ଅନେକ ବଡ଼ ବିପଦରୁ ସୁରକ୍ଷା ଦେଇଥିବା ହେନ୍ତାଳ ବଣ ହେଉଛି ଉପକୂଳର ସୁରକ୍ଷା କବଚ । ତେଣୁ ବିପର୍ଯ୍ୟୟ ପ୍ରଶମନ ଦୃଷ୍ଟିରୁ ତା’ର ସୁରକ୍ଷା, ସଂରକ୍ଷଣ ଓ ବିସ୍ତାରଣ ଏକ ସ୍ଥାୟୀ ବ୍ୟବସ୍ଥା, ଯାହା ନିର୍ଭର କରେ ସମନ୍ୱିତ ଯୋଜନା ପ୍ରଣୟନ ଓ ଦକ୍ଷ ଜଙ୍ଗଲ ପରିଚାଳନା ଉପରେ । ଏହାର ସୁରକ୍ଷା ନିମନ୍ତେ ସରକାରୀ ଯୋଜନା ସହିତ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଜରୁରି ।
ବାତ୍ୟାପ୍ରବଣ ରାଜ୍ୟ ଓଡ଼ିଶା । ବାତ୍ୟା ଆସିଲେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୁଏ ଉପକୂଳ ଅଞ୍ଚଳ । ଉପକୂଳର ପ୍ରାକୃତିକ ସଂପଦ ଓ ଜୀବିକାର ନିଶ୍ଚିତତା ଆଦି ବସତି ସ୍ଥାପନ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ଜନସଂଖ୍ୟାର ଘନତ୍ୱ ବେଶୀ । ଏକ ସର୍ଭେକ୍ଷଣ ତଥ୍ୟ ଅନୁସାରେ ପୃଥିବୀର ୪୦ଭାଗ ଲୋକ ବାସ କରନ୍ତି ସମୁଦ୍ର କୂଳକୁ ଲାଗି ଶହେ କି.ମି. ବ୍ୟାପୀ ସ୍ଥଳଭାଗ ମଧ୍ୟରେ । ଓଡ଼ିଶାର ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି ୪୮୦ କି.ମି. ବ୍ୟାପୀ ସୁଦୀର୍ଘ ଉପକୂଳ ଅଞ୍ଚଳ । ୧୯୯୯ ମହାବାତ୍ୟାକୁ ପୂରିଲାଣି ୨୫ବର୍ଷ । ଏବେ ବି ଲୋକଙ୍କ ମନରେ ଜୀବିତ ରହିଛି ତା'ର କରାଳ ରୂପ । ତେଣୁ ବାତ୍ୟା ନାଁ ଶୁଣିବା ମାତ୍ରେ ମନରେ ପଶୁଛି ଛନକା । ମହାବାତ୍ୟା ପରେ ଫନି, ହୁଡ୍ହୁଡ୍, ବୁଲ୍ବୁଲ୍, ଫାଇଲିନ୍ ଓ ତିତିଲି ଆଦି ଅନେକ ବଡ଼ ବଡ଼ ବାତ୍ୟାର ସମ୍ମୁଖୀନ ହୋଇ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଅନେକ ଅଭିଜ୍ଞତା ହାସଲ କରିଛି ଓଡ଼ିଶା । ଇତିମଧ୍ୟରେ ଜ୍ଞାନକୌଶଳର ବିକାଶ ଫଳରେ ବହୁ ଆଗରୁ ମିଳିଯାଇଛି ବାତ୍ୟାର ସବିଶେଷ ସୂଚନା । ତେଣୁ କ୍ଷୟକ୍ଷତିକୁ ରୋକାଯାଇ ପାରୁଛି ବିପର୍ଯ୍ୟୟ ପ୍ରଶମନର ପୂର୍ବ ପ୍ରସ୍ତୁତି ଓ ପଦକ୍ଷେପ ବଳରେ । ମାତ୍ର ବିପର୍ଯ୍ୟୟ ପ୍ରଶମନର ପୂର୍ବ ପ୍ରସ୍ତୁତି ଏକ ସ୍ଥାୟୀ ପ୍ରତିକାର ନୁହେଁ, ସମ୍ପୂର୍ଣ ଅସ୍ଥାୟୀ ପଦକ୍ଷେପ । ତା'ର ସଫଳତା ପୁଣି ନିର୍ଭର କରେ ପୂର୍ବାନୁମାନର ସଠିକତା ଉପରେ । ବାତ୍ୟାର ତୀବ୍ରତା ବଢ଼ିଲେ କିମ୍ବା ତା'ର ଦିଗ ପରିବର୍ତ୍ତନ ହେଲେ ଫସର ଫାଟିଯାଏ ପୂର୍ବ ପ୍ରସ୍ତୁତି । ଅନ୍ୟପକ୍ଷରେ ବାତ୍ୟା ଯେତେ ଭୟଙ୍କର ହେଉ ନା କାହିଁକି ତା’ ଆଗରେ ଛାତି ପତେଇ ଉପକୂଳକୁ ସୁରକ୍ଷା ଦିଏ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ । ସୃଷ୍ଟି ଆରମ୍ଭରୁ ସାମୁଦ୍ରିକ ଝଡ଼, ମହାବାତ୍ୟା ଓ ସୁନାମି ଆଦି ପ୍ରାକୃତିକ ବିତ୍ପାତରୁ ଉପକୂଳକୁ ସୁରକ୍ଷା ଦେଇ ଆସୁଥିବା ଏହି ପରିସଂସ୍ଥାକୁ କିଏ ଉପକୂଳର ପ୍ରହରୀ କହେ ତ କିଏ କହେ ସୁରକ୍ଷା କବଚ ।
ବିଷୁବ ମଣ୍ଡଳୀୟ ଉଷ୍ଣ ଓ ଜୁଆରିଆ ଉପକୂଳରେ, ନଦୀ ମୁହାଣ ଓ କର୍ଦମାକ୍ତ ଭୂମିରେ ଦ୍ରୁମ, ଗୁଳ୍ମ, ବୁଦା ଓ ବଣୁଆ ଘାସର ବିସ୍ତୃତିକୁ କୁହାଯାଏ ଲୁଣା ଜଙ୍ଗଲ । ଜାତି ଜାତି ଉଦ୍ଭିଦ ସାଙ୍ଗକୁ ପ୍ରାଣୀସମ୍ପଦକୁ ନେଇ ସଦା ସମୃଦ୍ଧ ତା'ର ପରିସର । ପରିସଂଖ୍ୟାନରୁ ଜଣାଯାଏ, ପୃଥିବୀରେ ୧ଲକ୍ଷ ୫୫ହଜାର ୩୯୯ ବର୍ଗ କି.ମି ଲୁଣା ଜଙ୍ଗଲ ବିଦ୍ୟମାନ, ଯାହାର ସିଂହଭାଗ (୪୨ପ୍ରତିଶତ) ରହିଛି କେବଳ ଇଣ୍ଡୋନେସିଆ, ବ୍ରାଜିଲ, ଅଷ୍ଟ୍ରେଲିଆ, ନାଇଜେରିଆ ଓ ମେକ୍ସିକୋରେ । ଭାରତୀୟ ବନ ସଂରକ୍ଷକ ସଂସ୍ଥା ବିବରଣୀ ଅନୁସାରେ ଭାରତର ବିଭିନ୍ନ ରାଜ୍ୟର ପ୍ରାୟ ୪ହଜାର ୯ଶହ ୭୫ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ରହିଛି, ଯାହା ଦେଶର ସମୁଦାୟ ଭୂଭାଗର ୦.୧୫ ଶତାଂଶ । ଦେଶରେ ସର୍ବାଧିକ ଲୁଣା ଜଙ୍ଗଲ ପଶ୍ଚିମବଙ୍ଗରେ ଅବସ୍ଥିତ, ଯାହା ପାଖାପାଖି ୨୧ଶହ ବର୍ଗ କିଲୋମିଟର ।
‘ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ' ରିପୋର୍ଟ ୨୦୨୧ ଅନୁସାରେ ଆମ ରାଜ୍ୟରେ ରହିଛି ୨୫୮ ବର୍ଗ କିଲୋମିଟର ହେନ୍ତାଳ ବଣ । ସେଥିମଧ୍ୟରୁ ୮୫ ବର୍ଗ କି.ମି. ଘନ, ୯୮ ବର୍ଗ କି.ମି ମଧ୍ୟମ ଓ ୭୫ କି.ମି ଅତି ପତଳା । ସାମୁଦ୍ରିକ ପରିସଂସ୍ଥା ଲୁଣା ଜଙ୍ଗଲ ସମୁଦ୍ରର ଲବଣାକ୍ତ ଜଳ ନୁହେଁ, ଆବଶ୍ୟକ କରେ କ୍ଷାରୀୟ ଜଳ । ସେଥିପାଇଁ ନଦୀର ମଧୁର ଜଳ ମିଶୁଥିବା ମୁହାଣରେ ନଦୀସ୍ରୋତରେ ପରିବାହିତ ପଟୁମାଟିରେ ସୃଷ୍ଟିହୁଏ ଲୁଣା ଜଙ୍ଗଲ । ତେଣୁ ଏହା ମୁଖ୍ୟତଃ ମହାନଦୀ ଓ ବୈତରଣୀ ମୁହାଣରେ ଦେଖାଯାଏ, ଯାହା ପାରାଦୀପ ବନ୍ଦର ଓ ଚାନ୍ଦବାଲି ବନ୍ଦର ନିକଟରେ ଅବସ୍ଥିତ । ପଶ୍ଚିମବଙ୍ଗର ସୁନ୍ଦରବନ ହେଉଛି ଭାରତର ତଥା ପୃଥିବୀର ସର୍ବବୃହତ ହେନ୍ତାଳ ବଣ । ସୁନ୍ଦରବନ ପରେ ଭିତରକନିକା ଭାରତର ଦ୍ୱିତୀୟ ତଥା ଓଡ଼ିଶାର ସର୍ବବୃହତ ବିସ୍ତାରିତ ଲୁଣା ଜଙ୍ଗଲ, ଯାହା ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକାଣ ଭୂମିରେ ଅବସ୍ଥିତ । କେନ୍ଦ୍ରାପଡ଼ା ଜିଲାର ବରୁଣେଇ ମୁହାଣରୁ ଧାମରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ପ୍ରାୟ ୪୦କି. ମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ଅଭୟାରଣ୍ୟକୁ ମିଳିଛି ଜାତୀୟ ଉଦ୍ୟାନର ମାନ୍ୟତା । ସବୁଜ ପ୍ରାଚୀର ଭାବରେ ବିଦ୍ୟମାନ ଭିତରକନିକାରେ ଖୁନ୍ଦାଖୁନ୍ଦି ହୋଇ ରହିଛି ବନି, ସୁନ୍ଦରୀ, ଗୁଆଁ, ରାଇ, କେରୁଆଁ, ବନ୍ଦରି, ଖରଖରି, ସିଙ୍ଗଡ଼ା, ଶିଶୁମାର ଓ ହେନ୍ତାଳ ଆଦି ବୃକ୍ଷରାଜି । ସମଗ୍ର ଭାରତରେ ୫୮ ପ୍ରଜାତିର ଲୁଣା ଗଛ ମଧ୍ୟରୁ ଏଠାରେ ୫୫ ପ୍ରଜାତିର ଗଛ ରହିଛି ଏବଂ ଏହାର ସାନ୍ଦ୍ରତା ସୁନ୍ଦରବନ ଠାରୁ ବି ଅଧିକ ।
