ମିଥ୍ୟା ହେବନାହିଁ, ଯଦିଓ ଏହା ପ୍ରେମଭାବରେ ଅତିଶୟୋକ୍ତି । ପ୍ରେମରେ ମଣିଷ ଜଳେ, ଡୁବେ, ମରି ମଧ୍ୟ ଯାଏ, ଯାହା ସତ୍ୟ ମିଥ୍ୟା ଉପରେ ଅନ୍ୟ ଏକ ପରମାର୍ଥିକ ଅନୁଭବ । ଏହା ମଧ୍ୟ ଈଶ୍ୱର ଅଛନ୍ତି ନାହାନ୍ତି ପରି ସତ ମିଛ ଊଦ୍ଧ୍ୱର୍ରେ । ତେବେ କାହାକୁ ଆମେ ମିଛୁଆ କହିବା? ପ୍ରେମିକାକୁ ଯଦି କୁହାଯାଏ- ପ୍ରିୟା ଗୋ ତୁମେ ହସିଦେଲେ ବିଜୁଳି ଖେଳିଯାଏ । ସେହି ପ୍ରିୟା କହିବ- ଯା ଯା ମିଛୁଆ । ଏଠି ମିଛୁଆ ଶବ୍ଦ ମଧ୍ୟ ସତ୍ୟମିଥ୍ୟାର ଉପରେ ।
‘ସଂସାର ଅନିତ୍ୟ ଜୀବନ ମିଥ୍ୟା’ ଯଦି ଏ ପୃଥିବୀରେ ଜୀବନ ସର୍ତ୍ତ ହୁଏ, ତେବେ କାହିଁକି ଦୀର୍ଘ ସହସ୍ରାବ୍ଦୀମାନଙ୍କୁ ଧରି ମଣିଷ ବଞ୍ଚିବାର ବିଚିତ୍ରାନୁଷ୍ଠାନ ଚଳାଇଛି? ଏବଂ କାହା ନିର୍ଦ୍ଦେଶରେ? ସମେସ୍ତ କହନ୍ତି ଏ ବିଶ୍ୱମଞ୍ଚରେ ମଣିଷ ଅଭିନେତା ଭାବେ ଆସେ ଏବଂ ନିଜ ଭୂମିକା ସାରି ଅପସରି ଯାଏ । କିନ୍ତୁ ମଞ୍ଚ ଖାଲି ହୁଏନାହିଁ କି ଅଭିନୟ ସରେନାହିଁ ମଣିଷର । ତେବେ ଏ ଅମର ନାଟକର ନିର୍ଦ୍ଦେଶକ କିଏ? ଏହି ମୌଳିକ ପ୍ରଶ୍ନର ଉତ୍ତର ଖୋଜିବାବେଳେ ବୋଧହୁଏ ମିଥ୍ୟାର ବିଭିନ୍ନ ରୂପ ଦେଖାଯାଏ । ତର୍କର ଅନେକ ଯୁକ୍ତିଯୁକ୍ତ ମିଥ୍ୟା ମଣିଷ ପ୍ରକାଶ କରେ । ମଣିଷ ନିର୍ଦ୍ଦେଶକର ସନ୍ଧାନ କରେ କାରଣ ଦୁଃଖ, ଯନ୍ତ୍ରଣା, ରୋଗ ଭୋକ ତାକୁ ସେହି ନିର୍ଦ୍ଦେଶକ ବା ସ୍ରଷ୍ଟାକୁ ପଚାରିବାକୁ ଚାହେଁ କାହିଁକି? ଆମ ଦୁଃଖର ବିଭିନ୍ନତା କ’ଣ ତୁମ ଆନନ୍ଦବିଚିତ୍ରା? କେହି ଯେହେତୁ ଖୋଜିବାର ଶେଷବିନ୍ଦୁରେ ଉଭା ହୁଅନ୍ତି ନାହିଁ । ମଣିଷ ଶୂନ୍ୟ, ରୂପ, ନାମ କଳ୍ପନା କରି ଯୁକ୍ତି ବାଢ଼େ । ଏହି ଯୁକ୍ତି ବିଭିନ୍ନତା ମଣିଷକୁ ବଞ୍ଚାଇ ରଖେ । କାରଣ ସତ୍ୟ ପାଇଗଲେ ସବୁ ବନ୍ଦ ହେଇଯିବ । ସତ୍ୟ ଏକ, ବିପ୍ରାଃ ବହୁଧା ବଦନ୍ତି । କଥା ତେଣୁ ବେଶ୍ ମନଛୁଆଁ ହେଇଯାଏ । ସତ୍ୟ ଯଦି ଏକ, ପଣ୍ଡିତମାନେ ଯେଉଁ ବିଶ୍ଳେଷଣ କରନ୍ତି ସେସବୁ ନିଶ୍ଚୟ ମିଥ୍ୟା ।
ସେହି ଏକ ସତ୍ୟ ପଣ୍ଡିତ(ଓ ମୂର୍ଖ) ମାନଙ୍କ ପାଇଁ ଅଲଗା ଅଲଗା ରୂପ ନିଏ । ତେଣୁ ଏହି ରୂପଗୁଡ଼ିକ ସତ୍ୟର ମିଥ୍ୟା ରୂପ, ଯେହେତୁ ସେହି ଏକ ସତ୍ୟ ଅନାବିଷ୍କୃତ । ଯଦି ମଣିଷ କୌଣସି ପ୍ରଶ୍ନ ପଚାରନ୍ତା ନାହିଁ ଏବଂ ନିଜକୁ ସେହି ଏକମାତ୍ର ସତ୍ୟ ମନେକରି ଦୁଃଖ-ଆନନ୍ଦର ଜୀବନ ବଞ୍ଚନ୍ତା ହୁଏତ ସତ୍ୟ-ମିଥ୍ୟା କିଛି ନଥାନ୍ତା । କିନ୍ତୁ ଏପରି ବଞ୍ଚିବା ଲାଗି ମଣିଷ ବାକ୍ଶକ୍ତିବିହୀନ ହେବାକୁ ପଡ଼ିବ । ଯଦି ଚିନ୍ତା, ଭାଷା, ବାକ୍ଶକ୍ତି ଅଛି ତେବେ ମୂକ ହୋଇ ବଞ୍ଚିବା ଅସମ୍ଭବ । ଯେତେ ଭାଷା ସେତେ ସତ୍ୟ। ଯେତେ ଆସ୍ଥା ବିଶ୍ୱାସ ସେତେ ସ୍ରଷ୍ଟା-ନିର୍ଦ୍ଦେଶକ। ସେତେ ଯୁକ୍ତି ଏବଂ ସେତେ ମିଥ୍ୟା । ଯେହେତୁ କୌଣସି ସତ୍ୟ ଶେଷ-ଚିରନ୍ତନ-ଶାଶ୍ୱତ ନୁହେଁ, ଅନ୍ୟସବୁ ଭାବ, ଚିନ୍ତା, କଳ୍ପନାର ସତ୍ୟ କେବଳ ମିଥ୍ୟା । ଦେବଦତ୍ତ ପଟ୍ଟନାୟକ ତାଙ୍କର ଗୋଟିଏ ବହିର ଶୀର୍ଷକ ଦେଇଛନ୍ତି ‘ମିଥ୍ ମିଥ୍ୟା’ । ସବୁ ମିଥ୍ ମିଥ୍ୟା । ତାଙ୍କର ବହିର ଭିତରଟି ସେହିପରି ମିଥ୍ୟା । କାରଣ ବହିରେ କୌଣସି ସତ୍ୟର ପ୍ରାମାଣିକତା ନାହିଁ ।
ଏବେ ଦେଖାଯାଉ କେତୋଟି ଆବିଷ୍କୃତ ସତ୍ୟ: ଅମୃତସ୍ୟ ପୁତ୍ରାଃ³ ‘Quintessence of dust.’ ଧୂଳିର ମୂଳବାଦ (ସେକ୍ସପିୟର) । ସେଇ ମଣିଷଟା କେମିତି ମଣିଷକୁ ଅମରବିଳାସୀ । ସବୁ ପୂର୍ଣ୍ଣ, ସବୁ ଶୂନ୍ୟ ଏବଂ ଶୂନ୍ୟ ହିଁ ପୂର୍ଣ୍ଣ, ପୂର୍ଣ୍ଣ ହିଁ ଶୂନ୍ୟ ମଧ୍ୟ ସତ୍ୟର ପରିଭାଷା ଭାବେ ବ୍ୟବହୃତ ହୋଇଛି । ଏଗୁଡ଼ିକ ତେବେ କ’ଣ? ସତ୍ୟ ବା ମିଥ୍ୟା? ଗୋଟିଏପଟେ ପ୍ରକୃତିର ମାଟିପାଣିଆ କାମ, ଗଛ ମାଛର ବର୍ଣ୍ଣାଳୀ, ଅନ୍ୟ ଦିଗରେ ମଣିଷ ହାତଗଢ଼ା ସପ୍ତାଶ୍ଚର୍ଯ୍ୟ, ଆଇଫିଲ ଟାୱାର, ତାଜମହଲ ଇତ୍ୟାଦି । ବକିଂହାମ ପାଲେସ, ଲାଲକିଲ୍ଲା, ଏକତାର ମୂର୍ତ୍ତି (ସର୍ଦ୍ଦାର ପଟେଲ) ଓ କୋଣାର୍କ ଶିଳାର ସୂଚୀକର୍ମ, କେଉଁଟା ସତ? ମଣିଷ ଯାହା ଦେଖେ, ଅନୁଭବ କରେ ଓ କଳ୍ପନା କରେ ନା ଯାହା କେବଳ ଅନୁମାନ କରେ, ଅଦୃଶ୍ୟ, ଅସ୍ପୃଶ୍ୟ ଭାବେ ଯୁକ୍ତିସିଦ୍ଧ- କେଉଁଟା ସତ ବା ମିଛ? ମଧ୍ୟ ଶୀତର ବର୍ଷା ସତ ବା ଜଳଦହୀନ ନିଦାଘ ଆକାଶ, କେଉଁଟା ସତ? ଖଦ୍ୟୋତର ତାରା ଝଲମଲ ସତ ନା ଲିଚୁ ଆଲୁଅର ଚିକିମିକି ସତ୍ୟ? ହୁଏତ ସବୁ ସତ ଓ ସବୁ ମିଥ୍ୟା ମଧ୍ୟ ।
ମଣିଷର ବିଚରଣ ଇଲାକାରେ ଉଭୟ ସତ୍ୟ ଓ ମିଥ୍ୟା ଆବିଷ୍କୃତ । ମଣିଷର ବାସ୍ତବ ହିଁ ସତ୍ୟ ଯେହେତୁ ତାହା ତଥ୍ୟ ଉପରେ ପ୍ରତିଷ୍ଠିତ । ଉଦାହରଣ ସ୍ୱରୂପ, ଏ ଡାଳରେ ୧୧ଟି ପତ୍ର ଅଛି ବା ଗଙ୍ଗାତୀରରେ ବସୁମତୀପୁର ଗାଁ ଅଛି ପ୍ରମାଣ କରାଯାଇପାରେ । ଏହି ସତ୍ୟ ତଥ୍ୟଭିତ୍ତିକ । କିନ୍ତୁ ଏଇ ଗୋଲାପ ‘ଆଃ କି ସୁନ୍ଦର’ ସତ ହେଲେ ମଧ୍ୟ ଏହା ପ୍ରମାଣ କରିହେବନାହିଁ, କାରଣ ସୁନ୍ଦର ତଥ୍ୟଭିତ୍ତିକ ନୁହେଁ । କିନ୍ତୁ ଯଦି କିଏ କହେ ଗୋଲାପ ଅସୁନ୍ଦର, ତାକୁ କେହି ଗ୍ରହଣ କରିବେନାହିଁ, କାରଣ ପ୍ରତ୍ୟେକ ବ୍ୟକ୍ତି ଭାବ ଓ ଚିନ୍ତାସ୍ତରରେ ଗୋଲାପକୁ ସୁନ୍ଦର ଭାବେ, ଯେହେତୁ ଗୋଲାପ ଦେଖିଲେ ମନରେ ଏକ ରଙ୍ଗ, ସୌଷ୍ଠବ ଓ ସୁଗନ୍ଧର ମିଶ୍ରରାଗ ସୃଷ୍ଟିହୁଏ ଯାହା ଅନୁଭବ କରିହୁଏ । ପ୍ରମାଣ ମଧ୍ୟ କରିହେବ ବିଭିନ୍ନ ତତ୍ତ୍ୱାନୁଶୀଳନ କରି । କିନ୍ତୁ ଅସୁନ୍ଦର ମିଥ୍ୟା ଭାବେ ଗ୍ରହଣୀୟ ହେବ । ତେଣୁ ମିଥ୍ୟା କହିଲେ ଆମେ ବୁଝୁ ଯାହାର ଅସ୍ତିତ୍ୱ ନାହିଁ, ଯାହା ତଥ୍ୟଭିତ୍ତିକ ନୁହେଁ ଏବଂ ଯାହା ଅବାସ୍ତବ । ଯଥା- ଓଡ଼ିଶା ବୋଲି କୌଣସି ରାଜ୍ୟ ନାହିଁ । କିନ୍ତୁ ଈଶ୍ୱର ଅଛନ୍ତି ଏବଂ ନାହାନ୍ତି ଉଭୟ ସତ୍ୟ ଓ ମିଥ୍ୟା ହେଇପାରେ ।
ମଣିଷର ଆସ୍ଥା ବିଶ୍ୱାସ ସତ୍ୟମିଥ୍ୟା ନିରପେକ୍ଷ, ତେଣୁ ତଥ୍ୟ ପ୍ରମାଣ ଅନାବଶ୍ୟକ । ଆଉ ଗୋଟିଏ ବାକ୍ୟ ନିଆଯାଉ- ଭୟ ଆଉ ପାପ ନେଇ ଏ ସମୟ ଅନ୍ତଃସତ୍ତ୍ୱା । ଏହା ଏକ କାବ୍ୟିକ ସତ୍ୟ, କିନ୍ତୁ ଅବାସ୍ତବ ଓ ମିଥ୍ୟା, ଯେହେତୁ ଏହା ତଥ୍ୟଭିତ୍ତିକ ନୁହେଁ । ସେହିପରି ସେକ୍ସପିୟରଙ୍କ ‘ଜୀବନ କେବଳ ଏକ ଚଳନ୍ତା ଛାଇ’ ବା ‘ଜୀବନ ବୋକା ମୁହଁର କାହାଣୀ ପରି ଯାହା ତାତ୍ପର୍ଯ୍ୟହୀନ ଯଦିଓ ତୁମ୍ବିତୋଫାନମୟ’ ଏହା ମଧ୍ୟ କାବ୍ୟିକ ସତ୍ୟ, କିନ୍ତୁ ପରୀକ୍ଷିତ ନୁହେଁ । କିନ୍ତୁ ଏହାକୁ ମିଥ୍ୟା କୁହାଯାଇପାରିବ ନାହିଁ ।
ସେହିପରି ‘ତୁ କ’ଣ କହିଲୁ କେଜାଣି, ମୁଁ କଣ ବୁଝିଲି କେଜାଣି, କାହାଣୀ କିନ୍ତୁ ଗଢ଼ି ଉଠିଲା’ ମଧ୍ୟ ଏକ ସାହିତ୍ୟିକ ସତ୍ୟ ଭାବେ ଗ୍ରହଣ କରାଯାଇପାରେ । ଏଠି ଅବୁଝା ଶବ୍ଦରେ ଜୀବନକାହାଣୀ ସୃଷ୍ଟିହୁଏ । ଓଡ଼ିଆ ଲୋକକଥାରେ ଅଛି- ସଖୀ ଲୋ କାଲି ମୋ କାନ୍ତ ଫୁଲହାରଟିଏ ବେକରେ ଏମିତି ପକାଇ ଦେଲେ ଯେ, ଫୋଟକା ହେଇଗଲା । ମିଥ୍ୟା ହେବନାହିଁ, ଯଦିଓ ଏହା ପ୍ରେମଭାବରେ ଅତିଶୟୋକ୍ତି। ପ୍ରେମରେ ମଣିଷ ଜଳେ, ଡୁବେ, ମରି ମଧ୍ୟ ଯାଏ, ଯାହା ସତ୍ୟ ମିଥ୍ୟା ଉପରେ ଅନ୍ୟ ଏକ ପରମାର୍ଥିକ ଅନୁଭବ । ଏହା ମଧ୍ୟ ଈଶ୍ୱର ଅଛନ୍ତି ନାହାନ୍ତି ପରି ସତ ମିଛ ଊଦ୍ଧ୍ୱର୍ରେ । ତେବେ କାହାକୁ ଆମେ ମିଛୁଆ କହିବା? ପ୍ରେମିକାକୁ ଯଦି କୁହାଯାଏ- ପ୍ରିୟା ଗୋ ତୁମେ ହସିଦେଲେ ବିଜୁଳି ଖେଳିଯାଏ । ସେହି ପ୍ରିୟା କହିବ- ଯା ଯା ମିଛୁଆ । ଏଠି ମିଛୁଆ ଶବ୍ଦ ମଧ୍ୟ ସତ୍ୟମିଥ୍ୟାର ଉପରେ । ଛଳ, ଅଭିମାନ, ସରାଗ ଭାବ ଅବାସ୍ତବ ଲାଗିପାରେ, କିନ୍ତୁ ମିଥ୍ୟା କହିହେବ ନାହିଁ । ମୁଁ ତେଣୁ ସାହିତ୍ୟିକ ସତ୍ୟକୁ ଏକ ସୁନ୍ଦୁରିଆ ମିଛ ବୋଲି କହିଛି ‘ମୋର ସାହିତ୍ୟିକ ସତ୍ୟ’ ପ୍ରବନ୍ଧରେ (ନିଦାଘରେ କବି) । ତେବେ ଆମେ କାହିଁକି ମିଥ୍ୟା ବୋଲି ଅଭିଯୋଗ କରୁ?
ମଣିଷ ଯେହେତୁ ସମାଜ ଭିତରେ ଚଳେ । ଆତ୍ମରକ୍ଷା ପାଇଁ ମିଥ୍ୟା ବ୍ୟବହାର କରେ କିମ୍ବା ଅନ୍ୟକୁ ରକ୍ଷା କରିବା ଲାଗି ମିଥ୍ୟା କହେ। ଏହାର ଅନେକ ଉଦାହରଣ ଅଛି, ଯାହା ସମସ୍ତେ ଜାଣନ୍ତି । ଘରୁ ଟଙ୍କା ଚୋରାଇ ମଦ ପିଇଥିବା ପିଲା ମିଛ କହେ । ଅନ୍ୟତ୍ର ଠକିବା ପାଇଁ ମିଛ କହେ । ଅନ୍ୟକୁ ବଦନାମ କରିବା ଲାଗି ମିଛ କହେ । ମହାଭାରତରେ କୃଷ୍ଣଙ୍କ ବାଧ୍ୟବାଧକତାରେ ସତ୍ୟନିଷ୍ଠ ଯୁଧିଷ୍ଠିର ମିଛ କହିଥିଲେ। ଗୁରୁ ଦ୍ରୋଣଙ୍କୁ ପରାହତ କରିବାରେ ଅସମର୍ଥ ପାଣ୍ଡବ ପକ୍ଷରୁ ଦ୍ରୋଣଙ୍କୁ ଅସ୍ତ୍ରତ୍ୟାଗ କରାଇବା ଲାଗି ତାଙ୍କ ପୁତ୍ର ଅଶ୍ୱତ୍ଥାମା ମୃତ କୁହାଗଲା, ଯଦିଓ ଅଶ୍ୱତ୍ଥାମା ହାତୀର ମୃତ୍ୟୁ ହୋଇଥିଲା । ସତ୍ୟାସତ୍ୟ ଜାଣିବା ଲାଗି ଦ୍ରୋଣ ଯୁଧିଷ୍ଠିରଙ୍କୁ ପଚାରିଥିଲେ ଯେହେତୁ ଦ୍ରୋଣ ଜାଣନ୍ତି ଯେ, ଯୁଧିଷ୍ଠିର ମିଛ କହନ୍ତି ନାହିଁ । ଯୁଧିଷ୍ଠିର କହିଲେ- ନରେ ବା ଗୁଞ୍ଜରେ ଅଶ୍ୱତ୍ଥାମା ହତ । ଏତକ କହିଥିବା ଯୋଗୁଁ ଯୁଧିଷ୍ଠିର ନର୍କ ଦର୍ଶନ କରିଥିଲେ ।
