ଲୁଣ ଆମ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ହିଁ ନଥାଏ । ବିନା ଲୁଣରେ କୌଣସି ଖାଦ୍ୟ ପାଟିରେ ଦେଇହୁଏନି । ମାତ୍ର ସବୁ ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ଏଇ ଲୁଣର ମୂଲ୍ୟ ଅନ୍ୟ ଖାଦ୍ୟ ପଦାର୍ଥମାନଙ୍କ ତୁଳନାରେ ଢେର୍ କମ୍ । ଏତେ ଶସ୍ତା ଯେ ଲାଗିବ ସତେଯେମିତି ଏଇଟା ସବୁଠୁ ଅଲୋଡ଼ା ଅଦରକାରୀ ପଦାର୍ଥ । ଆଗେ ତ ଗାଁ ଗହଳରେ ଦୋକାନମାନଙ୍କରେ ଲୁଣବସ୍ତା ସବୁ ଦୋକାନ ବାହାରେ ଥୁଆ ହଉଥିଲା । ପରିବା କିଣିଲେ ଯେମିତି ଦୋକାନୀ କଞ୍ଚାଲଙ୍କା ଦିଇଟା ମାଗଣାରେ ଦେଇଦିଏ, ଆଗେ ସେମିତି ଅନ୍ୟ ତେଜରାତି ଜିନିଷ କିଣିଲେ ଦୋକାନୀ ଲୁଣ ଗଣ୍ଡେ ମାଗଣାରେ ଦେଇ ଦଉଥିଲା । ଲୋକଙ୍କୁ ପଇସା ଦେଇ ଲୁଣ ଆଣିବାକୁ ପଡୁନଥିଲା । ଲାଗୁଥିଲା ଲୁଣ ଯେମିତି ଏକ ଇପ୍ସିତ ନୁହେଁ ବରଂ ଉପେକ୍ଷିତ ସାମଗ୍ରୀ । ଭୋଜିଭାତରେ ମଧ୍ୟ ଦେଖିଥିବେ ଲୁଣ ଲଙ୍କା ଦଉଥିବା ଲୋକଟି ସବୁଠୁ ଉପେକ୍ଷିତ । କେହି ତାକୁ ଡାକନ୍ତିନି, ଯେଯାଏଁ କୌଣସି ଜିନିଷ ଅଲଣା ନଲାଗିଚି ।
ଅପରପକ୍ଷରେ ମାଛ, ମାଂସ, ଡାଲି, ଖଟା, ଖିରି ଆଦି ବାଢ଼ୁଥିବା ଲୋକଙ୍କୁ ଡକା ପଡୁଥାଏ ବାରମ୍ବାର । ଲୁଣକୁ ଆମ ସଂସ୍କୃତିରେ ବିଶ୍ୱାସ ଓ କୃତଜ୍ଞତାର ପ୍ରତୀକ ବୋଲି ଧରାଯାଏ । କୁହାଯାଏ, ଯାହାର ଲୁଣ ଖାଇଥିବ ତାକୁ କେବେ ବିଶ୍ୱାସଘାତ କରିବା ଉଚିତ ନୁହେଁ । ଏଭଳି କରୁଥିବା ଲୋକଙ୍କୁ ନିମକ ହାରାମ କୁହାଯାଏ । ଆମ ସଂସ୍କୃତିରେ ଲୁଣକୁ ପବିତ୍ରତାର ଓ ଭାଗ୍ୟର ପ୍ରତୀକ ରୂପେ ମଧ୍ୟ ଗଣାଯାଏ । ସେହିଭଳି ଘର ପୋଛିଲା ବେଳେ ବାସ୍ତୁବିତମାନେ ପାଣିରେ ଲୁଣ ପକେଇ ପୋଛିବାକୁ କହିଥାନ୍ତି । କାରଣ ଏହା ପବିତ୍ରତା ଆଣେ, ଅଶୁଭତ୍ୱ ଦୂର କରେ ଓ ଘରକୁ ଜୀବାଣୁମୁକ୍ତ କରେ । ଗୁଜରାଟରେ ବାହାଘର ସମୟରେ ଓ ନବବର୍ଷ ସମୟରେ କିଛି ଲୁଣରୁ ହିଁ କିଣାକିଣି ଆରମ୍ଭ ହୁଏ । ଲୁଣ ଆମ ଅର୍ଥନୀତିକୁ ଓ ସମାଜ ତତ୍ତ୍ୱକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି । ଲୁଣକୁ ନେଇ ଅନେକ ରାଜନୀତି, କୂଟନୀତି ମଧ୍ୟ ହେଇଚି । ଲୁଣକୁ ନେଇ ହେଇଚି ଯୁଦ୍ଧ, ହେଇଚି ବିପ୍ଳବ । ଲୁଣ ଆମ ଜୀବନକୁ ନାନା ଭାବେ ଆକ୍ରାନ୍ତ କରିଚି । ପ୍ରଭାବିତ କରିଚି । ଲୁଣ ବିନା ଜୀବନ ନାହିଁ । ଲୁଣ ଅଭାବରେ ଶରୀର ରୋଗଗ୍ରସ୍ତ ହେଇପଡ଼େ । ଲୁଣ ବିନା ମଣିଷର ମାନସିକ ବିକାର ସୃଷ୍ଟିହୁଏ ।
ଜଙ୍ଗଲର ପଶୁପକ୍ଷୀମାନେ ମଧ୍ୟ ଲୁଣ ସନ୍ଧାନରେ ଜଙ୍ଗଲ ଉପକଣ୍ଠକୁ ଛୁଟି ଆସନ୍ତି । ଲୁଣ ଯେମିତି ସବୁ ଖାଦ୍ୟର ଆଧାର, ମାତ୍ର ଅନେକାଂଶରେ ଅନାଲୋଚିତ ଏବଂ ନିରବ, ସେମିତି ଜୀବନଚକ୍ରରେ ଅନେକ ଆଧାରଶିଳା ଉପେକ୍ଷିତ ହେଇଯାଏ । ପିଲାଟିର ଜୀବନକୁ ଗଢ଼ିଥିବା ବାପାମାଆ, ଭାଇ ଭାଉଜ ପରବର୍ତ୍ତୀ ସମୟରେ ଉପେକ୍ଷିତ ହେଇଯାଆନ୍ତି । ପ୍ରାଥମିକ ସ୍ତରରେ ପିଲାର ଜୀବନରେ ଶିକ୍ଷାର ଭିତ୍ତିଭୂମି ସଜାଡ଼ିଥିବା ଶିକ୍ଷକଙ୍କ ଭୂମିକା ପରବର୍ତ୍ତୀ ସମୟରେ ଗୌଣ ହେଇଯାଏ । ଘର ତିଆରିବେଳେ ନିଅଁରେ ଲାଗିବାକୁ ଥିବା ପଥର ବାଲି ଓ ସିମେଣ୍ଟ ମାଟିତଳେ ତ ପୋତାହବ ତେଣୁ ନିମ୍ନମାନର ହେଲେ ଚଳିବ ବୋଲି ଆମେ ଭାବିନେଉ । ଆମର ଧାରଣା ଏସବୁ ତ ମାଟିତଳେ ପୋତି ହେଇଯିବ, ତେଣୁ ଏଥିରେ ଗୁରୁତ୍ୱ ଦେଇ ଲାଭ କ'ଣ? ମାତ୍ର ଆମେ ବୁଝୁନା ଘରର ଭବିଷ୍ୟତ ପାଇଁ ନିଅଁ କେତେ ଗୁରୁତ୍ୱପୂର୍ଣ୍ଣ । ନିଅଁ କେବେ ଦାବି କରେନା ଯେ ମୋତେ ଗୁରୁତ୍ୱ ଦିଆଯାଉ । ମାତ୍ର ଘର, କାନ୍ଥ, କବାଟ, ଝରକା, ପାଚେରି, ଚଟାଣ ଏମାନେ ଗୁରୁତ୍ୱ ଦାବି କରନ୍ତି, କାରଣ ସେମାନଙ୍କୁ ଦେଖିବାକୁ ଲୋକ ଆସିବେ ।
ଏକଥା ଦୁଇଟି ଭିତରେ ତଫାତ୍ ଯେତେବେଳେ ମାଲିକ ବୁଝିପାରେନି ସେ ଉଭୟଙ୍କୁ ସମାନ ଦୃଷ୍ଟି ନଦେଇ ବେଳେବେଳେ ନିଅଁକୁ କମ୍ ଗୁରୁତ୍ୱ ଦିଅନ୍ତି । ଫଳସ୍ୱରୂପ ଘରର ସ୍ଥିତି ଦୁର୍ବଳ ହେଇପଡ଼େ, ଭବିଷ୍ୟତ ଅସ୍ଥିର ହେଇପଡ଼େ । ଆରମ୍ଭରୁ ଲୁଣ ପଡ଼ିନଥିବା ତରକାରିଟିରେ ପରେ ଯେତେ ଲୁଣ ପକେଇଲେ ବି ସେ ସ୍ୱାଦ ଆଉ ଆସେନା । ପରେ ପଡ଼ିଥିବା ଲୁଣ, ପରିବା ଭିତରକୁ ଭେଦିପାରେନା । ତେଣୁ ଝୋଳ ଲୁଣିଆ ଲାଗେ ତ ପରିବା ଅଲଣା । ତାଳମେଳ ରହେନା କାହାର କାହା ସହ । ସ୍ୱାଦ ନଷ୍ଟ ହେଇଯାଏ । ତରକାରି ସୁସ୍ୱାଦୁ ହେବାକୁ ହେଲେ ଲୁଣର ସଠିକ୍ ମାତ୍ରା ଓ ପଡ଼ିବାର ସଠିକ୍ ସମୟ ଉଭୟ ସମାନ ଭାବେ ଜରୁରି । ଏଥିରେ ଯଦି ଏପଟ ସେପଟ ହେଲା ତେବେ କଥା ବିଗିଡ଼ିଯାଏ । ସେଇଭଳି ଜୀବନରେ କୋଉ କୋଉ ଜିନିଷ ଲୁଣ ଭଳି ଜରୁରି ତାକୁ ଚିହ୍ନଟ କରିପାରିବାଟା ଜଣେ ଜୀବନ ସୂପକାର ପକ୍ଷେ ନିତାନ୍ତ ଜରୁରି । ଆମ ଜୀବନରେ କେଉଁ କେଉଁ ବ୍ୟକ୍ତି, କେଉଁ କେଉଁ ପଦାର୍ଥ, କେଉଁ କେଉଁ ସମୟ କେତେ ଜରୁରି ତାହାର ସଠିକ୍ ନିରୂପଣ ଆମକୁ ଜୀବନର ସଫଳ ରୂପକାର ବନାଏ । ଏଥିରେ ଏପଟ ସେପଟ ହେଇଗଲେ, ଆମ ଜୀବନର ଗତିପଥ ବଦଳିଯାଏ । ଯେଉଁ ଲୋକମାନେ ଆମ ଜୀବନର ମୋଡ଼ ବୁଲେଇବା କଥା ସେମାନଙ୍କୁ ଆମେ ଚିହ୍ନି ନପାରିଲେ ସେମାନେ ଅଚିହ୍ନା ଅଲୋଡ଼ା ହେଇ ବାଟ ଭୁଲି କିମ୍ବା ମାନ କରି ଅନ୍ୟଆଡ଼େ ଚାଲିଯାଆନ୍ତି । ସେମାନେ କେବେ ଅପେକ୍ଷା କରନ୍ତି ନାହିଁ । ହୁଏତ ତାଙ୍କ ଆଶୀର୍ବାଦର ସ୍ପର୍ଶରେ ସେମାନେ ଅନ୍ୟ କାହାର ଜୀବନ ବଦଳେଇ ଦେଇପାରନ୍ତି । ଆମ ଜୀବନ ଯୋଉ ତିମିରେକୁ ସେଇ ତିମିରେ ରହିଯାଏ । ଯେଉଁ ସମୟ ସବୁ ଆମ ଜୀବନରେ କଷଟିପଥର ଭଳି ଆସେ ସେ ସମୟକୁ ଚିହ୍ନିନପାରିଲେ, ସେ ଚାଲିଯାଏ ତା’ ବାଟରେ । ତା’ ସହିତ ଆସିଥିବା ସୁଯୋଗ ବି ଚାଲିଯାଏ ତାର ଛାଇ ଅନୁସରଣ କରି କରି । ଜୀବନରେ ଆସିବାକୁ ଥିବା ସଠିକ୍ ସମୟ ସୁଯୋଗ ଓ ଚରିତ୍ରମାନଙ୍କ ଉପଯୁକ୍ତ ଆଦର, ଅଭ୍ୟର୍ଥନା କରି ନଜାଣିଲେ, ଜୀବନ ନିରାଧାର ହେଇଯାଏ, ନିଃସ୍ୱ ହେଇଯାଏ ।
ଜୀବନର ସ୍ୱାଦ ଅଲଣା ହେଇଯାଏ । ମୋଡ଼ ବଦଳି ଯାଏ । କହିବା ବାହୁଲ୍ୟ ହେବ, ଜୀବନ ସଉଦା କରିବାକୁ ବାହାରିଲା ବେଳେ ସଉଦା ଚିଠାରେ ଲୁଣ ଚିନି କଥା ଲେଖିବାକୁ ଭୁଲିଗଲେ, ଯେତେ ତେଲ ମସଲା ଆସିଥିଲେ ବି ଖାଦ୍ୟ ରୁଚିକର ଓ ସ୍ୱାଦିଷ୍ଟ ହେବ ନାହିଁ । ଯେଉଁ ଲୋକମାନେ ଲୁଣ ପରି, ଚିନି ପରି ଆମ ଜୀବନରେ ସ୍ୱାଦ ଭରିଥାନ୍ତି ତାଙ୍କୁ ଛାଡ଼ି ଜୀବନର ପରିକଳ୍ପନା କରି ହୁଏନାହିଁ । ସେମାନଙ୍କ ବିନା ଜୀବନ ଅଲଣା ଲାଗିବ । ସେମାନଙ୍କୁ ଛାଡ଼ି ଜୀବନ, ଜୀବନ ପଦବାଚ୍ୟ ହେବନାହିଁ । ସେ ଜୀବନ ହୁଏତ ଏକ ନିମକ ହାରାମ ଜୀବନ ହେବ । ସ୍ୱାର୍ଥପର ସେ ଜୀବନର ତର୍କାରି ଥାଳିଟି ହୁଏତ ତେଲ ମସଲାରେ ଭାସୁଥିବ, ମାତ୍ର ତାକୁ କେହି ପାଟିରେ ଦେବେନାହିଁ । ଦେଲେ ମଧ୍ୟ ଥୁ ଥୁ କରି ତାକୁ ଫିଙ୍ଗିଦେବେ । ସେଭଳି ଖାଦ୍ୟ କୋଉ ଖାଦ୍ୟ ପଦବାଚ୍ୟ ହେବ ନା ସେଭଳି ରାନ୍ଧଣା ରାନ୍ଧୁଥିବା ରାନ୍ଧୁଣିଆ କୋଉ ରାନ୍ଧୁଣିଆ ପଦବାଚ୍ୟ ହେବ? ଏକଥା ସବୁ ହୁଏତ ଏ ସ୍ୱାର୍ଥପର ସମୟରେ ଅଲଣା ଲାଗିପାରେ । ହେଲେ ଏକଥା ସତ ଯେ, ରୋଷେଇ ଘରେ ଚୁଲି ଯେତିକି ଲୋଡ଼ା, ହାଣ୍ଡି ଯେତିକି ଲୋଡ଼ା, ନିଆଁ ଯେତିକି ଲୋଡ଼ା, ତେଲ ମସଲା ପନିପରିବା, ମାଛ, ମାଂସ ଯେତିକି ଲୋଡ଼ା, ଲୁଣ କାଠୁଆଟି ମଧ୍ୟ ସେତିକି ଲୋଡ଼ା । ନହେଲେ ସେ ରୋଷେଇ ଘରଟି ବା ସେ ଡାଇନିଂ ଟେବୁଲଟି ଡୋର ନଥିବା ପାଇଜାମା ଭଳି ବା ବାହୁ ନଥିବା ଚଷମା ଭଳି କୋଉ କାମର ନୁହେଁ ।