ନୂଆଦିଲ୍ଲୀ: ଅର୍ଥନୀତିରେ ୩ ଜଣ ଅର୍ଥନୀତିଜ୍ଞଙ୍କୁ ନୋବେଲ୍‌ ପୁରସ୍କାର ଦିଆଯାଇଛି । ଡାରୋନ୍‌ ଏସେମୋଗଲୁ, ସାଇମନ ଜନସନ୍‌ ଏବଂ ଜେମ୍ସ ରବିନସନଙ୍କୁ ନୋବେଲ୍‌ ପୁରସ୍କାର ମିଳିଛି । ଡାରୋନ୍‌ ଏସେମୋଗଲୁ ଏବଂ ସାଇମନ ଜନସନ୍‌ ଆମେରିକାର କ୍ୟାମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟର ହୋଇଥିବା ବେଳେ ଜେମ୍ସ ଏ ରବିନସନ୍‌ ଚିକାଗୋ ବିଶ୍ବବିଦ୍ୟାଳର ବୋଲି ଜଣାପଡ଼ିଛି । କେମିତି ଅନୁଷ୍ଠାନ ଗଢ଼ି ଉଠେ ଏବଂ  ଦେଶର ସମୃଦ୍ଧିକୁ ଏହା କିଭଳି ପ୍ରଭାବିତ କରେ, ସେନେଇ ଉଲ୍ଲେଖନୀୟ ଗବେଷଣା କରି ଏହି ୩ ଅର୍ଥନୀତିଜ୍ଞ ନୋବେଲ୍‌ ପୁରସ୍କାର ଲାଭ କରିଛନ୍ତି । 


ରୟାଲ ସ୍ବିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ଯେ, ପୁରସ୍କାର ବିଜେତାଙ୍କ ମଡେଲ୍‌ ୩ଟି ଫ୍ୟାକ୍ଟର ଉପରେ ଆଧାରିତ । ପ୍ରଥମତଃ ସଂଶାଧନର ଭାଗବଣ୍ଟା ଏବଂ ସମାଜରେ ନିର୍ଣ୍ଣୟ ନେବାର ଶକ୍ତିକୁ ନେଇ ସଂଘର୍ଷ । ଦ୍ବିତୀୟରେ ବେଳେ ବେଳେ ଜନତାଙ୍କୁ ଶାସନର ବ୍ୟବହାର କରିବାକୁ ଅବସର ମିଳିବା ଦରକାର । ତୃତୀୟ ଫ୍ୟାକ୍ଟର ହେଉଛି, ପ୍ରତିବଦ୍ଧତାର ସମସ୍ୟା । ’

ଡାରୋନ୍‌ ଏସେମୋଗଲୁ ତୁର୍କୀ-ଆମେରିକୀୟ ଅର୍ଥଶାସ୍ତ୍ରୀ । ୧୯୯୩ ମସିହାରୁ ସେ ମସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ପଢାଉଛନ୍ତି । ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ଏଲିଜାବେଥ୍ ଏବଂ ଜେମ୍ସ କିଲିୟନ ପ୍ରଫେସର ଅଛନ୍ତି । ୨୦୦୫ ମସିହାରେ ତାଙ୍କୁ ଜନ୍ ବେଟ୍ସ କ୍ଲାର୍କ ପଦକ ଦିଆଯାଇଥିଲା । ୨୦୧୯ରେ ତାଙ୍କୁ ଏମଆଇଟି ପ୍ରଫେସର ଭାବେ ନାମିତ କରାଯାଇଥିଲା ।

ସାଇମନ ଜନସନ୍‌ ଜଣେ ବ୍ରିଟିଶ-ଆମେରିକୀୟ ଅର୍ଥନୀତିଜ୍ଞ । ୧୯୬୩ ଜାନୁଆରୀ ୧୬ରେ ସେ ଜନ୍ମ ଗ୍ରହଣ କରିଥିଲେ । ଜନସନ୍ ପିଟରସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ଇକୋନମିକ୍ସରେ ସିନିୟର ଫେଲୋ ଅଛନ୍ତି । ୧୯୬୦ ମସିହାରେ ଜନ୍ମତି ରବିନସନ୍ ଜଣେ ବ୍ରିଟିଶ ଅର୍ଥଶାସ୍ତ୍ରୀ ଏବଂ ରାଜନୀତିଜ୍ଞ ।

ପୁରସ୍କାରର ଅଫିସିଆଲ୍ ନାଁ ସ୍ବିଡିସ୍‌ ରିକ୍ସବ୍ୟାଙ୍କ ପ୍ରାଇଜ୍ ଥିବା ବେଳେ ଏହାକୁ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ପ୍ରଦାନ କରାଯାଏ । ପୁରସ୍କାର ରାଶି ବାବଦକୁ ୧୧ ନିୟୁତ ସ୍ୱିଡିସ୍ କ୍ରାଉନ୍ ଦିଆଯାଏ । ଆର୍ଥିକ ବିଜ୍ଞାନ ପୁରସ୍କାର ସମିତିର ଅଧ୍ୟକ୍ଷ ଜ୍ୟାକବ ଭେନସନ୍ କହିଛନ୍ତି, 'ଦେଶଗୁଡ଼ିକ ମଧ୍ୟରେ ଆୟର ବଡ଼ ବ୍ୟବଧାନକୁ କମ କରିବା ଆଜିର ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ । ପୁରସ୍କାର ବିଜେତାମାନେ ସାମାଜିକ ଅନୁଷ୍ଠାନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।'