ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭିତରକନିକା-ଧାମରା ମଧ୍ୟରେ ମାଡ଼ ହେବ "ଦାନା';୧୨୦ କିମି ବେଗରେ ବହିବ ପବନ, ଅତି ପ୍ରବଳ ବର୍ଷା

Published By : Anindita Ratha | October 23, 2024 8:09 AM

ଭୁବନେଶ୍ବର ,୨୩/୧୦ :  ମଝି ରାତିରେ ଶୋଇଥିବେ ଲୋକେ । ଠିକ୍‌ ସେତିକି ବେଳକୁ ମାଡ଼ ହେବ । ୧୦୦ରୁ ୧୨୦ କିଲୋମିଟର ବେଗରେ ପିଟିବ ପବନ । ତା ସାଙ୍ଗକୁ ମୁଷଳ ଧାରା ବର୍ଷା । କଚା ଘର ଉଡ଼ିଯିବ, ମଡ଼ମାଡ଼ ଭାଙ୍ଗିବଉପୁଡ଼ିବ ଗଛ, ମୋଡ଼ିମାଡ଼ି ହୋଇଯିବ ବିଜୁଳି ଖୁଣ୍ଟ ଆଉ ତାର । ବୁଡ଼ିବ, ଶୋଇବ ଫସଲ । ଗୁରୁବାର ରାତିରେ ଏମିତି ତାଣ୍ଡବ ରଚାଇବ ବାତ୍ୟା "ଦାନା' । ଭୀଷଣ ରୂପରେ ବାତ୍ୟା ଭିତରକନିକା ଦେଇ ପଶିବ ସ୍ଥଳଭାଗରେ ୨୪ ତାରିଖ ରାତି ସାଢ଼େ ୧୧ରୁ ସକାଳ ଭିତରେ । ପରେ ବାସୁଦେବପୁର- ସୋର ଦେଇ କୁଲଡିହା ଅଭୟାରଣ୍ୟ ଭିତରେ ପଶିବ । ପାଣିପାଗ ବିଭାଗ ଏଭଳି ଭୟାନକ ପୂର୍ବାନୁମାନ ଦେଇଛି । ପବନ ଅପେକ୍ଷା ବର୍ଷାର ପ୍ରକୋପ ବୋହି ଆଣିବ ବ୍ୟାପକ କ୍ଷୟକ୍ଷତି ୧୧ ଜିଲ୍ଲାରେ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ବାତ୍ୟା ରୂପ ନେବ । 

ମଙ୍ଗଳବାର ସନ୍ଧ୍ୟା ବେଳକୁ ଏହା ପାରାଦୀପ ଠାରୁ ୬୯୦ କିଲୋମିଟର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା । ଘଣ୍ଟାକୁ ମାତ୍ର ୭ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଥିଲା । ୨୩ ତାରିଖ ସକାଳେ ବାତ୍ୟାକୁ ଘନୀଭୂତ ହେବ । ୨୪ ତାରିଖ ଦିନ ସାଢ଼େ ୧୧ଟାରେ ଭୀଷଣ ବାତ୍ୟା(ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ) ରୂପ ନେବ ‘ଦାନା’ । ଅର୍ଥାତ ବାତ୍ୟାର କେନ୍ଦ୍ରୀୟ ବଳୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ । ପବନ ଧକ୍କା ୧୨୦ କିମି ଯାଏ ଛୁଇଁପାରେ । ଆଇଏମ୍‌ଡି ବାତ୍ୟା ଗତିପଥ କହୁଛି, ୨୪ ତାରିଖ ରାତି ସାଢ଼େ ୧୧ଟାରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପରେ (୨୦.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୭.୧ ଡିଗ୍ରୀ ପୂର୍ବ ଦ୍ରାଘିମା) ପହଞ୍ଚିବ । ରାତି ପ୍ରାୟ ୧୨ଟା ବେଳକୁ ଭିତରକନିକା ଜାତୀୟ ଉଦ୍ୟାନରେ ମାଡ଼ ହେବ । ବାତ୍ୟାର କେନ୍ଦ୍ରୀୟ ବଳୟର ପ୍ରଭାବ ପ୍ରାୟ ୩୦ କିଲୋମିଟର ଯାଏ ରହିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଅନେକ ଅଞ୍ଚଳରେ ଏହାର ପ୍ରକୋପ (୧୨୦ କିମି ଯାଏ ପବନ) ରହିବା ଆଶଙ୍କା ରହିଛି । 

୨୫ ତାରିଖ ଦିନ ସାଢ଼େ ୧୧ଟା ବେଳକୁ ଏହା ଦୁର୍ବଳ ହୋଇ ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟକୁ ଆଗେଇବ । ବରିଷ୍ଠ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସମ୍ଭବତଃ ଧାମରା ଦେଇ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ । ସେତେବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଥିବ । କିନ୍ତୁ ସ୍ଥଳଭାଗ ଛୁଇଁବା ପରେ ତ୍ୱରିତ ଗତିରେ ଦୁର୍ବଳ ହୋଇ ଦୁଇ ତିନି ଘଣ୍ଟା ଭିତରେ ଅବପାତକୁ ଖସି ଆସିବ । ବାତ୍ୟାର ଗତିପଥର ବଦଳିବା ସମ୍ଭାବନାକୁ ବି ଏଡ଼ାଇ ହେବ ନାହିଁ ବୋଲି ସେ କହିଛନ୍ତି । ହେଲେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା ରହିଛି ।

