ପୃଥିବୀରେ ବିଭିନ୍ନ ଧର୍ମରେ କୋଟି କୋଟି ଗ୍ରନ୍ଥମାନ ଭଗବାନଙ୍କୁ ନେଇ ରଚନା କରାଯାଇଛି । ଗ୍ରନ୍ଥମାନଙ୍କ ପୃଷ୍ଠାର ଶବ୍ଦମାନଙ୍କ ଭିତରେ ମଣିଷ କାଳ କାଳ ଧରି ସେହି ଅଦୃଶ୍ୟ ସତ୍ତାକୁ ଖୋଜିବାରେ ଲାଗିଛି । ହେଲେ କେତେଜଣ ତା'ର ସାନ୍ନିଧ୍ୟ ପାଇଛନ୍ତି? ଈଶ୍ୱରଙ୍କୁ ପାଇବାକୁ ହେଲେ ଗହନ ଶୂନ୍ୟତାରେ ଅଭିସାର ରଚିବାକୁ ପଡ଼ିବ । ସେ ଶବ୍ଦରେ ନଥାନ୍ତି । ସେ ମିଳନ୍ତି ନିଃଶବ୍ଦରେ । ଏକାନ୍ତରେ ।
ଆଜିକାଲି ତ ଗ୍ରାମ ଗ୍ରାମରେ, ସହର ନଗରରେ ସର୍ବତ୍ର ପ୍ରବଚନର ବିପୁଳ ସମ୍ଭାର । ବିସ୍ତାରିତ ଆୟୋଜନ । ଗ୍ରନ୍ଥ, ଶାସ୍ତ୍ର, ପୋଥି ପୁରାଣରୁ ଉଦ୍ଧୃତ ଈଶ୍ୱରଙ୍କୁ ନେଇ କଥା ଉପକଥା ମାନ । ନାନାଦି ବଖାଣ । ପୁସ୍ତକ ମେଳାମାନଙ୍କରେ କୁଆଡ଼େ ବେଶୀ ବିକ୍ରୟ ହେଉଛି ଧର୍ମ ପୁସ୍ତକମାନ । ତେବେ କଥାରେ ହେଉ କି ଲେଖାରେ ହେଉ ଈଶ୍ୱରଙ୍କୁ ନେଇ ଯେତେସବୁ ଶବ୍ଦର ସମ୍ଭାର ସେ ଭିତରେ କିନ୍ତୁ ଅସଲରେ ନଥାନ୍ତି ନିଶବ୍ଦ ଈଶ୍ୱର । ବରଂ ଏହିସବୁ ପ୍ରବଚନ ଏବଂ ଲେଖାମାନ ଆଜିକାର ମଣିଷ ପାଇଁ ପାଲଟିଛି ଏକ ଧାର୍ମିକ ବିଳାସ । ଚିତ୍ତ ବିନୋଦନ । ସମ୍ବାଦପତ୍ରରେ ପ୍ରାୟ ପ୍ରତିଦିନ ଧର୍ମକୁ ନେଇ ଲେଖାମାନ ପ୍ରକାଶିତ ହେଉଅଛି । କିନ୍ତୁ ବାସ୍ତବରେ ହେଉଛି କଅଣ? ମଣିଷ କଅଣ ଈଶ୍ୱରଙ୍କ ପାଖରେ ପହଞ୍ଚି ପାରୁଛି? ଐଶ୍ୱରୀୟ ସତ୍ତାକୁ ନିଜ ଉପଲବ୍ଧିରେ ଆଣିପାରୁଛି? ନା । ତାର କାରଣ ହେଲା ଧର୍ମକୁ ନେଇ, ସତ୍ୟକୁ ନେଇ, ଈଶ୍ୱରଙ୍କୁ ନେଇ ଯେତେ ଯାହା ସବୁ ଚର୍ବଣ କରାଯାଉଅଛି ଅବା ଲେଖା ଯାଉଅଛି ସେଥିରେ ମଣିଷ ନିଶ୍ଚୟ ଈଶ୍ୱରଙ୍କ ସମ୍ବନ୍ଧରେ କିଛି ଜାଣିପାରୁଛି, କିନ୍ତୁ ଈଶ୍ୱରଙ୍କୁ ନୁହେଁ । ଈଶ୍ୱରଙ୍କ ସମ୍ବନ୍ଧରେ କିଛି ଜାଣିବା ଆଉ ଈଶ୍ୱରଙ୍କୁ ଜାଣିବା ଭିତରେ ଅଛି ଆକାଶ ପାତାଳ ଫରକ ।
