ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

‘ଦାନା’ ଦୁର୍ଦ୍ଦଶା: ପାଣି ଘେରରେ ବଗପାଟିଆ ଥଇଥାନ କେନ୍ଦ୍ର, ଅନ୍ଧାରରେ ଅଞ୍ଚଳବାସୀ

Published By : Prameya | October 26, 2024 12:16 PM

କେନ୍ଦ୍ରାପଡ଼ା/ରାଜନଗର,୨୬/୧୦: ‘ଦାନା’ ବାତ୍ୟା ପ୍ରଭାବରେ ଗଲା ୪ ଦିନ  ହେଲା ବର୍ଷା ଲାଗି ରହିଛି, ଆଜିଯାଏ ସମ୍ପୂର୍ଣ୍ଣ  ଛାଡ଼ିନାହିଁ । ନଦୀର ଜୁଆର ପାଣି ଓ ଲଗାଣ  ବର୍ଷା ପାଣି ଜମି ରହି ଜନଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଲାଣି । ଘରୁ ବାହାରକୁ ପାଦ  ବଢାଇଲେ ଚାରିପଟେ ପାଣି । ଚୁଲିରେ ପାଣି  ପଶିଯାଇଛି । ରୋଷେଇବାସ ବନ୍ଦ । ତିନି  ଦିନ ହେଲା ବିଦ୍ୟୁତ ସଂଯୋଗ ନଥିବାରୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଣ ବି  ବନ୍ଦ । ପାଣିରେ ବୁଡ଼ି ରହିଥିବା ନଳକୂଅର  ପ୍ରଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି  ଲୋକେ । - ଏ ଦୟନୀୟ ଚିତ୍ର ରାଜନଗର  ବ୍ଲକ୍‌ର ବଗପାଟିଆ ଥଇଥାନ କେନ୍ଦ୍ରର ।  

୨୦୧୭ ମସିହାରେ ବହୁ ପ୍ରତୀକ୍ଷିତ  ସାତଭାୟା ଥଇଥାନ ପ୍ରକଳ୍ପ କାର୍ଯ୍ୟକାରୀ  ହୋଇଥିଲା । ସେବର୍ଷ ମେ’ ମାସ ସୁଦ୍ଧା  ସ୍ଥାନାନ୍ତର ହୋଇ ବଗପାଟିଆ ଥଇଥାନ କେନ୍ଦ୍ରକୁ  ଆସିଥିଲେ ୫୭୧ ପରିବାର । ପରବର୍ତ୍ତୀ  ସମୟରେ ବଞ୍ଚିତ ରହିଥିବା ୧୪୮ ପରିବାରରୁ  ପ୍ରାୟ ୫୦ ପରିବାର ସେଠାରେ ଆସି ରହିଛନ୍ତି ।  ଭିଟାମାଟିର ମୋହ ତୁଟାଇ ବଗପାଟିଆ ଥଇଥାନ  କେନ୍ଦ୍ରକୁ ଚାଲିଆସିଥିଲେ ଲୋକେ ଏଠାରେ  ସୁରକ୍ଷିତ ଜୀବନଯାପନ କରିବେ ବୋଲି ।  ହେଲେ ଏଠାରେ ଜୀବନ ଅଧିକ ଦୁର୍ବିଷହ  ହୋଇପଡ଼ିଛି । ‘ଦାନା’ ବାତ୍ୟା ଜନିତ ଲଗାଣ  ବର୍ଷା ଓ ଜୁଆର ପାଣି ଲୋକଙ୍କ ଜୀବନକୁ  ବିପନ୍ନ କରିଛି । ଘରୁ ବାହାରିବା କଷ୍ଟକର  ହୋଇପଡ଼ିଲାଣି ଲୋକଙ୍କ ପାଇଁ । ବାତ୍ୟା  ଥମିବା ପରେ ପ୍ରାୟ ୧୦୦୦ ଲୋକ ଘରକୁ  ଫେରିଥିଲେ ମଧ୍ୟ ବିଦ୍ୟୁତ, ପାଣି, ଜାଳେଣି  ସମସ୍ୟା ଯୋଗୁଁ ଦହଗଞ୍ଜ ହେଉଛନ୍ତି । ପାଣି  ଘେରରେ ଥିବା ନଳକୂଅରୁ ପାଣି ସଂଗ୍ରହ କରି  ଫୁଟାଇ ପିଉଛନ୍ତି । ସଂଯୋଗୀକରଣ ରାସ୍ତାରେ  ପାଣି । ୧୯ଟି ଆପ୍ରୋଚ୍‌ ରୋଡ୍‌ରୁ ୮ଟି ରୋଡ୍‌  ଜଳଘେରିରେ ରହିଛି । ଲୋକେ ଜଳବନ୍ଦୀ  ହୋଇ ରହିଛନ୍ତି । 