ବାତ୍ୟାର ମଧ୍ୟ ବଳୟର ଦକ୍ଷିଣରେ ଥିବା ଅଞ୍ଚଳରେ ଅଧିକ ବର୍ଷା ହେବ ବୋଲି ଡକ୍ଟର ପଶୁପାଳକ କହିଛନ୍ତି । ପାଣିପାଗ ବିଭାଗ ସତର୍କ କରାଇଛି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । ମୟୂରଭଞ୍ଜରେ ୮୦ରୁ ୯୦ କିମି ବେଗରେ ପବନ ବହିବ । ପୁରୀରେ ୬୦ରୁ ୮୦ ବେଗରେ ପବନ ବହିପାରେ । କଟକ, ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ୱର, ଢେଙ୍କାନାଳ ଓ କେନ୍ଦୁଝରରେ ୬୦-ରୁ ୭୦ କିମି ବେଗରେ ପବନ ବହିପାରେ । ସୁନ୍ଦରଗଡ଼ରେ ୫୦ରୁ ୬୦କିମି ଓ ଅନୁଗୁଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସମ୍ବଲପୁର ଓ ଦେବଗଡ଼ରେ ୪୦ରୁ ୫୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଚଣ୍ଡିଖୋଲ, ଯାଜପୁର, ବ୍ୟାସନଗର, ଭଦ୍ରକ, ସୋର, ବାଲେଶ୍ୱର, ଶିମିଳିପାଳ ଜାତୀୟ ଉଦ୍ୟାନ ଭଳି ସ୍ଥାନ ସମ୍ଭାବ୍ୟ ବାତ୍ୟାର କୋନ୍‌ ଅଫ ଅନସର୍ଟନିଟିରେ ଆସୁଛି । ଏଠାରେ ସର୍ବାଧିକ ପବନ ବହିବ । ଏ ସବୁ ସ୍ଥାନରେ ୯୨ରୁ ୧୧୭ କିମି ବେଗରେ ପବନ ବହିପାରେ ବୋଲି ଆଇଏମ୍‌ଡି ଫୋରକାଷ୍ଟ ଟ୍ରାକ୍‌ ଓ କ୍ୱାଡ୍ରାଣ୍ଟ ୱିଣ୍ଡ ଡିଷ୍ଟ୍ରିବ୍ୟୁସନ ଆକଳନ କରିଛି । 

ବାତ୍ୟା ଯୋଗୁ ୨୪ ଓ ୨୫ ତାରିଖ ଦୁଇ ଦିନ ଅସମ୍ଭାଳ ବର୍ଷା ହେବ । ୨୪ରେ ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୨୦୦ମିମିରୁ ଅଧିକ ବର୍ଷା ହୋଇପାରେ । ଅତି ଭୀଷଣ ବର୍ଷା ଆଶଙ୍କା ପାଇଁ ଏ ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ସେଦିନ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ନିର୍ଧୁମ ବର୍ଷିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ବି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଛି । ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି । ୪ଟି ଜିଲ୍ଲାରେ ୨୦୦ମିମିରୁ ଅଧିକ ବର୍ଷା ଆଶଙ୍କା ପାଇଁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାରେ ୭୦ରୁ ୨୦୦ମିମି ବର୍ଷା ଆଶଙ୍କା ଅଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷିବ । ୨୬ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ବାତ୍ୟାରେ ରାଜ୍ୟର ୧୧ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରେ ବୋଲି ଆଇଏମଡି ସତର୍କ କରାଇଛି । ପବନ ଓ ଲଗାଣ ବର୍ଷା ଯୋଗୁ କଚ୍ଚା ଘର ଅଧିକ କ୍ଷତିଗ୍ରସ୍ତ ହୋଇପାରେ । ପବନରେ ଆଜବେଷ୍ଟସ୍‌ ସିଟ୍‌ ଓ ମେଟାଲ ସିଟ୍‌ ଉଡ଼ିଯିବା ଆଶଙ୍କା ଅଛି । ଶକ୍ତି ଓ ଯୋଗାଯୋଗ କ୍ଷେତ୍ର ଆଂଶିକ କ୍ଷତିଗ୍ରସ୍ତ ହୋଇପାରେ । ଉଭୟ କଚ୍ଚା ଓ ପକ୍କା ରାସ୍ତା କ୍ଷତିଗ୍ରସ୍ତ ହେବା ଆଶଙ୍କା ଅଛି । ଚାଷ ଜମିରେ ଥିବା ଫସଲ ନଷ୍ଟ ଆଶଙ୍କା ଅଛି । ନଦୀ ତଟବନ୍ଧ କ୍ଷତିଗ୍ରସ୍ତ ହୋଇପାରେ । ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ସହରାଞ୍ଚଳରେ କୃତ୍ରିମ ବନ୍ୟା ଆଶଙ୍କା ଅଛି । ଅଣ୍ଡରପାସ୍‌ଗୁଡ଼ିକ ବୁଡ଼ି ଯାଇପାରେ । ପ୍ରମୁଖ ରାସ୍ତାରେ ପାଣି ଚାଲିବା ଯୋଗୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.