ଲୁଣା ଗଛର ମଞ୍ଜିଗୁଡ଼ିକ ଗୋଜିଆ ଆକୃତିର ହୋଇଥିବାରୁ ଗଛରୁ ପଡ଼ିବା ମାତ୍ରେ ପଙ୍କୁଆ ମାଟିରେ ପୋତି ହୋଇଯାଏ, ଯାହାକୁ ଆଉ ଭସେଇ ନେଇପାରେନି ସମୁଦ୍ର ଜୁଆର । ମାଟିରେ ପୋତି ହୋଇଥିବା ମଞ୍ଜିରୁ ଜନ୍ମ ନିଏ ନୂଆ ଉଦ୍ଭିଦ । ଗଠନ ପ୍ରକ୍ରିୟା ଦୃଷ୍ଟିରୁ ଲୁଣା ଗଛ ତା'ର ଅଙ୍କୁରୋଦ୍ଗମ କାଳରୁ ଆହରଣ କରିନିଏ ଲୁଣା ପ୍ରତିରୋଧକ ଶକ୍ତି । ଗଛକୁ ଦୃଢ଼ କରି ରଖିବା ପାଇଁ ଏହାର କାଣ୍ଡରୁ ବାହାରିଥାଏ ବହୁସଂଖ୍ୟକ ଠେସମୂଳ । ଉଦ୍ଭିଦ ବିଜ୍ଞାନୀଙ୍କ ମତରେ, ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ବୃକ୍ଷର ପ୍ରତ୍ୟେକ ଅଙ୍ଗକୁ ପଠାଇବାରେ ସହାୟକ ହୁଅନ୍ତି ତା'ର ବାୟବୀୟ ଚେରରେ ଥିବା ଛିଦ୍ରସମୂହ । ଲୁଣା ଗଛର ଚେର ଜଳ ପ୍ରବାହକୁ ଅପେକ୍ଷାକୃତ ଶିଥିଳ କରେ, ଯାହାଦ୍ୱାରା ମୃତ୍ତିକା ସଂରକ୍ଷଣ ହେବା ସହିତ ମାଟିରେ ଅଟକି ରହେ କ୍ଷତିକାରକ ଧାତୁ ।
ଲୁଣା ଗଛର ଚେର ପାଣି ଭିତରେ ରହୁଥିବାରୁ ଜୈବିକ ପ୍ରକ୍ରିୟା ଦ୍ୱାରା ଅପେକ୍ଷାକୃତ ନିର୍ମଳ ଜଳ ସମୁଦ୍ରକୁ ଯାଏ, ଯାହାଫଳରେ ନିର୍ମଳ ରହେ ପ୍ରବାଳ ଅଞ୍ଚଳ । ଲବଣାକ୍ତ ଜଳ ଜୁଆର ଭଳି ପ୍ରତିକୂଳ ପରିବେଶ ମଧ୍ୟରେ ତଟ କ୍ଷୟ ରକ୍ଷା କରିବାରେ ତାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ହେନ୍ତାଳ ବଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ଅଙ୍ଗାରକ ଭଣ୍ଡାର । ବିଷୁବୀୟ ଅରଣ୍ୟ ତୁଳନାରେ ହେନ୍ତାଳ ବଣର ଅଙ୍ଗାର ଶୋଷଣ ସାମର୍ଥ୍ୟ ୫୬ଗୁଣ ଅଧିକ । ହେନ୍ତାଳ ବଣ ସବୁଠାରୁ ଉତ୍ପାଦନଶୀଳ ପରିସଂସ୍ଥା ଏବଂ ଚମତ୍କାର ତା'ର ଖାଦ୍ୟ ସୃଷ୍ଟିକାରୀ ପଦ୍ଧତି । ଜଳଚର, ସ୍ଥଳଚର, ସରୀସୃପ ଓ ପକ୍ଷୀସମୂହର