ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବନାଗ୍ନିର ବିଚ୍ଛେଦନ

Published By : Prameya | May 16, 2025 2:44 PM

ସାମଗ୍ରିକ ଭାବରେ ବାସସ୍ଥାନ କମିଯିବା ହେତୁ ଜୀବ-ମାନବ ସଂଘର୍ଷ, ବନ ସଂପଦ ଉପରେ ନିର୍ଭରଶୀଳ ଜୀବିକାରେ କୁଠାରାଘାତ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ଛାଡୁଥିଲେ ହେଁ ବିଭିନ୍ନ ଔଷଧୀୟ ଗୁଳ୍ମାଦିର ବିନାଶର କାରଣ ସାଜି ଆମ ସଭିଙ୍କର ସ୍ୱାସ୍ଥ୍ୟଗତ ଦିଗକୁ ବି ଅନ୍ଧକାର ମଧ୍ୟକୁ ଠେଲିଦେବାରେ ଏହାର ହାତ ରହିଥାଏ ବୋଲି କହିଦେଲେ ଅତ୍ୟୁକ୍ତି ହେବନାହିଁ ବୋଧହୁଏ ।

ମୋ ପିଲାଦିନ କଥା । ସେତେବେଳର ସେଇ ଛୋଟିଆ ସଦର ମହକୁମାର ମଝାମଝି ଆମ ଦି’ମହଲିଆ ଘର। ତା’ ଛାତ ଉପରକୁ ଉଠିଗଲେ ଟିକିଏ ଦୂର ପରିଧି ହେଲେ ହେଁ ସହରର ଅନ୍ତତଃ ଦୁଇଟି ପାଖକୁ ଘେରି ରହିଥିବା ତିନିଟି ପାହାଡ଼ରୁ ଦୁଇଟିର ଉପରିଭାଗଗୁଡ଼ିକୁ ଆରାମରେ ଦେଖି ହୋଇଯାଉଥାଏ ଆଜିକାର ଘରଦ୍ୱାରଭରା ପରିବେଶ ଅଭାବରେ । ଏଠି ଖରାଦିନଟି ବେଶ୍‌ ତାଗଡା, ସାଙ୍ଗକୁ ତୁହାକୁ ତୁହା ବିଜୁଳିକାଟ । କିନ୍ତୁ ସେ ରାତିମାନଙ୍କରେ ଛାତ ଉପରେ ମଜାଦାର ଆସର ଜମେ ଆମ ଯୌଥ ପରିବାରର କୁନି କୁନି ସଦସ୍ୟଗଣଙ୍କର । ସୂରୁଜ ଘରକୁ ଯିବାର ଢେର୍‌ ସମୟ ପରେ ବି ଗରମ ଆଇରନ ପରି ଲାଗୁଥିବା ଛାତକୁ ପାଣିରେ ବତୁରାଇ ଶୀତଳ କରିବା, ପଟି ଆଉ କନ୍ଥାର ଶୋଇବା ଜାଗାଟି ପାରିବା ସହ କଳାଆକାଶର ଚାଦର ଉପରେ ଦାଉଦାଉ ଜଳୁଥିବା ତାରାଙ୍କର ଆଖି ମିଟିକା, ଜହ୍ନମାମୁର ଠେକୁଆ, ମଙ୍ଗଳ-ବୃହସ୍ପତି ପରି ଗ୍ରହ କି ବିଛା, ତୁଳା ପରି ରାଶିଗୁଡ଼ିକୁ ନିରେଖି ନିରେଖି ଘୁମେଇ ପଡ଼ିବା ମନେ ପଡ଼ିଗଲେ ଦେହର ବାଳଗୁଡ଼ା ଝାଡ଼ିଝୁଡ଼ି ହୋଇ ଉଠିପଡ଼ନ୍ତି ତ ନିଶ୍ଚୟ, ମନଟି କିନ୍ତୁ ସେ ସମୟକୁ ଝୁରି ଝୁରି ଉଦାସୀନ ହୋଇଉଠେ ଆଜିର ଏ ଯନ୍ତ୍ରବତ୍‌ ଜୀବନକୁ ଗାଳି କରି କରି । 

ଏମିତିରେ ଖରାଦିନଟି ଭିତରେ କେବେ କେମିତି ସେ ଦୂର ପାହାଡ଼ରେ ଧାର ଧାର ହୋଇ ନାଲିଆ ଗାରଟିମାନ ବେଶ୍‌ ସ୍ପଷ୍ଟ ଜଣାଯାଏ, ଘରଠୁ ଦଶ କିଲୋମିଟର ସରିକି ବାଟ ହେଲେ ହେଁ । ଆମ ସେବେକାର ଅବିକଶିତ ଛୋଟ ଛୋଟ ମଗଜଗୁଡ଼ିକ ପାଇଁ ସେଗୁଡ଼ିକ ଲୋକସଂସ୍କୃତିର ‘ମାକଡ଼ ବିହା' ବା ‘ମାଙ୍କଡ଼ ବାହାଘର' ହୋଇଥିଲେ ହେଁ ଏହା ଯେ ପାହାଡ଼ ଉପର ଜଙ୍ଗଲରେ ଲାଗିଥିବା ନିଆଁ ବୋଲି ପରେ ହେତୁ ହେଲା । ନିଜ ବିଭାଗ ଉଦ୍ଭିଦ ବିଜ୍ଞାନର ପରିଧି ଭିତରେ ଜଙ୍ଗଲ ସହ ଓତପ୍ରୋତ ଭାବରେ ଜଡ଼ିତ ହେବାପରେ ‘ଜଙ୍ଗଲ ନିଆଁ'କୁ ଅତି ନିକଟରୁ ଦେଖିବାର ଅଲୋଡ଼ା ଅଭିଜ୍ଞତା ବି ହାସଲ କରିଥିଲି । ଏବେ ଦିନେ ଖରାଦିନ ଆସୁ ଆସୁ ହାତିମୁଣ୍ଡିଆ ପାହାଡ଼ଟି ଉପରେ ସେଇମିତି ଦୁକୁଦୁକୁ କରୁଥିବା ନାଲିଆ-ନାରଙ୍ଗି ଗାରଟି ଦେଖି ବନାଗ୍ନି ଉପରେ ଲେଖାଟିଏ ଲେଖି କିଛି କଥା ସଭିଙ୍କୁ ଜଣାଇ ଦେଇପାରିଲେ ଭଲ ହେବ ବୋଲି ଭାବିଲି । ବନାଗ୍ନି ବା ଫରେଷ୍ଟ ଫାୟାର ଏକ ବିଶ୍ୱବ୍ୟାପୀ ବ୍ୟାପାର, ଯାହାକି ଏକ ପରିବେଶକୁ ଅସମ୍ଭବ ଭାବରେ ପ୍ରଭାବିତ କରିବାର ସାମର୍ଥ୍ୟ ରଖିଥାଏ । 

‘ସଷ୍ଟେନେବିଲିଟି ବାଏ ନମ୍ବର' ୱେବ୍‌ସାଇଟ୍‌ରେ ହାନ୍ନା ରିଚି ନାମକ ଗବେଷିକାଙ୍କ ଏକ ଅସାଧାରଣ ଆକଳନରୁ କଥାଟି ଆରମ୍ଭ କଲେ ବୋଧହୁଏ ବନାଗ୍ନିକୁ ନେଇ ଏ ଆଲୋଚନାଟି ସଫଳ ହେବ । ଏଥିରେ ସେ ଏବଂ ତାଙ୍କର ସାଥି ଭେରୋନିକା, ଗ୍ଲୋବାଲ ୱାଇଲ୍ଡ ଫାୟାର୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ର ୨୦୧୨ ରୁ ୨୦୨୪ ମସିହାର ତଥ୍ୟକୁ ବିଶ୍ଳେଷଣ କରି କେତେକ ଜ୍ଞାତବ୍ୟ ବିଷୟକୁ ଉପାସ୍ଥାପନ କରିଛନ୍ତି । ଏ ସମୟ ଭିତରେ ନିଆଁ ଲାଗିବା ହେତୁ ସାରା ବିଶ୍ୱରେ ସବୁଠୁ କମ୍‌ ପାଖାପାଖି ୩୫୦ ମିଲିୟନ ହେକ୍ଟର ଜଙ୍ଗଲ ଜମି ୨୦୧୮ ମସିହାରେ ଜଳିଯାଇଥିବା ବେଳେ ଗଲା ୨୦୨୪ ମସିହାରେ ପ୍ରାୟ ୪୦୦ ମିଲିୟନ ହେକ୍ଟର ଜଙ୍ଗଲ ଏପରି ନଷ୍ଟ ହୋଇ ଆନୁପାତିକ ହାରରେ ରହିଥିବାର ଜଣାଯାଏ । ହେଲେ ଧରଣୀର ଫୁସ୍‌ଫୁସ୍‌ ବା ଆମାଜନ ଜଙ୍ଗଲର ସିଂହଭାଗ ରହିଥିବା ବ୍ରାଜିଲ ପାଇଁ ବର୍ଷଟି ଆଦୌ ଠିକ୍‌ ନରହିବା ତଥା ଆଫ୍ରିକା ମହାଦେଶରେ ମଧ୍ୟ ଏ ଧରଣର ଜଙ୍ଗଲ ନିଆଁ ବରାବର ଲାଗି ରହିବା କଥା ଜାଣିଥିବା ଲୋକର ଚିନ୍ତାର କାରଣ ହେବାରେ କୌଣସି ଅପ୍ରାସଙ୍ଗିକତା ନାହିଁ । 

ବିଶ୍ୱସ୍ତରରେ ୨୦୨୫ ମସିହାଟି ମଧ୍ୟ ଏହିଭଳି ବିଭୀଷିକାରୁ ବା ବାଦ୍‌ ପଡ଼ନ୍ତା କିପରି? ଏ ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ ଅନୁସାରେ, ସାଉଥ ଆଫ୍ରିକାର କେପ୍‌ଟାଉନ୍‌, ଜାପାନର ଓଫୁନାଟୋ, ଦକ୍ଷିଣ କୋରିଆ ଓ ଆମେରିକାରେ ସଂଘଟିତ ବନାଗ୍ନିଗୁଡିକୁ ଏଠାରେ ବିଶେଷ ଭାବରେ ଉଲ୍ଲେଖ କରିବା ହୁଏତ ଠିକ୍‌ ହୋଇପାରେ ବୋଲି ଭାବୁଛି । ଭାରତ ପରିପ୍ରେକ୍ଷୀରେ ଆମେ ଇକୋଲୋଜିକାଲ୍‌ ଇଣ୍ଡିକେଟର୍‌ ନାମକ ଏକ ଜର୍ଣ୍ଣାଲରେ ୨୦୨୪ ମସିହାରେ ପ୍ରକାଶିତ ଏନ୍‌. ସାଗର ଏବଂ ସାଥୀ ଗବେଷକଙ୍କ ଏକ ଲେଖାର କିଛି ଅଂଶକୁ ଏଠାରେ ଉପସ୍ଥାପନ କରିପାରିବା । ଯେଉଁଠି ଲାଗିଲେ ବି ଜଙ୍ଗଲ ନିଆଁ ଭାରତ ପାଇଁ ଉଦ୍‌ବେଗଜନକ ସ୍ଥିତି ତ ସୃଷ୍ଟି କରିଥାଏ ନିଶ୍ଚୟ । କିନ୍ତୁ ଖରାଦିନରେ ଏହା ମଧ୍ୟପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଭଳି ଅଞ୍ଚଳର ଶୁଷ୍କ ପତ୍ରଝଡ଼ା ଦେଉଥିବା ଅରଣ୍ୟ ସବୁକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ । ମୋଡିସ୍‌ ଡାଟାକୁ ବିଚାରକୁ ନେଲେ ମଧ୍ୟ ଏବଂ ପୂର୍ବ-ମଧ୍ୟ ଭାରତ ଏବଂ ହିମାଳୟର ଚୀର୍‌-ପାଇନ୍‌ ଜଙ୍ଗଲରେ ନିଆଁ ବ୍ୟାପିବାର ଆଶଙ୍କା ବେଶୀ ଥାଏ ବୋଲି ମଧ୍ୟ ଏହି ଲେଖାଟିରେ ଦିଆଯାଇଅଛି । 

