ଭୁବନେଶ୍ୱର, ୨୦/୦୬ : ଯୁବତୀଜଣକ ଚିଲ୍ଲେଇ ଚିଲ୍ଲେଇ କାନ୍ଦୁଥିଲେ। ‘ମୁଝେ ବଚାଓ, ମୁଝେ ବଚାଓ’ ବୋଲି ଆକୁଳ ନିବେଦନ କରୁଥିଲେ । ହେଲେ କେହି କର୍ଣ୍ଣପାତ କଲେନି। ହିଂସ୍ର ହୋଇଉଠିଲେ ସଭିଏଁ। ନିର୍ବଳା ଯୁବତୀଟି ଉପରେ ସଂଘବଦ୍ଧ ହୋଇ ଝାମ୍ପି ପଡ଼ିଲେ। ମନଇଛା ନିର୍ଧୁମ ପିଟିଚାଲିଲେ । ସର୍ବସମ୍ମୁଖରେ ନିର୍ବସ୍ତ୍ର କରିବାକୁ ବି ପଛେଇଲେନି। ସତେ ଯେମିତି, ସଭିଁଙ୍କ ମନରୁ ମାନବିକତା ମରିଗଲା। ବିବେକଶୂନ୍ୟ ହୋଇଗଲେ ସଭିଏଁ। ରାୟଗଡ଼ା କଲ୍ୟାଣସିଂହପୁରରେ ଘଟିଥିବା ଏଭଳି ବୀଭତ୍ସକାଣ୍ଡର ଏକାଧିକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଲୋମହର୍ଷଣକାରୀ ଭିଡିଓ ଦେଖିଲେ ଦେହ ଶିହରି ଉଠୁଛି। ଏହି ଖବର ଜଣାପଡ଼ିବା ପରେ ଅନେକ ଭାବିଥିଲେ ଏହା ଏକ ସାଧାରଣ ଭିଡ଼ ହିଂସା। କିନ୍ତୁ ଭିଡିଓ ଭାଇରଲ ହେବା ପରେ ଜଣାପଡ଼ୁଛି ଏହା କେତେ ଭୟାନକ ଆଉ ହିଂସ୍ର ଥିଲା। ଏଭଳି ହିଂସା ପୁଣି ଥରେ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କରିଛି । ଆମ ଆଇନଶୃଙ୍ଖଳା ଉପରକୁ ଅଙ୍ଗୁଳି ଉଠାଇଛି। ଲୋକଙ୍କ ମାନସିକତାକୁ ପୁଣି ଥରେ କାଠଗଡ଼ାରେ ଛିଡ଼ା କରିଛି।

ମାସେ ତଳେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଭିଡ଼ ହିଂସାରୁ ହତ୍ୟାକାଣ୍ଡ ରାଜ୍ୟବାସୀଙ୍କ ମନରୁ ଲିଭିନି । କଲ୍ୟାଣସିଂହପୁରର ସେହି କାଳରାତିର ହିଂସାକାଣ୍ଡ ଭିଡିଓକୁ ଯିଏ ଦେଖୁଛି ସେ କହୁଛି, ଏମାନେ ମଣିଷ ନା ଜହ୍ଲାଦ। ସୁଦୂର ଗୁଜରାଟର ସୁରତରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଥିବା ‘ଗ୍ରାମ ବିକାଶ’ ନାମକ ଏନ୍‌ଜିଓକୁ ଏକ୍ସପୋଜର୍‌ ଭିଜିଟ୍‌ରେ ଆସିଥିଲେ ଅର୍ପିତା ସୁତାରିୟା । ସେ ବିବାହିତା। ତାଙ୍କ ସହକର୍ମୀ ଥିଲେ ଦିଲ୍ଲୀ ଆଜାଦପୁରର ସୁମନ ଝା। ଉଭୟଙ୍କ ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ଉପାନ୍ତ ଇଲାକାରେ ପଛୁଆବର୍ଗର ଲୋକଙ୍କ ସେବା କରିବା । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା । ସେମାନେ ପୂର୍ବରୁ ମଧ୍ୟ ଦୁଇ ବର୍ଷ ଧରି ଫେଲୋସିପ୍‌ ପ୍ରୋଗ୍ରାମରେ ଦୁଇ ଥର ଆସିଛନ୍ତି। କହିବାକୁ ଗଲେ ସେମାନେ ଥିଲେ ଆମ ରାଜ୍ୟର ଅତିଥି। କିନ୍ତୁ ଫଳ ମିଳିଲା ଓଲଟା। ବିନା କାରଣରେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ପିଲା ଚୋର ସନ୍ଦେହରେ ଘେରିଗଲେ । କିଛି ମଦ୍ୟପ ପିଲା ଚୋର ପିଲା ଚୋର ବୋଲି ଚିତ୍କାର କଲେ । ଏଥିରେ ଭାସିଯାଇ ପ୍ରାୟ ତିନୋଟି ଗ୍ରାମରେ ଲୋକେ ଯୁବକ-ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ଉଭୟେ ଲୋକଙ୍କୁ ନିଜ ପରିଚୟ ଦେଲେ । ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ବୋଲି ଆଇ କାର୍ଡ ଦେଖାଇଲେ । ତଥାପି କେହି ସେମାନଙ୍କ ଗୁହାରି ଶୁଣିଲେନି । ହଠାତ୍‌ ହିଂସ୍ର ହୋଇଉଠିଲେ ସଭିଏଁ । ପୁଲିସ ଓ କିଛି ସହୃଦୟ ଲୋକ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଲେ । ଉତ୍ତ୍ୟକ୍ତ ଲୋକେ ସେଠାକୁ ମାଡ଼ିଗଲେ । ହସ୍ପିଟାଲ କବାଟ ଭାଙ୍ଗିକି ଧସେଇ ପଶିଲେ । ଭଙ୍ଗାରୁଜା କଲେ । ପୁଲିସକୁ ନାଲି ଆଖି ଦେଖାଇ ଉଭୟଙ୍କୁ ପୁଣି ନେଇଯିବାକୁ ଉଦ୍ୟମ କଲେ । ଅବଶ୍ୟ କଲ୍ୟାଣସିଂପୁର ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ।