ଏହା ଅନ୍ତୁଡ଼ିଶାଳ ତଥା ପରିଚାଳକ । ଏଠାରେ ଯେଉଁ ସ୍ୱତନ୍ତ୍ର ବୃକ୍ଷ ଓ ପ୍ରାଣୀ ପ୍ରଜାତି ଦେଖାଯାଆନ୍ତି, ତାହା ଅନ୍ୟ ଜୈବ ସଂସ୍ଥାନରେ ବିରଳ । ହେନ୍ତାଳ ବଣର ଦମ୍ଭିଲାପଣକୁ ଭାଙ୍ଗିପାରେନି ବାତ୍ୟାର ପ୍ରକୋପ, ବରଂ ନିଜେ ବଦଳେଇବାକୁ ବାଧ୍ୟ ହୁଏ ନିଜର ଗତିପଥ । ପାଣିପାଗ ବିଜ୍ଞାନୀଙ୍କ ମତରେ, ବାତ୍ୟା ସମୟରେ ହେନ୍ତାଳ ବଣ ଘର୍ଷଣଯୁକ୍ତ ପ୍ରଭାବ ପକାଇ ବାତ୍ୟାକୁ ଦୁର୍ବଳ କରିଦିଏ, ଯାହାଫଳରେ ସମୁଦ୍ର ଉପରେ ଅବାଧରେ ଚଳାଚଳ କରୁଥିବା ପବନ ହେନ୍ତାଳ ବଣରେ ଧକ୍କା ଖାଇ ସୃଷ୍ଟିକରେ ବିପରୀତ ପ୍ରଭାବ । ୨୦୨୧ ୟାସ୍ ବାତ୍ୟା ତା'ର ଦୃଷ୍ଟାନ୍ତ ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଭିତରକନିକା ଓ ଧାମରା ଉପକୂଳରେ ଥିବା ହେନ୍ତାଳ ବଣ ଯୋଗୁଁ ଦିଗ ବଦଳେଇଥିଲା ୟାସ୍ । ୧୯୯୯ ମହାବାତ୍ୟା ହେଉ କି ୨୦୦୪ ମସିହା ସୁନାମି ସମୟର ବ୍ୟାପକ ଜଳ ପ୍ଳାବନ ହେଉ, ଉପକୂଳ ଓଡ଼ିଶାକୁ ସୁରକ୍ଷା ଦେଇଥିଲା ଲୁଣା ଜଙ୍ଗଲର ଉପସ୍ଥିତି । ସମୁଦ୍ର ଢେଉକୁ ରୋକିବାରେ ମଣିଷର ସକଳ ଚେଷ୍ଟା ବିଫଳ ହୋଇଥିବା ବେଳେ କେବଳ ହେନ୍ତାଳ ବଣ ହିଁ ତା'ର ସଫଳ ମୁକାବିଲା କରିଛି, ଯାହା କରିପାରନ୍ତି ନାହିଁ ଉପକୂଳରେ ଥିବା ଝାଉଁ ଓ କାଜୁ ଜଙ୍ଗଲ । ବିକାଶ ପ୍ରକ୍ରିୟାରେ ଭିତ୍ତିଭୂମି ନିର୍ମାଣ, ପର୍ଯ୍ୟଟନ, କୃଷି, ଖଣି ଉତ୍ତୋଳନ, ବନ୍ଦର ନିର୍ମାଣ ଓ ବସତି ସ୍ଥାପନ ଆଦି ବିଭିନ୍ନ କାରଣରୁ କ୍ରମଶଃ ଧ୍ୱଂସ ପାଉଛି ଲୁଣା ଜଙ୍ଗଲ । ତଥ୍ୟ କହେ, ଗତ ତିରିଶ ବର୍ଷ ମଧ୍ୟରେ ପୃଥିବୀରୁ ଧ୍ୱଂସ ପାଇସାରିଛି ୩୦ ପ୍ରତିଶତ ଲୁଣା ଜଙ୍ଗଲ । ୧୯୫୦ ମସିହା ପର୍ଯ୍ୟନ୍ତ ହେନ୍ତାଳ ବଣରେ ପରିପୂର୍ଣ୍ଣ ଥିଲା ପାରାଦୀପ, ଭିତରକନିକା ଆଦି ଅଞ୍ଚଳ । ଜମିଦାରୀ ପ୍ରଥା ଉଚ୍ଛେଦ (୧୯୫୦) ହେବା ପରେ ଆରମ୍ଭ ହେଲା ଜଙ୍ଗଲ ଜମି ଜବରଦଖଲ ।