ଜଙ୍ଗଲ ନିଆଁକୁ ନେଇ ଓଡ଼ିଶା ରାଜ୍ୟଟି ବି ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଗଲା ମାର୍ଚ୍ଚ ମାସରେ ଦ ନ୍ୟୁ ଇଣ୍ଡିଏନ୍‌ ଏକ୍ସପ୍ରେସ୍‌ ଖବରକାଗଜରେ ପ୍ରକାଶିତ ସୁଦର୍ଶନ ମହାରଣାଙ୍କ ଲେଖାରୁ ଜଣାଯାଏ ଯେ, ଏବର୍ଷ ଆରମ୍ଭରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ୯୦୦୦ରୁ ଊର୍ଦ୍ଧ୍ୱ ଜାଗାରେ ବନାଗ୍ନି ଦେଖାଗଲାଣି । ଏଥିରୁ କେବଳ ନବରଙ୍ଗପୁର ଡିଭିଜନ ଏବଂ ଖରିଆର ଡିଭିଜନରେ ଏ ସଂଖ୍ୟା ୧୦୦୦ ଟପି ସାରିଲାଣି । ଆହୁରି ମଧ୍ୟ ଏହି ନିଆଁ ଲାଗିବା ହେତୁ ୨୧୦୦ରୁ ବେଶୀ ହେକ୍ଟର ଜଙ୍ଗଲ ପ୍ରଭାବିତ ହେବାର କଥାଟି ଏବଂ ୨୦୨୪ ମସିହାରେ ୧୭୦୦୦ରୁ ଅଧିକ ଜଙ୍ଗଲ ନିଆଁ ତଥା ଏଥିରେ ୪୦୦୦ ହେକ୍ଟରରୁ ବେଶୀ ଜଙ୍ଗଲ ନଷ୍ଟ ହେବା କଥାଟି ବି ସ୍ପଷ୍ଟଭାବରେ ସୂଚିତ କରାହୋଇଛି ଏ ସମ୍ପର୍କିତ ଅଧିକ ଅନେକ ତଥ୍ୟ ସହ । ଏବେ ଟିକିଏ ଚିନ୍ତା କରିବାର ବେଳ ଆସିଛି, ଜଙ୍ଗଲରୂପୀ ଏକ ବ୍ୟବସ୍ଥିତ ପରିବେଶୀୟ ଏକକରେ ନିଆଁ କାହିଁକି ଲାଗେ ବୋଲି? ମୂଳ ଭାବରେ ଦେଖିବାକୁ ଗଲେ ଏ ନିଆଁ ହୁଏତ ବଜ୍ରପାତ, ଆଗ୍ନେୟଗିରିରୁ ନିର୍ଗତ ଲାଭା, ଅତ୍ୟଧିକ ତାତି ହେତୁ ଶୁଷ୍କ ପତ୍ରାଦିରେ ଆକସ୍ମିକ ନିଆଁ, ଭୂସ୍ଖଳନରେ ପଥର-ପଥର ମାଡ଼ ଆଦି ପ୍ରଭାବରେ ପ୍ରାକୃତିକ ଉପାୟରେ କିଛିଟା ଜାଗାରେ ଦେଖାଯାଉଥିଲେ ହେଁ ମାନବକୃତ ବନାଗ୍ନି ଯେ ସର୍ବତ୍ର କାୟା ବିସ୍ତାରିତ କରି ଏ ଜୀବମଣ୍ଡଳୀୟ କାର୍ଯ୍ୟଧାରାକୁ ଖିନ୍‌ଭିନ୍‌ କରିଦେବାର ପ୍ରଭୂତ ସାମର୍ଥ୍ୟ ରଖେ, ଏଥିରେ କୌଣସି ସନ୍ଦେହ ନାହିଁ। 

ୱେଷ୍ଟନ୍‌ ଫାୟାର୍‌ ଚିଫ୍‌ ଏସୋସିଏସନ୍‌, ଆଇସିଡିଓ, ଟିଏନ୍‌ଏୟୁ ଆଦି ସଂସ୍ଥା ତରଫରୁ ପ୍ରକାଶିତ ଲେଖା ତଥା କେତେ ଯେ ଗବେଷଣା ପ୍ରବନ୍ଧରେ ଏହିସବୁ କାରଣ ଅଳ୍ପେ ବହୁତେ ବର୍ଣ୍ଣନା କରାଯାଇଛି । ସବୁ ନହେଲେ ବି ଏଥିରୁ କିଛି ମୁଖ୍ୟ ମାନବୀୟ କାରଣର ସମ୍ୟକ୍‌ ଆଲୋଚନା ଏକାନ୍ତ ପ୍ରୟୋଜନୀୟ ମନେହୁଏ ଏ ପରିସ୍ଥିତିରେ । ମାନବର ଖାମଖିଆଲି ଗୁଣ ଅନେକ ସମୟରେ ଏଥିପାଇଁ ଦାୟୀ ବୋଲି କୁହାଯାଇପାରେ, ଯେପରିକି ବଣଭୋଜି ସାରି ନିଆଁ ନଲିଭେଇ ଚାଲିଆସିବା, ଖଣ୍ଡିଆ ଜଳନ୍ତା ସିଗାରେଟ ବା ବିଡ଼ିକୁ ବେପରୁଆ ଭାବରେ ଫିଙ୍ଗିଦେବା, ମହୁଲ ବା କେନ୍ଦୁପତ୍ର ଆଦି ସୁବିଧାରେ ଗୋଟାଇବା ପାଇଁ ଗଛତଳ ସଫା ବାହାନାରେ ଠାଏ ଠାଏ ନିଆଁ ଧରାଇବା ପ୍ରଭୃତିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ । ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଆଦିରେ କରାଯାଉଥିବା ପୋଡୁଚାଷ ଓ ବାସୋପୋଯୋଗୀ ସ୍ଥାନର ପରିସୀମା ବୃଦ୍ଧି ଆଶାରେ ନିଆଁର ବ୍ୟବହାରକୁ ମଧ୍ୟ ବିଚାରକୁ ନେବା ଜରୁରି ହୋଇଉଠେ ଏ ପର୍ଯ୍ୟାୟରେ । ବେଳେବେଳେ ତ ମଣିଷ କୌଣସି ଏକ କଥାକୁ ନେଇ ରାଗିଗଲେ ପ୍ରତିଶୋଧପରାୟଣ ହୋଇ ଜଙ୍ଗଲରେ ନିଆଁ ଲଗାଇଦେବାର ଉଦାହରଣ ବି କିଛି କମ୍‌ ନୁହେଁ ଏ ଦୁନିଆରେ । ତା’ ସାଙ୍ଗକୁ ବିଶେଷତଃ କୋଇଲା ପରି ଖଣି-ଖାଦାନରେ ବେଶୀ ତାପମାତ୍ରା ହେତୁ ହେଉ ଅବା ଯନ୍ତ୍ରାଂଶ ନିର୍ଗତ ଅଗ୍ନି ତଥା ଜଙ୍ଗଲ ଭିତର ଦେଇ ଲମ୍ବିଯାଇଥିବା ହାଇଟେନ୍‌ସନ୍‌ ବିଦ୍ୟୁତ ତାର ଘଷିହୋଇ ସୃଷ୍ଟି ହେଉଥିବା ନିଆଁଝୁଲ ସବୁ ବି ଏ ଦିଗରେ ବେଶ୍‌ ପାରଙ୍ଗମ ବୋଲି କହିବାକୁ ହେବ । 