୩ଟି ପୃଥକ ମାମଲା(ଯୁବକ-ଯୁବତୀଙ୍କୁ ମାର୍‌ପିଟ୍‌, ଥାନା ଘେରାଉ, ହସ୍ପିଟାଲରେ ଭଙ୍ଗାରୁଜା) ରୁଜୁ ହୋଇଛି । କିନ୍ତୁ ଅପରାଧସ୍ଥଳରେ ମାର୍‌ପିଟ୍‌ ମାମଲାରେ ଭିଡ଼ ହିଂସା ପାଇଁ ଉଦ୍ଦିଷ୍ଟ ଦଫା ଲଗାଇ ନାହିଁ । ବିଏନ୍‌ଏସ୍‌ ୧୧୭ (୪) ଦଫା ଅନୁସାରେ, ଯଦି ଜାତି କିମ୍ବା ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ କିମ୍ବା ଅନ୍ୟ କୌଣସି କାରଣରୁ ୫ କିମ୍ବା ତା’ଠାରୁ ଅଧିକ ବ୍ୟକ୍ତିଙ୍କ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରି କାହାରିକୁ ଗୁରୁତର ଆଘାତ ଦିଅନ୍ତି ତା’ ହେଲେ ଦୋଷୀମାନେ ସର୍ବାଧିକ ସାତବର୍ଷ ଯାଏଁ କାରାଦଣ୍ଡ ସହ ଜରିମାନାରେ ଦଣ୍ଡିତ ହେବାର ନିୟମ ରହିଛି । ଏହି ମାମଲାରେ ପୁଲିସ ବିଏନ୍‌ଏସ୍‌ ଦଫା ୩(୫) (ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି) ଲଗାଇଛି । ଏହାଛଡ଼ା ଅଭିଯୁକ୍ତମାନଙ୍କ ବିରୋଧରେ ୧୨୬(୨), ୨୯୬, ୧୧୫(୨), ୩୫୧(୩), ୧୨୧(୧), ୭୪, ୭୬, ୧୦୯, ଭଳି ବିଏନ୍‌ଏସ୍‌ ଦଫା ଲାଗିଛି ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ଅର୍ପିତା ଓ ସୁମନ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁରରେ ଥିବା ନିଜ ଅନୁଷ୍ଠାନକୁ ଯାଉଥିଲେ । ଗୁଗଲ୍‌ ମ୍ୟାପ୍‌ରେ ଭୁଲ ରାସ୍ତା ଦେଖାଇବାରୁ ସେମାନେ କଲ୍ୟାଣସିଂପୁରରେ ପହଞ୍ଚିଗଲେ । ଇନ୍ତାଲିଗୁଡ଼ାରେ ଖେଳୁଥିବା କିଛି ପିଲାଙ୍କୁ ସେମାନେ ବିସ୍କୁଟ ଦେଇଥିଲେ । ଦୁହେଁ ହିନ୍ଦୀରେ କଥା ହେଉଥିବାରୁ ଗ୍ରାମବାସୀଙ୍କ ସନ୍ଦେହ ଉପୁଜିଥିଲା । ସେମାନେ ସଂଘବଦ୍ଧ ହୋଇ ଉଭୟଙ୍କ ଉପରକୁ ଝାମ୍ପି ପଡ଼ିଥିଲେ।

ଆହୁରି ପଢନ୍ତୁ- ରାଉରକେଲାରେ ଗର୍ଜିଲା ପୁଲିସ ବନ୍ଧୁକ, ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭର୍ସେଲ ଚୁକ୍ତି କ’ଣ ? ଭର୍ସେଲ ପ୍ୟାଲେସରେ ଆମେରିକା-ଇରାନ ମଧ୍ୟରେ ପିସ୍ ଡିଲ୍ । ଜାଣନ୍ତୁ ଏହା ପଛର ବଡ଼ କାରଣ...