ଈଶ୍ୱର ଉପଲବ୍ଧ ମଣିଷମାନେ ସେମାନଙ୍କର ଅନୁଭବକୁ ପ୍ରକାଶ କରିବା ପାଇଁ ଶବ୍ଦର ସାହାରା ନେଇଛନ୍ତି ସତ, ହେଲେ ସେହିସବୁ ଶବ୍ଦମାନ ସତ୍ୟର ଅବିକଳ ପରିପ୍ରକାଶ ନୁହେଁ । ହୋଇପାରିବ ନାହିଁ ମଧ୍ୟ । କିନ୍ତୁ ସାଧାରଣ ମଣିଷ ଚନ୍ଦ୍ରକୁ ଦେଖାଇବା ପାଇଁ ଉପରକୁ ଉଠିଥିବା ଅଙ୍ଗୁଳିକୁ ଚାହିଁ ଚନ୍ଦ୍ରକୁ ନଦେଖିଲା ପରି ଅବସ୍ଥାରେ ପଡ଼ି ରହିଥାଆନ୍ତି । ଶବ୍ଦର ମାୟାଜାଲ ଭିତରେ ଈଶ୍ୱରଙ୍କୁ ପାଇଯିବା ଭ୍ରମରେ ପଡ଼ିଥାଆନ୍ତି, ହେଲେ କେବେବି ସେହି ଅଦୃଶ୍ୟ ସତ୍ତା ନିଜ ଭିତରେ ଦୃଶ୍ୟମାନ ହୁଏନାହିଁ ।
ଛୋଟ ପିଲାଟିଏ ସକାଳୁ ସକାଳୁ ତା’ ଘର ବାହାର ବଗିଚାରେ ଖେଳୁଥିଲା । ସୂର୍ଯ୍ୟଙ୍କର ସୁନେଲି କିରଣ ଫୁଲଗଛମାନଙ୍କ ଉପରେ ପଡ଼ି ଚିକ୍ମିକ୍ କରୁଥାଏ । ସକାଳର ଶୀତଳ ପବନରେ ପତ୍ରସବୁ ଦୋଳି ଖେଳୁ ଥାଆନ୍ତି । ପିଲାଟିକୁ ଏ ଦୃଶ୍ୟ ଏପରି ମନ୍ତ୍ରମୁଗ୍ଧ କରିଦେଲା ଯେ, ପିଲାଟି ଘର ଭିତରକୁ ଯାଇ ଛୋଟ ଡିବାଟିଏ ନେଇ ଆସିଲା । ସେ ଭିତରେ ସୂର୍ଯ୍ୟଙ୍କ କିରଣ ଆଉ ଶୀତଳ ପବନକୁ ବନ୍ଦକରି ରଖିଦେବା ପାଇଁ । ତାହା ହିଁ କଲା । ଡିବା ମୁହଁ ଖୋଲିଲା, ବନ୍ଦ କଲା ଆଉ ଆନନ୍ଦରେ ଧାଇଁଯାଇ ନିଜ ମାଆ ଆଗରେ କହିଲା- ମାଆ, ତୁ ଜାଣିନାହୁଁ ଏ ଡିବା ଭିତରେ ମୁଁ କଅଣ ବନ୍ଦକରି ତୋ ପାଇଁ ନେଇ ଆସିଛି । ପିଲାଟି ଜାଣିନଥିଲା ଯାହାକୁ ସେ ବନ୍ଦ କରିଥିଲା ତାହାକୁ ଡିବା ଭିତରେ ବନ୍ଦ କରାଯାଇନପାରେ । ସେ ଜାଣିନଥିଲା ଡିବାକୁ ତ ସେ ଘର ଭିତରକୁ ନେଇ ଆସିଲା ଅଥଚ ସୂର୍ଯ୍ୟକିରଣ ସେହି ବାହାରେ ବାହାରେ ରହିଗଲା ।