ଧାନଚାଷ ପାଇଁ କାଟି ସଫା କରାଗଲା ମାଇଲ୍ ମାଇଲ୍ ଜଙ୍ଗଲ । ସାମୁଦ୍ରିକ ବନ୍ଦର ପ୍ରତିଷ୍ଠା ଏବଂ ବନ୍ଦରକୁ ଭିତ୍ତି କରି ଗଢ଼ିଉଠିଥିବା ସହର ଓ ଶିଳ୍ପ ସଂସ୍ଥା ସାଜିଲା କାଳ । ୧୯୬୨ ମସିହାରେ ଯେଉଁଠି ପାରାଦୀପ ବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ସମୁଦ୍ର ଠାରୁ ଚାରି କି.ମି. ରୁ ଅଧିକ ଦୂରରେ ଥିବା ସେ ସ୍ଥାନ ଏବେ ସମୁଦ୍ର ଠାରୁ କେଇ ହାତ ଦୂରରେ । ଜଳବାୟୁ ପରିବର୍ତ୍ତନ ମଧ୍ୟ ହେନ୍ତାଳ ବଣ ପାଇଁ ସାଜିଛି ବିପଦର କାରଣ । ଜଳବାୟୁ ପରିବର୍ତ୍ତନ ଜନିତ ବିଶ୍ୱତାପନ ଯୋଗୁଁ ସମୁଦ୍ର ଜଳ ପତ୍ତନ ବଢୁଛି ଏବଂ ଦୀର୍ଘଦିନ ଜଳମଗ୍ନ ହୋଇ ରହିବା ଫଳରେ କ୍ଷୟପ୍ରାପ୍ତ ହେଉଛି ଲୁଣା ଜଙ୍ଗଲ । ୧୯୭୦ ମସିହାରେ ମହାନଦୀ ମୁହାଣରେ ଯେତିକି ଲୁଣା ଜଙ୍ଗଲ ଥିଲା, ପରବର୍ତ୍ତୀ ସମୟରେ ତାକୁ ଧୀରେ ଧୀରେ ଗ୍ରାସ କରିବାକୁ ଲାଗିଲା ଚିଙ୍ଗୁଡ଼ିଘେରି ଓ ପାନବରଜ । ସେହି ସର୍ବନାଶର ସାକ୍ଷୀ ହୋଇ ଠିଆ ହୋଇଛି ମାଳମାଳ ଥୁଣ୍ଟା ଗଛ । ନଦୀମାନଙ୍କରେ ଅଧିକ ବନ୍ଧ ନିର୍ମାଣ କରି ଜଳକୁ ଅଟକାଇ ଦେବା ଦ୍ୱାରା ମୁହାଣରେ ଅଧିକ ଲବଣାକ୍ତ ଜଳ ଠୁଳ ହେଉଛି, ଯାହା ଲୁଣା ଜଙ୍ଗଲ ପାଇଁ ସୃଷ୍ଟି କରୁଛି ବିପଦ । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ମଧ୍ୟ ଓଡ଼ିଶାରେ ଧ୍ୱଂସ ପାଇଛି ବିସ୍ତୃତ ଲୁଣା ଜଙ୍ଗଲ ।
ଅନେକ ବଡ଼ ବିପଦରୁ ସୁରକ୍ଷା ଦେଇଥିବା ହେନ୍ତାଳ ବଣ ହେଉଛି ଉପକୂଳର ସୁରକ୍ଷା କବଚ । ତେଣୁ ବିପର୍ଯ୍ୟୟ ପ୍ରଶମନ ଦୃଷ୍ଟିରୁ ତା'ର ସୁରକ୍ଷା, ସଂରକ୍ଷଣ ଓ ବିସ୍ତାରଣ ଏକ ସ୍ଥାୟୀ ବ୍ୟବସ୍ଥା, ଯାହା ନିର୍ଭର କରେ ସମନ୍ୱିତ ଯୋଜନା ପ୍ରଣୟନ ଓ ଦକ୍ଷ ଜଙ୍ଗଲ ପରିଚାଳନା ଉପରେ ।