ପରୀକ୍ଷାର ଆଗ ପଟେ ଯେତେ ତାଲା ଥିଲେ ମଧ୍ୟ ଭିତର ପଛ ପଟଟି ତ ଖୋଲା ମେଲା । ପ୍ରଶ୍ନପତ୍ରରେ ଉତ୍ତର ଅଛି । ଆଖିବୁଜି ଗୋଲ ମାରିଲେ ଯାହାକୁ ଯେତେ ନମ୍ବର । ସେଥିପାଇଁ ଏବେର ପାସ୍ ପ୍ରତିଶତ ସତାନବେରୁ ଊଦ୍ଧ୍ୱର୍ । ପଛପଟ ତାଲା ପକାଇ ପରୀକ୍ଷା କଲେ ପାସ୍ ପ୍ରତିଶତ କୋଡ଼ିଏରୁ କମ୍ ହେବ । ବୁଝିହୁଏନି ପରୀକ୍ଷା ପାଇଁ ଏତେ ମିଛ ପଟୁଆର, ଖର୍ଚ୍ଚବାର୍ଚ୍ଚ, ନନ୍ସେନ୍ସ ଇନୋଭେସନ କ’ଣ ପାଇଁ।
ଆଜିକାଲି ଜଳବାୟୁ ପ୍ରଭାବରୁ ଋତୁମାନେ ହଜି ଗଲେଣି । କିଛି ଜୀବଜନ୍ତୁ ନିଶ୍ଚିହ୍ନ ହେବା ପରି ବସନ୍ତ ଏବଂ ଶରତ ଋତୁ ନିଶ୍ଚିହ୍ନ ହେଇଗଲେଣି । ସେ ଦୁଇ ଋତୁ ସମ୍ବନ୍ଧରେ ଜାଣିବାକୁ ହେଲେ ପୁରୁଣା କବିତା ପଢ଼ିବାକୁ ହେବ- ‘ଶରତ କାଳ ଜଳଦ ମାଳ...’ ଆଉ ବାକି ଚାରି ଋତୁ ଏବେ ମିଶାମିଶି ଠିକ୍ ସେକ୍ସପିଅରଙ୍କ ନାଟକ ‘ମିଡ୍ ସମାର ନାଇଟ ଡ୍ରିମ’ରେ ପରୀ ରଜା ଏବଂ ରାଣୀ ଅବେରନ ଏବଂ ଟାଇଟାନିଆଙ୍କ ମଧ୍ୟରେ କଳିଗୋଳ ପରେ ଋତୁ ସବୁ ମିଶିଯିବା ପରି । ଏବେର ଋତୁମାନଙ୍କ କାର୍ୟ୍ୟକଳାପରୁ ଜଣାପଡ଼େ ଭବିଷ୍ୟତରେ କେବଳ ଗ୍ରୀଷ୍ମ ଋତୁ ହିଁ ରହିବ, ଯାହା ପୂର୍ବ ଦୁଇ ମାସରୁ ଏବେ ବଢ଼ି ବଢ଼ି ପାଞ୍ଚ ମାସ ପାଖାପାଖି ହେଲାଣି । ଆମ ଶିକ୍ଷା ଋତୁଚକ୍ର ଏହାଠାରୁ ଆଗରେ । ଶିକ୍ଷାର ସମସ୍ତ ଋତୁ ଉଭାନ୍ ହେଇ ରହିଛି କେବଳ ଏବେ ପରୀକ୍ଷା ଋତୁ ।
ଭୁବନେଶ୍ୱରରେ ରହି ମଝିରେ ମଝିରେ ଗାଁକୁ ଆସେ । ମୟୂରଭଞ୍ଜର ଏକ ଆଦିବାସୀ ଅଣଆଦିବାସୀ ଗାଁ ମଙ୍ଗଳପୁର । ଶିକ୍ଷା ବିଭାଗରେ ଚାଳିଶ ପଚାଷ ବର୍ଷରୁ ଊଦ୍ଧ୍ୱର୍ ସମୟ ରହି ଶିକ୍ଷାର ଘଣ୍ଟାଚକଟା ଜନିତ ଯେଉଁ କାଦୁଅ ଛିକିଟା ମୋ ଦେହରେ ଲାଗିଛି ତାହା ଅବସର ନେବାର କୋଡ଼ିଏରୁ ଊଦ୍ଧ୍ୱର୍ ବର୍ଷ ପରେ ମଧ୍ୟ ଦେହରୁ ଛାଡୁନାହିଁ । ଗାଁକୁ ଆସି କିଛିଦିନ ରହଣି ବେଳେ ଗାଁ ଏବଂ ଗାଁ ପାଖ ପିଲାମାନଙ୍କୁ ଡାକି ପାଠ ପଢ଼ାଏ, ପ୍ରାଇମେରୀ ସ୍କୁଲରୁ ଆରମ୍ଭ କରି କଲେଜର ଛାତ୍ରଛାତ୍ରୀ ପର୍ୟ୍ୟନ୍ତ । ଏଥର ପାଖାପାଖି ମାସଟେ ଗାଁରେ ରହିଲି । ଗୋଟିଏ ବି ପିଲା ଆସିଲେ ନାହିଁ ପାଠ ପଢ଼ିବାକୁ । ସେମାନଙ୍କ ଘରକୁ ଗଲି । ଫଳ ଶୂନ୍ୟ । କାରଣ ପରୀକ୍ଷା ଋତୁ । ସମସ୍ତେ ପରୀକ୍ଷା ପାଇଁ ବ୍ୟସ୍ତ, ଚାଷବାସ ନକରି ଅମଳରେ ବ୍ୟସ୍ତ । କାରଣ ଶିକ୍ଷା ଋତୁରୁ ପାଠପଢ଼ା ଋତୁ ଏବେ ଉଭାନ ।
କେବଳ ବିରାଜମାନ ପରୀକ୍ଷା ଋତୁ। ସେମିତି ଗାଁ ରହଣି ବେଳେ ମୋ ଗାଁ ଏବଂ ଗାଁ ପାଖାପାଖି ଶିକ୍ଷକମାନଙ୍କୁ ନେଇ ଥରେ ଦୁଇଥର ଏକାଠି ବସୁ । ପରୀକ୍ଷା ଋତୁ ଯୋଗୁଁ ତାହା ଗଲା କୋଡ଼ିଏ ପଚିଶ ଦିନ ସମ୍ଭବ ହେଉନଥିଲା । କାଲି ଉପରଓଳି ପରୀକ୍ଷା କାର୍ୟ୍ୟ ଶେଷ ପରେ ପାଞ୍ଚଟାରୁ ସାତ ପର୍ୟ୍ୟନ୍ତ ବସିଲୁ ପାଖାପାଖି ତିରିଶ ଜଣ । ଶିକ୍ଷାକୁ ନେଇ ଆଲୋଚନା ଅନେକ ବିଷୟରେ, କିନ୍ତୁ ବିଷୟ ଥିଲା ଏଇ ଲେଖାର ବିଷୟବସ୍ତୁ । ପରୀକ୍ଷାକୁ ନେଇ କେବଳ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ବ୍ୟସ୍ତ ନାହାନ୍ତି । ବାପା ମାଆ, ଠାକୁମା ଠାକୁବାପାମାନେ ମଧ୍ୟ ବ୍ୟସ୍ତ । ସେମାନଙ୍କ ସହ କଥାବାର୍ତ୍ତା, ଖୁସିହାସି ମଧ୍ୟ ସମ୍ଭବ ହେଲାନାହିଁ । ମୋ ଗାଁ ପିଲାଦିନ ସାଙ୍ଗ ଗୟାର ପୁଅ ମଡିଆ । ପାଠର ପ’ ଅକ୍ଷର ଜାଣେନାହିଁ । ଲୋକମାନଙ୍କ ବିଲବାଡ଼ି କାମ କରେ । ଗାଁକୁ ଆସିଲେ ତାକୁ ଡାକି ବାଡ଼ି ସଫା କରାଏ । ସେ ମଧ୍ୟ ଆସିବାକୁ ଅମଙ୍ଗ, କାରଣ ତା’ ଝିଅର ପରୀକ୍ଷା ଚାଲିଛି । ସେ ପାଠଶାଠ ନଜାଣିଲେ କଅଣ ହେଲା, ତା’ ସ୍ତ୍ରୀ ମାଟ୍ରିକ ପାସ୍ । ପରୀକ୍ଷା ପାଇଁ ସେ ତା’ ଝିଅ ପାଠରେ ବ୍ୟସ୍ତ ଥିବା ହେତୁ ମଡିଆକୁ ତା’ ସ୍ତ୍ରୀ କାମ କରିବାକୁ ପଡ଼ୁଛି । ପରୀକ୍ଷା ଋତୁ ଯୋଗୁଁ ସବୁ ଦିଗରୁ ହତାଶ ହେଇ କିଛି ଛାତ୍ରଛାତ୍ରୀଙ୍କୁ ଫୋନ୍ କଲି ଶିକ୍ଷାଜନିତ କଣ୍ଡୁ ଲାଘବ ପାଇଁ । ମୋ ତତ୍ତ୍ୱାବଧାନରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପ୍ରସ୍ତୁତ କରାଯାଇଥିବା, ଏବେ ପ୍ରଚଳିତ, ଇଂରାଜି ପାଠ ବହିରେ ମୋ ମୋବାଇଲ ନମ୍ବର ଥିବା ହେତୁ କିଛି ଛାତ୍ରଛାତ୍ରୀ ମୋତେ ଫୋନ୍ କରନ୍ତି । ସର୍ବାଗ୍ରେ ଅଛି ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପ୍ରିୟଦର୍ଶିନୀ । ତାକୁ ଫୋନ କରିବାରୁ ତା’ ବାପା ଫୋନ ଧରି ଜଣାଇଲେ ତାର ପରୀକ୍ଷା ଚାଲୁଥିବାରୁ ସେ ମୋତେ କୁଆଡ଼େ ଫୋନ କରିପାରୁନି । ଜାଣିଗଲି ଆଉ କାହାକୁ ଫୋନ କରି ଲାଭ ନାହିଁ । ସମ୍ପର୍କ ସବୁ ଗୋଳମାଳିଆ କରିଦେଇଛି ସର୍ବଗ୍ରାସୀ ପରୀକ୍ଷା ଭସ୍ମାସୁର । ଯେଉଁ ଶିକ୍ଷା ବ୍ୟବସ୍ଥା ତାକୁ ସୃଷ୍ଟି କରିଥିଲା ତାକୁ ସେ ଗିଳି ସାରିଛି ।
ଦୁଇ ତିନି ମାସ ଧରି ବୋର୍ଡ ପରୀକ୍ଷା ପୂର୍ବରୁ ଚାଲିଥିଲା ପରୀକ୍ଷା ପ୍ରସ୍ତୁତି ହଟଚମଟ । ପରୀକ୍ଷାକୁ ନେଇ (ପାଠପଢ଼ା ନୁହଁ) ଏବର୍ଷ କେତେ କ’ଣ ଇନୋଭେସନ- ପରୀକ୍ଷା ଉତ୍ତର ଖାତାରେ ୱାଟର ମାର୍କ, ପ୍ରଶ୍ନ ପତ୍ର ରହିବା ସ୍ଥାନମାନଙ୍କରେ ଡିଜିଟାଲ ତାଲା, ଯାହା ଏକସମୟରେ ବୋର୍ଡ ଅଫିସରୁ ଖୋଲାଯାଇ ପାରିବ । ଏସବୁ ପରୀକ୍ଷା କପି ଏବଂ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ । କିନ୍ତୁ ପରୀକ୍ଷାର ଆଗ ପଟେ ଯେତେ ତାଲା ଥିଲେ ମଧ୍ୟ ଭିତର ପଛ ପଟଟି ତ ଖୋଲା ମେଲା । ପ୍ରଶ୍ନପତ୍ରରେ ଉତ୍ତର ଅଛି । ଆଖିବୁଜି ଗୋଲ ମାରିଲେ ଯାହାକୁ ଯେତେ ନମ୍ବର । ସେଥିପାଇଁ ଏବେର ପାସ୍ ପ୍ରତିଶତ ସତାନବେରୁ ଊଦ୍ଧ୍ୱର୍ । ପଛପଟ ତାଲା ପକାଇ ପରୀକ୍ଷା କଲେ ପାସ୍ ପ୍ରତିଶତ କୋଡ଼ିଏରୁ କମ୍ ହେବ । ବୁଝିହୁଏନି ପରୀକ୍ଷା ପାଇଁ ଏତେ ମିଛ ପଟୁଆର, ଖର୍ଚ୍ଚବାର୍ଚ୍ଚ, ନନ୍ସେନ୍ସ ଇନୋଭେସନ କ’ଣ ପାଇଁ । ଯଦି ଆମ ବୋର୍ଡ ପରୀକ୍ଷା ଏମିତିକା, ଗାଁଗଣ୍ଡା ସ୍କୁଲମାନଙ୍କରେ କ୍ଲାସ ବାର୍ଷିକ ପରୀକ୍ଷା କେମିତି ଚାଲିଥିବ ଜାଣିବାର ଇଚ୍ଛା ଥିଲା । ଯାଇଥିଲି ମୋ ବନ୍ଧୁ ବିଜୟ ଉପାଧ୍ୟାୟଙ୍କ ଘରକୁ। ତାଙ୍କ ଘରେ କାମଦାମ ପାଇଁ ରଖାଯାଇଛି ରତ୍ନାକରଙ୍କ ପରିବାର ।
ବାପା, ମାଆ, ପୁଅ ଝିଅକୁ ନେଇ ପରିବାର । ରତ୍ନାକରର ଝିଅ ପୁଚୁ ନବମ ଶ୍ରେଣୀରେ ପାଠ ପଢ଼େ । ପରୀକ୍ଷା ପ୍ରସ୍ତୁତି ପାଇଁ ବସିକରି ଅପାଠ କାମ କରିବାର ଦେଖି ତା’ ବାପା ଗାଳିଦେବାରୁ ଝିଅଟି କହିଲା- ପରୀକ୍ଷା ନା ଫରୀକ୍ଷା । ସବୁ ପ୍ରଶ୍ନ ଏବଂ ଉତ୍ତର ତ ଆଗ ଦିନରୁ ମୋବାଇଲରେ ମିଳିଯାଉଛି । ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକ କ’ଣ? ତା’ ଉକ୍ତିର ସତ୍ୟାସତ୍ୟ ଜାଣିବା ପାଇଁ ସେକଥା ସେଦିନ ମିଟିଂରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଚାରିବାରୁ ସମସ୍ତେ ସେଇ କଥା କହିଲେ ।
ପରୀକ୍ଷା, ପରୀକ୍ଷା, ପରୀକ୍ଷା! ପରୀକ୍ଷା ଆମ ପାଠପଢ଼ାକୁ ସର୍ବନାଶ କରି ସାରିଲାଣି । ଆମେ କେହି, ତଳରୁ ଉପର ପର୍ୟ୍ୟନ୍ତ, ସେକଥା ବୁଝି ପାରୁନୁ । ଆମର ଏ ନେଇ ଚିନ୍ତା ହେବା ଦରକାର ପରୀକ୍ଷାରୁ କେମିତି ପାଠପଢ଼ା ଆଡ଼କୁ ଯିବା, ଯାହା ସେଦିନ ଥିଲା ଆମ ଗାଁ ଶିକ୍ଷକ ମିଟିଂର ମୁଖ୍ୟ ବିଷୟ । ଅତୀତର ସେ ସମ୍ବନ୍ଧୀୟ ଅନୁଭୂତିଟେ ମୁଁ କହିଥିଲି ।
କୋରାପୁଟ ଜୟପୁରରେ ଚାଲିଥାଏ ପାଞ୍ଚଦିନିଆ ଶିକ୍ଷକ ପ୍ରଶିକ୍ଷଣ । ପ୍ରଥମ ଦିନ ପ୍ରଥମ କ୍ଲାସ ଶେଷ ବେଳକୁ ଜଣେ ପାଠପଢ଼ାଇ ପାଚି ଯାଇଥିବା ଶିକ୍ଷକ କହିଲେ ‘ଏବେ ପାଠପଢ଼ା ହେଇପାରିବନି । ପିଲାଏ ପଢ଼ିବାକୁ ଇଚ୍ଛା କରୁନାହାନ୍ତି । କାରଣ, ତଳ କ୍ଲାସରେ ପରୀକ୍ଷା ନାହିଁ । ଥିଲେ ବି ସମସ୍ତେ ପାସ୍’ । ପ୍ରାୟ ସମସ୍ତ ଶିକ୍ଷକ ତାଙ୍କ କଥାକୁ ସମର୍ଥନ କଲେ । ସେ ପ୍ରକାରର ମନୋବୃତ୍ତିରେ ଭଲ ପାଠପଢ଼ା ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ନିରର୍ଥକ ଜାଣି ପାଖ ପ୍ରାଇମେରୀ ସ୍କୁଲରୁ ପାଖାପାଖି ତିରିଶ ଛାତ୍ରଛାତ୍ରୀଙ୍କୁ ଆଣି ଡେମୋ କ୍ଲାସଟେ ନେଲି । ତାଙ୍କ ଇଂରାଜି ପାଠବହିରୁ ଗପଟେ କହିଲି ଇଂରାଜି ଓଡ଼ିଆ ମିଶାମିଶି କରି ଏକ୍ସନ ମାଧ୍ୟମରେ । ପିଲାମାନେ ବୁଝିଗଲେ ଗପଟି । ଗପଟିରୁ କିଛି ଇଂରାଜି ଶବ୍ଦ ଏବଂ ବାକ୍ୟ କଳାପଟାରେ ଲେଖିଲି । ସେସବୁ ସେମାନେ ପଢ଼ି ବୁଝିପାରିଲେ । ଗପଟିରୁ ସିଂହ, ମୂଷାକୁ ନେଇ ଇଂରାଜିରେ ଦୁଇପଦ କଥାବାର୍ତ୍ତା କରାଇଲି । I’ll kill you. Please don’t kill me. ଚେନ୍ ଡ୍ରିଲ କରାଇଲି । ଜଣେ କହିଲା ‘Lion’ ତା ପର ଜଣକ ‘rat’... ଗପଟିରୁ ପ୍ରଶ୍ନମାନଙ୍କର ଉତ୍ତର ମଧ୍ୟ ଶବ୍ଦ ଏବଂ ଖଣ୍ଡବାକ୍ୟରେ ପିଲାମାନେ ଦେଇପାରିଲେ ।
ସେସବୁ ହେଲା ବେଶ୍ ହସ ଖେଳ ମାଧ୍ୟମରେ । ପ୍ରଥମରୁ ଭୟ କରୁଥିବା ପିଲାମାନେ ଭୁଲିଗଲେ ସେମାନଙ୍କ ଭୟ । ଉପଭୋଗ କଲେ ପାଠପଢ଼ା । ତା’ପରେ ସେଇ ପାଚିଯାଇଥିବା ଶିକ୍ଷକଙ୍କୁ ପଚାରିଲି- ପିଲାମାନେ ଇଂରାଜି ଗପଟି ବୁଝିପାରିଲେ କି ନାହିଁ? ଇଂରାଜିରେ କଥାବାର୍ତ୍ତା କରିପାରିଲେ କି ନାହିଁ? କିଛି ଇଂରାଜି ଶବ୍ଦ ପଢ଼ିପାରିଲେ କି ନାହିଁ? ସବୁ କଥାରେ ଗଦ ଗଦ ହେଇ ହଁ ଭରିଲେ ଶିକ୍ଷକ ଜଣକ ଏବଂ ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗସାଥୀ । ତା’ପରେ ପ୍ରୟୋଗ କଲି ମୋ ବାଣ- ଏଥିରେ ପରୀକ୍ଷା, ପରୀକ୍ଷାରେ ପାସ୍ ଫେଲ୍ କଥା କିଛି ଥିଲା କି? ପରୀକ୍ଷା ବିନା ପାଠପଢ଼ା ହୋଇପାରିବ କି ନାହିଁ? ପରୀକ୍ଷା ସହ ପାଠପଢ଼ାକୁ ଯୋଡ଼ି ମସ୍ତବଡ଼ ଭୁଲ୍ ଆମେ କରିଛୁ । ପାଠପଢ଼ା ବେଳେ ପରୀକ୍ଷା ଆମ ଉପରେ ସବାର ହେବା ଅନାବଶ୍ୟକ ।