ଭୁବନେଶ୍ବର: ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗରିବ କଲ୍ୟାଣ ଯୋଜନାରେ ସାଧାରଣ ଲୋକଙ୍କ ଜୀବନ ବଦଳୁଛି । ଓଡିଶା ଅର୍ଥ ବ୍ୟବସ୍ଥା ମଜଭୂତ ହେଲେ ଭାରତ ମଜଭୂତ ହେବ । ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମିଶି ପ୍ରାୟ ୪୭ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରି ମୋଦି କହିଲେ, ଆଜି ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ଯାଇଥିଲି । ରାଷ୍ଟ୍ରପତିଙ୍କ ଉପସ୍ଥିତି ଏବଂ ତାଙ୍କର ଅତ୍ମୀୟତା ଯୋଗୁଁ ସମସ୍ତଙ୍କ ମୁହଁରେ ଚମକ ଥିଲା । ଆଜି ମୋ ପାଇଁ ଶିକ୍ଷାର ଦିବସ ଥିଲା, କିଛି ଶିଖିବାକୁ ମିଳିଲା । ପାହାଡପୁର ଗାଁକୁ ସୌର ଗ୍ରାମ ଭାବେ ବିକଶିତ କରାଯିବ ।ସବୁ ଘରେ ସୋଲାର ବିଜୁଳି ଜଳିବ । କୋଣାର୍କ ସୂର୍ଯ୍ୟ ମନ୍ଦିର ଏହାର ପରିଚୟ, ସୋଲାର ଭିଲେଜ ପରିଚୟ ପାଇବ ପାହାଡ଼ପୁର ।
ପ୍ରଧାନମନ୍ତ୍ରୀ କହିଲେ, ଓଡ଼ିଶାରେ ରଜ ପର୍ବ ଧୂମଧାମ ରେ ପାଳନ ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି ଚାଲିଛି । ବାରିପଦା ରଥଯାତ୍ରା ପାଇଁ ବି ଉତ୍ସାହ ଚାଲିଛି । ତା ସହ ଲୋକତନ୍ତ୍ରରେ ବିକାଶ ଉତ୍ସବ ଚାଲିଛି । ବିଜେପି ସରକାର ୨ ବର୍ଷ ପୂରଣ କରିଛି, ଏହି ଅବସରରେ ମୋର ଆସିବା ମୟୂରଭଞ୍ଜ ଆସିବା ମୋ ସୌଭାଗ୍ୟ । ଏତେ ବଡ ସଂଖ୍ୟାରେ ଆପଣଙ୍କ ଉପସ୍ଥିତି ଏହି ଅବସର ମୋ ପାଇଁ ବହୁତ ଖୁସିର କଥା। ଆପଣଙ୍କ ଭଲପାଇବା ମୋତେ ବାରମ୍ବାର ଏଠିକୁ ନେଇଆସେ । ଆପଣଙ୍କୁ ହୃଦୟରୁ ଧନ୍ୟବାଦ, ଡବଲ ଇଂଜିନ ବିକାଶ ଯାତ୍ରା ପାଇଁ ଶୁଭକାମନା । ପଣ୍ଡିତ ରଘୁନାଥ ମୁର୍ମୁ, ଦମୟନ୍ତୀ ବେସ୍ର , ଚରଣ ହେମ୍ବ୍ରମମଙ୍କୁ ନମନ । ଆମ ସରକାର ସାନ୍ତାଳୀ ଭାଷାକୁ ଗୁରୁତ୍ବ ଦେଇଛି। ଓଡିଶାର ଆଦିବାସୀ ସନ୍ତାନଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି । ଆଜି ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମଦିନ, ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା । ତାଙ୍କର ଦୀର୍ଘାୟୁ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ରାଷ୍ଟ୍ର ପାଇଁ ତାଙ୍କ ଜୀବନ ସମର୍ପିତ । ଓଡିଶାର ପରିଚୟକୁ ସେ ସଶକ୍ତ କରିଛନ୍ତି ।