ତା’ ମାଆ ପିଲାର କଥା ଶୁଣି ହସିଲେ ଆଉ କହିଲେ- ଆଚ୍ଛା, ତୁ ତୋ ଡିବା ଖୋଲିଲୁ ଦେଖି । ମୁଁ ଦେଖିବି କେଉଁ ସୂର୍ଯ୍ୟକିରଣକୁ ଆଉ ପବନକୁ ତୁ ଡିବା ଭିତରେ ବନ୍ଦୀକରି ନେଇଆସିଛୁ । ପିଲାଟି ଖୁବ୍ ଖୁସିରେ ନିଜ ମାଆକୁ ଆଶ୍ଚର୍ଯ୍ୟ କରାଇ ଦେବାପାଇଁ ନିଜ ଡିବାଟି ଖୋଲି ନିଜେ ହତଚକିତ ହୋଇଗଲା । ସେ କାନ୍ଦ କାନ୍ଦ ହୋଇଗଲା । ଡିବା ଭିତରେ କିଛି ହିଁ ନଥିଲା । ମାଆକୁ ପଚାରିଲା- ମାଆ, ଡିବା ଭିତରୁ କିରଣ କୁଆଡ଼େ ଗଲା? ମୁଁ ନିଜେ ତ ଡିବା ଭିତରେ ବନ୍ଦ କରିଥିଲି ।
ମଣିଷ ବି ଅବିକଳ ଏଇମିତି ଯେବେ ଈଶ୍ୱରଙ୍କ କିରଣକୁ ଅନୁଭବ କରେ, ଭାବେ ଶବ୍ଦର ଡିବାରେ, ଶାସ୍ତ୍ରର ପୃଷ୍ଠାରେ ସେସବୁ ବନ୍ଦ କରିଦେବ । ଆଉ ବଡ଼ ଶ୍ରମ ସ୍ୱୀକାର କରି ସେସବୁ ଡିବା ବନ୍ଦ କରିଥାଏ ସତ, ହେଲେ ଯେବେବି କେହି ସେହି ଡିବା ସବୁ ଖୋଲି ବସନ୍ତି ସେଥିରେ ଫମ୍ପା ଶବ୍ଦଗୁଡ଼ିଏ ବ୍ୟତୀତ ଆଉ କିଛି ମିଳିନଥାଏ । ଜୀବନରେ ଯାହାସବୁ ମହତ୍ତ୍ୱପୂର୍ଣ୍ଣ ତାକୁ ବନ୍ଦ କରିବାପାଇଁ କୌଣସି ଉପାୟ ନାହିଁ । ତେଣିକି ବନ୍ଦ କରିବାର ଉପାୟ ଯାହା ହୋଇଥାଉନା କାହିଁକି । ଶବ୍ଦ ମଧ୍ୟ ଅନୁଭବକୁ ବନ୍ଦ କରିବା ପାଇଁ ଡିବା ବ୍ୟତୀତ ଆଉ ଅଧିକ କିଛି ନୁହେଁ । ଜୀବନକୁ ଯିଏ ଜାଣେ, ଶବ୍ଦରେ ତାହାକୁ ବନ୍ଦୀ କରି ଆମେ ପ୍ରକାଶ କରିବାକୁ ଚାହିଁଥାଉ । କିନ୍ତୁ ଶେଷରେ ଆମ ହାତରେ ଫମ୍ପା ଶବ୍ଦ ଗୁଡ଼ିଏ ରହିଯାଇଥାଏ ଆଉ ଯାହାକୁ ବାନ୍ଧିଥିଲୁ ତାହା ବନ୍ଧନର ବାହାରେ ରହିଯାଇଥାଏ ।
ପରମାତ୍ମାଙ୍କୁ କୌଣସି ବନ୍ଧନରେ ବାନ୍ଧି ରଖିବାର ଉପାୟ ନାହିଁ । ମୌନତାରେ ତାହାଙ୍କୁ କୁହାଯାଇପାରେ । ଶବ୍ଦରେ ତାଙ୍କୁ ପ୍ରକାଶ କରିବାକୁ କୌଣସି ମାର୍ଗ ନାହିଁ । ଶୂନ୍ୟତାରେ ହିଁ ତାଙ୍କର ଅନୁଭବ ମିଳିପାରେ, କିନ୍ତୁ ଶାସ୍ତ୍ର ମାଧ୍ୟମରେ ତାହାଙ୍କୁ ଦର୍ଶନ କରିବାର ଆଦୌ କୌଣସି ପଥ ନାହିଁ । କିନ୍ତୁ ଆମେ ଶାସ୍ତ୍ରରୁ ଯାହା ଉପଲବ୍ଧ କରିଥାଉ, ଭାବି ବସୁ ତାହା ଜ୍ଞାନ । କିନ୍ତୁ ଶାସ୍ତ୍ରର ସେସବୁ ଶବ୍ଦ ମୃତ । ଯେଉଁ ମୁନି ଋଷି, ମନୀଷିମାନେ ସେହିସବୁ ଶବ୍ଦ କହିଥିଲେ ଲେଖିଥିଲେ ସେମାନେ ଭାବିଥିଲେ ଯେ, ଯାହା ସେମାନଙ୍କର ନିଜସ୍ୱ ଉପଲବ୍ଧି ହୁଏତ ତାହାକୁ ଶବ୍ଦଦ୍ୱାରା ବାନ୍ଧି ରଖାଯାଇପାରିବ ।