ଏସବୁ କାରଣ ସହ ପଶୁ-ଜନ୍ତୁ ଘଉଡ଼ାଇବା ପାଇଁ ନିଆଁର ବ୍ୟବହାର, ପର୍ବପର୍ବାଣିରେ ଏହାର ପ୍ରଚଳନ ପରି ଆହୁରି ଅନେକ କଥା ଏଠାରେ ଖୁନ୍ଦିଦେଲେ ବି ଅସ୍ୱୀକାର କରିବାକୁ କାହା ଜିଭରେ ହାଡ଼ ନାହିଁ ବୋଲି ଭାବିବାକୁ ହେବ । କିନ୍ତୁ ଏକଥା ନିରାଟ ସତ୍ୟ ଯେ, ଥରେ ନିଆଁ ଲାଗିଗଲେ ଉଚ୍ଚ ତାପମାତ୍ରା, ପବନର ବେଗ ତଥା ବାୟୁର ଶୁଷ୍କତା ଏହି ନିଆଁକୁ ଅଣାୟତ୍ତ କରିବାରେ ବିଶେଷ ସହାୟକ ହୋଇଥାନ୍ତି । ହେଲେ ଏବେ ଆଉ ଏକ ଚିନ୍ତାଜନକ ବିଷୟଟି ହେଉଛି ମାନବ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଉଭୟ ବନାଗ୍ନି ସଂଖ୍ୟା ଏବଂ ତତ୍ସମ୍ବନ୍ଧୀୟ କୁପ୍ରଭାବଗୁଡ଼ିକ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭୂ(ଗ୍ରାଉଣ୍ଡ), ପୃଷ୍ଠ(ସର୍ଫେସ୍‌), ଉପରି(କେନୋପି) ରୂପରେ ବନାଗ୍ନି ହୁଏତ ତିନି ପ୍ରକାରର ହୋଇଥାଏ ବୋଲି ପାଠ କହେ । ଜଙ୍ଗଲ ଭୂଇଁରେ ଗଦାହୋଇ ରହିଥିବା ମୃତ ତଥା ଶୁଖିଲା ଗଛର ଅଂଶଗୁଡ଼ିକୁ ଜଳାଇଦେଇ ସଫା କରିଦେବା, ବିଶାଳ ଗଛଗୁଡ଼ିକର ଉପରିଭାଗକୁ ନଷ୍ଟ କରି ସୂର୍ଯ୍ୟାଲୋକକୁ ତଳ ପର୍ଯ୍ୟନ୍ତ ଆଣି ନୂଆ ଗଛ ସବୁକୁ ବଢ଼ିବାରେ ସାହାଯ୍ୟ କରିବା, ଜଙ୍ଗଲର ଜୀବମାନଙ୍କ ଭିତରେ ଅହରହ ଲାଗିରହିଥିବା ପ୍ରତିଯୋଗିତାକୁ ସାମୟିକ ବିରାମ ଦେବା, ସୂର୍ଯ୍ୟାଲୋକ ଓ ଉଚ୍ଚ ତାପମାତ୍ରା ଉପରେ ନିର୍ଭରଶୀଳ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ସୁହାଇଲା ଭଳି ପରିବେଶଟିଏ ଯୋଗାଇ ଦେବା ଭଳି ସେବା ପ୍ରଦାନପୂର୍ବକ, ନିୟନ୍ତ୍ରିତ ବନାଗ୍ନି ସ୍ଥଳବିଶେଷରେ କିଛିଟା ସୁଫଳ ଆଣି ଦେଇଥାଏ ତ ନିଶ୍ଚୟ, ହେଲେ ବହୁ ସମୟରେ ବିଭିନ୍ନ କାରଣରୁ ଏହା ଅନିୟନ୍ତ୍ରିତ ହେବା ଫଳରେ ଲାଭ ଯେତିକି, ବିରାଟ କ୍ଷତିରେ ପରିଣତ ହେବାକୁ ବେଳ ଲାଗେନାହିଁ । ଏଣୁ ଏସବୁ କୁପ୍ରଭାବର ଏକ ପ୍ରାଞ୍ଜଳ ବିଶ୍ଳେଷଣ କରିବା ସମୀଚୀନ ମନେହୁଏ ଏ କ୍ଷେତ୍ରରେ । ଏହା ସିଧାସଳଖ ଭାବରେ ଜଙ୍ଗଲ କ୍ଷୟ ଏବଂ ତାହାର ଉତ୍ପାଦନ କ୍ଷମତା ହ୍ରାସର କାରଣ ହୋଇଥାଏ ଯାହାକି ସେ ଅଞ୍ଚଳର ଜୈବ-ବିଭିନ୍ନତାକୁ ମଧ୍ୟ ପ୍ରଭାବିତ କରିଥାଏ। 