ମୋଦି କହିଲେ, ଓଡ଼ିଶାରେ ନିବେଶ ବଢୁଛି, ରୋଜଗାର ସୁଯୋଗ ପାଇଁ କାମ ଦ୍ରୁତ ଗତିରେ ହେଉଛି । ପୂର୍ବୋଦ୍ୟୋୟ ନୀତିରେ କାମ କରୁଛନ୍ତି ସରକାର । କଂଗ୍ରେସ ସମୟରେ ଓଡ଼ିଶା ପଛୁଆ ଥିଲା, ଆଜି ଏ ରାଜ୍ୟ ପ୍ରଗତି ଦ୍ବାର। ଓଡିଶା ପାଖେ ସମୁଦ୍ର, ଖଣି, କୃଷି ଶକ୍ତି ଯୁବ ଶକ୍ତି ରହିଛି । ଆଜିର ୪୭ ହଜାର କୋଟିର ପ୍ରକଳ୍ପ ଦ୍ବାରା ଲୋକଙ୍କୁ ବହୁତ ସୁବିଧା ହେବ । ରାଜ୍ୟରେ ୨୦ ଲକ୍ଷ ନିବେଶ ପ୍ରସ୍ତାବ ମିଳିଛି । ସାଢେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି । ୬ ହଜାର କୋଟି ଶକ୍ତି କ୍ଷେତ୍ରରେ ନିବେଶ ହେଉଛି ।ଡବଲ ଇଂଜିନ ସରକାରରେ ବିଶେଷତା ଆମେ ଲୋକଙ୍କ ପାଖରେ ପହଚୁଛୁ । ଆମ ସରକାର ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ କୋଟିଏ ହିତାଧିକାରୀଙ୍କୁ ସହାୟତା, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ଶ୍ରମନ୍ଦିର ୪ ଦ୍ବାର ଖୋଲିବା ଭଳି ବହୁ କାମ କରିଛନ୍ତି । ସ୍ବଚ୍ଛ ଭାରତ ମିଶନରେ ରାଜ୍ୟ ସରକାର ବହୁ କାମ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଓଡିଶାବାସୀଙ୍କୁ ଧନ୍ୟବାଦ । ଜନଜାତି ଅଞ୍ଚଲର ବିକାଶ ପାଇଁ ସୁଧା ଗ୍ରାମ ଏବଂ ପିଏମ ଜନମନ ଯୋଜନା ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଦେଢ଼ କୋଟି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ୧୦୦ କୋଟି ଟଙ୍କା ଶିକ୍ଷା ବୃତ୍ତି ଦିଆଯାଇଛି। ମୟୂରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ଖୋଲିବ। ଆମ ସରକାର 4 କୋଟି ଲୋକଙ୍କୁ ବାଣ୍ଟିଛି ସ୍ବାସ୍ଥ୍ୟ କାର୍ଡ।
ପ୍ରଧାନମନ୍ତ୍ରୀ କହିଲେ, ୨୦୩୬ରେ ଓଡିଶାକୁ ୧୦୦ ବର୍ଷ, ୨୦୪୭ରେ ଭାରତକୁ ୧୦୦ ବର୍ଷ ପୁରିବ। ଓଡିଶାର ସାମର୍ଥ୍ୟ ଉପରେ ମୋର ଭରସା ଅଛି। ଆସନ୍ତୁ ଆମେ ମିଶି ଓଡିଶାକୁ ବିକଶିତ କରିବା। ଆସନ୍ତାକାଲି ଯୋଗ ଦିବସ, ଓଡିଶା ମାଟିରୁ ସାରା ଦେଶକୁ ନିବେଦନ ବହୁ ସଂଖ୍ୟାରେ ଆପଣ ମାନେ ଯୋଗ ଦିବସରେ ଯୋଡି ହୁଅନ୍ତୁ।