ନୂଆଦିଲ୍ଲୀ,୨୫।୧୨: ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ) ନିକଟର କିଛି ବର୍ଷରେ ଚୀନ୍-ଭାରତ ସମ୍ପର୍କକୁ ଉଲ୍ଲେଖ କରାଯିବା ନେଇ ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ରିପୋର୍ଟରେ କୁହାଯାଇଛି, ଚୀନ୍ ସମ୍ଭବତ ଭାରତ ସହ ଏଲଏସି ଉପରେ ବିବାଦ କମ୍ ହେବାର ଲାଭ ଉଠାଇ ଦ୍ବିପାକ୍ଷିକ ସମ୍ପର୍କକୁ ସ୍ଥିର କରିବାକୁ ଚାହେଁ। ଆମେରିକା-ଭାରତ ସମ୍ପର୍କକୁ ଆହୁରି ଅଧିକ ମଜବୁତ ହେବାକୁ ରୋକିବାକୁ ଚେଷ୍ଟା କରୁଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ ଏକ ପ୍ରେସ୍ ବ୍ରିଫିଙ୍ଗରେ କହିଛନ୍ତି ଯେ ଚୀନ୍ ତା’ର ଜାତୀୟ ପ୍ରତିରକ୍ଷା ନୀତି ସମ୍ପର୍କରେ ପେଣ୍ଟାଗନ୍ର ମନ୍ତବ୍ୟକୁ ବିରୋଧ କରେ। ଭାରତ ସହିତ ଚୀନ୍ ତାର ସମ୍ପର୍କକୁ ଏକ ରଣନୈତିକ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଦେଖେ। ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳରେ ଭାରତ ସହିତ ଉତ୍ତେଜନା ହ୍ରାସର ସୁଯୋଗ ନେଇ ଆମେରିକା-ଭାରତ ସମ୍ପର୍କକୁ ଚୀନ୍ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିବ କି ବୋଲି ପଚରାଯିବାରୁ, ଲିନ୍ ଜିଆନ୍ କହିଥିଲେ ଯେ ଚୀନ୍ କୌଣସି ତୃତୀୟ ଦେଶକୁ ଟାର୍ଗେଟ ନକରି ଭାରତ ସହିତ ସମ୍ପର୍କ ବିକାଶ ଉପରେ ଧ୍ୟାନ ଦେଉଛି। ସିମା ପ୍ରସଙ୍ଗ ଚୀନ୍ ଓ ଭାରତ ଉଭୟଙ୍କର ଅନ୍ତରୀଣ ମାମଲା। ଆମେ ଅନ୍ୟ କୌଣସି ଦେଶକୁ ଏହା ଉପରେ ଟିପ୍ପଣୀ ଦେବାକୁ ବିରୋଧ କରୁଛୁ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଚୀନ୍ ଭାରତ ସହିତ ରଣନୈତିକ ଓ ଦୀର୍ଘକାଳୀନ ସମ୍ପର୍କକୁ ଦେଖିଥାଏ। ପାରସ୍ପାରିକ୍ ବିଶ୍ବାସକୁ ବଢାଇବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ସ୍ଥିର, ସୁସ୍ଥ ଏବଂ ବିକାଶ ଦିଗରେ ବଢାଇବାକୁ ଆମେ ପ୍ରସ୍ତୁତ। ଏହି ବୟାନ ପେଣ୍ଟାଗନର ୨୦୨୫ ରିପୋର୍ଟ ‘ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟ ଦ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା’କୁ ନେଇ ରହିଛି। ଯେଉଁଥିରେ କୁହାଯାଇଥିଲା ଏଲଏସି ନିକଟରେ ବିବାଦ କମ୍ ହେବା ପରେ ଚୀନ୍ ଭାରତ ସହ ସମ୍ପର୍କକୁ ସ୍ଥିର କରିବାର ଚେଷ୍ଟା କରୁଛି। ଫଳରେ ଭାରତ-ଆମେରିକା ଭିତରେ ରଣନୈତିକ ମେଣ୍ଟକୁ ରୋକି ହେବ। ରିପୋର୍ଟରେ ଅରୁଣାଚଳ ପ୍ରଦେଶକୁ ଚୀନ୍ର କୋର ଇଷ୍ଟେଟ୍ର ଅଂଶ ବୋଲି କୁହାଯାଇଥିଲା। ଏହା ସହ ପାକିସ୍ତାନ ସହ ଚୀନ୍ର ବଢୁଥିବା ସାମରିକ ସହଯୋଗ ନେଇ ମଧ୍ୟ ଉଲ୍ଳେଖ କରାଯାଇଥିଲା।
ଆହୁରି ପଢନ୍ତୁ :ଜେସିବି ଲଗାଇ କମ୍ବୋଡିଆରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାଗଲା, ଭାରତର କଡା ନିନ୍ଦା: କହିଲା- ଏହା ଅପମାନଜନକ...