ଭୀଷଣ ଜଙ୍ଗଲ ନିଆଁ ସେଠାକାର ଚାରା ଗଛ, ମଞ୍ଜି ତଥା ମାଟିର ଉପରସ୍ତରରେ ଥିବା ବିଘଟକ ଅଣୁଜୀବମାନଙ୍କୁ ସମୂଳେ ନଷ୍ଟ କରିଦେବା ଫଳରେ ପରିବେଶୀୟ ଏକକଟିର ସନ୍ତୁଳନ ଏକଦମ୍‌ ବିଗିଡ଼ିଯାଏ, କହିବାକୁ ଗଲେ ଏହା ଅସନ୍ତୁଳନରୁ ସନ୍ତୁଳନ ମାପକାଠିରେ ଷାଠିଏରୁ ଦୁଇଶହ ବର୍ଷ ପଛକୁ ଫେରିଯାଏ । କହିବା ବାହୁଲ୍ୟ, ସବୁ ପୁଣି ଠିକ୍‌ଠାକ ଚାଲିଲେ ତାର ସେଇ ଉଜୁଡ଼ିବା ଅବସ୍ଥାରୁ ଏକ ଶକ୍ତ ଖାଦ୍ୟ ଜାଲକ ସହ ସନ୍ତୁଳିତ ସ୍ଥିତି ଗଢ଼ି ତୋଳିବାକୁ ହୁଏତ କେତେ ଦଶନ୍ଧି ବିତିଯାଇପାରେ ତାର ଠିକଣା ନାହିଁ । ମୃତ୍ତିକା କ୍ଷୟ, ଅଘୋଷିତ ବନ୍ୟା ସାଙ୍ଗକୁ ବାୟୁ ପ୍ରଦୂଷଣ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ଏହା ସାଙ୍ଗରେ ଧରି ଆସିଥାଏ। 

ସାମଗ୍ରିକ ଭାବରେ ବାସସ୍ଥାନ କମିଯିବା ହେତୁ ଜୀବ-ମାନବ ସଂଘର୍ଷ, ବନ ସଂପଦ ଉପରେ ନିର୍ଭରଶୀଳ ଜୀବିକାରେ କୁଠାରାଘାତ ଏବଂ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ଛାଡୁଥିଲେ ହେଁ ବିଭିନ୍ନ ଔଷଧୀୟ ଗୁଳ୍ମାଦିର ବିନାଶର କାରଣ ସାଜି ଆମ ସଭିଙ୍କର ସ୍ୱାସ୍ଥ୍ୟଗତ ଦିଗକୁ ବି ଅନ୍ଧକାର ମଧ୍ୟକୁ ଠେଲିଦେବାରେ ଏହାର ହାତ ରହିଥାଏ ବୋଲି କହିଦେଲେ ଅତ୍ୟୁକ୍ତି ହେବନାହିଁ ବୋଧହୁଏ । ଏସବୁ କାରଣରୁ ଅଦରକାରୀ ବନାଗ୍ନି ସୃଷ୍ଟି ନହେବା ପାଇଁ ଉଭୟ ଜନସାଧାରଣ ତଥା ସରକାର ସବୁ ଦିଗରୁ ଚେଷ୍ଟିତ ହେଲେ ଭଲ, ଅକସ୍ମାତ ଏହା ଦେଖାଗଲେ ଦାୟିତ୍ୱସମ୍ପନ୍ନ ଭାବରେ ଏହା ଯେପରି ଅନିୟନ୍ତ୍ରିତ ନହୁଏ ତାହା ସୁନିଶ୍ଚିତ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିବାକୁ ବା ଲାଜେଇବା କାହିଁକି?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.