ନୂଆଦିଲ୍ଲୀ, ୨୦।୬: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍‌ କା ଲାଗିଛି । ଆଗାମୀ ଚଳଚ୍ଚିତ୍ର 'କାଲା ହିରନ ଦ ବ୍ୟାଟେଲ ଫର୍ ଲେଗାସୀ' ର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ସଲମାନ କରିଥିବା ଆବେଦନର ଶୁଣାଣିକୁ କୋର୍ଟ ଘୁଞ୍ଚାଇ ଦେଇଛନ୍ତି । ଫଳରେ ସଲମାନଙ୍କୁ କୋର୍ଟରୁ କୌଣସି ତତ୍କାଳ ଆଶ୍ୱସ୍ତି ମିଳିନାହିଁ । ଜଷ୍ଟିସ ମଧୁ ଜୈନଙ୍କ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧ ଜୁଲାଇ ୨୦କୁ ଧାର୍ଯ୍ୟ କରିଛନ୍ତି । ଫିଲ୍ମର ନିର୍ମାତାମାନେ ସେମାନଙ୍କ ପକ୍ଷ ରଖିବା ପାଇଁ କୋର୍ଟଙ୍କୁ ଅଧିକ ସମୟ ମାଗିବା ପରେ କୋର୍ଟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି । ଏହାସହ ଆବେଦନର ଏକ କପି ଫିଲ୍ମର ମେକର୍ସଙ୍କୁ ଯୋଗାଇ ଦେବାକୁ କୋର୍ଟ ସଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

'ମୋ ଜୀବନ କାହାଣୀ ଉପରେ ଫିଲ୍ମ କରିବାର ଅଧିକାର କାହାର ନାହିଁ': ସଲମାନ

ସଲମାନ ଖାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଅଧିବକ୍ତା ସନ୍ଦୀପ ସେଠୀ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, 'କଳା ହରିଣ'ର ନିର୍ମାତାମାନେ ସଲମାନଙ୍କ ଅନୁମତି ବିନା ତାଙ୍କ ଜୀବନ କାହାଣୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ତାଙ୍କ ଭାବମୂର୍ତ୍ତିକୁ ବ୍ୟବସାୟିକ ଫାଇଦା ପାଇଁ ବେଆଇନ ଭାବେ ବ୍ୟବହାର କରୁଛନ୍ତି । ସଲମାନଙ୍କ ଓକିଲ କହିଛନ୍ତି, "ସେମାନେ ମୋ ଜୀବନ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଏବଂ ନୋଟିସକୁ ଖାତିର କରୁନାହାନ୍ତି। ମୋ ଜୀବନୀକୁ ନେଇ ସିନେମା କରିବାକୁ ସେମାନଙ୍କର କୌଣସି ଅଧିକାର ନାହିଁ। ଏହି ଫିଲ୍ମର ଟିଜର୍ ମଧ୍ୟ ରିଲିଜ୍ ହୋଇସାରିଛି, ତେଣୁ ଏହାର ରିଲିଜ୍ ଉପରେ ତୁରନ୍ତ ଅନ୍ତରୀଣ ରୋକ୍ ଲଗାଯାଉ ।"

ଏହା ବି ପଢ଼ନ୍ତୁ... Eetha : ନୃତ୍ୟ କରି ମରିଗଲେ କିମ୍ବଦନ୍ତୀ ହୋଇଯିବି, କାହିଁକି ଏମିତି କହିଲେ ଶ୍ରଦ୍ଧା...

ମେକର୍ସଙ୍କ ଓଲଟା ଯୁକ୍ତି: ମିଳିଛି ଜୀବନରୁ ମାରିଦେବାକୁ ଧମକ

ଅନ୍ୟପଟେ ଫିଲ୍ମ ନିର୍ମାତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ ସେମାନଙ୍କୁ ନିକଟରେ ଆବେଦନର କପି ମିଳିଛି, ତେଣୁ ଆନୁଷ୍ଠାନିକ ଜବାବ ଦାଖଲ କରିବା ପାଇଁ ସମୟ ଆବଶ୍ୟକ । ଏହାସହିତ ସେ କୋର୍ଟରେ ଏକ ଚାଞ୍ଚଲ୍ୟକର ସୂଚନା ଦେଇ କହିଛନ୍ତି ଯେ, ଏହି ଫିଲ୍ମକୁ ନେଇ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି, ଯାହାକୁ ନେଇ ଏକ ଏଫଆଇଆର ମଧ୍ୟ ରୁଜୁ କରାଯାଇଛି । ସେମାନେ ସଲମାନଙ୍କ ଆବେଦନକୁ ବିରୋଧ କରିଛନ୍ତି । ଫିଲ୍ମ ଟିଜର୍‌ରେ କ’ଣ ରହିଛି ? ସୂଚନାଯୋଗ୍ୟ ଯେ, ଗତ ୧୨ ଜୁନ୍ ୨୦୨୬ରେ 'କଳା ହିରଣ: ବ୍ୟାଟେଲ ଫର୍ ଲିଗାସୀ'ର ଫାଷ୍ଟ ଲୁକ୍ ଏବଂ ଟିଜର୍ ରିଲିଜ୍ କରାଯାଇଥିଲା। ଏହି ଟିଜର୍‌ରେ ସଲମାନ ଖାନଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟ ଚରିତ୍ରରେ ଦେଖାଯାଇଛି, ଯିଏ ସଲମାନଙ୍କ ଭଳି ବ୍ରେସଲେଟ୍ ମଧ୍ୟ ପିନ୍ଧିଛନ୍ତି । ଏଥିରେ ସଲମାନଙ୍କର ପୁରୁଣା 'କାଲା ହିରନଶିକାର ମାମଲା', ଲରେନ୍ସ ବିଷ୍ଣୋଇଙ୍କ ସହ ଚାଲିଥିବା ଶତ୍ରୁତା ଏବଂ ପୁଲିସର ତଦନ୍ତକୁ ପ୍ରଦର୍ଶନ କରାଯାଇଛି । ସଲମାନ ନିଜ ଆବେଦନରେ ଅଭିଯୋଗ କରିଛନ୍ତି ଯେ, ମେକର୍ସ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ତାଙ୍କ ନାଁର ଅପବ୍ୟବହାର କରୁଛନ୍ତି । ଏହି ଫିଲ୍ମ ରିଲିଜ୍ ହେଲେ ବର୍ତ୍ତମାନ କୋର୍ଟରେ ଚାଲୁଥିବା କଳା ହରିଣ ଶିକାର ମାମଲାର ଆଇନଗତ ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ସେଥିପାଇଁ ସେ ଏହି ଚଳଚ୍ଚିତ୍ରର ନିର୍ମାଣ, ପ୍ରମୋଶନ, ମାର୍କେଟିଂ ଏବଂ ଓଟିଟି ଷ୍ଟ୍ରିମିଂ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ଦାବି କରିଛନ୍ତି । ବର୍ତ୍ତମାନ ସମସ୍ତଙ୍କ ନଜର ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ରହିଛି ।