୨୩ ତାରିଖରୁ ୪ଦିନ ହେଲା  ବିଦ୍ୟୁତ ସେବା ଠପ୍‌ ହୋଇଯାଇଛି । ଦାନା  ଏଭଳି ଦୁର୍ଦ୍ଦଶା ଦେଇଛି ବଗପାଟିଆ ବାସୀଙ୍କୁ ।  ଥଇଥାନ ବେଳେ ସରକାରଙ୍କ ପକ୍ଷରୁ  ଘର ତିଆରି କରିବାକୁ ଯେତିକି ଟଙ୍କା  ମିଳିଥିଲା, ସେଥିରେ ଆଉ କିଛି ନିଜ  ହାତରୁ ମିଶାଇ ଅର୍ଦ୍ଧାଧିକ ଲୋକ ଛାତ  ଘର କରିଥିଲେ । ଅବଶିଷ୍ଟ ଲୋକ ଏବେ  ମଧ୍ୟ ଅର୍ଥାଭାବରୁ ଘର ସମ୍ପୂର୍ଣ୍ଣ କରିନପାରି  ଚାଳଛପର ଘରେ ରହୁଛନ୍ତି । ସ୍ଥାନାନ୍ତର  ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ଏଯାଏ  ପାଳନ କରିନଥିବାରୁ ଅଞ୍ଚଳବାସୀ ଏବେ ବି  ସମସ୍ୟା ଭିତରେ ବଞ୍ଚୁଛନ୍ତି । ଅନ୍ୟ କିଛି ଚାରା  ନାହିଁ । ‘ସାତଭାୟାରେ ଥିବା ବେଳେ ଜମିରେ  ଚାଷବାଷ କରି ଚଳୁଥିଲୁ । ଛେଳିମେଣ୍ଢା  ପାଳୁଥିଲୁ, ମାଛ ଧରୁଥିଲୁ । ଏଠିକି ଆସିଲା  ପରେ କିଛି ନାହିଁ । ରୋଜଗାର ଉତ୍ସ ବନ୍ଦ  ହୋଇଯାଇଛି । ସରକାର ୨ ଏକର ଲେଖାଏଁ  ଚାଷଜମି ଯୋଗାଇଦେବେ ବୋଲି କହିଥିଲେ ।  ହେଲେ ଏଯାଏ ତା’ର ଦେଖାଦର୍ଶନ ନାହିଁ ।  ପିଲାମାନେ ଗୁଜରାଟ, କେରଳରେ ଯାଇ କାମ  କଲେ ଘରେ ଚୁଲି ଜଳୁଛି । ନହେଲେ ଆମ  ପାଖରେ ରୋଜଗାରର ଆଉ କିଛି ବିକଳ୍ପ  ନାହିଁ । କଲୋନୀ ଚାରିପାଖ ଉଦ୍‌ବୃତ୍ତ ଜଳ  ଘେରି ରହିଥିବାରୁ ଓ ବିଦ୍ୟୁତ ସଂଯୋଗ  ୩ଦିନ ହେଲା ନଥିବାରୁ ପାନୀୟ ଜଳ ଯୋଗାଡ଼  କରିବାରେ ବହୁ ଅସୁବିଧା ହେଉଛି ବୋଲି  ପୂର୍ବତନ ସରପଞ୍ଚ ସୁଦର୍ଶନ ରାଉତ କହିଛନ୍ତି ।  

