି ଦୋଷୀସାବ୍ୟସ୍ତ ବ୍ୟକ୍ତି ସଂପୂର୍ଣ୍ଣ କ୍ଷମାପ୍ରଦାନ ବା  ଦଣ୍ଡକୁ ସ୍ଥଗିତ, ବିରତ, ନିଲମ୍ବିତ ବା ହ୍ରାସ କରିପାରିବେ । 

ରାଷ୍ଟ୍ରପତି କୌଣସି ଆଇନ ବା ତଥ୍ୟ ଉପରେ ସ୍ପଷ୍ଟୀକରଣ  ପାଇଁ ଅନୁଚ୍ଛେଦ-୧୪୩ ଅନୁଯାୟୀ ସୁପ୍ରିମକୋର୍ଟର  ପରାମର୍ଶ ଲୋଡ଼ିପାରନ୍ତି, କିନ୍ତୁ ସେହି ପରମର୍ଶକୁ ଗ୍ରହଣ ବା କାର୍ଯ୍ୟକାରୀ କରିବାକୁ ସେ ବାଧ୍ୟ ନୁହଁନ୍ତି । ଭାରତର ରାଷ୍ଟ୍ରପତି ଆମେରିକୀୟ ରାଷ୍ଟ୍ରପତିଙ୍କ ଭଳି  ଦେଶର ସର୍ବଶକ୍ତିମାନ ଶାସକ ହୋଇନପାରନ୍ତି, କିନ୍ତୁ  ସେ ନିଶ୍ଚିତରୂପେ ବ୍ରିଟିଶ ରାଜା ବା ରାଣୀଙ୍କଠାରୁ ଖୁବ୍‌  ଉଚ୍ଚରେ । 

ଭାରତୀୟ ରାଷ୍ଟ୍ରପତି ଅନୁଚ୍ଛେଦ-୫୪ ଅନୁଯାୟୀ  ସଂସଦର ଉଭୟ ଗୃହ ତଥା ବିଧାନସଭାମାନଙ୍କର ସମସ୍ତ  ନିର୍ବାଚିତ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ।  ସମଗ୍ର ସାମ୍ବିଧାନିକ ବ୍ୟବସ୍ଥାକୁ ଗ୍ରହଣ କଲେ ଏହା  ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ରାଷ୍ଟପତି କେବଳ ରାଷ୍ଟ୍ରର କାର୍ଯ୍ୟପାଳିକାର ମୁଖ୍ୟ ନୁହଁନ୍ତି, ସେ ମଧ୍ୟ ବିଧିପାଳିକା  ଓ ନ୍ୟାୟପାଳିକାର ମୁଖ୍ୟ ଅଟନ୍ତି । ଅନୁଚ୍ଛେଦ-୭୯ ସ୍ପଷ୍ଟ  ଉଲ୍ଲେଖ କରେ ଯେ, ସଂସଦର ଅର୍ଥ ହେଲା ରାଷ୍ଟ୍ରପତି,  ରାଜ୍ୟସଭା ଓ ଲୋକସଭା । ଏଭଳି କ୍ଷେତ୍ରରେ ମାନ୍ୟବର  ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମହାମହୀମ  ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା କଦାଚିତ୍‌  ସମ୍ବିଧାନସମ୍ମତ ହୋଇନପାରେ । 

ଦ୍ୱିତୀୟ ପ୍ରଶ୍ନର ବିଚାର କରାଯାଉ । ସମ୍ବିଧାନରେ  କୌଣସି ବିଷୟକୁ ଯୋଗ ବା ବିଯୋଗ କରିବାପାଇଁ  ସମ୍ବିଧାନ ସଂଶୋଧନ ନିତାନ୍ତ ଆବଶ୍ୟକ । ଅନୁଚ୍ଛେଦ  ୩୭୮ ଅନୁଯାୟୀ ସମ୍ବିଧାନର ସମସ୍ତ ସଂଶୋଧନ କେବଳ  ସଂସଦର ଉଭୟ ଗୃହଦ୍ୱାରା କରାଯିବ ଏବଂ କେତେକ  ବିଶେଷ ସଂଶୋଧନ ପାଇଁ ରାଜ୍ୟ ବିଧାନସଭାମାନଙ୍କର  ସଂଖ୍ୟାଧିକ ସମର୍ଥନ ମଧ୍ୟ ଆବଶ୍ୟକ ହୋଇଥାଏ । ସୁପ୍ରିମକୋର୍ଟ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ରୂପେ  ସମ୍ବିଧାନର ଶ୍ରେଷ୍ଠ ବ୍ୟାଖ୍ୟାକାର ଏବଂ ସେ ଯେଭଳି  ସାମ୍ବିଧାନିକ ବ୍ୟାବସ୍ଥା ବା ଅନୁଚ୍ଛେଦମାନଙ୍କୁ ବ୍ୟାଖ୍ୟା  କରିବେ ତାହା ସର୍ବଦା ଗ୍ରହଣୀୟ। ଅନୁଚ୍ଛେଦ-୧୪୧  ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟ ଆଇନକୁ ଯେଭଳି ଘୋଷିତ  ବା ବ୍ୟାଖ୍ୟା କରିବେ ତାହାକୁ ଦେଶର ସମସ୍ତ ନ୍ୟାୟାଳୟ  ମାନିବାକୁ ବାଧ୍ୟ । ଅନୁଚ୍ଛେଦ-୧୪୨ ଅନୁଯାୟୀ କୌଣସି  ମାମଲାର ସଂପୂର୍ଣ୍ଣ ନ୍ୟାୟପାଇଁ ସୁପ୍ରିମକୋର୍ଟ ଯେକୌଣସି  ଆଦେଶ ଜାରି କରିବାକୁ ସକ୍ଷମ । 

କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସୁପ୍ରିମକୋର୍ଟ  ସଂସଦର କ୍ଷମତା ହରଣ କରି ସମ୍ବିଧାନର ସଂଶୋଧନ  କରିଦେବେ । ଆମର ସମ୍ବିଧାନକୁ ଯେଉଁ ପ୍ରଣେତାମାନେ  ପ୍ରଣୟନ କରିଛନ୍ତି ସେମାନଙ୍କ ସାଧୁତା, ସଚ୍ଚୋଟତା,  ବିଜ୍ଞତା ତଥା ଦେଶପ୍ରେମ ନିଃସନ୍ଦେହ ଭାବରେ ଅନନ୍ୟ  ଓ ଅଦ୍ୱିତୀୟ । ପ୍ରତ୍ୟେକ ଅନୁଚ୍ଛେଦର ପ୍ରତ୍ୟେକ ଶବ୍ଦକୁ  ନିର୍ଭୁଲ ଭାବରେ ଚୟନ କରାଯାଇ ତଥା ତାର ଯଥାର୍ଥତାକୁ  ପ୍ରାଞ୍ଜଳ, ସୁଦୀର୍ଘ ଭାବରେ ଆଲୋଚନା କଲାପରେ  ଅନୁଚ୍ଛେଦକୁ ସମ୍ବିଧାନରେ ସ୍ଥାନିତ କରାଯାଇଛି ।  ସମ୍ବିଧାନରେ ଯଦି ବିଧାନସଭାରେ ପାରିତ କୌଣସି  ବିଲ୍‌କୁ ରାଷ୍ଟ୍ରପତି ଅନୁମୋଦନ କରିବାପାଇଁ କୌଣସି  ସମୟ ନିର୍ଦ୍ଦିଷ୍ଟ କରିନାହାଁନ୍ତି, ତେବେ ତାର ନିଶ୍ଚୟ କିଛି  ଯଥାର୍ଥ କାରଣ ଥିବ । 

 ଗତ କିଛିବର୍ଷ ହେଲା ସଂସଦ ଦ୍ୱାରା ପାରିତ  କେତେକ ଆଇନକୁ ମାନିବେନାହିଁ ବୋଲି କେତେକ  ରାଜ୍ୟ ସରକାର ଯେଉଁ ଘୋଷଣା କରୁଛନ୍ତି ତାହା ଆମର  ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ପ୍ରତି ସ୍ପଷ୍ଟ ଅପମାନ ଓ  ଆଘାତ । ଯେଉଁ ପରିସ୍ଥିତି ପାଇଁ ସୁପ୍ରିମକୋର୍ଟ ଏଭଳି  ଏକ ବିବାଦାସ୍ପଦ ରାୟ ପ୍ରକାଶ କରିଛନ୍ତି, ତାହା ନୂତନ  ବା ଅଭୂତପୂର୍ବ ନୁହେଁ । ଭାରତୀୟ ଗଣତନ୍ତ୍ରର ତୃତୀୟ  ସ୍ତମ୍ଭ ରୂପେ ପରିଚିତ ନ୍ୟାୟପାଳିକା ଅନ୍ୟ ଦୁଇ ସ୍ତମ୍ଭ  ବିଧିପାଳିକା ଓ କାର୍ଯ୍ୟପାଳିକା ଅପେକ୍ଷା ଅଧିକ ସମ୍ମାନିତ  ଓ ବିଶ୍ୱାସଯୋଗ୍ୟ ଏଥିରେ କୌଣସି ସନ୍ଦେହ ନାହିଁ ।  କିନ୍ତୁ ଏହି ସମ୍ମାନ ଓ ବିଶ୍ୱାସ ସେତେକାଳ ପର୍ଯ୍ୟନ୍ତ  ବଜାୟ ରହିବ, ଯେପର୍ଯ୍ୟନ୍ତ ନ୍ୟାୟପାଳିକା ଏହାର  ନିଜସ୍ୱ ମୁଖ୍ୟ କର୍ତ୍ତବ୍ୟ ପାଳନ କରି ଯଥାର୍ଥ ନ୍ୟାୟ  ପ୍ରଦାନ କରିବାକୁ ସକ୍ଷମ ହେଉଥିବ ଏବଂ ସାମ୍ବିଧାନିକ  ମର୍ଯ୍ୟାଦା ପାଳନପୂର୍ବକ ଗଣତନ୍ତ୍ରର ଅନ୍ୟ ସ୍ତମ୍ଭମାନଙ୍କୁ  ସେମାନଙ୍କର କର୍ତ୍ତବ୍ୟ ପାଳନ ବା କ୍ଷମତାର ସଦୁପଯୋଗ  କରିବାରେ କୌଣସି ବାଧକ ହେଉନଥିବ । ନ୍ୟାୟପାଳିକା  ମଧ୍ୟ ସର୍ବଦା ସଚେତନ ହେବା ଉଚିତ୍‌ ଯେ, ଭାରତୀୟ  ଗଣତନ୍ତ୍ରରେ ସମ୍ବିଧାନ ସର୍ବୋଚ୍ଚ ଏବଂ ଭାରତୀୟ ଜନତା  ହିଁ ସର୍ବଶକ୍ତିମାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.