ମିଥ୍ୟାକୁ ଏକ ପାପ ଭାବେ ସମସ୍ତେ ଗ୍ରହଣ କରନ୍ତି, ଯେହେତୁ ମିଥ୍ୟା ଅନ୍ୟର କ୍ଷତି ଘଟାଏ । କିନ୍ତୁ ମଣିଷ ମିଥ୍ୟା କହିବାର ପାପ ପ୍ରାୟ ପ୍ରତିଦିନ କରେ । ପରିବାରରେ ଅନେକ ମିଥ୍ୟା ଗ୍ରହଣୀୟ ହୋଇଯାଏ । ସାଇ ପଡ଼ିଶାରେ ମିଛ ଗର୍ବର କଥା କୋଠରି ଭିତରେ ଆଲୋଚିତ ହୁଏ । ମିଥ୍ୟା କୁତ୍ସା ରଟନା ହୁଏ । କୋର୍ଟ କଚେରିରେ ମିଥ୍ୟା ସାକ୍ଷୀ ହେବାପାଇଁ ଅନେକ ଲୋକ ବ୍ୟବସାୟ କରନ୍ତି ମଧ୍ୟ । ମିଛୁଆ, ଗାଲୁଆ ଶବ୍ଦ ବେଳେବେଳେ ସ୍ନେହରେ କୁହାଯାଏ । କିନ୍ତୁ ସାମାଜିକ ମିଥ୍ୟା ଯେତେବେଳେ ସୀମା ଲଂଘନ କରେ ଏବଂ ଅନ୍ୟର ମୃତ୍ୟୁର କାରଣ ହୁଏ ତାହା ଦଣ୍ଡିତ ହୁଏ । ଏହାର ମଧ୍ୟ ଅନେକ ପ୍ରମାଣ ରହିଛି । କିନ୍ତୁ ଏପରି ମଧ୍ୟ ଦେଖାଯାଏ ଯେ ମିଥ୍ୟା ଆଗରେ ସତ୍ୟ ତିଷ୍ଠିପାରେ ନାହିଁ । ମିଥ୍ୟା ଅପବାଦରେ ସୀତା ବର୍ଜିତା ହୁଅନ୍ତି । ଇଆଗୋ ମିଥ୍ୟା କହି ‘ଓଥେଲୋ’ର ଜୀବନ ନଷ୍ଟ କରେ ଏବଂ ‘ଡେସଡିମେ।।ନା’ର ମୃତ୍ୟୁ ହୁଏ । ସାମାଜିକ ସ୍ତରରେ ଯେଉଁ ମିଥ୍ୟା କୁହାଯାଏ ତାହାହିଁ ପାପ । ଭଣ୍ଡ ସନ୍ନ୍ୟାସୀ ମିଥ୍ୟାଚାରୀମାନେ ଈଶ୍ୱରଙ୍କ ନାମରେ ମଧ୍ୟ ପାପ କରନ୍ତି । କେତେକ ମିଥ୍ୟାକୁ ସତ୍ୟ ଭାବେ ଜୀବିତ ରଖିବା ଲାଗି ହତ୍ୟା ମଧ୍ୟ କରାଯାଏ । ସାକ୍ଷୀମାନଙ୍କୁ ତେଣୁ ହତ୍ୟା କରେ ହତ୍ୟାକାରୀ । ଏପରିସ୍ଥଳେ ବିଚାରପତିମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଏବଂ ସତ୍ୟ ଜାଣି ମଧ୍ୟ ମିଥ୍ୟାକୁ ପ୍ରଶ୍ରୟ ଦେବାକୁ ବାଧ୍ୟ ହୁଅନ୍ତି ।