ସମୁଦ୍ର ଦାଉରୁ ସିନା ରକ୍ଷା ପାଇଗଲେ, ଏବେ  ଆତଙ୍କ ହୋଇ ଉଭା ହୋଇଛି ବ୍ରାହ୍ମଣୀ,  ପାଟଶାଳା ନଦୀ । ଫଳରେ ବର୍ଷାପାଣିରେ ରାସ୍ତା  କର୍ଦ୍ଦମାକ୍ତ ହୋଇପଡ଼ିଛି । ଗ୍ରାମ୍ୟ ପାନୀୟ ଜଳ  ଓ ପରିମଳ ବିଭାଗ ଟ୍ୟାଙ୍କର ଯୋଗେ ପାଣି  ଯୋଗାଇ ଦେବାକୁ କହିଥିଲେ । ରାସ୍ତା ଖରାପ  ଥିବାରୁ ଗାଡ଼ି ପହଞ୍ଚିବା ସମ୍ଭବପର ନୁହେଁ ।  କଥା ଏତିକିରେ ରହିନି, ଖାଲୁଆ ଜମିରେ  ମାଟି ଫିଲିଂ କାମ କରିବାକୁ କୁହାଯାଇଥିଲେ  ବି ହେଲାନାହିଁ । ଏଥିସହ ସଂଯୋଗୀକରଣ  ରାସ୍ତାଗୁଡ଼ିକ ବି ଏଯାଏ ଅଧାପନ୍ତରିଆ  ହୋଇ ପଡ଼ିଛି । କିଛି ଘଣ୍ଟା କାଳ ବର୍ଷା  ପରେ ରାସ୍ତାରେ ଗାଡ଼ି ଚଳାଚଳ ଦୂରର  କଥା ଚାଲିଚାଲି ଯିବା କଷ୍ଟକର ହୋଇପଡୁଛି  ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।  

ସମୁଦ୍ର ପ୍ରଭାବିତ ସାତଭାୟା ଅଞ୍ଚଳର ୫୭୧ ପରିବାର ଇତିମଧ୍ୟରେ ବଗପାଟିଆରେ ରହିସାରିଲେଣି । ଘର ନିର୍ମାଣ ପାଇଁ ପ୍ରତି  ପରିବାରକୁ ୧୦ ଡେସିମିଲ ଜମି ସହ ଦେଢ଼  ଲକ୍ଷ ଟଙ୍କା, ଖାଲଖମା ଜମି ପୋତିବା ଲାଗି ୧୦ ହଜାର ଟଙ୍କା ମିଳିଥିଲା । ହେଲେ ସେତିକି  ଟଙ୍କାରେ ଖାଲୁଆ ଜମି ପୋତି ଘର ତିଆରି  କରିବା ସମ୍ଭବପର ନଥିଲା । ଅର୍ଦ୍ଧାଧିକ  ଅର୍ଥ କେବଳ ଜମିକୁ ପୋତିବାରେ ଖର୍ଚ୍ଚ  ହୋଇଯାଇଥିଲା । ୩୬୮ ପରିବାର ନିଜ ହାତରୁ  ମିଶାଇ ପକ୍କା ଘର କାମ ଶେଷ କରିଛନ୍ତି ।  ଅବଶିଷ୍ଟ ୨୦୩ ପରିବାର ଅର୍ଥାଭାବରୁ କାମ  ସମ୍ପୂର୍ଣ୍ଣ କରି ପାରିନାହାନ୍ତି । ଝାଟିମାଟି ଚାଳଛପର  ଘରେ ରହୁଛନ୍ତି ।

ପ୍ରଶାସନ ପକ୍ଷରୁ ଏଠାରେ  ପାଣି, ବିଦ୍ୟୁତ ପରି ସେବା ଯୋଗାଇ ଦେଇଥିବା  ବେଳେ ପଞ୍ଚାୟତ ଅଫିସ, ରାଜୀବ ଗାନ୍ଧି ସେବା  କେନ୍ଦ୍ର ଗୃହ, ୩ଟି ଅଙ୍ଗନବାଡ଼ି କେନ୍ଦ୍ର, ଗୋଦାମ  ଗୃହ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କାମ  ସରିଥିଲା । ହେଲେ ଥଇଥାନ କେନ୍ଦ୍ରକୁ ସଂଯୋଗ କରୁଥିବା ୧୯ଟି ସଂଯୋଗୀକରଣ ରାସ୍ତା ପକ୍କା  ହୋଇପାରି ନାହିଁ । ଗୁପ୍ତିଠାରୁ ବଗପାଟିଆ  ଥଇଥାନ କେନ୍ଦ୍ର ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ପିଚୁ ହୋଇଥିଲେ ମଧ୍ୟ ତାହା ବିପର୍ଯ୍ୟସ୍ତ  ଅବସ୍ଥାରେ ରହି ଲୋକଙ୍କ ଦୁର୍ଦ୍ଦଶା ବଢାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.