ମଣିଷର କଲ୍ୟାଣ ପାଇଁ ସେସବୁର ଆବଶ୍ୟକତା ପଡ଼ିବ । ତାହା ଅବଶ୍ୟ ସତ୍ୟ । କିନ୍ତୁ ଶବ୍ଦ ଦ୍ୱାରା ସେମାନଙ୍କର ଅନୁଭବ ସାଧାରଣ ମଣିଷର ଅନୁଭବ ପାଇଁ ଓହ୍ଲାଇ ଆସିପାରିବ ନାହିଁ । ବନ୍ଧୁକରୁ ଫୁଟିଯାଇଥିବା ଗୁଳି, ଯାହା ଏସବୁ ଶବ୍ଦ ଅବିକଳ ଫୁଟି ଯାଇଥିବା ଫମ୍ପା ଗୁଳି । ଆଉ ଆମେ ଜୀବନସାରା ବ୍ୟକ୍ତ, ଅବ୍ୟକ୍ତ, ଦୈତ ଅଦୈତ, ବ୍ରହ୍ମ, ଆତ୍ମା, ପରମାତ୍ମା ଏଇମିତି କେତେ କେତେ ଶବ୍ଦ ଏକାଠି କରିବାରେ ଲାଗିଥାଉ । ଏହିସବୁ ସଂଗୃହୀତ ଶବ୍ଦ ଭିତରେ ଅଭିସାର ରଚିଲା ପରେ ଆମ ଭିତରେ କେବଳ ଏକପ୍ରକାର ଭ୍ରମ ସୃଷ୍ଟି ହୋଇଥାଏ ଯେ ଆମେ କିଛି ଜାଣିଛୁ । ହଁ, ପରମାତ୍ମାଙ୍କୁ ଜାଣିଛୁ । ଆଉ ଏହି ଭ୍ରମ ହିଁ ତାଙ୍କୁ ପାଇବା ପଥରେ ବାଧକ ସାଜିଥାଏ ।
ଏଇ ସବୁକିଛି ଆମେ ଜାଣିଛୁର ଭ୍ରମ ଶବ୍ଦରୁ ହିଁ ସୃଷ୍ଟି ହୋଇଥାଏ । ଶାସ୍ତ୍ରରୁ ସୃଷ୍ଟି ହୋଇଥାଏ । ସିଦ୍ଧାନ୍ତରୁ ସୃଷ୍ଟି ହୋଇଥାଏ । କିନ୍ତୁ ଯେଉଁ ମଣିଷ ଅନ୍ୱେଷଣ ପଥରେ ବାହାରେ ତାକୁ ସାହସ କରିବାକୁ ପଡ଼ିଥାଏ । ସତ୍ୟର ଉପଲବ୍ଧି, ପରମାତ୍ମାଙ୍କର ଉପଲବ୍ଧି ପାଇଁ ଶବ୍ଦର ଜାଲକୁ ଛାଡ଼ିବାକୁ ପଡ଼ିଥାଏ । ଶାସ୍ତ୍ର, ପୋଥି, ପୁରାଣରୁ ନିଜକୁ ମୁକ୍ତ କରିବାକୁ ସାହସ ଦରକାର । ଆମର ସମସ୍ତ ତଥାକଥିତ ଜ୍ଞାନ କେତେଗୁଡ଼ିଏ ସଞ୍ଚିତ ଶବ୍ଦ ବ୍ୟତିରେକ ସତରେ ଆଉ କଅଣ? ଆଉ ଆମର ଅଲକ୍ଷ୍ୟରେ ଏହି ଶବ୍ଦର ଜ୍ଞାନ ଆମ ଭିତରେ ଅହଙ୍କାର ସୃଷ୍ଟି କରିଥାଏ । ଆମକୁ ଲାଗିଥାଏ "ମୁଁ' କିଛି ଜାଣିଛି । ଅନ୍ୟଠାରୁ ମୁଁ ଫରକ୍ । ଆଉ ଶେଷରେ ଏହି ମୁଁ ଈଶ୍ୱର ଆଉ ମୋ ଭିତରେ ଏକ ସୁଦୃଢ଼ ପ୍ରାଚୀର ସଦୃଶ ଛିଡ଼ା ହୋଇଯାଏ । ଜୀବନସାରା ଏହି ଜ୍ଞାନର ପ୍ରାଚୀରରେ ମୁଣ୍ଡ ପିଟିବା ସାର ହୁଏ ସିନା, ହେଲେ ପ୍ରାଚୀର ଆରପଟେ ଥିବା ଈଶ୍ୱରଙ୍କ ସହ ସାକ୍ଷାତ ହୋଇପାରେନା ।
କବୀର କହିଥିଲେ "ଲିଖାଲିଖି କୀ ହୈ ନହିଁ, ଦେଖାଦେଖି ବାତ' । ଯାହାର ଅର୍ଥ ହେଲା- ସେ (ଈଶ୍ୱର) କୌଣସି ଲେଖାଲେଖି ମାଧ୍ୟମରେ ଆସନ୍ତି ନାହିଁ । ତାଙ୍କ କଥା ଆଦୌ ଲେଖାଯାଇ ପାରେନା । ଯଦି ଲେଖାଦ୍ୱାରା, ଲେଖା ପଢ଼ିବା ଦ୍ୱାରା ସେ ମିଳିଯାଇ ପାରୁଥାଆନ୍ତେ ତାହେଲେ ତ ତାଙ୍କୁ ପାଇବା ବଡ଼ ସହଜ ବ୍ୟାପାର ହୋଇଯାଆନ୍ତା । ବିଜ୍ଞାନ ଆଉ ଧର୍ମ ଭିତରେ କିଛି ଫରକ ରୁହନ୍ତା ନାହିଁ । ବିଜ୍ଞାନ ଲେଖାଯାଇପାରେ, କିନ୍ତୁ ଧର୍ମ ନୁହେଁ । ଆଉ ଦେଖାଦେଖି କଥା । ଅନ୍ୟମାନଙ୍କର କଥାକୁ ମାନିଗଲେ ମଧ୍ୟ ଚଳିବ ନାହିଁ । ଧରାଯାଉ ମୁଁ ବିବୁଧରଞ୍ଜନ କହୁଛି ଯେ, ଈଶ୍ୱର ଅଛନ୍ତି । ସେଥିରୁ କ'ଣ ହେଲା? ତୁମପାଇଁ ଈଶ୍ୱର ହେବା ଦରକାର । ତୁମର ଅନୁଭବ ଦରକାର । ଉପଲବ୍ଧି ଦରକାର । ତାହେଲେ ଯାଇ କିଛି ହେବ । ଦେଖାଦେଖି କଥା । ତୁମେ ନିଜେ ଦେଖିବା କଥା ।
ଏ ଦୁନିଆରେ ଶାସ୍ତ୍ର, ଗ୍ରନ୍ଥ ତ ଅନେକ ଅଛି । ସାରା ପୃଥିବୀରେ ବିଭିନ୍ନ ଧର୍ମରେ କୋଟି କୋଟି ଗ୍ରନ୍ଥମାନ ଭଗବାନଙ୍କୁ ନେଇ ରଚନା କରାଯାଇଛି । ଆଉ ଏହିସବୁ ଗ୍ରନ୍ଥମାନଙ୍କ ପୃଷ୍ଠାର ଶବ୍ଦମାନଙ୍କ ଭିତରେ ମଣିଷ କାଳ କାଳ ଧରି ସେହି ଅଦୃଶ୍ୟ ସତ୍ତାକୁ ଖୋଜିବାରେ ଲାଗିଛି । ହେଲେ କେତେଜଣ ତା'ର ସାନ୍ନିଧ୍ୟ ପାଇଛନ୍ତି? ଈଶ୍ୱରଙ୍କୁ ପାଇବାକୁ ଗଲେ ତୁମକୁ ଗହନ ଶୂନ୍ୟତାରେ ଅଭିସାର ରଚିବାକୁ ପଡ଼ିବ। ସେ ଶବ୍ଦରେ ନଥାନ୍ତି । ସେ ମିଳନ୍ତି ନିଃଶବ୍ଦରେ । ଏକାନ୍ତରେ ।