ସତ୍ୟ-ମିଥ୍ୟା ଜାଣିବା ଲାଗି ପ୍ରାୟ ସବୁ ସଂସ୍କୃତିରେ ଏକ ପରୀକ୍ଷା କରାଯାଏ ବିଚାରକ ବିଜ୍ଞ ରାଜା ଦ୍ୱାରା । ଏହାର ଏକ ଭବ୍ୟ ଦୃଷ୍ଟାନ୍ତ ଦେଇଛନ୍ତି ବରଟୋଲ୍ଟ ବ୍ରେକ୍ଟ ତାଙ୍କର ନାଟକ ‘ଦି କକେସିଏନ୍ ଚକ୍ ସର୍କଲ୍’ରେ । ଗୋଟିଏ ସନ୍ତାନର ମାଆ ଭାବେ ଦୁଇଟି ନାରୀ ଦାବି କରନ୍ତି । ରାଜାଙ୍କ ପାଖେ ନ୍ୟାୟ, ଅଧିକାର ମାଗନ୍ତି । ବୁଦ୍ଧିଆ ରାଜା ଚକ୍ରେ ଗୋଟିଏ ବଡ଼ ବୃତ୍ତ ଆଙ୍କି ସନ୍ତାନକୁ ମଝିରେ ରଖି ଦୁଇ ନାରୀଙ୍କୁ ଦୁଇପଟୁ ଛୁଆକୁ ଟାଣିବାକୁ କହନ୍ତି । ଯେଉଁ ନାରୀ ଚକ୍ ଗୋଲେଇ ଛୁଆକୁ ଟାଣି ପାରହେବ ସେ ହିଁ ତାର ମାଆ । କିନ୍ତୁ ଯେ ପ୍ରକୃତ ମାଆ ସେ ଟାଣେନାହିଁ, କାରଣ ଛୁଆର ହାତ ହୁଏତ ଭାଙ୍ଗିଯିବ । ଅନ୍ୟ ନାରୀଟି ଟାଣିନିଏ । ରାଜା ଜାଣନ୍ତି ପ୍ରକୃତ ମାଆ କିଏ ଏବଂ ନ୍ୟାୟ ପ୍ରଦାନ କରନ୍ତି ।
ଆଜିର ସମାଜରେ ମିଥ୍ୟା ଜାଣିବା ଲାଗି ବୈଜ୍ଞାନିକ ପରୀକ୍ଷା (ନାର୍କୋ ଟେଷ୍ଟ୍) ହୁଏ । ଟ୍ରୁଥ୍ ସେରମ୍ ଟେଷ୍ଟ ହୁଏ, କିନ୍ତୁ ତାକୁ କୋର୍ଟରେ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ । ଆମେ ଦେଖୁ ଅନେକ ମିଥ୍ୟାଚାରୀ ଆନନ୍ଦରେ ଜୀବନ ଉପଭୋଗ କରନ୍ତି । ସତ୍ୟକାମ, ସତ୍ୟବାନ ଦୁଃଖ ହିଁ ପାଏ । ସିନେମାରେ ଖଳନାୟକମାନେ ରାଜସୁଖ ପାଆନ୍ତି । ଏହା ଆଉ ଏକ ବାସ୍ତବତା । ବାଡ଼ି ବାଇଗଣ ଏବଂ ପୋଥି ବାଇଗଣ ମଧ୍ୟରେ ଥିବା ପାର୍ଥକ୍ୟ । ତାହା ମଣିଷକୁ ବେଳେବେଳେ ବିବ୍ରତ କରିପକାଏ । ସେ କେଉଁଟି ଗ୍ରହଣୀୟ ଅବା କେଉଁଟି ଅଗ୍ରହଣୀୟ ତାହା ସ୍ଥିର କରିବାକୁ ଦ୍ୱନ୍ଦ୍ୱରେ ପଡ଼େ । ଅବଶ୍ୟ ପରିଶେଷରେ ସତ୍ୟର ଜୟ ହୁଏ । ମିଥ୍ୟା ପରାଜିତ ହୁଏ । କିନ୍ତୁ ହୁଏ କି? ତାହା ମଧ୍ୟ ଆଲୋଚନା ସାପେକ୍ଷ ।